cricket
ଗୌହାଟୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମୁକାବିଲା ବର୍ଷା କାରଣରୁ ବାତିଲ ହୋଇଛି। ରବିବାର ଏଠାକାର ବର୍ଷାପଡ଼ା କ୍ରିକେଟ୍ ଷ୍ଟାଡିୟମରେ ଟସ୍ ପରେ ଗୋଟିଏ ବି ବଲ୍ ପଡ଼ିବା ପୂର୍ବରୁ ମ୍ୟାଚକୁ ବାତିଲ କରିଦିଆଯାଇଛି। ଟସ୍ ପରେ ଲଗାତର ବର୍ଷା କାରଣରୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ବର୍ଷା ବନ୍ଦ ହେବା ସତ୍ତ୍ୱେ ଆଉଟ୍ ଫିଲ୍ଡ ଓ ପିଚ୍ ଓଦା ରହିବା କାରଣରୁ ଅମ୍ପାୟାର ଶେଷରେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମ୍ୟାଚ୍ ବାତିଲ୍ ହେବା ଦ୍ୱାରା ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ସଂଖ୍ୟକ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିଛି। ଏଥିସହ ନୂଆ ବର୍ଷରେ ଟିମ୍ ଇଣ୍ଡିଆ ମଧ୍ୟ ତା’ର ପ୍ରଥମ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଛି।
ମ୍ୟାଚ୍ ପାଇଁ ଟସ୍ ନିର୍ଦ୍ଧାରିତ ସମୟରେ ପଡ଼ିଥିଲା, କିନ୍ତୁ ମ୍ୟାଚ୍ ଆରମ୍ଭ ହେବାର ଠିକ୍ ପୂର୍ବରୁ ବର୍ଷା ବାଧା ଦେଇଥିଲା। ପ୍ରାୟ ୮ଟା ବେଳେ ବର୍ଷା ବନ୍ଦ ହୋଇଥିଲା, କିନ୍ତୁ ପିଚ୍ ଓଦା ରହିବା କାରଣରୁ ଇନ୍ସପେକ୍ସନ୍ ଟାଇମ୍ ରାତି ୯ଟାକୁ ରଖାଯାଇଥିଲା। ସାଢ଼େ ୯ଟା ବେଳେ ଅମ୍ପାୟାର ପୁଣିଥରେ ମ୍ୟାଚ୍ ଇନ୍ସପେକ୍ସନ୍ କରିଥିଲେ। ଏହା ପରେ ୫ ଓଭର ବିଶିଷ୍ଟ ମ୍ୟାଚ୍ ପାଇଁ କଟ୍ ଅଫ୍ ଟାଇମ୍ ରାତି ୯.୪୬ ଧାର୍ଯ୍ୟ ହୋଇଥିଲା, କିନ୍ତୁ ଏହି ସମୟରେ ମଧ୍ୟ ପିଚ୍ ଖେଳ ପାଇଁ ଉପଯୋଗ ହୋଇନଥିଲା। ଯାହା ପରେ ଅମ୍ପାୟାର ମ୍ୟାଚ୍ ନକରାଇବା ପାଇଁ ନିଷ୍ପତ୍ତି ନେଇଥିଲେ।
ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବର୍ଷର ପ୍ରଥମ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ମ୍ୟାଚରେ ସମସ୍ତଙ୍କ ନଜର ଶିଖର ଧୱନ୍ ଓ ଯଶପ୍ରୀତ ବୁମ୍ରାଙ୍କ ଉପରେ ରହିଥିଲା। ବୁମ୍ରା ଏହି ମ୍ୟାଚ୍ ଜରିଆରେ ଦୀର୍ଘ ୫ମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଆହତ କାରଣରୁ ପ୍ରାୟ ଦୁଇମାସ ପରେ ଧୱନ୍ ଦଳକୁ ଫେରିଛନ୍ତି। ଏହି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କିଛି ପରିବର୍ତ୍ତନ କରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ମନିଷ ପାଣ୍ଡେ, ୟୁଜବେନ୍ଦ୍ର ଚହଲ୍ ଓ ସଞ୍ଜୁ ସାମସନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ସିରିଜର ଦ୍ୱିତୀୟ ମ୍ୟାଚ୍ ଆସନ୍ତା ୭ ତାରିଖରେ ଇନ୍ଦୋରରେ ଖେଳାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cricket_1626689209.jpg)