Jharaphula
ଭୁବନେଶ୍ୱର: ଏବେ ବି ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା। ଝରାଙ୍କୁ ହତ୍ୟା କରାଯାଇଛି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ? ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାର୍ଡିଏନ ଚକ୍ରଧରଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି। ଅନ୍ୟପକ୍ଷରେ ସ୍କୁଟରରେ ମୃତଦେହ ନେଉଥିବା ଦୁଇ ଜଣଙ୍କୁ ଚିହ୍ନଟ କରାଯାଇଥିବା ଯାଜପୁର ଏସପି କହିଥିଲେ ମଧ୍ୟ ପରିଚୟ ଦେଇନାହାନ୍ତି। ସେହିପରି ଝରାଙ୍କ ସାଙ୍ଗ ସୋନାଲି କିଏ? ଏଭଳି ଅନେକ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଯାଇଛି ଝରାଫୁଲ ନାୟକଙ୍କ ମୃତ୍ୟୁ ଘଟଣା।
କେମିତି ହୋଇଛି ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ? ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିବା ବେଳେ ରହସ୍ୟ ଉପରୁ ପରଦା ହଟାଇବାକୁ ଚେଷ୍ଟା ଚଳାଇଛି ପୋଲିସ। ଆଉ ଏହାରି ଭିତରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଝରାଫୁଲଙ୍କ ବାପା ରମାକାନ୍ତ ନାୟକ। ଭୁବନେଶ୍ୱରର ରାକେଶ ସ୍ୱାଇଁ ନାମକ ଯୁବକ ସହ ଝିଅର ପ୍ରେମ ସପର୍କ ଥିବା ସେ ପ୍ରକାଶ କରିଛନ୍ତି।
ଏକଥା ଜାଣିବା ପରେ ସେ ଝିଅକୁ ତାଗିଦ କରିଥିବା ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଝରାଫୁଲର ମୃତ୍ୟୁ ପଛରେ ରାକେଶର କିଛି ଭୂମିକା ଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି। ଏପଟେ ଯାଜପୁର ପୋଲିସ ରାକେଶଙ୍କ ସୁନ୍ଦରପଦା ଘରେ ପହଞ୍ଚି ପରିବାର ଲୋକଙ୍କୁ ପଚରାଉଚରା କରିଛି। ତେବେ ରାକେଶର ପତ୍ତା ପାଇନି। ଅନ୍ୟ ଏକ ଘଟଣା କ୍ରମରେ ମୃତଦେହ ନେଇ ଯାଉଥିବା ଦୁଇ ସ୍କୁଟର ଆରୋହୀଙ୍କୁ ଚିହ୍ନଟ କରାଯାଇଥିବା ଯାଜପୁର ଏସ୍ପି ରାହୁଲ ପି.ଆର. ସୂଚନା ଦେଇଛନ୍ତି। ତେବେ ସେ ସେମାନଙ୍କ ପରିଚୟ ଦେଇନାହାନ୍ତି। ଏଣୁ ସିସିଟିଭିରେ ଥିବା ଯୁବକ ରାକେଶ ନାଁ ଆଉ କିଏ, ସେହିପରି ଗାଡି ଚଳାଉଥିବା ଅନ୍ୟ ଜଣଙ୍କ କିଏ ତାକୁ ନେଇ ଚର୍ଚ୍ଚା ଜାରି ରହିଛି।
ଏପଟେ ଘଟଣାକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱରରେ ଝରାଫୁଲଙ୍କ ଲୋକାଲ ଗାର୍ଡିଏନ ଦାୟିତ୍ୱରେ ଥିବା ଚକ୍ରଧର ବେହେରା। ଝିଅକୁ ଜନ୍ମ ଦିନର ଶୁଭେଛା ଦେବାକୁ ଆସି ଝରାଫୁଲ ତାଙ୍କ ଘରେ ଦୁଇ ଦିନ ରହିଥିବା ସେ କହିଛନ୍ତି। ଝରାଫୁଲଙ୍କ ମା, ଝିଅକୁ ଛାଡି ଦେବାକୁ କହିବାରୁ ୨୬ ତାରିଖ ଦିନ ପ୍ରାୟ ୧୧ଟା ବେଳେ ସେ ତାକୁ ଜୟଦେବ ବିହାରରେ ଝାଡେଶ୍ୱରୀ ବସରେ ବସାଇ ଦେଇଥିଲେ। ତେବେ ଝରାଫୁଲ ଫୋନ ନଉଠାଇବାରୁ ସେ ତାଙ୍କ ଘରକୁ ଫୋନ କରିଥିଲେ। ଝିଅ ଘରେ ପହଞ୍ଚି ଯାଇଥିବା ଝରାଫୁଲଙ୍କ ବାପା ଅପରାହ୍ଣ ୩ଟାରେ ତାଙ୍କୁ ଫୋନରେ ଜଣାଇଥିବା କହିଛନ୍ତି ଚକ୍ରଧର।
ତେବେ ୨୭ ତାରିଖ ସକାଳେ ଝରାଫୁଲଙ୍କ ବାପା ପୁଣି ଫୋନ କରିଥିଲେ ଓ ଝିଅ ଘରେ ପହଞ୍ଚି ନଥିବା କହିଥିବା, କହିଛନ୍ତି ଚକ୍ରଧର। ଏଣୁ ଝରାଫୁଲଙ୍କ ବାପା କାହିଁକି ମିଛ କହିଥିଲେ? ଚକ୍ରଧର କହୁଥିବା କଥା ସତ ନା ମିଛ? ପୁରା ଘଟଣା ଏବେ ରହସ୍ୟ ଘେରକୁ ଚାଲି ଯାଇଛି।
ଏପଟେ ଦେହ ଖରାପ ଲାଗୁଛି କହି ଝରାଫୁଲ ସାଙ୍ଗ ସୋନାଲିଙ୍କ ଘରେ ରହିଯିବାକୁ ତାଙ୍କୁ ଫୋନରେ କହିଥିବା ନେଇ ପୂର୍ବରୁ କହିଥିଲେ ବାପା ରମାକାନ୍ତ। ଏକଥା କେତେ ସତ? ଝରାଫୁଲଙ୍କ ଏହି ସାଙ୍ଗ ସୋନାଲି କିଏ? ତାଙ୍କୁ କାହିଁକି ଏଯାଏଁ ଠାବ କରାଯାଇନି? ଘଟଣାର ତଦନ୍ତ କରାଯାଇ ସତ ପଦାକୁ ଆସିବା ଦରକାର ବୋଲି କହିଛନ୍ତି ରାଜ୍ୟ ମହିଳା କମିଶନର।
କୁହେଳିକା ହୋଇ ଚାଲିଥିବା ଝରାଫୁଲ ମୃତ୍ୟୁର ରହସ୍ୟ କେବେ ଖୋଲିବାରେ ସଫଳ ହେଉଛି ପୋଲିସ ଏବେ ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Jharaphula_1626247646.jpg)