ଭାରତୀୟ ସେନାର ପାରା ସ୍ପେଶାଲ୍ ଫୋର୍ସ । ଦୁର୍ଦ୍ଧର୍ଷ, ଦୁର୍ବାର । ଆତଙ୍କବାଦୀ ନିପାତ ହେଉ ଅବା ପଣବନ୍ଦୀ ଉଦ୍ଧାର, ଅତି ଜଟିଳ ସ୍ଥିତିରେ, ପ୍ରବଳ ଚାପ ଭିତରେ ବି ଶତ୍ରୁ ସଂହାରରେ ମାହିର ପାରା SF କମାଣ୍ଡୋ । ପ୍ରଶିକ୍ଷଣର ପ୍ରତିଟି ସୋପାନରେ ଜୀବନ-ମରଣର ସୀମା ଯାଏଁ ଯାଇ, ନିଜ ଶାରୀରିକ ଶକ୍ତି ଓ ଅଦମ୍ୟ ମନୋବଳର ପରିଚୟ ଦେବାକୁ ପଡ଼େ, ପାରାଚୁଟ ରେଜିମେଣ୍ଟ ସ୍ପେଶାଲ ଫୋର୍ସେସ୍ ବାଟାଲିୟନର ପ୍ରତିଟି ଯବାନଙ୍କୁ ।

ସେମିତି ଜଣେ ହେଉଛନ୍ତି ସେଇ ବାଟାଲିୟନର ମେଡିକାଲ୍ ଅଫିସର୍ କ୍ୟାପଟେନ୍ ଦୀକ୍ଷା । ପୁରୁଷଙ୍କ ସହ କାନ୍ଧରେ କାନ୍ଧ ମିଳାଇ ଏଭଳି କଠିନ ଟ୍ରେନିଂ ନେବା ବେଳେ ଦୀକ୍ଷାଙ୍କ କିଛି ଫଟୋ ଓ ଭିଡିଓ ସେୟାର୍ କରିଛି ଭାରତୀୟ ସେନା । ଫଟୋରେ ଜଣେ ଡାକ୍ତର ଭାବେ ଷ୍ଟେଥୋ, ସିରିଞ୍ଜ କିମ୍ବା ସୂକ୍ଷ୍ମତାର ସହ ସର୍ଜରୀ ନାଇଫ୍ ଧରୁଥିବା ହାତ ବୋହୁଛି ବିରାଟ ବିରାଟ ଓଜନିଆ ଟାୟାରକୁ । ଜରୁରୀ ସ୍ଥିତିରେ ସେନା ଡାକ୍ତରଙ୍କୁ ବି ଯେ, କେତେବେଳେ ବନ୍ଧୁକ ଧରିବାକୁ ପଡ଼ିପାରେ, ଶତ୍ରୁର ସାମ୍ନା କରିବାକୁ ପଡ଼ିପାରେ, ସେଥିପାଇଁ ଦୀକ୍ଷାଙ୍କୁ ପ୍ରସ୍ତୁତ କରାଯାଉଛି । କ୍ୟାପଟେନ ଦୀକ୍ଷା କିଛି ଦିନ ତଳେ ଅପରେସନ ଦୋସ୍ତରେ ସାମିଲ ହୋଇ ଭୂକଂପ ପୀଡ଼ିତ ତୁର୍କୀକୁ ଯାଇଥିଲେ କ୍ଷତାକ୍ତ ବିପନ୍ନଙ୍କ ଚିକିତ୍ସା ପାଇଁ ।