ମଣ୍ଡିରୁ ଧାନ ଉଠିବା ପୂର୍ବରୁ ଉଠିଗଲେ ଚାଷୀ । ବ୍ୟବସ୍ଥା ଉପରୁ ଭରସା ତୁଟିଯିବା ପରେ ମଣ୍ଡିରେ ଜୀବନ ନେଇଗଲା ହତାଶାର ନିଆଁ । ହଁ, ବୌଦ୍ଧ ଜିଲ୍ଲା ଜାମଘାଟି ଗାଁରେ ଏମିତି କିଛି ଘଟଣା ଘଟିଛି । ଚାଷୀ ଧରଣୀ ମେହେରଙ୍କର ଜୁଇ ଜଳିଛି । ତାଙ୍କରି କଥା ଆଜି ବିଧାନସଭାରେ ଉଠିଛି ।

ଆଉ ଧରଣୀଙ୍କ ମୃତ୍ୟୁ ପରେ ହତବାକ୍ ହୋଇପଡ଼ିଥିବା ତାଙ୍କ ହତଭାଗ୍ୟ ପରିବାର ଏବେ ମୁଣ୍ଡରେ ହାତ ଦେଇ ବସିଛି । ପରିବାରର କହିବା କଥା, ଧାର କରଜ କରି ଏବର୍ଷ ଭଲ ଧାନ ଫସଲ କରିଥିଲେ ଧରଣୀ। ଜାନୁଆରୀ ୨୫ ତାରିଖରେ ୫୬ କୁଇଣ୍ଟାଲ ଧାନ ବିକ୍ରି କରିବାକୁ ତାଙ୍କୁ ଟୋକନ୍ ମିଳିଥିଲା । ତେଣୁ ଧାନବସ୍ତା ଧରି ବିକ୍ରି ପାଇଁ ଧରଣୀ ମଣ୍ଡିରେ ଅପେକ୍ଷା କରି ରହିଥିଲେ ବି ଧାନ ଉଠୁ ନଥିଲା । ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।