ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଜି ନବୀନ ନିବାସ ଯାଇ ଟିକେଟ୍ ସଂଗ୍ରହ କରିଥିବା ବେଳେ ସେ ୧୮ ତାରିଖରେ ଏବଂ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆସନ୍ତା ୧୭ ତାରିଖରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି ।

କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପ୍ରାର୍ଥୀଙ୍କ ଟିକେଟ ସଂଗ୍ରହ ଆଉ ବିଜେପିର ନିର୍ବାଚନମଣ୍ଡଳୀରେ ପ୍ରେସମିଟ୍ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ୩ ପ୍ରମୁଖ ଦଳ ଭିତରୁ ଆଜି ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ନାମାଙ୍କନ ଅବସରରେ କଂଗ୍ରେସ ଆଜି ସଦଳବଳେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ ବି କରିଛି । ଦଳୀୟ ପ୍ରାର୍ଥୀଙ୍କ ନାମାଙ୍କନ ପର୍ବରେ ସାମିଲ ହେବାକୁ ଦଳର ସଭାପତି ଶରତ ପଟ୍ଟନାୟକ, ବିଧାୟକ ତାରା ବାହିନୀପତି, ସୁର ରାଉତରାୟ, ବିଜୟ ପଟ୍ଟନାୟକଙ୍କ ସହ ଜିଲ୍ଲା ଓ ଜିଲ୍ଲା ବାହାରର ବହୁ ତୁଙ୍ଗ ନେତା ଝାରସୁଗୁଡ଼ା ଆସିଥିଲେ ।