Gold Photograph: (OTV)
ପୁଣି ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର । ୨ ଲକ୍ଷ ମୁହାଁ ହେଲା ସୁନା । ଟେନସନ୍ରେ ଗ୍ରାହକ, କମୁଛି କମ୍ ବଢ଼ୁଛି ବେଶି ।
ବର୍ତ୍ତମାନ ବିବାହ ଋତୁ ଚାଲିଥିବା ବେଳେ ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ସ୍ୱପ୍ନ ହୋଇଯାଉଛି ସୁନା କିଣିବା । ସୁନାକୁ ଛୁଇଁବା ତ ଦୂରର କଥା ଦୋକାନକୁ ଯିବାକୁ ବି ଡରିଲେଣି ଗ୍ରାହକ । ଆଉ ଆଜି ପୁଣି ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା । ଦିନକରେ ୨ ହଜାର ଟଙ୍କା ବଢିଛି ସୁନା ଦର ।
କିଛି ଦିନ ହେବ ସୁନା-ରୁପା ଦାମ୍ ହ୍ରାସ ପାଉଥିଲା । ଦର ଆହୁରି କମିଯିବ ଭାବି ଗ୍ରାହକ ଟିକେ ଦ୍ୱନ୍ଦ୍ୱରେ ଥିବାବେଳେ ପୁଣିଥରେ ମାର୍କେଟରେ ରେକର୍ଡ ଭାଙ୍ଗିଛି ସୁନା-ରୁପା ଭାଉ । ଆଜି ଦିନକରେ ୨୨ କ୍ୟାରେଟ ସୁନା ୧୯୦୦ ଟଙ୍କା ଓ ୨୪ କ୍ୟାରେଟ ୨ ହଜାରରୁ ଅଧିକ ଟଙ୍କା ବୃଦ୍ଧି ପାଇଛି ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମ ୨୨ କ୍ୟାରେଟ୍ ସୁନା ଦର ରହିଛି ୧ ଲକ୍ଷ ୪୭ ହଜାର ୯୦୦ ଟଙ୍କା । ୨୪ କ୍ୟାରେଟ ଦାମ୍ ୧ ଲକ୍ଷ ୬୧ ହଜାରରୁ ଅଧିକ ରହିଛି । ଖାଲି ୨୨ କି ୨୪ କ୍ୟାରେଟ୍ ନୁହେଁ, ମାର୍କେଟରେ ୧୮ କ୍ୟାରେଟ୍ ସୁନାକୁ ବି ଆଉ ଛୁଇଁ ହେଉନି । ଦିନକରେ ୧୫ ଶହରୁ ଅଧିକ ଟଙ୍କା ବଢି ୧୮ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଲକ୍ଷେ ୨୧ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।
ସେପଟେ ଆଜି ସୁନା ସହ ରୁପା ବି ମାରିଛି ଲମ୍ବ ଡିଆଁ । କିଛି ଦିନ ହେଲା ଖସୁଥିବା ରୁପା ଦର ଦିନକରେ ୧୦ ହଜାର ଟଙ୍କା ବଢି କେଜି ପିଛା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି । ସୁନା-ରୁପା ଦାମ୍ ବୃଦ୍ଧିର ମୁଖ୍ୟ କାରଣ ହେଉଛି ବୈଶ୍ୱିକ ବା ଭୂରାଜନୈତିକ ଅସ୍ଥିରତା । ଏହି ସମୟରେ ନିବେଶକ ସୁନାକୁ ଅଧିକ ସୁରକ୍ଷିତ ବିକଳ୍ପ ଭାବି ଅଧିକ ମାତ୍ରାରେ ନିବେଶ କରୁଛନ୍ତି । ଯାହାକି ଦାମ୍ ବଢାଉଛି ।
ତେବେ ଭାରତରେ ବାହାଘର ହେଉକି ଅନ୍ୟକୌଣସି ମାଙ୍ଗଳିକ କାର୍ଯ୍ୟ, ସୁନା ଉପହାର ଦେବାର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି । ହେଲେ ଏବେ ୧ ଗ୍ରାମ ସୁନା ରେଟ ୨୦ ହଜାର ହେଲାଣି । ସେହିପରି ଦିନେ ୫୦୦ ଟଙ୍କା ଥିବା ରୁପା ଗୋଡମୁଦି ୫୦୦୦ ହଜାର ପଡିଲାଣି । ତେଣୁ ବାହାଘରରେ ସୁନା ତ ସୁନା ରୁପା ବି ଉପହାରରେ ଦେବାକୁ ଡରୁଛନ୍ତି ଲୋକେ ।
ବ୍ୟୁରୋ ରିପୋର୍ଟ, ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/gold-silver-prices-rises-2026-02-23-19-45-21.jpg)