Advertisment

Couple Killed: ମଙ୍ଗଳବାର ଥିଲା ପରିବାର ପାଇଁ ଅମଙ୍ଗଳ, ଚାଲିଗଲେ ବାପା-ମାଆ....ବଞ୍ଚିଗଲା ୬ ମାସର ଶିଶୁ

ଅନ୍ଧାର ରାତିରେ ରାସ୍ତା ଉପରେ ରଡି ଛାଡ଼ି କାନ୍ଦୁଛି ଭଉଣୀ । ସମ୍ପର୍କୀୟଙ୍କ ଛାତିରେ ବି କୋହ ରହୁନି । ରାସ୍ତାଯାକ ସବୁ କିଛି ଛିନଛତର ହୋଇ ପଡ଼ିରହିଛି । ଆଉ ସ୍ବାମୀ ସ୍ତ୍ରୀ ଦୁଇ ଜଣ ଶବ ହୋଇ ଶୋଇଛନ୍ତି ।

Jajpur-Accident

Jajpur-Accident Photograph: (OTV)

Advertisment

ଅନ୍ଧାର ରାତିରେ ରାସ୍ତା ଉପରେ ରଡି ଛାଡ଼ି କାନ୍ଦୁଛି ଭଉଣୀ । ସମ୍ପର୍କୀୟଙ୍କ ଛାତିରେ ବି କୋହ ରହୁନି । ରାସ୍ତାଯାକ ସବୁ କିଛି ଛିନଛତର ହୋଇ ପଡ଼ିରହିଛି । ଆଉ ସ୍ବାମୀ ସ୍ତ୍ରୀ ଦୁଇ ଜଣ ଶବ ହୋଇ ଶୋଇଛନ୍ତି । କୋଳରେ ଥିବା ୬ ମାସର ଛୁଆଟା ବଞ୍ଚିଯାଇଛି ସତ, ହେଲେ ଆଖି ପିଛୁଳାକେ ସେ ବାପା-ମା’ ଛେଉଣ୍ଡ ହୋଇଯାଇଛି । ସତେ ଯେମତି ଗତକାଲି ମଙ୍ଗଳବାର ରାତିଟା ଏ ପରିବାର ପାଇଁ ଅମଙ୍ଗଳ ଥିଲା । ସବୁ ଦିନ ପାଇଁ ପରିବାର ପୁଅ ବୋହୂଙ୍କୁ ହରାଇଛି । ସବୁ କିଛି ଏଠି ନିସ୍ତବ୍ଧ ହୋଇଯାଇଛି । ଚାରିଆଡ଼େ କେବଳ ବୁକୁଫଟା କାନ୍ଦ ବୋବାଳିର ଆର୍ତ୍ତ ଚିତ୍କାର ଶୁଭୁଛି । 

Advertisment

ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ୫୩ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ ନିକଟରେ ଗତ ରାତିରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଅସୁସ୍ଥ ଛୁଆକୁ ଧରି ମେଡିକାଲ ଯାଉଥିଲେ ପଙ୍କପାଳ ଅଞ୍ଚଳର ଜନ୍ମେଜୟ ଦଳାଇ ଓ ତାଙ୍କ ପତ୍ନୀ ବୈଶାଖୀ ଦଳାଇ । ହେଲେ ଦଇବ ଲିଖନ କିଛି ଅଲଗା ଥିଲା। ଅନ୍ଧାର ରାତିରେ ପଙ୍କପାଳ ନିକଟ ବ୍ରାହ୍ମଣୀ ବ୍ରିଜରେ ଏକ ଗାଡ଼ି ଧକ୍କାରେ  ଆଖି ବୁଜିଲେ ଦମ୍ପତି। ହେଲେ ମା’ କୋଳରେ ଥିବା ଛୁଆଟା ଛିଟିକି ପଡ଼ିବାରୁ ବଞ୍ଚିଯାଇଛି।  ମରଣ ସହ ସଂଘର୍ଷ କରୁଥିବା ଶିଶୁକୁ ଚିକିତ୍ସା ପାଇଁ ଟାଟା ମେଡିକା ହସପିଟାଲରେ ଭର୍ତ୍ତି କରାଯାଇଛି ।  

ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି।  କ୍ଷତିପୂରଣ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଦୁର୍ଘଟଣା ସ୍ଥଳ ରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ । ଟାୟାର ଜାଳି ଜାତୀୟ ରାଜପଥ ବି  ଅବରୋଧ କରିଛନ୍ତି । ରାସ୍ତାର ଉଭୟ ପାର୍ଶ୍ବରେ ଭାରିଯାନର ଲମ୍ବା ଲାଇନ ଲାଗିବାରୁ ଡୁବୁରି ଚଣ୍ଡିଖୋଲ ରାସ୍ତାରେ ବହୁ ସମୟ ଗାଡ଼ି ଚଳାଚଳ ଠପ୍ ହୋଇଥିଲା।   

କଳିଙ୍ଗନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଠାବ କରିବା ପାଇଁ ପୋଲିସର ଉଦ୍ୟମ ଜାରି ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ