WINTER Photograph: (OTV)
ପ୍ରବଳ ଶୀତକୁ ଘନ କୁହୁଡ଼ି। ଗଲା କିଛି ଦିନ ଧରି ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କଲାଣି ହାଡ଼ଭଙ୍ଗା ଶୀତ। ଉଭୟ ଦିନ ଓ ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ ତଳକୁ ଖସିଯିବା ପରେ ଅବସ୍ଥା ବେହାଲ। ଗତକାଲି ରାଜ୍ୟର ୧୭ଟି ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳକୁ ଖସିବା ପରେ ଥରିଛି ସାରା ଓଡ଼ିଶା। ଏପଟେ ଶୀତ ସାଙ୍ଗକୁ ବହଳ କୁହୁଡ଼ି ସ୍ଥିତିକୁ ଆହୁରି ବିଗାଡ଼ି ଦେଉଛି।
ତେବେ ଶୀତର ପ୍ରଭାବ ଆଗକୁ କମିବାକୁ ଯାଉଥିବା ବେଳେ ଏବେ କୁହୁଡ଼ିର ପ୍ରଭାବ ୩ରୁ ୪ ଦିନ ଧରି ଲାଗି ରହିବାକୁ ଥିବାରୁ ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।...
ଅସ୍ତବ୍ୟସ୍ତ କରୁଛି ଘନ କୁହୁଡ଼ି
ହାଡ଼ଭଙ୍ଗା ଶୀତ, ଭୟଙ୍କର କୁହୁଡ଼ି। କୋହଲା ଓ କାଲୁଆ ପାଗରେ ଆକ୍ତାମାକ୍ତା ଓଡ଼ିଶା। ଗଲା କିଛି ଦିନ ସାରା ରାଜ୍ୟରେ ଲାଗି ରହିଥିବା ଅସହ୍ୟ ଶୀତ ଲହରି ପାଇଁ ଠପ୍ ହୋଇଯାଇଛି ସକାଳ ଓ ରାତିର ଜୀବନ। କୋରାପୁଟରେ ସଂଧ୍ୟା ହେଲେ ରାସ୍ତାଘାଟ ଶୁନଶାନ। ସକାଳ ୯ଟା ଯାଏଁ ଘରୁ ବାହାରିବା ମୁସ୍କିଲ। ଆଉ ଏପଟେ ଦିନ ୧୦ଟା ଯାଏଁ ଘନ କୁହୁଡ଼ିର ପ୍ରଭାବ ସବୁ କାମକୁ ଅଚଳ କରିଦେଉଛି।
ସେହିଭଳି କନ୍ଧମାଳରୁ କେନ୍ଦୁଝର ଓ ମାଲକାନଗିରିରୁ ମୟୂରଭଂଜ। ସବୁଠି ରାଜ କରୁଛି ହାଡ଼ଭଙ୍ଗା ଜାଡ଼। ବିଶେଷକରି ଉତ୍ତର ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୬ ରୁ ୭ଡ଼ିଗ୍ରୀ କମ୍ ରହୁଥିବାରୁ ଦିନ ସମୟରେ ଅଧିକ ଥଣ୍ଡା ଅନୁଭୂତ ହେଉଛି।
ଏପଟେ ପ୍ରତିବର୍ଷ ଶୀତ ଅପେକ୍ଷା ଏବର୍ଷର ଶୀତକୁ ଅସହ୍ୟ ବୋଲି କହୁଛନ୍ତି ଖୋଦ୍ କୋରାପୁଟିଆ ଲୋକେ। ସେମାନଙ୍କ ମତରେ ଆଗରୁ ଏମିତି ଶୀତ କେବେ ଅନୁଭବ ହୋଇନଥିଲା।...
କାଲି ରାତିରେ ରାଜ୍ୟରେ ୧୭ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ରହିଥିଲା ରାତିର ତାପମାତ୍ରା। କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ପାରଦ ସର୍ବନିମ୍ନ 4.3 ଡିଗ୍ରୀକୁ ଖସି ଥିବା ବେଳେ ଫୁଲବାଣୀରେ ଥିଲା 6 ଡିଗ୍ରୀ। ସେହିଭଳି ଝାରସୁଗୁଡା 6.3 ଓ ଦାରିଙ୍ଗିବାଡ଼ିରେ ପାରଦ ଥିଲା ୭ ଡିଗ୍ରୀ। ଖାଲି ପାହାଡ଼ିଆ, ପଶ୍ଚିମ କି ଦକ୍ଷିଣ ଓଡ଼ିଶା ନୁହେଁ, ଉତ୍ତର ଓ ପୂର୍ବ ଓଡ଼ିଶାରେ ବି ରାତିର ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରୀ କମିବା ପରେ ଶୀତରେ କଲବଲ ହୋଇଛନ୍ତି ଲୋକେ।
ଏପଟେ ଶୀତ ସାଙ୍ଗକୁ ସମସ୍ୟା ସାଜିଛି ଘନ କୁହୁଡ଼ି। କୁହୁଡ଼ିର ପ୍ରଭାବ ଉପକୂଳ ଜିଲ୍ଲାରେ ଅଧିକ ରହୁଥିବାରୁ ଭୁବନେଶ୍ୱର ଓ କଟକ ସମେତ ୧୦ରୁ ଅଧିକ ଜିଲ୍ଲା ପାଇଁ ଆସନ୍ତା ୩ରୁ ୪ ଦିନ ଲାଗି କୁହୁଡ଼ି ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ। ଏହି ସମୟ ଭିତରେ ରାସ୍ତାରେ ଭିଜିବିଲିଟି ୨୦ରୁ ୫୦ ମିଟର ମଧ୍ୟରେ ରହିବାକୁ ଥିବାରୁ ଗାଡ଼ି ଚାଳକଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/winter-2025-12-31-20-36-24.jpg)