ପବିତ୍ର ମକର ସଂକ୍ରାନ୍ତି। ଶ୍ରୀମନ୍ଦିରରେ ବିଶେଷ ନୀତି। ତିନି ଠାକୁରଙ୍କୁ ମକର ବେଶରେ ସଜ୍ଜିତ ହୋଇଥିବା ବେଳେ ଶ୍ରୀମନ୍ଦିରରେ ମକର ଚାଉଳ ଭୋଗ କରାଯାଇଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ କରାଯାଇ ଶ୍ରୀଜୀଉଙ୍କୁ ମକର ବେଶ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲଭ ମକର ଚୌରାସି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଏସପି କହିଛନ୍ତି। ସେହିପରି ପୁରୀରେ ଥିବା ବିଭିନ୍ନ ମଠମାନଙ୍କରେ ମଧ୍ୟ ଅତି ନିଷ୍ଠାର ସହ ମକର ଚାଉଳ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଛି।
କେମିତି ତିଆରି ହୁଏ ମକର ଚାଉଳ ?
ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆଫସଲ ଅମଳ ହୋଇଥାଏ । ସେହି ନୂଆ ଧାନକୁ ପ୍ରସ୍ତୁତ ଅରୁଆ ଚାଉଳରେ ଏକ ଭୋଗ ପ୍ରସ୍ତୁତ କରାଯାଏ । ଯାହାକୁ ମକର ଚାଉଳ କୁହାଯାଏ । ସେଥିରେ ନୂଆଗୁଡ଼, ଛେନା, ନଡ଼ିଆ, କଦଳୀ, ଘିଅ, କ୍ଷୀର ଇତ୍ୟାଦିକୁ ମିଶ୍ରଣ କରାଯାଇଥାଏ । ଗୃହଦେବତା ଓ ଧାନଖଳାରେ ଏହାକୁ ଭୋଗ ଲଗାଯିବା ପରେ ପରସ୍ପରକୁ ଖୁଆଇ ଲୋକେ 'ମକର' ବସନ୍ତି । କେତେକ ଅଞ୍ଚଳରେ ନୂଆଧାନର ଚାଉଳରେ ପିଠା ପ୍ରସ୍ତୁତ କରାଯାଇ ଦେବାଦେବୀଙ୍କ ପାଖରେ ଭୋଗ କରାଯାଇଥାଏ ।
ମହାପ୍ରଭୁଙ୍କ ମକର ଚୌରାଶୀ ବେଶ
ମହାପ୍ରଭୁଙ୍କ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହୋଇଛି । ମହାପ୍ରଭୂଙ୍କ ସକାଳ ଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମକରବେଶ ବଢ଼ିଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାଶି ବେଶରେ ସଜିତ ହୋଇଛନ୍ତି ଶ୍ରୀଜିଉ । ମହାପ୍ରଭୁଙ୍କ ମକରବେଶ ପାଇଁ ଜଗନ୍ନାଥ ବଲ୍ଲଭ ମଠ ପକ୍ଷରୁ ସୁସଜ୍ଜିତ ମାଳଚୂଳ ପ୍ରସ୍ତୁତ କରାଯାଇଥିବା ବେଳେ ବଡଓଡିଆ ମଠ ପକ୍ଷରୁ ରଙ୍ଗ ବେରଙ୍ଗର ବିଭିନ୍ନ ସୁବାଷିତ ପୁଷ୍ପ ଓ ତୁଳସୀ ଆଦିକୁ ନେଇ ସୁସଜ୍ଜିତ ମାଳ ଚୂଳ ପ୍ରସ୍ତୁତ କରାଯାଇ ଶ୍ରୀମନ୍ଦିରକୁ ଦିଆଯାଇଛି । ସେପଟେ ଗତକାଲି ରାତିରୁ କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/14/makara-chaula-vis_043-2026-01-14-17-05-13.jpg)