ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପର୍କରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ଓଟିଭିକୁ ଦେଇଛନ୍ତି ଚମକାଇଲା ଭଳି ତଥ୍ୟ। ଓଟିଭି ଖୋଲାକଥାରେ- ରତ୍ନଭଣ୍ଡାରକୁ ପ୍ରବେଶ ବେଳର ଅନୁଭୂତି ବଖାଣି ଜଷ୍ଟିସ୍ ରଥ କହିଛନ୍ତି- ଭିତର ଭଣ୍ଡାର ଖୋଲିବାକୁ ଯେଉଁ ଚାବି ନେଇ ଯାଇଥିଲୁ, ଦେଖି ଲାଗୁଥିଲା ଏହା ଡୁପ୍ଲିକେଟ୍। କାରଣ ସେଠି ଇଂରେଜ ଅମଳର ତାଲା ପଡିଥିଲା। ତେବେ ଦୀପ ଜଳାଇ ଭିତର ଭଣ୍ଡାରରେ ପଶୁ ପଶୁ ଆମେ ଆଚମ୍ବିତ ହୋଇଗଲୁ। କିଛି ସିନ୍ଦୁକ ଓ ଆଲମାରୀ ଖୋଲାଥିଲା ତ କିଛିରେ ତାଲା ପଡ଼ିଥିଲା। ୨ଟି ତାଲା ପଡ଼ିବା ବ୍ୟବସ୍ଥା ଥିଲା । କିନ୍ତୁ ତାଲା ପଡ଼ିନଥିଲା । ସେହିପରି ୨ଟି କାଠ ସିନ୍ଦୁକରେ ତାଲା ନଥିଲା ଖୋଲା ପଡ଼ିଥିଲା । ୧୯୭୮ ମସିହାରେ ବହୁ ବିଦ୍ୱାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ସେମାନେ ଏମିତି ତାଲା ଖୋଲି ଚାଲି ଆସିଥିବେ ମୋର ବିଶ୍ୱାସ ହେଉନି ବୋଲି କହିଛନ୍ତି ଜଷ୍ଟିସ୍‌ ବିଶ୍ୱନାଥ ରଥ ।