October-29-Cyclone Photograph: (OTV)
ସେଇ ଅକ୍ଟୋବର । ସେଇ ୨୯ ତାରିଖ । ସେଦିନ ଥିଲା ଶୁକ୍ରବାର । ଆଉ ଏଥର ଗୁରୁବାର । ୧୯୯୯ ମସିହାର ସେହି ସମାନ ତାରିଖରେ ପୁଣି ତାଣ୍ଡବ ରଚିବା ଆରମ୍ଭ କରିଛି ବାତ୍ୟା । ବଙ୍ଗୋପସାଗରର ସୃଷ୍ଟ ବାତ୍ୟା ‘ମୋନ୍ଥା’ ଏବେ ଭୀଷଣ ରୂପ ଧାରଣ କରିସାରିଛି । ୯୯ର ସେହି ମହାବାତ୍ୟା ପରି କାରାଳ ରୂପ ଧାରଣ କରିନଥିଲେ ବି, ଗର୍ଜନ କରି ତାଣ୍ଡବ କରିବାକୁ ଆନ୍ଧ୍ରକୁ ମାଡ଼ିଚାଲିଛି । ସମୁଦ୍ର ଭିତରୁ ବଳ ଗୋଟାଇ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ଗତି କରୁଛି । ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦକ୍ଷିଣ-ଦକ୍ଷିଣପଶ୍ଚିମରେ କେନ୍ଦ୍ରୀଭୂତ ରହିଛି । ବାତ୍ୟା ଯେତେଯେତେ ଆନ୍ଧ୍ର ଉପକୂଳ ମୁହାଁଉଛି କାକିନାଡାରେ ପ୍ରଭାବ ବିସ୍ତାର କରୁଛି । ଫଳରେ ଲୋକଙ୍କ ମଧ୍ୟରେ ବଢ଼ୁଛି ଭୟ ।
ସାରା ଆନ୍ଧ୍ରପ୍ରଦେଶରେ ପ୍ରବଳ କାଚୁଛି ବର୍ଷା । ଘୁ ଘୁ ଗର୍ଜନ ଛାଡୁଛି ସମୁଦ୍ର । ସୁ ସୁ କରି ପବନ ବହୁଛି । ଆଜି ସନ୍ଧ୍ୟାରୁ ସାରାରାତି ‘ମୋନ୍ଥା’ ଆନ୍ଧ୍ରରେ ତାଣ୍ଡବ ରଚିବାକୁ ଯାଉଛି । ମଛଲିପଟନମରୁ କଳିଙ୍ଗପଟନମ୍ ଭିତରେ କାକିନାଡ଼ା ନିକଟରେ ଲ୍ୟାଣ୍ଡଫଲ କରିବା ସହ ସ୍ଥଳଭାଗ ଅତିକ୍ରମ କରିବ । ସେତେବେଳେ ପବନର ବେଗ ସର୍ବାଧିକ ୯୦ରୁ ୧୦୦ କିଲୋମିଟର ରହିଥିବ । ଝଟକା ପବନ ୧୧୦ କିଲୋମିଟର ଯାଏଁ ବଢ଼ିପାରେ । କିନ୍ତୁ ଓଡ଼ିଶା ପାଇଁ ବଡ଼ ପ୍ରଭାବ ନଥିଲେ ବି କିଛି ପ୍ରଭାବ ଦେଖିବାକୁ ମିଳିବ । ଯାହା ଆରମ୍ଭ ହୋଇସାରିଛି ।
ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ପାହାଡରୁ ପଥର ଧସିଛି । ଘର ଭାଙ୍ଗିଛି ଓ ଗଛ ଉପୁଡ଼ି ପଡ଼ିବା ଘଟଣା ସାମ୍ନାକୁ ଆସିଲାଣି । କାଶୀନଗର ଲିଙ୍ଗା-ବାରଭା ରାସ୍ତାରେ ପାହାଡ ଧସି ଗମନାଗମନ ବାଧାପ୍ରାପ୍ତ ହେଲାଣି । ସେପଟେ ଆଇଏମଡି ଡିଜି କହିଛନ୍ତି, ଓଡ଼ିଶାରେ ବାତ୍ୟା ପହଞ୍ଚିଲା ବେଳକୁ ଦୁର୍ବଳ ହୋଇଥିବ । ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡ଼ିବ । ୬୦ରୁ ୭୦ କିମି ପବନ ବହିବ । ଆଜି ରାତିରୁ ଓ କାଲି ସକାଳ ଭିତରେ ବେଶୀ ପ୍ରଭାବ ରହିବ ।
ବାତ୍ୟା ମୋନ୍ଥା ପ୍ରଭାବରେ ଉପକୂଳ ଓଡ଼ିଶାରେ ବି ବଦଳିଛି ପାଗ । ରାଜଧାନୀ ଭୁବନେଶ୍ବର ସମେତ ଭଦ୍ରକ, ଯାଜପୁର, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ଅଞ୍ଚଳରେ ବର୍ଷା ହେଉଛି । ବାତ୍ୟାକୁ ନେଇ ଭୟଭୀତ ନହେବା ଓ ଗୁଜବକୁ ବିଶ୍ବାସ ନକରିବାକୁ ସରକାର ଲୋକଙ୍କୁ ଅପିଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/28/october-29-cyclone-2025-10-28-16-24-42.jpg)