AGAIN-OCTOBER Photograph: (OTV)
ପୁଣି ଅଶୁଭ ହେବ କି ଅକ୍ଟୋବର ? ପୁଣି ଅକ୍ଟୋବରରେ ଆସିବ କି ବାତ୍ୟା ? ପୁରୁଣା ଇତିହାସ ଦୋହରାଇବନି ତ ବଙ୍ଗୋପସାଗର ? କାରଣ ପାଖାପାଖି ସେଇ ସମୟରେ ଓଡ଼ିଶା ଛାତିରେ ଛନକା ଭରିଛି ବଙ୍ଗୋପସାଗର। ଆମେରିକା GFS ମଡେଲର ସାଇଟେଲାଇଟ୍ ଆକଳନ କହୁଛି,ଅକ୍ଟୋବରରେ ବାତ୍ୟା ଆସୁଛି ! ଗୋଟିଏ ନୁହେଁ, ସୃଷ୍ଟି ହେବ ଦୁଇ ଦୁଇଟି ବାତ୍ୟା । ଯଦିଓ ଏନେଇ ଚିତ୍ର ସ୍ପଷ୍ଟ ହୋଇନି ତେବେ ଆଶଙ୍କାକୁ ଏଡ଼ାଇ ବି ହେବନି।
ଏପଟେ ୨୧ ତାରିଖ ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି। ଯାହାକି ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ଘନୀଭୂତ ହେବାସହ ଅବପାତରେ ପରିଣତ ହେବ। ଅକ୍ଟୋବରରେ ଲଘୁଚାପରୁ ଅବପାତ ସମ୍ଭାବନା ବାତ୍ୟା ଆଶଙ୍କାକୁ ବଳ ଯୋଗାଉଛି। ସମ୍ଭାବ୍ୟ ବାତ୍ୟା ଚର୍ଚ୍ଚା ଭିତରେ ଓଟିଭିକୁ ସୂଚନା ଦେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି,ଏଯାଏଁ ବାତ୍ୟା ନେଇ କୌଣସି ପୂର୍ବାନୁମାନ ହୋଇନି। ବର୍ତ୍ତମାନ ସୁଦ୍ଧା କେବଳ ଲଘୁଚାପ ଓ ଅବପାତ ଆକଳନ କରାଯାଇଛି। ୨୧ ପୂର୍ବରୁ ମତ୍ସ୍ୟଜୀବୀ କୂଳକୁ ଫେରିଆସିବା ଆବଶ୍ୟକ। ଲଘୁଚାପ ସୃଷ୍ଟି ହେବା ପରେ ହିଁ ସ୍ଥିତି ସ୍ପଷ୍ଟ ହେବ।...
ତେବେ କାହିଁକି ଅକ୍ଟୋବରରେ ବଙ୍ଗୋପସାଗରରେ ହୁଏ ବଡ଼ ହଲଚଲ୍ ? କାହିଁକି ଅକ୍ଟୋବରରେ ଆସେ ବାତ୍ୟା ? ପାଣିପାଗ ବିଜ୍ଞାନୀଙ୍କ ମତରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଲେଉଟାଣି ସମୟ ଅକ୍ଟୋବର। ସେତେବେଳେ ସମୁଦ୍ରର ଉପର ଭାଗରେ ତାପମାତ୍ରା ଅଧିକ ଓ ସମୁଦ୍ର ଭିତରେ ପବନର ବେଗ କମ୍ ବେଶି ହୋଇଥାଏ । ଯାହା ଝଡ଼ ସୃଷ୍ଟି କରି ସମୁଦ୍ରକୁ ଅଶାନ୍ତ କରେ। ପ୍ରଶାନ୍ତ ମହାସାଗରରେ ଲା-ନିନା ସଙ୍ଗଠିତ ହେଲେ ବାତ୍ୟା ଆଶଙ୍କା ବଢିଥାଏ। ଚଳିତବର୍ଷ ମଧ୍ୟ ଲା-ନିନା ପ୍ରଭାବ ରହିପାରେ। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସଂଗଠିତ ହେଉଥିବା ବାତ୍ୟା ବେଶ୍ ଶକ୍ତିଶାଳୀ ।
ଅତୀତକୁ ଦେଖିଲେ ଓଡ଼ିଶାକୁ ବଡ଼ ବାତ୍ୟା ଅକ୍ଟୋବରରେ ହିଁ ଆସିଛି। ୧୯୯୯ ଅକ୍ଟୋବର ୨୯ରେ ଆସିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ଜଗତସିଂହପୁର ଏରସମା ଅଞ୍ଚଳରେ ସ୍ଥଳଭାଗ ଛୁଇଁ ଶ୍ରୀହିନ କରିଦେଇଥିଲା ଓଡ଼ିଶାକୁ। ଆଉ ଠିକ୍ ଏହାରି ସପ୍ତାହକ ପୂର୍ବରୁ ଆସିଥିବା ବାତ୍ୟା ଗଞ୍ଜାମ ଉପକୂଳକୁ ବି ଛାରଖାର କରିଥିଲା।
ଏହାର ୧୪ ବର୍ଷ ପରେ ୨୦୧୩ ଅକ୍ଟୋବର ୧୨ରେ ଗୋପାଳପୁରରେ ଲ୍ୟାଣ୍ଡଫଲ୍ କରିଥିଲା ଫାଇଲିନ୍। ପୂରା ଦକ୍ଷିଣ ଓଡ଼ିଶାକୁ ବେହାଲ୍ କରିପକାଇଥିଲା। ପରବର୍ଷ ୨୦୧୪, ଅକ୍ଟୋବର ୧୨ରେ ହୁଡୁହୁଡ୍, ୨୦୧୮ ଅକ୍ଟୋବର ୧୦ରେ ତିତଲି, ଏବଂ ୨୦୨୪ ଅକ୍ଟୋବର ୨୩ରେ ମାଡ଼ ହୋଇଥିଲା ବାତ୍ୟା ଦାନା। ଚଳିତବର୍ଷ ଅକ୍ଟୋବରରେ ବି ବାତ୍ୟା ଛନକା ଦାନା ବାନ୍ଧିବା ଆରମ୍ଭ କରିଦେଲାଣି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/18/again-october-2025-10-18-20-19-49.jpg)