ଧାନକିଣା ବିକାକୁ ନେଇ ମଣ୍ଡି ଟେନ୍ସନ୍ Photograph: (OTV)
ଏବେ ରାଜ୍ୟ ରାଜନୀତିରେ, ଧାନକିଣା ବିକାକୁ ନେଇ ମଣ୍ଡି ଟେନ୍ସନ୍। କେଉଁଠି ଟୋକନ୍ ପହଞ୍ଚିନି ତ ଆଉ କେଉଁଠି କଟନୀ ଛଟନୀକୁ ନେଇ, ମାହୋଲ ଗରମ। ଏପରିକି କାରଣ ଜଣାପଡୁ ନଥିବା ବେଳେ, ମଣ୍ଡିରୁ ଧାନ ଉଠୁନି। ଗତ ଚାରିବର୍ଷର ରେକର୍ଡ ଦେଖିଲେ, ଏଥର ଧାନ କିଣାବିକାରେ ମାନ୍ଦାବସ୍ତା ରହିଛି। ପୂରା ପଶ୍ଚିମ ଓଡିଶାରେ ଗତ ଚାରି ବର୍ଷରେ, ଏଥର ବହୁତ କମ ଧାନ କିଣାବିକା ହୋଇଥିବା ବେଳେ, ସବୁଠୁ ଖରାପ ସ୍ଥିତିରେ, ବଲାଙ୍ଗିର ଓ ସୋନପୁର।
ବରଗଡ ଧନୁଯାତ୍ରା ଅବସରରେ କଂସ ଦରବାରରେ ମଧ୍ୟ ଉଠିଛି ଏହି ଚାଷ ଓ ଚାଷୀର କଥା। ଖୋଦ ବରଗଡ ସାଂସଦ ଚାଷୀଙ୍କ ଅଭିଯୋଗକୁ, କଂସ ଦରବାରରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରଖିଛନ୍ତି, ଆଉ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ବି ଉତ୍ତର ରଖି କହିଛନ୍ତି, ଖୁବ ଶୀଘ୍ର ହେବ ସମସ୍ୟାର ସମାଧାନ। କିନ୍ତୁ ସମସ୍ୟା ଜଟିଳ। ମଣ୍ଡିରେ ଧାନ ପଡିଛି। ରାସ୍ତା ଉପରେ ଆନ୍ଦୋଳନ କରୁଛି ଚାଷୀ। ଏନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ବି ପ୍ରତିବାଦ କରୁଛି । କାରଣ ମଣ୍ଡିରୁ ଧାନ ଉଠୁନି। କେବେ ଚାଷୀ କୁଶପୁତ୍ତଲିକା ଦାହ କରୁଛି, ତ ଆଉ କେତେବେଳେ ଆନ୍ଦୋଳନ।
ସରକାରୀ ସୂଚନା ମୁତାବକ, ବରଗଡରେ ଗତବର୍ଷ ଡିସେମ୍ବର ୨୯ ପର୍ଯ୍ୟନ୍ତ ୩ ଲକ୍ଷ ୮୬ ହଜାର ୯୭୫ ମେଟ୍ରିକ ଟନ ଧାନ କିଣିଥିଲେ ସରକାର। ଏଥର କିନ୍ତୁ ୨ ଲକ୍ଷ ୨୯ ହଜାର ୯୦୮ ମେଟ୍ରିକ ଟନ ଧାନ ଉଠିଛି । ଠିକ ସେମିତି ସମ୍ବଲପୁର ଜିଲ୍ଲାରେ ଗତବର୍ଷ ୧ ଲକ୍ଷ ୬୮ ହଜାର ୬୦୮ ମେଟ୍ରିକ ଟନ ଧାନ ଉଠିଥିଲା। ଏଥର କିନ୍ତୁ ୧ ଲକ୍ଷ ୫୪ ହଜାର ୮୨୭ ମେଟ୍ରିକ ଟନ ଧାନ ଉଠିଛି। ଆଖପାଖ ସବୁ ଜିଲ୍ଲାରେ ସମାନ ଅବସ୍ଥା।
ପୂରା ପଶ୍ଚିମ ଓଡିଶାର ଧାନକିଣା ବିକାକୁ ନଜର ପକାଇଲେ, ସବୁଠୁ ଖରାପ ଅବସ୍ଥା ଅଛି, ଦୁଇଟି ଜିଲ୍ଲା ସୋନପୁର ଓ ବଲାଙ୍ଗିରରେ। ସୋନପୁରରେ ଗତ ବର୍ଷ ଡିସେମ୍ବର ୨୯ ତାରିଖ ପର୍ଯ୍ୟନ୍ତ, ୪୩ ହଜାର ୨୧୯ ମେଟ୍ରିକ ଟନ ଧାନ କିଣାଯାଇଥିଲା। କିନ୍ତୁ ଏଥର ୩୯ ହଜାର ୫୫୩ ମେଟ୍ରିକ ଟନ ଧାନ କିଣାଯାଇଛି। ସବୁଠାରୁ ଦୟନୀୟ ସ୍ଥିତିରେ ବଲାଙ୍ଗିର।
ଗତ ବର୍ଷ ୧ ଲକ୍ଷ ୨୨ ହଜାର ୩୨୭ ମେଟ୍ରିକ ଟନ ଧାନ କିଣାଯାଇଥିବା ବେଳେ, ଏ ବର୍ଷ ମାତ୍ର ୫୭ ହଜାର ୬୦୯ ମେଟ୍ରିକ ଟନ ଧାନ କିଣାଯାଇଛି। ଜିଲ୍ଲାରେ ଧାନକିଣାରେ ମାନ୍ଦାବସ୍ତା ରହିଥିବାରୁ, ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିଦିନ ବିଭିନ୍ନ କୃଷକ ସଂଗଠନ ତରଫରୁ ଧାରଣା ଓ ପ୍ରତିବାଦ କରାଯାଉଛି। ଏପରିକି କଟନୀ ଛଟନୀ ପ୍ରତିବାଦରେ ବିଭିନ୍ନ ମଣ୍ଡିରେ ବି ଚାଷୀ ଆନ୍ଦୋଳନ କରୁଛନ୍ତି। କିନ୍ତୁ ସୋନପୁର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ, ରେଡିମେଡ ଉତ୍ତର ଦେଉଥିବା ବେଳେ, ବଲାଙ୍ଗିର ସି.ସି.ଏସ.ଓ ଦିନ ଦିନ ଧରି ଯୋଗାଯୋଗ କଲେ ବି, ପ୍ରତିକ୍ରୀୟା ଦେଉନାହାନ୍ତି କି ସମସ୍ୟାର ସମାଧାନ ବି କରୁ ନଥିବା ଦେଖିବାକୁ ମିଳୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/paddy-lifting-slows-down-2025-12-31-14-43-41.jpg)