AI-FAKE Photograph: (OTV)
ନୂଆପଡ଼ା ଉପ ନିର୍ବାଚନୀ ମୈଦାନରେ AI ଫାଇଟ୍। ବିରୋଧୀର ଖେଳ ବିଗାଡ଼ିବାକୁ ସବୁ ନିୟମ କାନୁନର ଧଜିଆ ଉଡ଼ାଇ ଡିଜିଟାଲ୍ ପ୍ଲାଟଫର୍ମରେ AI ଫଟୋ ଏବଂ ଡିପ୍ ଫେକ୍ ଭିଡ଼ିଓ ଛାଡୁଛନ୍ତି ପଲିଟିକାଲ୍ ପାର୍ଟି। ନିଜ ନିଜ ପ୍ରାର୍ଥୀଙ୍କ ଭୋଟ୍ ବଢେଇବାକୁ ଏବଂ ପ୍ରତିଦ୍ବନ୍ଦୀ ତଥା ବିରୋଧୀ ପ୍ରାର୍ଥୀଙ୍କୁ ବଦନାମ ପାଇଁ AIର ବ୍ୟବହାର କରି ମିଛ ଭିଡ଼ିଓ ସବୁ ଛଡ଼ାଯାଉଛି। ଯାହାକୁ ନେଇ ସାଧାରଣ ଭୋଟରଙ୍କ ମଧ୍ୟରେ ଦ୍ବନ୍ଦ୍ବ ବି ସୃଷ୍ଟି ହେଉଛି। ଯାହାକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଉଦବେଗ ପ୍ରକାଶ କରିବା ସହ କହିଛନ୍ତି, ଏହା ଉପରେ ଆକ୍ସନ ନେବୁ।...
ନୂଆପଡ଼ା ଉପ ନିର୍ବାଚନରେ ଖେଳ ବିଗାଡ଼ିବାକୁ AI WAR। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା କୃତ୍ରିମ ବୁଦ୍ଧିମତା ଆପଣାଇ ପ୍ରତିପକ୍ଷ ପ୍ରାର୍ଥୀଙ୍କ ଭୋଟ୍ କମାଇବାକୁ ଚାଲିଛି ଡିଜିଟାଲ୍ ରେସ୍। କିଏ ଡିପ୍ ଫେକ୍ ଭିଡ଼ିଓ କରି କାହାକୁ ହରାଇ ସାରିଲେଣି ତ ଆଉ କିଏ କାହାର ମୁଣ୍ଡ ଫଟେଇ ସାରିଲେଣି। ବିଶେଷ କରି ବିଜେଡି ବନାମ୍ ବିଜେପିର AI WARକୁ ନେଇ ବଢ଼ିଛି ଚର୍ଚ୍ଚା।
କେଉଁଠି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ AI ତ କେଉଁଠି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ AI WARର ଶିକାର। କେମିତି ବିଜେପି ରାଜ୍ୟ ସଭାପତି ଏବଂ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କ ମୁଣ୍ଡ ଫାଟିଯାଇଥିବା ଦୃଶ୍ୟକୁ କାଳ୍ପନିକ ଭାବେ ଚିତ୍ରଣ କରାଯାଇଛି AI ମାଧ୍ୟମରେ। ଦର୍ଶାଯାଇଛି, ମନମୋହନ ଓ ହିମାଂଶୁଙ୍କୁ ନୂଆପଡ଼ା ବାସୀ ମାଡ଼ ମାରିଛନ୍ତି। ହେଲେ ଏସବୁ AIର କରାମତି। ତୁଛା ମିଛ। କେବଳ କ’ଣ ଏତିକି, ଏହି AI ଭିଡ଼ିଓରେ ତ ମୁହାଁମୁହିଁ ବିଜେଡି ନେତା। ନବୀନଙ୍କୁ କାହିଁକି ପ୍ରଚାରକୁ ଆସିଲ ବୋଲି ପ୍ରଶ୍ନ କରାଯାଉଛି ଦେଖନ୍ତୁ। ଏଭଳି ମିଛ AI ଭିଡ଼ିଓକୁ ନେଇ ଏବେ ପଲିଟିକାଲ୍ ମୈଦାନରେ ଜୋର ଧରିଛି ଆରୋପ ପ୍ରତି ଆରୋପ।
ଆସିବ କି କଡ଼ା ଆଇନ ?
ନୂଆପଡ଼ା ଉପ ନିର୍ବାଚନବେଳେ ଭିଡ଼ିଓ ଗୁଡ଼ିକ ଏମିତି ତିଆରି କରାଯାଇଛି ଯେ, ଏହା ସତ କି ମିଛ, ସାଧାରଣ ଭୋଟର୍ ବାରିପାରିବେ ବା କେମିତି। ଅବଶ୍ୟ କେଉଁଠି AI GENERATED ଲେଖାଯାଇଛି ତ ଆଉ କେଉଁଠି ଆଦୌ ନାହିଁ। ଫଳରେ ଫେକ୍ କି ରିୟଲ୍, ଦ୍ବନ୍ଦ୍ବରେ ଭୋଟର୍। ଆଇଟି ବିଶେଷଜ୍ଞଙ୍କ ମତ, ଏହା ବିରୋଧରେ କଡ଼ା ଆଇନ ଆଣିବା ସହ ଏଭଳି ଭିଡ଼ିଓ ଉପରେ ରୋକ୍ ଲଗାଇବା ଦରକାର।
୨୪ ନିର୍ବାଚନବେଳେ ଏଭଳି କିଛି ଡିପ୍ ଫେକ୍ ତଥା AI GENERATED ଭିଡ଼ିଓ ଫଣ୍ଡାକୁ ନେଇ ଦେଶବ୍ୟାପି ଉଠିଥିଲା ଉଦବେଗ। ଏପରିକି ସ୍ବତନ୍ତ୍ର ଗାଇଡଲାଇନ୍ସ ଜାରି କରିଥିଲେ ଭାରତୀୟ ନିର୍ବାଚନ ଆୟୋଗ। ନିର୍ବାଚନ ପ୍ରଚାର ସମୟରେ AI ଫଟୋ କିମ୍ବା ଭିଡ଼ିଓର ଅପବ୍ୟବହାର ନ କରିବାକୁ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତିି। ପ୍ରାର୍ଥୀ କିମ୍ବା ଦଳ ନିର୍ବାଚନ ପ୍ରଚାରରେ କୃତ୍ରିମ ଭାବେ କିମ୍ବା ଏଆଇ ଭିଡ଼ିଓ ଏବଂ ଫଟୋ ବ୍ୟବହାର କରୁଥିଲେ AI GENERATED ବୋଲି ଲେଖିବେ। ତିଆରି କରିଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ପରିଚୟ ଓ ଠିକଣା ବି ରହିବ। କିନ୍ତୁ ଭୋଟରଙ୍କୁ ପ୍ରଭାବିତ କଲାଭଳି ତଥ୍ୟ ଆଦୌ ରହିବ ନାହିଁ। ଯଦି ଏହାର ଉଲ୍ଲଂଘନ ହୁଏ, ତା’ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ନୂଆପଡ଼ା ଉପ ନିର୍ବାଚନବେଳେ ଏଭଳି ଅନେକ AI ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଯଦି କେହି ବିନା ଅନୁମତିରେ ଏବଂ ଭୋଟରଙ୍କୁ ପ୍ରଭାବିତ କଲା ଭଳି AI ଭିଡ଼ିଓ ତିଆରି କରି ଭାଇରାଲ କରୁଥିବେ, ତା’ହେଲେ ଆମ ନଜରକୁ ଆସିଲେ ଆକ୍ସନ ନେବୁ।
ନିର୍ବାଚନବେଳେ ଏଭଳି ମିଛ AI ଫଟୋ ଏବଂ ଭିଡ଼ିଓ ସାଧାରଣ ଭୋଟରଙ୍କୁ ଖାଲି ପ୍ରଭାବିତ କରୁନି, ବରଂ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ବି ବିପଦ ସାଜିଛି। ତେଣୁ ଆଗକୁ କି ଆକ୍ସନ ହେଉଛି, ତାକୁ ଅପେକ୍ଷା।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/07/ai-fake-2025-11-07-20-19-20.jpg)