ବିଗତ ୩୦ ବର୍ଷର ରେକର୍ଡ କହୁଛି, ଜୁନ୍ ୧୫ରୁ ୧୭ ଭିତରେ ସାରା ରାଜ୍ୟକୁ ଛୁଇଁଥାଏ ମୌସୁମୀ ବାୟୁ । ହେଲେ ଏବର୍ଷ ଆଜି ସୁଦ୍ଧା ମୌସୁମୀର ଦେଖାଦର୍ଶନ ନାହିଁ । ଆଉ ଏଣେ ତାପମାତ୍ରାର ମିଟର୍ ଘାଇଁ ଘାଇଁ ବଢ଼ି ଚାଲିଛି । ଭାଙ୍ଗୁଛି ରେକର୍ଡ ପରେ ରେକର୍ଡ । ଆଜି ଅପରାହ୍ଣ ୨ଟା ୩୦ ସୁଦ୍ଧା ୪୫ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ସମ୍ବଲପୁର । ଝାରସୁଗୁଡ଼ା ୪୪.୪ ଏବଂ ଭୁବନେଶ୍ୱର ଓ ହୀରାକୁଦର ତାପମାତ୍ରା ୪୪ଡିଗ୍ରୀ ରେକର୍ଡ ହୋଇଥିଲା । ପାଣିପାଗ ବିଭାଗର ଆକଳନ ଅନୁସାରେ ଆଉ ୨-୩ ଦିନ ଏହିଭଳି ତାପମାତ୍ରା ଜାରି ରହିଲେ ବି, ୨୧ ତାରିଖ ବେଳକୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହିତ ପାରଦ ଖସିବ ବୋଲି ସୂଚନା ମିଳିଛି ।