Advertisment

Chhabirani Rape and Murder Case: ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା: ଓଡ଼ିଶା ଇତିହାସରେ କଳଙ୍କିତ ଅଧ୍ୟାୟ

ଅଶୀ ଦଶକରେ ଘଟିଥିବା ଏହି ଲୋମହର୍ଷକ ଜଘନ୍ୟକାଣ୍ଡ ଏବେ ଦୀର୍ଘ ୪୫ ବର୍ଷ ପରେ ବି ଯିଏ ଶୁଣୁଛି ସିଏ ବି ବିଶ୍ବାସ କରିବାକୁ କିଛି ସମୟ ନେଉଛି ଯେ ସତରେ କଣ ଏମିତି ଘଟଣା ଘଟିଥିଲା । ଏତେ ଭୟଙ୍କର କଣ ସାଜିପାରେ ମଣିଷ ।

author-image
Bhakta Charan Jena
CHABIRANI

ଛବିରାଣୀ ହତ୍ୟାକାଣ୍ଡ Photograph: (OTV)

ବୀଭତ୍ସ, ଭୟଙ୍କର, ଅମାନବିକ, ପଶୁତୁଲ୍ୟ ଇତ୍ୟାଦି ଇତ୍ୟାଦି ଆଉ ଯେତେ ଯାହା କଟୁ ଶବ୍ଦ ଅଛି ସବୁ ଲଗାଇଲେ ବି କମ୍ ହେବ ଓଡ଼ିଶାର ଏହି ଚର୍ଚ୍ଚିତ ଏବଂ ଅଭୁଲା ଅପରାଧ ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା ପାଇଁ । ଅଶୀ ଦଶକରେ ଘଟିଥିବା ଏହି ଲୋମହର୍ଷକ ଜଘନ୍ୟକାଣ୍ଡ ଏବେ ଦୀର୍ଘ ୪୫ ବର୍ଷ ପରେ ବି ଯିଏ ଶୁଣୁଛି ସିଏ ବି ବିଶ୍ବାସ କରିବାକୁ କିଛି ସମୟ ନେଉଛି ଯେ ସତରେ କଣ ଏମିତି ଘଟଣା ଘଟିଥିଲା । ଏତେ ଭୟଙ୍କର କଣ ସାଜିପାରେ ମଣିଷ । ଜଣେ ମହିଳା ପ୍ରତି ଏତେ ନିର୍ଦ୍ଦୟ ଆଚରଣ କଣ କରାଯାଇପାରେ । ଆଜିର ଯୁବ ପିଢ଼ି ମଧ୍ୟରେ ଅନେକ ହୁଏତ ସେକଥା ଜାଣିନଥିବେ କିନ୍ତୁ ଯେଉଁମାନେ ଶୁଣିଛନ୍ତି ସେମାନେ ଜାଣିଛନ୍ତି କିଭଳି ଭୟଙ୍କର ଥିଲା ସେଦିନର ସେ ଘଟଣା।

Advertisment

କିଏ ଏହି ଛବିରାଣୀ ?

ଘଟଣାର ମୁଖ୍ୟ ଚରିତ୍ର ଛବିରାଣୀ । ଘର ପଶ୍ଚିମବଙ୍ଗ ମେଦିନିପୁର । ଛବିରାଣୀଙ୍କ ଭାଇ ପୁରୀର ଏକ ହୋଟେଲରେ ମ୍ୟାନେଜର ଭାବେ କାମ କରନ୍ତି । ଭାଇଙ୍କ ପାଖକୁ ପୁରୀ ବୁଲିବାକୁ ଆସି କିଛି ଦିନ ଏଇଠି ରହିଗଲେ ଛବିରାଣୀ । ପୁରୀରେ ସଂସ୍କୃତ କଲେଜରେ ପାଠ ପଢୁଥିବା ଜଗତସିଂହପୁରର ନବକିଶୋର ମହାପାତ୍ରଙ୍କ ସହ ଛବିରାଣୀଙ୍କ ପ୍ରେମ ହୁଏ ଏବଂ ପରେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନିଅନ୍ତି । ନବକିଶୋରଙ୍କର କିଛି ଚାକିରି ବାକିରି ନଥିବାରୁ ବାହାଘର ପରେ ଉଭୟ ପତିପତ୍ନୀ ନବକିଶୋରଙ୍କ ପୈତୃକ ଗାଁ ଜଗତସିଂହପୁର ଡିହସାହିକୁ ପଳାଇ ଆସନ୍ତି । ଏତିକି ବେଳେ ଉଭୟଙ୍କ କୋଳକୁ ପୁଅଟିଏ ଆସେ । ନାଁ ଦିଅନ୍ତି ଡ୍ୟାନି । ନବକିଶୋରଙ୍କ କିଛି ଆୟ ପନ୍ଥା ନଥିବାରୁ ପରିବାର ପ୍ରତିପୋଷଣରେ ସମସ୍ୟା ଦେଖାଦିଏ । ଅବିବାହିତ ଥିଲା ବେଳେ ଗପ, କବିତା ଆଦି ଲେଖାଲେଖି କରୁଥିବା ଛବିରାଣୀ ସାମ୍ବାଦିକତା କରିବାକୁ ନିଜେ ଆଗ୍ରହ ପ୍ରକାଶ କରିବା ସହ ନବକିଶୋରଙ୍କୁ ମଧ୍ୟ ପ୍ରୋତ୍ସାହିତ କରନ୍ତି। 

ସାମ୍ବାଦିକତା ପାଇଁ ଶତ୍ରୁ ସୃଷ୍ଟି 

୧୯୮୦ ମସିହାରେ ନବକିଶୋର ପ୍ରଗତିବାଦୀ ଏବଂ ଛବିରାଣୀ ଦୁର୍ମୁଖ ଖବରକାଗଜର ବିରିଡ଼ି ବ୍ଲକ ପ୍ରତିନିଧି ଭାବେ ଯୋଗଦିଅନ୍ତି । ୧୯୮୦ ମସିହା ବେଳକୁ ରାଜ୍ୟରେ କଂଗ୍ରେସ ସରକାର ଚାଲିଥାଏ । ବିରିଡ଼ି ବ୍ଲକରେ ଠିକାଦାରୀ ନାଁରେ ବ୍ୟାପକ ଭାବେ ଦୁର୍ନୀତି ଚାଲିଥାଏ । ଦୁର୍ନୀତି ଖବରକୁ ତଥ୍ୟ ପ୍ରମାଣ ସହ ପ୍ରଗତିବାଦୀ ଓ ଦୁର୍ମୁଖ ଖବର କାଗଜରେ ଛାପି ଚାଲିଲେ ଦଂପତି ନବକିଶୋର ଓ ଛବିରାଣୀ । କୌଣସି କଳାକାରନାମା ସାମ୍ନାକୁ ଆସୁନଥିବା ବେଳେ ହଠାତ୍ ଏହି ଦୁହିଙ୍କ ପାଇଁ ସବୁକିଛି ପଦାରେ ପଡ଼ିଯିବାରୁ ବିରିଡ଼ି ଅଞ୍ଚଳର ବେଶ୍ କିଛି ଲୋକ ଏମାନଙ୍କ ପରମ ଶତ୍ରୁ ପାଲଟିଗଲେ । ସେମାନଙ୍କ ମଧ୍ୟରେ ଥିଲେ ଠିକାଦାର ରାଜୁ ଦୋରା, କଂଗ୍ରେସ ନେତା ନନ୍ଦ ମହାନ୍ତି ଓ ଦିବାକର ନାୟକଙ୍କ ଭଳି କିଛି ଲୋକ । ବିଶେଷକରି ରାଜୁ ଦୋରାଙ୍କ ସିମେଣ୍ଟ କଳାବଜାରୀ ସେତେବେଳେ ବେଶ୍ ହଇଚଇ ସୃଷ୍ଟି କରିଥିଲା । ସିମେଣ୍ଟରେ ପାଉଁଶ ମିଶାଇ ରାଜୁ କିଭଳି ଠିକା କାମ କରୁଥିଲା ଏବଂ ତାକୁ ନନ୍ଦ ଓ ଦିବାକର କିଭଳି ଘଣ୍ଟ ଘୋଡ଼ାଉଥିଲେ ତାକୁ ବିସ୍ତୃତ ଆକାରରେ ପ୍ରକାଶ କରିଦେଲେ ନବ ଓ ଛବି । ଏହାରି ଭିତରେ ଥରେ ନବଙ୍କ ଘରୁ କିଛି ଦରକାରୀ କାଗଜପତ୍ର ଓ ଘରକରଣା ଜିନିଷ ଚୋରି ହୋଇଥିଲା ଓ ସେନେଇ ନବ ବିରିଡ଼ି ଫାଣ୍ଡିରେ ଏତଲା କରିଥିଲେ । ଏତଲାରେ ନନ୍ଦ ମହାନ୍ତିଙ୍କ କିଛି ସହଯୋଗୀଙ୍କ ନାଁ ଥିବାରୁ ସେମାନେ ଖପ୍ପା ଥିଲେ । ଏହାରି ଭିତରେ ସିମେଣ୍ଟ ଦୁର୍ନୀତି ଖବର ନିଆଁରେ ଘିଅ ଢାଳିଦେଲା ଯେମିତି । ୧୯୮୦ ମସିହା ଅକ୍ଟୋବର ୩ ତାରିଖ । ଉଭୟ ନବ ଏବଂ ଛବି କଟକ ବାହାରିଲେ । ନିଜ ନିଜ ଖବରକାଗଜ ଅଫିସ ଯାଇ ନିଜ ବର୍ଷିକିଆ ଚୁକ୍ତି ନବୀକରଣ କରି ଫେରିବା ଯୋଜନା କରିଥିଲେ । କଟକ ଯିବା ଉଦ୍ଦେଶ୍ୟରେ ସକାଳ ସାଢ଼େ ୮ଟାରେ ବିରିଡ଼ି ବଜାରକୁ ଆସି ଜଳଖିଆ ଖାଇବାକୁ ଏକ ଦୋକାନରେ ବସିଥିବା ବେଳେ ନନ୍ଦ ଓ ଦିବାକରଙ୍କ କିଛି ଲୋକ ସେଠାରେ ପହଞ୍ଚି ଉଭୟଙ୍କୁ ବ୍ଲକ କଂଗ୍ରେସ ଅଫିସ ଯାଇ ସେଠାରେ ଦୁଇ ନେତାଙ୍କୁ ଭେଟିବାକୁ କହିଥିଲେ । ଉଭୟ କଟକ ବାହାରୁଥିବାରୁ ଫେରିଲେ ଦେଖା କରିବାକୁ କହିଥିଲେ । ହେଲେ ସେମାନେ କିଛି ନଶୁଣି ସେହି ଜଳଖିଆ ଦୋକାନରୁ ଉଭୟଙ୍କୁ ଭିଡ଼ି ନେଇଥିଲେ । ଉଭୟଙ୍କୁ ରାସ୍ତା ଉପରେ ପ୍ରବଳ ମାଡ଼ ମାରିଥିଲେ ସଂପୃକ୍ତ ଗୁଣ୍ଡାଶ୍ରେଣୀୟ ଲୋକେ । 

Advertisment

ନବଙ୍କୁ ନିସ୍ତୁକ ମାଡ଼

ମାଡ଼ ଖାଇ ଉଭୟ ଆଉ କଟକ ନଯାଇ ଭଡ଼ାଘରକୁ ଫେରି ଆସିଥିଲେ । ସେତିକିରେ କିନ୍ତୁ ଆକ୍ରମଣକାରୀଙ୍କ ମନ ଶାନ୍ତି ହୋଇନଥିଲା । ଭଡ଼ା ଘରେ ପୁଣି କିଛି ଲୋକ ପହଞ୍ଚି ନବଙ୍କୁ ପିଟିବା ସହ ବିରିଡ଼ି ବ୍ଲକ କଂଗ୍ରେସ ଅଫିସକୁ ଉଠାଇ ଆଣିଥିଲେ । ଚୋରି ଏତଲାରୁ ନାଁ କାଟିବାକୁ ତାଙ୍କୁ ବାଧ୍ୟ କରାଯାଇଥିଲା । ସୁଧିର ପରିଡ଼ା, ବୀର ମାଣିଆ, ନନ୍ଦ ମହାନ୍ତି ପ୍ରମୁଖ ନବଙ୍କୁ ପିଟିବା ସହ ଚୋରି କେଶ୍ ଉଠାଇ ନେବା ଉଦ୍ଦେଶ୍ୟରେ ସାଦା କାଗଜରେ ଦସ୍ତଖତ କରାଇ ନେଲେ । ସଂଧ୍ୟା ଭିତରେ ବିରିଡ଼ି ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦେଇ ବ୍ଲକ କଂଗ୍ରେସ ଅଫିସରୁ ନବଙ୍କୁ ଛାଡ଼ି ଦେଇଥିଲେ । ମାଡ଼ ଖାଇ ଘରେ ପହଞ୍ଚି ଛବିରାଣୀଙ୍କୁ ସବୁକଥା କହିବା ସହ ସାଙ୍ଗେ ସାଙ୍ଗେ ବିରିଡ଼ି ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଥିବା କହିଥିଲେ । ୬ ମାସର ବକଟେ ଛୁଆକୁ ଧରି କିଭଳି ସଂଧ୍ୟା ସମୟରେ କୁଆଡ଼େ ଯିବେ ବୋଲି ଭାବୁ ଭାବୁ ଶେଷରେ ଜୀବନ ବଞ୍ଚାଇବାକୁ ପୁଅ ଡ୍ୟାନିକୁ ଧରି ଘର ଛାଡ଼ିଲେ ନବ ଓ ଛବି । 

ବିଲୁଆ ଖାଇ ପଠା ଏବଂ ସେ କାଳ ରାତି

ଅକ୍ଟୋବର ୩ ତାରିଖ ସଂଧ୍ୟା ୬ଟାରେ ଛୁଆକୁ ଧରି ନବ ଓ ଛବି ବାହାରି ପଡ଼ିଲେ ପୈତୃକ ଘର ଡିହସାହି ଯିବାକୁ । ବସ୍ ନଥିବାରୁ ଚାଲି ଚାଲି ବିଲୁଆ ଖାଇ ନଈ ପାରି ହୋଇ ଆରପଟେ ଥିବା ଏକ ଗାଁରେ ରାତି କାଟି ସକାଳୁ ଘରକୁ ଚାଲିଯିବାକୁ ମନସ୍ଥ କରିଥିଲେ ଉଭୟ । ନଦୀ ବାଲିରେ ପ୍ରାୟ ୫ କିଲୋମିଟର ଚାଲିବା ପରେ ଆରପଟେ ଉକୁନ୍ଦରା ଗାଁରେ ପହଞ୍ଚିବାକୁ ଉଭୟଙ୍କ ଯୋଜନା ଥିଲା । ନବ ଶୋଇପଡ଼ିଥିବା ୬ ମାସର ପୁଅ ଡ୍ୟାନିକୁ କାନ୍ଧରେ ଧରିଥିବା ବେଳେ ସ୍ବାମୀଙ୍କ ହାତ ଧରି ଚାଲୁଥାନ୍ତି ଛବି । ଦିନ ତମାମ ଅଖିଆ ଅପିଆ ଓ ନିସ୍ତୁକ ମାଡ଼ ଖାଇଥିବା ଉଭୟ ପତିପତ୍ନୀ ବହୁ କଷ୍ଟରେ ରାତି ଅନ୍ଧାରରେ କିଛି ବାଟ ଚାଲିବା ପରେ ପଛରୁ କିଛି ଲୋକ ଆସୁଥିବାର ଜାଣିପାରିଲେ । ଟର୍ଚ୍ଚ ଲାଇଟ ପକାଇ ହାତରେ ମାରଣାସ୍ତ୍ର ଧରି କିଛି ଲୋକ ସେମାନଙ୍କ ଆଡ଼କୁ ଆସୁଥିବାର ଦେଖିଲେ ନବ ଓ ଛବି । ଉଭୟ ଏଥର ଜୋର ଜୋର ପାଦ ପକାଇ କ୍ରମେ ଦଉଡ଼ିବାକୁ ଲାଗିଲେ । ନବ ଆଗେ ଆଗେ ଓ ଛବି ପଛେ ପଛେ ଦଉଡୁଥିବା ବେଳେ ଆଉ ଦଉଡ଼ି ନପାରି ପଡ଼ିଯାଇଥିଲେ ଛବି । ଆଉ ଦଉଡ଼ିବାକୁ ବଳ ପାଉନଥିବାରୁ ଛବି ଅବଶ ହୋଇ ନବଙ୍କୁ ପୁଅ ଡ୍ୟାନିକୁ ଧରି ସେଠାରୁ ଚାଲିଯିବାକୁ ନେହୁରା ହୋଇଥିଲେ । କାରଣ ଛବିଙ୍କ ଧାରଣା ଥିଲା ସେମାନେ ନବଙ୍କୁ ଟାର୍ଗେଟ କରି ଆସିଛନ୍ତି ଏବଂ ତାଙ୍କୁ ନିଶ୍ଚିତ ଭାବେ ହତ୍ୟା କରିବେ ।  ଛବିଙ୍କ ଆକୁଳ ନିବେଦନ ଓ ପୁଅକୁ ବଞ୍ଚାଇବା ଉଦ୍ଦେଶ୍ୟରେ ଛବିଙ୍କୁ ଛାଡ଼ି ନବ ସେଠାରୁ ଦଉଡ଼ି ପଳାଇ କିଛି ଦୂରରେ ଥିବା ଏକ ବାଉଁଶ ବୁଦା ମୂଳେ ଲୁଚି ଯାଇଥିଲେ । 

ଛବିଙ୍କୁ ବିଦାରୀ ଦେଲେ ନରରାକ୍ଷସ

ବାଲିରେ ଉଠି ପଡ଼ି ଦଉଡୁଥିବା ଛବିରାଣୀଙ୍କ ପାଖରେ ପହଞ୍ଚି ଯାଇଥିଲେ ପଛରୁ ଗୋଡ଼ାଉଥିବା ଲୋକ । ବୀର ମାଣିଆ, ବାବାଜି ମାଣିଆ, ମାଧବ ତନ୍ତି, ରାଜୁ ଦୋରା, ଦିବାକର ନାୟକ, ନନ୍ଦ ମହାନ୍ତି, ବଗ ତନ୍ତି, କେଳୁ ଦାସ, ସୁଧିର ପରିଡ଼ା ପ୍ରମୁଖ ତାଙ୍କ ପାଖରେ ପହଞ୍ଚି ଯାଇ ପ୍ରଥମେ ନବ କାହିଁ ବୋଲି ପଚାରିଥିଲେ । ଛବିଙ୍କ ଠାରୁ ସନ୍ତୋଷଜନକ ଉତ୍ତର ନପାଇ ସେମାନେ ନବକୁ ଆଖ ପାଖରେ ଟର୍ଚ୍ଚ ଲାଇଟ ଧରି ଖୋଜିବାରେ ଲାଗିଲେ । ତେବେ ଖୋଜାଖୋଜି ପରେ ନବକୁ ନପାଇବାରୁ ସେମାନଙ୍କ ମୁଣ୍ଡକୁ ପୀତ ଚଢ଼ିଯାଇଥିଲା । ସେହି ନଦୀ ବାଲି ଉପରେ ସେମାନେ ନରରାକ୍ଷସ ପାଲଟି ଛବିରାଣୀଙ୍କ ଉପରକୁ ଝାମ୍ପି ପଡ଼ିଥିଲେ । ଛବିରାଣୀଙ୍କ ହାତ ଗୋଡ଼ ମାଡ଼ିବସିବା ସହ ସେଇଠି ଅତି ଅମାନୁଷିକ ଭାବେ ଗଣ ଦୁଷ୍କର୍ମ କରିଥିଲେ । ଏତିକିରେ ନରପିଶାଚଙ୍କ ମନ ଶାନ୍ତି ହୋଇନଥିଲା । ଗଣ ଦୁଷ୍କର୍ମ ପରେ ଅତି ବୀଭତ୍ସ ଭାବେ ବିଲୁଆ କୁକର ଭଳି ଛବିରାଣୀଙ୍କୁ ବାଲିରେ ଘୋଷାଡ଼ି, ତାଙ୍କ ଉପରେ କୁଦି ହତ୍ୟା କରିଥିଲେ । ଛବିରାଣୀଙ୍କ ଜୀବନ ଚାଲିଯାଇଥିବା ନିଶ୍ଚିତ ହେବା ପରେ ସେହି ନରପିଶାଚମାନେ ସେଠାରୁ ଚାଲି ଯାଇଥିଲେ । ଅପରାଧୀମାନେ ସେଠାରୁ ଚାଲିଯିବା ପରେ ବୁଦା ଉହାଡ଼ରେ ଲୁଚି ଥିବା ନବ ସେଠାରେ ପହଞ୍ଚି ଛବିଙ୍କର ଏଭଳି ଅବସ୍ଥା ଦେଖି ପାଗଳପ୍ରାୟ ହୋଇଯାଇଥିଲେ । ସେମିତି ଡ୍ୟାନିକୁ କାନ୍ଧରେ ପକାଇ ନଦୀ ପାରି ହୋଇ ପାଖ ଉକୁନ୍ଦରା ଗାଁରେ ପହଞ୍ଚି ସବୁ କଥା ବର୍ଣ୍ଣନା କରିଥିଲେ । ଏସବୁ ଶୁଣି ଉକୁନ୍ଦରା ଗାଁର ପ୍ରାୟ ୫ଶହରୁ ଅଧିକ ଲୋକ ହାତରେ ଠେଙ୍ଗାବାଡ଼ି ଧରି ଘଟଣା ସ୍ଥଳରେ ପହଞ୍ଚିଲା ପରେ ଯାହା ଦେଖିଲେ ସେମାନେ ବି ନିଜ କୋହ ସମ୍ବରଣ କରିପାରିନଥିଲେ । ବିଲୁଆ ଖାଇ ବାଲି ଉପରେ ନର ରାକ୍ଷସଙ୍କ ଅତ୍ୟାଚାରରେ ରକ୍ତମାଂସର ପିଣ୍ଡୁଳାଟିଏ ପରି ପଡ଼ିଥିଲା ଛବିରାଣୀଙ୍କ ନିଶ୍ଚଳ ଶରୀର । 

ଆସିଲାନି ପୋଲିସ, ଲୋକ ତାତିଲେ

୧୯୮୦ ମସିହାରେ କେବଳ ଡାକଘରକୁ ଛାଡ଼ିଦେଲେ ବାକି କାଁଭାଁ ଟେଲିଫୋନ ବ୍ୟବସ୍ଥା ଥିଲା । ପାଖ ଗାଁ ଡାକଘରୁ ଜଗତସିଂହପୁର ଥାନାକୁ ଫୋନ୍ କରି ଘଟଣା ସଂପର୍କରେ ଜଣାଇଥିଲେ ଲୋକେ । ପୋଲିସ ଯାଉଛି ବୋଲି କହି ରାତି ପାହିଲା ପଛେ ଆସିଲା ନାହିଁ । ନବଙ୍କୁ ଧରି କିଛି ଲୋକ ଜଗତସିଂହପୁର ଥାନାରେ ପହଞ୍ଚିଲେ । ନବ ଏତଲା ଦେଲେ । ଏତଲାରେ ନନ୍ଦ ମହାନ୍ତିଙ୍କ ନାଁ ଦେଖି ଚିହିଁକି ଉଠିଲେ ଆଇଆଇସି । ନନ୍ଦଙ୍କ ନାଁ କାଟିବାକୁ ନବଙ୍କୁ ବାଧ୍ୟ କରାଗଲା । ଆଖି ସାମ୍ନାରେ ନିଜ ସ୍ତ୍ରୀ ପ୍ରତି ନନ୍ଦଙ୍କ ପାଶବିକ ଅତ୍ୟାଚାର ଦେଖିଥିବା ନବ ଏତଲାରୁ ନନ୍ଦଙ୍କ ନାଁ କାଟିବାକୁ ମନା କରିବାରୁ ଆଇଆଇସି ଏତଲାକୁ ଚିରି ନବଙ୍କ ମୁହଁକୁ ଫୋପାଡ଼ିଥିଲେ । ଏସବୁ ଦେଖି ତାତି ଉଠିଥିଲେ ଲୋକେ । ଜଗତସିଂହପୁର ଥାନାରୁ ସିଧା ବିରିଡ଼ିକୁ ଫେରିଆସି ସେଠାରେ ପ୍ରଥମେ ରାଜୁ ଦୋରା ଘରେ ନିଆଁ ଲଗାଇ ଦେଇଥିଲେ । ବିରିଡ଼ି ବଜାର ଉପରେ କଟକ-ମାଛଗାଁ ମୁଖ୍ୟ ରାସ୍ତା ଅବରୋଧ କଲେ । ଜନତାଙ୍କ ଆକ୍ରୋଶ ଦେଖି ଶେଷରେ ଏତଲା ରଖି ତଦନ୍ତ ଆରମ୍ଭ କଲା ପୋଲିସ । 

୨୨ ବର୍ଷ ପରେ ରାୟ

କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦେଲେ ରାଜ୍ୟ ସରକାର । ଶେଷ ପର୍ଯ୍ୟନ୍ତ କିନ୍ତୁ ନନ୍ଦ ମହାନ୍ତିଙ୍କ ନାଁ ଏତଲାରୁ କାଟିବାକୁ ଡିଆଇଜିଙ୍କଠାରୁ ଆରମ୍ଭ କରି ଏସ୍ପି ପର୍ଯ୍ୟନ୍ତ ଲାଗିପଡ଼ିଥିଲେ ବି ସଫଳ ହୋଇପାରିନଥିଲେ । ମାମଲାର ବିଚାର ଚାଲିଲା । ୩୦୨ ଓ ୩୭୬ ଦଫାରେ ମୋଟ ୮ ଜଣ ଦୋଷୀ ସାବ୍ୟସ୍ତ ହେଲେ ଏବଂ ସମସ୍ତଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଲେ ଜିଲ୍ଲା ଓ ଦୌରା ଜଜ୍ । ଦଣ୍ଡାଦେଶକୁ ଚାଲେଂଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୋଷୀ ସାବ୍ୟସ୍ତ ୮ ଜଣ । ମାମଲାର ବିଚାର କରି ୧୯୯୩ରେ ହାଇକୋର୍ଟ ସମସ୍ତ ଦୋଷୀଙ୍କୁ ପ୍ରମାଣ ଅଭାବରୁ ଦୋଷମୁକ୍ତ କରିଦେଲେ । କୋର୍ଟ ରାୟରେ ଭାଙ୍ଗି ପଡ଼ିଥିବା ନବକିଶୋର କିଛି ସ୍ବେଛାସେବୀ ସଂଗଠନ ସହାୟତାରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ । ପ୍ରାୟ ୯ ବର୍ଷ କାଳ ବିଚାରଣା ଚାଲିବା ପରେ ୨୦୦୨ ମସିହାରେ ଆସିଲା ଚୁଡ଼ାନ୍ତ ରାୟ । ସୁପ୍ରିମକୋର୍ଟ ୮ ଜଣଙ୍କ ମଧ୍ୟରୁ ୪ ଜଣ ନନ୍ଦ ମହାନ୍ତି, ଦିବାକର ନାୟକ, ରାଜୁ ଦୋରା ଏବଂ ସୁଧିର ପରିଡ଼ାଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ସହ ବାକି ୪ ଜଣ ବୀର ମାଣିଆ, ବାବାଜି ମାଣିଆ ପ୍ରମୁଖଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଲେ । ଘଟଣାର ୨୨ ବର୍ଷ ପରେ ୪ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଇନ ଫାଙ୍କରେ ଖସିଯିବାକୁ ସମର୍ଥ ହୋଇଥିଲେ ୪ ପ୍ରମୁଖ ଅଭିଯୁକ୍ତ । 

ନବକିଶୋର ଏବଂ ଡ୍ୟାନିଙ୍କୁ ଚାକିରି

୧୯୮୦ ମସିହାରେ ୬ ମାସର ଛୁଆ ଥିବା ଛବିରାଣୀଙ୍କ ପୁଅ ଡ୍ୟାନି ୨୦୦୨ ବେଳକୁ ହୋଇଯାଇଥିଲା ୨୨ ବର୍ଷର ଯୁବକ । ଛବିରାଣୀଙ୍କ ସ୍ବାମୀ ନବକିଶୋର ବି ଯୁବକରୁ ପ୍ରୌଢ଼ ହୋଇସାରିଥିଲେ । ଘଟଣାକୁ ନେଇ ୨୨ ବର୍ଷ ପରେ ପୁଣି ଚର୍ଚ୍ଚା ଆଲୋଚନା ବଢ଼ିବା ପରେ ଖୋଜା ପଡ଼ିଥିଲା ନବ ଏବଂ ଡ୍ୟାନିଙ୍କୁ । ଡ୍ୟାନି ତାଳଚେରରେ ଛୋଟ ଦୋକାନଟିଏ କରିଥିଲେ, ନବ ରହୁଥିଲେ ବ୍ରହ୍ମପୁରରେ । ନବଙ୍କୁ ଜଙ୍ଗଲ ବିଭାଗରେ ସୁପରଭାଇଜର ଚାକିରିଟିଏ ମିଳିଲା । ଡ୍ୟାନିଙ୍କୁ ମଧ୍ୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । ଘଟଣାକୁ ଦୀର୍ଘ ୪୫ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ବି ଛବିରାଣୀ ଗଣଦୁଷ୍କର୍ମ ଓ ହତ୍ୟା ଓଡ଼ିଶା ଇତିହାସରେ ଏକ କଳଙ୍କିତ ଦାଗ ଭଳି ସବୁଦିନ ପାଇଁ ରହିଥିବ । 

Odisha Crime Crime Odisha Chhabirani Gang Rape And Murder
Advertisment
Advertisment