ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏକଥା ସ୍ପଷ୍ଟ ହୋଇଛି । ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବାକୁ ଆରଟିଆଇ ଆକ୍ଟରେ ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, କେବଳ ବାହାର ଭଣ୍ଡାର ନୁହେଁ ଭିତର ଭଣ୍ଡାର ଅବସ୍ଥା ବି ବିପଦପୂର୍ଣ୍ଣ ରହିଛି । 

ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବା ବେଳେ କାନ୍ଥ ଓଦା ରହିଛି । ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୮ ଏପ୍ରିଲ୍ ୪ରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା । ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ ।