ସ୍ମାର୍ଟସିଟି ରାଉରକେଲାରେ କେମିତି କାବୁ ହେବ କଲେରା । ହଇଜାର କାରଣ ଖୋଜିବା ସହ ନିରାକରଣ ପାଇଁ ଲାଗିପଡ଼ିଛି ବ୍ୟବସ୍ଥା । ସରକାରଙ୍କ ପକ୍ଷରୁ ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଥିଲେ ବି ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଉଛି, ଏଠି ବର୍ଷକ ତଳୁ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନାରେ ସହରବାସୀଙ୍କୁ ପାଣି ଯୋଗା ଯାଉଥିଲା ବେଳେ, ରକ୍ଷଣାବେକ୍ଷଣରେ ଅବ୍ୟବସ୍ଥାରୁ ସରକାରୀ ପାଣି ହିଁ ଏବେ ହଇଜାର ବାହକ ସାଜିଥିବା ଅଭିଯୋଗ ହେଉଛି ।

‘ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍‘ ପାଣି ଏତେ ବିଶୁଦ୍ଧ ଯେ ସିଧା ପାଇପରୁ ନିଅ କିମ୍ବା ମୁହଁ ଲଗେଇ ପିଅ । ହଇଜା ବ୍ୟାପିଥିବା ଷ୍ଟିଲସିଟି ରାଉରକେଲାର ପ୍ରାୟ ସବୁ ୱାର୍ଡ ଆଉ କଲୋନିରେ ବର୍ଷକ ତଳୁ ଆରମ୍ଭ ହୋଇଯାଇଛି, କାନକୁ ଶୁଣିବାକୁ ଓ ଆଖିକୁ ଦେଖିବାକୁ ରାଜ୍ୟ ସରକାରଙ୍କ ଏ ସୁନ୍ଦର ଯୋଜନା । ପାଣି ପିଇବା ମୁଦ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥାଇ ବିଜ୍ଞାପନ ବି ଲାଗିଛି ସହରର ଗଳିକନ୍ଦିରେ । ହେଲେ ଦୁର୍ଭାଗ୍ୟ ସରକାର ଯୋଗାଉଥିବା ଏଇସବୁ ପାଣି ପାଇପ୍ ଏବେ ହଇଜା ବୁଣୁଥିବା ଅଭିଯୋଗ ହେଉଛି ।