୧୯୯୬ ଜୁଲାଇ ୧୧ । ଭୁବନେଶ୍ୱର ବରମୁଣ୍ଡାରେ ଘଟିଥିଲା ଟ୍ରିପଲ ମର୍ଡର । ଏ ଘଟଣାର ଦୀର୍ଘ ୨୭ ବର୍ଷ ପରେ, ଗତ ଅକ୍ଟୋବର ୨୦ରେ ମୃତକ ପରିବାରକୁ ମିଳିଲା ନ୍ୟାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ କୋର୍ଟ। ହେଲେ ଅଧିକାଂଶ ମାମଲାରେ କିନ୍ତୁ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଛନ୍ତି ଅଭିଯୁକ୍ତ ।

ତଥ୍ୟ କହୁଛି ଓଡ଼ିଶାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୯ ପ୍ରତିଶତ। ଯାହାକି ଦେଶରେ ସର୍ବନିମ୍ନ । ନିକଟରେ ଏନ୍ସିଆରବି ପକ୍ଷରୁ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୨ ରିପୋର୍ଟରୁ ମିଳିଛି ଏମିତି ନିରାଶଜନକ ତଥ୍ୟ। ରିପୋର୍ଟ କହୁଛି, ୨୦୨୨ରେ ରାଜ୍ୟର କୋର୍ଟଗୁଡ଼ିକରେ ୨୭ ହଜାର ୪୬୦ ମାମଲାର ଶୁଣାଣି ଶେଷ ହୋଇଛି। ହେଲେ ସେଗୁଡ଼ିକରେ ମାତ୍ର ୩ ହଜାର ୨୭୧ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବଳକା ୨୪ ହଜାର ୧୮୯ଟି ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।