ମହିଳା ପାଇଲେ ‘ସୁଭଦ୍ରା’ ଟଙ୍କା । ମୁହାଁମୁହିଁ ହେଲେ ମେୟର-ବିଧାୟକ । ସୁଲୋଚନା ବାଢ଼ିଲେ ଯୁକ୍ତି । ବାବୁ ଦେଲେ ମୁହଁତୋଡ଼ ଜବାବ । ଭୁବନେଶ୍ୱରର ଖଣ୍ଡଗିରି ଛକରୁ ଜାଗମରା ଯାଏଁ ସୁଭଦ୍ରା ରାଲିର ଆୟୋଜନ କରିଥିଲେ ରାଜ୍ୟ ସରକାର । ଆଉ ଏଥିରେ ଶତାଧିକ ମହିଳାଙ୍କ ସହ ସାମିଲ ହୋଇଥିଲେ ଏକାମ୍ର ବିଧାୟକ ବାବୁ ସିଂ ଓ ସୁଲଚନା ଦାସ । ମହିଳାମାନଙ୍କୁ ସଶକ୍ତିକରଣ କରିବା ଲକ୍ଷରେ ଏହି ଶୋଭାଯାତ୍ରା କରାଯାଉଥିବାବେଳେ କିନ୍ତୁ ‘ସୁଭଦ୍ରା’ ଯୋଜନାକୁ ନେଇ ମୁହାଁ ମୁହିଁ ହୋଇଥିଲେ ମେୟର ସୁଲୋଚନା ଓ ବିଧାୟକ ବାବୁ ସିଂ । ସୁଭଦ୍ରା ଯୋଜନାକୁ କଟାକ୍ଷ କରି ମେୟର ସୁଲୋଚନା ଦାସ କହିଥିଲେ, ୫ ହଜାର ଟଙ୍କାରେ ମହିଳା କିଭଳି ସଶକ୍ତ ହେବେ ? କେତେ ମହିଳା ସଶକ୍ତ ହୋଇଛନ୍ତି ? ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ପାଉଛନ୍ତି ମହିଳା । ପୂର୍ବ ସରକାରରେ ୧୫ ହଜାରରୁ ୧୫ ଲକ୍ଷ ଯାଏଁ ବିନା ସୁଧରେ ଋଣ ଦିଆଯାଉଥିଲା । ତେବେ ସୁଭଦ୍ରା ଯୋଜନାରେ କିଭଳି ଜଣେ ସଶକ୍ତ ହେବ ବୋଲି କଟାକ୍ଷ କରିଛନ୍ତି ମେୟର।