ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ । ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଶାସକ ଦଳକୁ ଘେରିଛନ୍ତି ବିରୋଧୀ । ବିଜେପି ଅଭିଯୋଗ କରିଛି ଇଏ କେବଳ ସମୁଦ୍ରକୁ ଶଙ୍ଖେ । ଲିଗାଲ ଫଣ୍ଡିଂ ବାଦ୍ ବିଭିନ୍ନ ସ୍ତରରେ ରାଜ୍ୟକୁ ଶୋଷଣ କରି ଶାସକ ଦଳ ସାଢ଼େ ୪ ହଜାର କୋଟିର କଳାଧନ ରଖିଥିବା ଅଭିଯୋଗ କରିଛି ବିଜେପି । କଂଗ୍ରେସ ମଧ୍ୟ ବିଜେଡି ପାଖରେ ବିପୁଳ ବ୍ଲାକମନି ଥିବାର ଅଭିଯୋଗ ସହ ଟାର୍ଗେଟ୍ କରିଥିଲା ବେଳେ ଜବାବ ରଖିଛି ବିଜେଡି ।

ଦ୍ରୁତ ଗତିରେ ବଢୁଛି ଶଙ୍ଖ ଦଳର ଆୟ । ଆଗରେ ଗୋଟିଏ, ପଛରେ ୩୫ ଆଞ୍ଚଳିକ ଦଳ । ଗରିବ ରାଜ୍ୟରେ ବିଜେଡି ଧନୀ ! ସ୍ଥାନ ଦ୍ୱିତୀୟ, ଆୟ ୩୦୭ କୋଟିରୁ ଊର୍ଦ୍ଧ୍ୱ ସଦ୍ୟ ପ୍ରକାଶିତ ୨୦୨୧ ଏଡିଆର ରିପୋର୍ଟ ଅନୁଯାୟୀ ସବୁ ଆଞ୍ଚଳିକ ଦଳର ମୋଟ୍ ଆୟ ୧୨୧୩. ୧୩୨ କୋଟି । ସେଥିରୁ କେବଳ ବିଜେଡିର ଆୟ ୩୦୭.୨୮୮ କୋଟି। ଅର୍ଥାତ ୩୬ ଆଞ୍ଚଳିକ ଦଳଙ୍କ ସର୍ବମୋଟ୍ ଆୟର ୨୫.୩୩ ପ୍ରତିଶତ ଆୟ ଏକା ବିଜେଡିର । ତେବେ ସବୁଠୁ ବଡ଼ କଥା ହେଉଛି ମୋଟ ଆୟରୁ ୨୯୧ କୋଟି ଅର୍ଥାତ ପାଖାପାଖି ୯୪ ପ୍ରତିଶତ ଅର୍ଥ ଦଳକୁ ଡୋନେସନ୍, କଣ୍ଟ୍ରିବ୍ୟୁସନ୍ ଓ ଗ୍ରାଣ୍ଟ ଜରିଆରେ ମିଳିଛି ।