By: Deviprasad Jena
Last updated: 13 March 2025, 08:53 PM IST
ଯାତ୍ରାରେ ସୀମା ଟପିଥିବା ଅଶ୍ଲୀଳତା ଉପରେ ଲାଗିବ ରୋକ୍। କାହାଣୀ ହେଉ କି ନିର୍ଦ୍ଦେଶନା ଅବା ଅଭିନୟ, ସମସ୍ତଙ୍କ ପାଇଁ ଲାଗିବ ଲଗାମ। କେହି ଡେଇଁବେନି ଲକ୍ଷ୍ମଣରେଖା । ଫଳରେ ସାମାଜିକ ନାଟକ ଅସାମାଜିକ ଆଡକୁ ଯିବନି। ନଷ୍ଟ ହେବନି ଓଡ଼ିଆ ସଂସ୍କୃତି । ଏଥିପାଇଁ ରାଜ୍ୟରେ ଅପେରା ସେନସର୍ ବୋର୍ଡ ଗଠନ କରିବାକୁ ସୁପାରିସ କରିଛି ବିଧାନସଭା ଷ୍ଟାଣ୍ଡିଂ କମିଟି । କମିଟିର ସୁପାରିସ ଅନୁଯାୟୀ, ଫିଲ୍ମ ଭଳି ଯାତ୍ରା ପାଇଁ ସେନସର୍ ବୋର୍ଡ ଗଠନ ହେଲେ ବନ୍ଦ ହେବ ଅଶ୍ଲୀଳତା ।
ଯାତ୍ରାରେ ଅଶ୍ଳୀଳତାକୁ ନେଇ ଦୁନିଆ ବାଦ ବିବାଦ ପରେ ସରକାର ଏଥିପାଇଁ ମାର୍ଗଦର୍ଶିକା ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଯାହାକୁ ଏହାମଧ୍ୟରେ ୫ ମାସ ବିତିଗଲାଣି । ଏବେ ଷ୍ଟାଣ୍ଡିଂ କମିଟିର ସୁପାରିସକୁ ନେଇ ସଂସ୍କୃତି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବିଭାଗ ପକ୍ଷରୁ ଏକ ଅପେରା ଗାଇଡଲାଇନ୍ ପ୍ରସ୍ତୁତ କରାଯାଇଛି । ସରକାରଙ୍କ ଅନୁମୋଦନ ପରେ ତାହା କାର୍ଯ୍ୟକାରୀ କରାଯିବ । ତେବେ ଅପେରା ସେନସର ବୋର୍ଡ ଗଠନକୁ ଖୋଲାଖୋଲି ବିରୋଧ କରିଛନ୍ତି ଯାତ୍ରାପାର୍ଟି ମାଲିକ । କହିଛନ୍ତି, ସେନସର ବୋର୍ଡକୁ ଦେଖାଇ ଯାତ୍ରା କଲା ବେଳକୁ ଖୋଲିପାରିବନି ବହି ।