ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ସେଲିବ୍ରିଟି । ଇଡି ସ୍କାନରରେ ଜଣକ ପରେ ଜଣେ ବଲିଉଡ୍ ଷ୍ଟାର । ରଣବୀର ସିଂ, କପିଲ ଶର୍ମା ଓ ହୁମା କ୍ୟୁରେସିଙ୍କ ପରେ ଏବେ ଶ୍ରଦ୍ଧା କପୁରଙ୍କୁ ସମନ। ଯେ କୌଣସି ମୁହୂର୍ତ୍ତରେ କାହାରିକୁ ବି ଆସିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରୁ ଡକରା । ରଣବୀରଙ୍କୁ ଆଜି ଇଡିର ରାୟପୁର ଅଫିସର ହାଜର ପାଇଁ ନିର୍ଦ୍ଦେଶ ଥିବା ବେଳେ ସେ ଏଥିପାଇଁ ମାଗିଛନ୍ତି ଦୁଇ ସପ୍ତାହ ସମୟ । କୁହାଯାଉଛି, ୟୁଏଇରୁ ପରିଚାଳିତ ବେଆଇନ୍ ଅନଲାଇନ୍ ଜୁଆ ଆଡ୍ଡା ମହାଦେବ ବେଟିଂ ଆପର କୋ ଫାଉଣ୍ଡର ସୌରଭ ଚନ୍ଦ୍ରକାରର ବିବାହ ଉତ୍ସବରୁ ହିଁ ମିଳିଛି ଏତେବଡ଼ ଲିଙ୍କ୍ । ମୁମ୍ବାଇରୁ ୧୪ ଜଣ ପ୍ରତିଷ୍ଠିତ ସେଲିବ୍ରିଟି ଓ ଅନ୍ୟ ଶହେ ଜଣ ପ୍ରଭାବଶାଳୀ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ଗତ ଫେବ୍ରୁଆରୀରେ ହୋଇଥିବା ଏ ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିବାହ ଉତ୍ସବର ଆୟୋଜନ ପାଇଁ ନେଇଥିଲା ୧୧୨ କୋଟି ଟଙ୍କା । ବଡ଼ କଥା ହେଲା ପୁରା ଖର୍ଚ୍ଚ ହୋଇଛି ନଗଦରେ । ଯାହା ପଛରେ ହାୱଲା କାରବାର ସନ୍ଦେହ କରି ଇଡି ଆଖି ପକାଇଥିଲା ।