By: Deviprasad Jena
Last updated: 15 April 2025, 11:15 PM IST
ଅଡୁଆରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ବିରୋଧରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।
ଇଡିର ଚାର୍ଜସିଟରେ ସୁମନ ଦୁବେ ଏବଂ ଅନ୍ୟ କେତେଜଣଙ୍କ ନାଁ ମଧ୍ୟ ସାମିଲ ରହିଛି, ଯାହା ଉପରେ ଶୁଣାଣି ଏପ୍ରିଲ ୨୫ ତାରିଖରେ ହେବ। ମାମଲାରେ ପୂର୍ବରୁ ମଧ୍ୟ ଉଭୟ ସୋନିଆ ଏବଂ ରାହୁଲଙ୍କୁ ଜେରା ହୋଇଛି । ୧୯୩୮ରେ ଜବାହାରଲାଲ୍ ନେହରୁ ନ୍ୟାସନାଲ ହେରାଲ୍ଡ ସମାଚାର ପତ୍ରର ସ୍ଥାପନା କରିଥିଲେ ।
ଏହି ଜର୍ଣ୍ଣାଲ୍ ସେତେବେଳେ ସ୍ବାଧୀନତା ସଂଗ୍ରାମର ପ୍ରତୀକ ଥିଲା । ଏହାକୁ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ ଦ୍ବାରା ପ୍ରକାଶ କରାଯାଉଥିଲା । ୨୦୦୮ ଆର୍ଥିକ ସଂକଟ ପରେ ସମାଚାର ପତ୍ରକୁ ବନ୍ଦ କରିଦିଆଯାଇଥିଲା । ସେବେଠାରୁ ଏହି ବିବାଦ ଆରମ୍ଭ ହୋଇଥିଲା । ୨୦୧୦ରେ ୟଙ୍ଗ ଇଣ୍ଡିଆ ଲିମିଟେଡ୍ ନାମକ କମ୍ପାନି ପ୍ରତିଷ୍ଠା ହୋଇଥିଲା । ଏଥିରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କର ୩୮ ପ୍ରତିଶତ ଲେଖାଏଁ ଅଂଶଧନ ରହିଥିଲା । ଏହାକୁ ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ ୨୦୧୨ରେ ଅଭିଯୋଗ କରିଥିଲେ ।