Gold Photograph: (OTV)
ଭାରତୀୟ ପରମ୍ପରାରେ ସୁନାକୁ ସମୃଦ୍ଧି ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ । ଭାରତୀୟ ମହିଳାଙ୍କ ଭାବପ୍ରବଣତା ସହ ଜଡ଼ିତ ସୁନା ଅଳଙ୍କାର। ପ୍ରାଚୀନ କାଳରୁ ହିଁ ସୁନା ଧାର୍ମିକ ରୀତିନୀତିର ଏକ ଅବିଚ୍ଛେଦ୍ୟ ଅଂଶ ରହିଆସିଛି । ମନ୍ଦିରରେ ଦେବତାଙ୍କ ସାଜସଜା ହେଉ କି ପର୍ବପର୍ବାଣୀ କିମ୍ବା ବିବାହ ଉତ୍ସବ ହେଉ, ସବୁଠି ନିଜର ଅନନ୍ୟ ପରିଚୟ ବଜାୟ ରଖେ ସୁନା ଅଳଙ୍କାର ଓ ଗହଣା । ଆମ ଦେଶରେ ସୁନା ପ୍ରତି ଲୋକଙ୍କ ଆଗ୍ରହ କେବଳ ସାଂସ୍କୃତିକ ନୁହେଁ, ପରମ୍ପରା ପଛରେ ଲୁଚି ରହିଥିବା ଏକ ଆର୍ଥିକ ଶକ୍ତି ମଧ୍ୟ।
ଭାରତରେ ଜନ୍ମଠାରୁ ଆରମ୍ଭ କରି ବିଭିନ୍ନ ଉତ୍ସବରେ ସୁନା ଉପହାର ଦେବାର ଏକ ପରମ୍ପରା ରହିଛି । ସ୍ୱର୍ଣ୍ଣ ଅଳଙ୍କାର ମହିଳାମାନଙ୍କ ସାଜସଜାର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଅନେକ ପରିବାର ଏହାକୁ ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଧନର ପ୍ରତୀକ ବୋଲି ବିବେଚନା କରନ୍ତି ।
ତେବେ ଗତ କିଛି ବର୍ଷ ମଧ୍ୟରେ ସୁନା କିଣିବାର ପଦ୍ଧତିରେ ଅନେକ ପରିବର୍ତ୍ତନ ଆସିଛି । ପୂର୍ବରୁ ଲୋକମାନେ ଅଳଙ୍କାର କିମ୍ବା ମୁଦ୍ରା ପରି ଫିଜିକାଲ ଗୋଲ୍ଡ କିଣୁଥିଲେ, କିନ୍ତୁ ବର୍ତ୍ତମାନ ଡିଜିଟାଲ୍ ସୁନା ଆଡ଼କୁ ଅଧିକ ଆକର୍ଷିତ ହେଉଛନ୍ତି । କାରଣ ଏଥିରେ ସୁନା ରଖିବାର ଝିନଝଟ ନାହିଁ କି ଚୋରି ଭୟ ମଧ୍ୟ ନାହିଁ । ଏହା ଏକ ଆଧୁନିକ ଏବଂ ସୁବିଧାଜନକ ପଦ୍ଧତି। ତଥାପି ସୁନାରେ ନିବେଶ କରିବା ପୂର୍ବରୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗଗୁଡ଼ିକ ପ୍ରତି ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି ।
ଡିଜିଟାଲ୍ ସୁନା ଛୋଟ ନିବେଶକଙ୍କ ପାଇଁ ସହଜ ବିକଳ୍ପ
ବର୍ତ୍ତମାନ ସମୟରେ ଆପଣ ପେଟିଏମ, ଫୋନପେ, ଗ୍ରୋ ଭଳି ପ୍ଲାଟଫର୍ମରେ ମାତ୍ର ୧୦ ଟଙ୍କାରେ ମଧ୍ୟ ଡିଜିଟାଲ ସୁନା କିଣିପାରିବେ । ଡିଜିଟାଲ୍ ସୁନାରେ ଆପଣଙ୍କୁ ସଂରକ୍ଷଣ କିମ୍ବା ଦେୟ ବିଷୟରେ ଚିନ୍ତା କରିବାକୁ ପଡ଼େ ନାହିଁ । ଆପଣ ଏହାକୁ ଯେକୌଣସି ସମୟରେ ବିକ୍ରି କରିପାରିବେ କିମ୍ବା ଏହାକୁ ଫିଜିକାଲ ଡେଲିଭରି ମାଧ୍ୟମରେ (ସୁନା ମୁଦ୍ରା କିମ୍ବା ବାର୍) ପାଖରେ ରଖିପାରିବେ ।
ପାରମ୍ପାରିକ ନିବେଶ : ଅଳଙ୍କାର ଏବଂ ମୁଦ୍ରାର ଗୁରୁତ୍ୱ
ଭାରତରେ ଏବେ ମଧ୍ୟ ଅଧିକାଂଶ ଲୋକ ଫିଜିକାଲ ଗୋଲ୍ଡ ଅର୍ଥାତ୍ ଅଳଙ୍କାର କିମ୍ବା ମୁଦ୍ରାରେ ନିବେଶ କରିବାକୁ ପସନ୍ଦ କରନ୍ତି । କାରଣ ସୁନାଗହଣା ସହ ଭାରତୀୟ ମହିଳାମାନେ ଭାବନାତ୍ମକ ଭାବରେ ଜଡ଼ିତ । ସୁନା ଗହଣାକୁ ସବୁବେଳେ ବ୍ୟବହାର କରିବା ସହ ଉପହାର ମଧ୍ୟ ଦିଆଯାଏ । ଅନ୍ୟପକ୍ଷରେ ଆବଶ୍ୟକସ୍ଥଳେ ସୁନା ଅଳଙ୍କାରକୁ ବିକ୍ରି କରାଯାଇ ତୁରନ୍ତ କୌଣସି କାମରେ ଲଗାଯାଇପାରେ । ହେଲେ ଏଥିରେ ଅନେକ ସମସ୍ୟା ମଧ୍ୟ ରହିଛି, ଯେପରିକି ୫% ରୁ ୧୦% ପର୍ଯ୍ୟନ୍ତ ଶୁଳ୍କ ଆଦାୟ, ଶୁଦ୍ଧତାକୁ ନେଇ ସନ୍ଦେହ , ସୁରକ୍ଷିତ ସଂରକ୍ଷଣ ବ୍ୟବସ୍ଥା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବିକ୍ରୟ କରିବା ସମୟରେ ଓଜନ କିମ୍ବା ଡିଜାଇନ୍ ଯୋଗୁଁ ପୁରୁଣା ଅଳଙ୍କାରର ସମ୍ପୂର୍ଣ୍ଣ ମୂଲ୍ୟ ମିଳେ ନାହିଁ ।
ଡିଜିଟାଲ୍ ସୁନାର ଲାଭ ଏବଂ ସୀମା
ଡିଜିଟାଲ୍ ସୁନା ହେଉଛି ୨୪-କ୍ୟାରେଟ୍, କିମ୍ବା ୯୯.୯୯% ଶୁଦ୍ଧ ସୁନା। ଏଥିରେ କୌଣସି ପ୍ରକାର ମେକିଂ ଚାର୍ଜର ଝିନଝଟ ନଥାଏ । ଏହାକୁ ସୁରକ୍ଷିତ, ବୀମାକୃତ ଭଣ୍ଡାରରେ ସଂରକ୍ଷଣ କରାଯାଏ। ସବୁଠାରୁ ଭଲ କଥା ହେଉଛି, ଆପଣ ସପ୍ତାହର ୭ ଦିନ ଯେକୌଣସି ସମୟରେ ସୁନା କିଣିପାରିବେ କିମ୍ବା ବିକ୍ରୟ କରିପାରିବେ।
ଫିଜିକାଲ ଗୋଲ୍ଡ ବିକ୍ରୟ ପାଇଁ ଅଳଙ୍କାର ବ୍ୟବସାୟୀ କିମ୍ବା କ୍ରେତା ଖୋଜିବାର ଆବଶ୍ୟକତା ଥିବାବେଳେ ଡିଜିଟାଲ ଗୋଲ୍ଡକୁ କିଛି ମିନିଟ୍ ମଧ୍ୟରେ ଅନଲାଇନରେ ବିକ୍ରି କରିପାରିବେ । ତଥାପି ଏଥିପାଇଁ କିଛି ସୀମା ମଧ୍ୟ ନିର୍ଦ୍ଧାରଣ କରାଯାଇଛି, ଯେପରିକି ଅଧିକାଂଶ ପ୍ଲାଟଫର୍ମରେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ରଖିପାରିବେ ନାହିଁ। ଏହି ନିବେଶ RBI କିମ୍ବା SEBI ଦ୍ୱାରା ସିଧାସଳଖ ନିୟନ୍ତ୍ରିତ ନୁହେଁ । ତେଣୁ ଏହା କ୍ଷୁଦ୍ର କିମ୍ବା ମଧ୍ୟମ ନିବେଶ ପାଇଁ ଏକ ଭଲ ବିକଳ୍ପ, କିନ୍ତୁ ଦୀର୍ଘକାଳୀନ ଏବଂ ବଡ଼ ନିବେଶ ପାଇଁ ସତର୍କତା ଆବଶ୍ୟକ।
ଅଧିକାଂଶ ଲୋକ ଭାବନ୍ତି ,ଡିଜିଟାଲ୍ ସୁନାରେ କେବଳ 3% GST ଦେବାକୁ ପଡ଼େ । କିନ୍ତୁ ଏଥିରେ ଅନେକ ଲୁକ୍କାୟିତ ଖର୍ଚ୍ଚ ଅଛି। ଏଥିରେ ପ୍ଲାଟଫର୍ମ ଡିଷ୍ଟ୍ରିବ୍ୟୁସନ ଶୁଳ୍କ, UPI କିମ୍ବା ପେମେଣ୍ଟ ଗେଟୱେ ଶୁଳ୍କ, ଷ୍ଟୋରେଜ୍ ଏବଂ ଡେଲିଭରି ଶୁଳ୍କ ଅନ୍ତର୍ଭୁକ୍ତ। ଏଗୁଡ଼ିକ ପ୍ରାରମ୍ଭରେ ଛୋଟ ମନେହୁଏ, କିନ୍ତୁ ଦୀର୍ଘକାଳୀନ ଭାବରେ ନିବେଶର ମୋଟ ମୂଲ୍ୟକୁ ବୃଦ୍ଧି କରିପାରେ। ତେଣୁ ଡିଜିଟାଲ୍ ସୁନା କିଣିବା ପୂର୍ବରୁ ଏହି ସମସ୍ତ ଶୁଳ୍କକୁ ଭଲ ଭାବରେ ବୁଝିବା ଗୁରୁତ୍ୱପୂର୍ଣ୍ଣ।
ଆପଣଙ୍କର ସୁନା ସୁରକ୍ଷିତ କି?
ଡିଜିଟାଲ୍ ସୁନାର ସୁରକ୍ଷା ମୁଖ୍ୟତଃ ସେହି ପ୍ଲାଟଫର୍ମ ଏବଂ ଏହାର ସହଯୋଗୀ ପ୍ଲାଟଫର୍ମ ଉପରେ ନିର୍ଭର କରେ, ଯେଉଁଠାରେ ଆପଣ ନିବେଶ କରୁଛନ୍ତି। କିଛି କମ୍ପାନୀ ନିଜ ପ୍ଲାଟଫର୍ମର ସଚ୍ଚୋଟତା ପ୍ରମାଣ କରିବାକୁ ତୃତୀୟ-ପକ୍ଷ ଦ୍ୱାରା ଅଡିଟ କରାନ୍ତି ଏବଂ ରିପୋର୍ଟଗୁଡ଼ିକୁ ସାର୍ବଜନୀନ କରନ୍ତି । ତେଣୁ ନିବେଶ କରିବା ପୂର୍ବରୁ, ପ୍ଲାଟଫର୍ମର ସ୍ୱଚ୍ଛତା ଏବଂ ନିର୍ଭରଯୋଗ୍ୟତା ନିଶ୍ଚିତ କରନ୍ତୁ।
ଡିଜିଟାଲ୍ ନା ଫିଜିକାଲ ସୁନା?
ଆପଣ ଯଦି ସୁବିଧା, ସହଜ ଟ୍ରାକିଂ ଏବଂ ଛୋଟ ନିବେଶ ଚାହୁଁଛନ୍ତି, ତେବେ ଡିଜିଟାଲ୍ ସୁନା ହେଉଛି ସଠିକ୍ ବିକଳ୍ପ । ଅନ୍ୟପକ୍ଷରେ ଆପଣ ସୁନା ପିନ୍ଧିବାକୁ କିମ୍ବା ଉପହାର ଦେବାକୁ ଚାହୁଁଛନ୍ତି, ତେବେ ଫିଜିକାଲ ସୁନା କିଣିବା ଭଲ । ଆଜି ଅନେକ ସଚେତନ ନିବେଶକ ଉଭୟର ବିକଳ୍ପ ବାଛନ୍ତି, ଫିଜିକାଲ ସୁନା ସହିତ ଭାବପ୍ରବଣ ସଂଯୋଗ ବଜାୟ ରଖି ଧୀରେ ଧୀରେ ଡିଜିଟାଲ୍ ସୁନା ସହିତ ନିବେଶ ମଧ୍ୟ କରୁଛନ୍ତି।
ଟିକସ ଏବଂ ନିୟମାବଳୀ ବିଷୟରେ ସଚେତନ ରୁହନ୍ତୁ
ବର୍ତ୍ତମାନ ଡିଜିଟାଲ୍ ସୁନା ଉପରେ SEBI କିମ୍ବା RBIର କୌଣସି ସିଧାସଳଖ ନିୟମାବଳୀ ନାହିଁ। ପ୍ରତ୍ୟେକ କ୍ରୟ ଉପରେ 3% GST ଦେବାକୁ ପଡ଼ୁଛି । ଡିଜିଟାଲ୍ ସୁନାକୁ ତିନି ବର୍ଷ ମଧ୍ୟରେ ଆପଣ ବିକ୍ରୟ କରନ୍ତି, ତେବେ ଲାଭ ଉପରେ ଆପଣଙ୍କର ଆୟକର ସ୍ଲାବ୍ ଅନୁଯାୟୀ ଟ୍ୟାକ୍ସ ଲାଗୁ ହେବ। ତିନି ବର୍ଷ ପରେ ବିକ୍ରୟ ସୁନା ବିକ୍ରି କଲେ, ଏହାକୁ ଏକ ଦୀର୍ଘକାଳୀନ ପୁଞ୍ଜି ଲାଭ ଭାବରେ ବିବେଚନା କରାଯିବ । ଫଳରେ ଏଥିରେ ଇଣ୍ଡେକ୍ସେସନ୍ ଲାଭ ସହିତ ୨୦% କର ଲାଗୁ ହେବ।
ବି.ଦ୍ର.- ଏହା ଲେଖିକାଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/01/gold-2025-11-01-15-31-26.jpg)