୩୬ ଘଣ୍ଟା ହେଲାଣି, ଆୟକର ବିଭାଗର ରେଡ୍ ସରୁନି କି ଜବତ ଟଙ୍କା ଗଣତି ସରୁନି । ଆୟକର ଫାଙ୍କି ଅଭିଯୋଗରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଦ ବ୍ୟବସାୟୀଙ୍କ ଉପରେ ଜାରି ରହିଛି ମାରାଥନ ରେଡ୍ । ଆଉ ଏହି ଚଢ଼ଉ ବେଳେ ଆୟକର ଅଧିକାରୀଙ୍କୁ ତାଜୁବ କରିଛି ଦେଶୀ ଭାଟିରୁ ମିଳିଥିବା ବିଡ଼ା ବିଡ଼ା ନୋଟ୍ । ଦୁଇ ଦିନର ରେଡ୍ ରେ ୨ଶହ କୋଟିରୁ ଅଧିକ ଟଙ୍କା ଜବତ ହେଲାଣି । ରାଜ୍ୟରେ ଚାଲିଥିବା ସବୁଠାରୁ ବଡ଼ ଧରଣର ଏହି ଆଇଟି ରେଡ୍ ଭିତରେ ଭୁବନେଶ୍ୱରରେ ପହଁଚିଛନ୍ତି ଆୟକର ବିଭାଗ ଡିଜି ସଞ୍ଜୟ ବାହାଦୁର ।

ବିଡା ବିଡା ନୋଟ୍ ଥାକ ମାରି ଥୁଆ ହୋଇଛି । ଶହେ, ଦୁଇ ଶହ, ପାଂଚ ଶହ ଟଙ୍କିଆ ନୋଟରେ ଭର୍ତ୍ତି ଆଲମାରି । ଆଲମାରୀ ତ ନୁହେଁ, ଟଙ୍କାର ଭଣ୍ଡାର । ଆଉ ଏହି ଭଣ୍ଡାର ମିଳିଛି ଦେଶୀ ମଦ ଭାଟିରୁ । ବଲାଙ୍ଗୀର ସୁଦପଡା ମଦ ଭାଟିରେ ରେଡ୍ ବେଳେ ଆୟକର ବିଭାଗ ହାତରେ ଲାଗିଛି ଟଙ୍କା ଭର୍ତ୍ତି ସିନ୍ଦୁକ । ଯାହାକୁ ଦେଖି ତାଜୁବ ଆୟକର ଟିମ୍ ।