କାହାର ପୂର୍ତ୍ତ ବିଭାଗ? ଠିକାଦାର, ନେତା ନା ଜନତା Photograph: (OTV)
ବିକଶିତ ଭାରତର ଲକ୍ଷ ନେଇ ସରକାର ଗୋଟିଏ ପଟେ ବ୍ୟୟ ଅଟକଳ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ଅନେକ ସ୍ଥାନରେ ଏସବୁ ବାଟମାରଣା ହେଉଥିବା ଦେଖିବାକୁ ମିଳେ। ଯେଉଁ ସମସ୍ୟାର ସମାଧାନ ର ଲକ୍ଷ୍ୟ ନେଇ ପ୍ରକଳ୍ପ ନିର୍ମାଣ ହେଉଛି, ତାର ଅବସ୍ଥା ଯଥା ପୂର୍ବଂ ତଥା ପରଂ।
ଲୋକଙ୍କ କଥା କହି ବିଜୟୀ ହେଲେ ବିଧାୟିକା। ସେହି ରାସ୍ତା ଦେଇ ଦୈନନ୍ଦିନ ନିର୍ବାଚନ ମଣ୍ଡଳୀକୁ ଗଲେ। ହେଲେ ରାସ୍ତାର ଦୁରବସ୍ଥାକୁ ନେଇ କାହିଁକି ପ୍ରଶ୍ନ ଉଠାଉ ନାହାନ୍ତି ବିଧାୟିକା? ଠିକାଦାରଙ୍କ ଅବହେଳା ଓ ବିଧାୟିକାଙ୍କ ଦୂରଦୃଷ୍ଟି ଅଭାବ ଯୋଗୁଁ ସାଧାରଣ ଲୋକଙ୍କ ଧନ ଜୀବନ ହାନିହେଉଛି। ନିର୍ମାଣ ନ ସରୁଣୁ କେଉଁଠି ଫାଟ ଦେଖାଗଲାଣି ତ କେଉଁଠି ଖାଲଖମା।
ରାସ୍ତାର ଏହି ଦୁରବସ୍ଥାକୁ ନେଇ ଲୋକେ ପ୍ରତିଦିନ ସାମ୍ନା କରୁଛନ୍ତି ଛୋଟ ବଡ଼ ଦୁର୍ଘଟଣା। ସୂଚନା ମୁତାବକ ପୂର୍ତ୍ତ ବିଭାଗ ଅଧିନରେ ୨୫ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ନର୍ଲାରୁ ଛତିକୁଡ଼ା ରାଜ୍ୟ ରାଜପଥ ୬। ବିନା ସୂଚନା ଫଳକରେ ନିର୍ମାଣ ହେଉଥିବା ଏହି ରାସ୍ତା ପାଇଁ ସଂପୃକ୍ତ ବ୍ରିଲିଆଣ୍ଟ ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡ୍ ଠିକା ସଂସ୍ଥା ୨୦୨୩ ମସିହାରେ କାର୍ଯ୍ୟାଦେଶ ପାଇଥିଲା। ଏହାର ନିର୍ମାଣ ଅବଧିର ଶେଷ ସମୟ ଥିଲା ୨୦୨୫ ଅକ୍ଟୋବର ମାସ ୧୫ ତାରିଖ। ହେଲେ ଠିକା ସଂସ୍ଥାର ମନ୍ଥର ଗତିରେ ନିର୍ମାଣ ପ୍ରକ୍ରିୟା ଓ ନିମ୍ନ ମାନର କାମ ଯୋଗୁଁ ଏଯାଏଁ କାର୍ଯ୍ୟକାରୀ ହୋଇପାରୁ ନାହିଁ ନର୍ଲା ଅଞ୍ଚଳବାସୀଙ୍କ ଲାଇଫ୍ଲାଇନ୍। ଏନେଇ ସ୍ଥାନୀୟ ଲୋକ କ୍ଷୋଭ ପ୍ରକାଶ କରିଛନ୍ତି।
ରାସ୍ତା ନିର୍ମାଣରେ ହେଉଥିବା ବିଳମ୍ବ ଏବଂ ନିମ୍ନ ମାନର କାମ ପାଇଁ ସାଧାରଣ ଲୋକଙ୍କୁ ଅନେକ ଅସୁବିଧା ହେଉଛି ଏବଂ ପ୍ରତିଦିନ ବାଜିରେ ଲାଗୁଛି ସାଧାରଣ ଲୋକଙ୍କ ଜୀବନ। ସ୍ଥାନୀୟ ବିଧାୟିକା, ଅଧିକାରୀ ଓ ଠିକା ସଂସ୍ଥାର ମଧୁଚନ୍ଦ୍ରିକ ଯୋଗୁଁ ପୂରଣ ହେଇ ପାରୁନି ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା। ତେବେ ଜନମଙ୍ଗଲ ରାଷ୍ଟ୍ରରେ ଉତ୍ତରଦାୟୀ ଥିବା ଶାସନ ବ୍ୟବସ୍ଥାର ସ୍ଥାନୀୟ ବିଧାୟିକା କିମ୍ବା ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମିଳିପାରି ନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/29/poor-road-construction-2025-12-29-18-45-45.jpg)