cyclone Photograph: (OTV)
ଆଜିକୁ ଠିକ୍ ୧୧ ବର୍ଷ ତଳର କଥା। ଯେଉଁଠି ଚାଖଣ୍ଡେ ପେଟକୁ ଦାନା ଆଉ ଶରୀର ଘୋଡ଼ାଇବା ପାଇଁ ଖଣ୍ଡିଏ କନା ଯୋଗାଡ଼ର ଚିନ୍ତା, ସେଇଠି ୨୦୧୪ରେ ଅଣ୍ଟା ଭାଙ୍ଗିଦେଇଥିଲା ଅକଟୋବର ବାତ୍ୟା ‘ହୁଡହୁଡ୍’। ବଣ୍ଡାଘାଟୀକୁ ବାତ୍ୟା ଆଣିଦେଇଥିଲା ବେଦନା। ଉଜୁଡ଼ିଯାଇଥିଲା ଚୁଲିଠୁ ଚାଳ ଯାଏଁ। ଜଙ୍ଗଲ ପାହାଡ଼ରେ ଜୀବନ ଜୀଉଁଥିବା ମଣିଷଙ୍କ ପାଇଁ ମୁସ୍କିଲ୍ ହୋଇଯାଇଥିଲା ଜୀବନ ଜୀଇଁବା।
ଆଉ ୧୧ ବର୍ଷ ପରେ ଏବେ ସେହି ଅକଟୋବର ବାତ୍ୟାର ଗତିପଥ ଡରାଉଛି ଅଞ୍ଚଳବାସୀଙ୍କୁ। କାରଣ ହୁଡହୁଡ୍ ଭଳି ବାତ୍ୟା ‘ମୋନ୍ଥା’ ବି ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବ ସତ, କିନ୍ତୁ ବର୍ଷା ଆଉ ପବନ ମାଡ଼ରେ ପ୍ରଭାବିତ ହେବ ମାଲକାନଗିରି ଜିଲ୍ଲା। ଫଳରେ ବଣ ପାହାଡ଼ ଭିତରେ ବସବାସ କରୁଥିବା ଲୋକଙ୍କୁ ଘାରିଛି ପାହାଡ଼ ଧସିବା ସହ ଭୂସ୍ଖଳନର ଭୟ। ବଢ଼ିଛି ରାସ୍ତାଘାଟ ବିଚ୍ଛିନ୍ନ ହେବାର ଡର। ବର୍ଷକର ଫସଲ ଉଜୁଡ଼ିଯିବାର ବି ବଢ଼ିଛି ଆଶଙ୍କା। ତେଣୁ ପାଣିପାଗ ବିଭାଗର ରେଡ୍ ୱାର୍ଣ୍ଣିଂରେ ଥିବା ମାଲକାନଗିରି ଜିଲ୍ଲାରେ ଚାଲିଛି ଯୁଦ୍ଧକାଳୀନ ପ୍ରସ୍ତୁତି। ଭୂସ୍ଖଳନ ଆଶଙ୍କା ଥିବାରୁ ଚିତ୍ରକୋଣ୍ଡା ଓ ବଣ୍ଡାଘାଟୀବାସୀଙ୍କୁ ସଚେତନ କରାଯିବା ସହ ମୁକାବିଲା ପାଇଁ ପଞ୍ଚାୟତଠୁ ବ୍ଲକ କାର୍ଯ୍ୟାଳୟ ଯାଏଁ ପ୍ରସ୍ତୁତି ସରିଛି।
ଆନ୍ଧ୍ର ମୁହାଁ ବାତ୍ୟା ପ୍ରଭାବରେ ଭୂସ୍ଖଳନ ହୁଏ ସୀମାନ୍ତ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ। ଜୀବିକା କଥା ଛାଡ଼ନ୍ତୁ ଜୀବନ ବଞ୍ଚାଇବା ସବୁଠୁ ବଡ଼ ଚାଲେଞ୍ଜ ହୁଏ। କାରଣ ଧସିଯାଏ ମାଟି, ପାହାଡ଼ ଉପରୁ ଖସିଆସେ ବିରାଟ ବିରାଟ ପଥର। ୨୦୧୮, ଅକଟୋବର। ସେତେବେଳେ ତାଣ୍ଡବ ରଚିଥିଲା ବାତ୍ୟା ‘ତିତିଲି’। ଗଜପତି ଜିଲ୍ଲାରେ ଯାଇଥିଲା ୪୭ ଜୀବନ। ତାହାରି ଭିତରେ ଗଙ୍ଗାବାଡ଼ରେ ଯେଉଁ ବିପର୍ଯ୍ୟୟ ଘଟିଥିଲା, ଆଜି ବି ଆଖି ସାମ୍ନାରେ ନାଚୁଛି ସେହି ଛାତିଥରା ଦୃଶ୍ୟ। ବାତ୍ୟାର ଆଗୁଆ ସୂଚନା ନଥିବାରୁ ଅପ୍ରସ୍ତୁତ ଥିବା ଗଙ୍ଗାବାଡ଼ବାସୀ ୧୮ ଆତ୍ମୀୟଙ୍କୁ ହରାଇଥିଲେ। ଆଜି ୭ ବର୍ଷ ପରେ ଆଉ ଏକ ବାତ୍ୟା କଥା ଭୟ ବଢ଼ାଇଛି ସମସ୍ତଙ୍କୁ। ଏଥର ଯେମିତି କାହାରି ଧନ ଜୀବନ ହାନୀ ନହୁଏ, ସେଥିପାଇଁ ମାଇକରେ ଚାଲିଛି ପ୍ରଚାର। (ଆମ୍ବିଆନ୍ସ) ଗଜପତି ଜିଲ୍ଲାର ସମ୍ଭାବ୍ୟ ଭୁସ୍ଖଳନ ସ୍ଥିତିକୁ ଦେଖି ରାୟଗଡ଼, ଗୁମ୍ମା, ମୋହନା, ନୂଆଗଡ, ଆର.ଉଦୟଗିରି ଆଦି ୭ଟି ବ୍ଲକ ପାଇଁ ୭ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରାଯାଇଛି। ତା’ସହ ଜେସିବି ମେସିନ୍ ଏବଂ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକୁ ପ୍ରସ୍ତୁତ କରି ରଖାଯାଉଛି।
ମାଲକାନଗିରି ହେଉ କି ଗଜପତି, କୋରାପୁଟ ହେଉ କି ରାୟଗଡ଼ା। ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା ଗୁଡ଼ିକରେ ମୋନ୍ଥା ପ୍ରଭାବରେ ପ୍ରବଳ ବର୍ଷା ସହ ପବନ ହେବ। ତେଣୁ ତରବର ହୋଇ କ୍ଷେତରୁ ଫସଲ ଅମଳ କରି ସାଉଁଟି ନେଉଛନ୍ତି ଚାଷୀକୂଳ। ରାୟଗଡ଼ା ଜିଲ୍ଲା ବଡ଼ନାଳ ଓ ହରଭଙ୍ଗୀ ଜଳସେଚନ ପ୍ରକଳ୍ପରୁ ଆଗୁଆ ପାଣି ଛାଡ଼ି ଦିଆଯିବା ସହ ସବୁ ଲାଇନ ଡିପାର୍ଟମେଣ୍ଟକୁ ସତର୍କ ରହିବାକୁ ନିର୍ଦେଶ ବି ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/26/cyclone-2025-10-26-21-04-28.jpg)