AI Photograph: (OTV)
ଆମେ ଏବେ ଏକ ଅଦ୍ଭୁତ ବିକାଶ ଯୁଗରେ ଗତି କରୁଛେ । ଯେଉଁଠି ସମୟର ମୂଲ୍ୟ ବଢୁଛି । କାମ ହେଉଛି ନିମିଷରେ । ବ୍ୟବସାୟ ହେଉଛି ଡିଜିଟାଲରେ । ପାଠପଢା ହେଉଛି ଅନଲାଇନରେ । ଚିକିତ୍ସା ମିଳୁଛି ଟେଲିମେଡିସିନରେ । ଏମିତି ଏକ ବିପ୍ଳବାତ୍ମକ ରାସ୍ତାରେ ଚାଲୁଛି ମଣିଷ । ଯାନ୍ତ୍ରିକ ବିକାଶ, କୃତ୍ରିମ ବୁଦ୍ଧି, ଡିଜିଟାଲ ପ୍ରଗତି ଓ ଡାଟା ସାଇନ୍ସର ସମ୍ମିଶ୍ରମଣରେ ଏଭଳି ଏକ ବିଶ୍ବ ତିଆରି ହେଉଛି ଯାହା ଆମ ଜୀବନଶୈଳୀକୁ ଖାଲି ବଦଳାଉନି ବରଂ ପୂରା ମାନବ ସମାଜକୁ ନୂଆ ଭବିଷ୍ୟତ ମୁହାଁ ହେବାକୁ ବାଧ୍ୟ କରିଛି । ଯେଉଁ ଦ୍ରୁତ ବିପ୍ଳବର ମୁଖ୍ୟ ଆଧାର ହେଉଛି କୃତ୍ରିମ ବୁଦ୍ଧିମତା ବା AI । କହିବାକୁ ଗଲେ ଏହି ଶତାବ୍ଦୀର ବୃହତ ପରିବର୍ତ୍ତନର ନାୟକ ହେଉଛି AI ।
AI- ମଣିଷ ଗଢ଼ିଥିବା ଏକ ଅଦୃଶ୍ୟ ଶକ୍ତି । ଖୋଦ୍ ଆମେ ସୃଷ୍ଟି କରିଥିବା ଶକ୍ତିର ଆଇନା । ନା କାନ୍ଦେ ନା ହସେ, ତଥାପି ସିଏ ଅଭିମାନୀ । ନମାଗିଲେ କିଛି ବି ଦିଏନି । AI ମଣିଷ ଦ୍ୱାରା ବିକଶିତ ହୋଇଛି ମଣିଷର ବିକଳ୍ପ ହେବାକୁ ନୁହେଁ ବରଂ ସହଯୋଗୀ ଭାବରେ ସାଥିରେ ଚାଲିବାକୁ । ହେଲେ AI ଆଗକୁ ଆମ ବନ୍ଧୁ ହେବ ନା ଶତ୍ରୁ ?
ଆମେ ଆଗରୁ ରୋବୋଟ୍ ଜେନେରେସନ ଦେଇ ଆସିସାରିଛେ ଏବଂ ଏବେ ବି ଯାଉଛେ । ଆଜି ଭଳି ସେତେବେଳେ ବି ସମାନ ଆଶଙ୍କା ସୃଷ୍ଟି ହୋଇଥିଲା । ରୋବୋଟ୍ କେବଳ ଶାରୀରିକ କାମରେ ସୀମିତ ରହୁଥିଲା । ହେଲେ AI ଏମିତି କାମ କରୁଛି ଯାହା ମଣିଷର ସ୍ବତନ୍ତ୍ରତାକୁ ବି ବିପଦରେ ପକାଇବାକୁ ପଛାଉନାହିଁ । AI ଗପ-ଗୀତ ଲେଖୁଛି, ରିପୋର୍ଟ ଲେଖୁଛି, ଚିତ୍ର ଆଙ୍କୁଛି, କାର୍ଟୁନ୍ କରୁଛି, ଗ୍ରାଫିକ୍ସ ଡିଜାଇନ୍ କରୁଛି, ଘରର ଡିଜାଇନ୍ ଦେଉଛି, ଆଡ୍ ପ୍ରସ୍ତୁତ କରୁଛି, ମ୍ୟୁଜିକ କରି ନିଜେ ଗାଇପାରୁଛି....ଏଭଳି କେତେକଣ । ଏମିତି କେଉଁ ଜିନିଷଟି ନାହିଁ ଯାହା AI କରିପାରୁନି ତାହା ଭାବିବା ସାପେକ୍ଷ । ତାପୁଣି ଚୁଟକିରେ, ମଣିଷ ଭାବିବାର ବହୁ ପୂର୍ବରୁ । AI ବୁଝିପାରୁଛି, ନିଷ୍ପତ୍ତି ନେଇପାରୁଛି ଆଉ ଅସମ୍ଭବ କାମକୁ ବି କରିଦେଖାଉଛି । ଯଦି ଏଭଳି ହୋଇପାରୁଛି ତାହେଲେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି – ମଣିଷର ସ୍ଥାନ କେଉଁଠି ? ନୂଆ ଯୁଗରେ ପ୍ରଶ୍ନ ଏହା ନୁହେଁ ଯେ AI ଏଇଟା କରିପାରିବନି, ସେଇଟା କରିପାରିବନି । ପ୍ରଶ୍ନ ଏହା, ମୁଁ କେଉଁଠି ରହିବି ? ଆଗକୁ କଣ ହେବ? ଏହି ଦିଗରେ ଚିନ୍ତା କରିବାର ସମୟ ଆସିଯାଇଛି ।
AI ବା କୃତ୍ରିମ ବୁଦ୍ଧି- ବିଜ୍ଞାନ ଓ ବୁଦ୍ଧିର ସଙ୍ଗମ । ସାଧାରଣ ଭାଷାରେ କହିଲେ ଗୋଟିଏ ଯନ୍ତ୍ର, ଯିଏ ମଣିଷ ଭଳି ଚିନ୍ତା କରିପାରେ, ଶିଖିପାରେ, ନିଷ୍ପତ୍ତି ମଧ୍ୟ ନେଇପାରେ । ହେଲେ ଏହାର ବିକାଶ ଏତେ ଦ୍ରୁତ ଓ ଉନ୍ନତ ଯେ, ଯାହା ମଣିଷ ଦ୍ୱାରା ହେଉଥିଲା, AI ତାକୁ ଚୁଟକିରେ କରୁଛି । AI ଆଧାରିତ ସିଷ୍ଟମ କହିପାରୁଛି କ୍ୟାନ୍ସର କେଉଁ ଷ୍ଟେଜରେ ରହିଛି । ଅନଲାଇନରେ AI ଭଲ ଟ୍ୟୁଟର ଭାବେ ଆଦୃତ । ଅଟୋମେକିଟ୍ ଗାଡ଼ି ଚାଲିପାରୁଛି । ରଥଯାତ୍ରାରେ ଭିଡ଼, ମାଟ୍ରିକ୍ ପରୀକ୍ଷାରେ କପି ଜଗୁଛି AI । ବଡ଼କଥା ହେଲା AI ମଣିଷ ଜୀବନକୁ ଯେତିକି ସହଜ କରୁଛି, ପେସା, ଚାକିରି ଓ ଦକ୍ଷତାକୁ ସେତିକି ଅପ୍ରାସଙ୍ଗିକ କରୁଛି । AI ପ୍ରାୟ ସବୁ ଭାଷାରେ ତଥ୍ୟ ଗ୍ରହଣ ଓ ପ୍ରଦାନ କରିପାରୁଛି । ଆମେ ଭାବୁଥିଲେ ଭାଷା, କବିତା, ଗପ ମଣିଷର ଅନ୍ତଃକଳା । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ AI ଓଡ଼ିଆ ଭାଷାରେ କବିତା ଲେଖୁଛି, ଭାବାର୍ଥ ବୁଝୁଛି, ଏବଂ ଅନୁଭୂତିକୁ ଅନୁକରଣ କରୁଛି । ଭାବନ୍ତୁ, ଆପଣ ଯେଉଁ କାମ ପାଇଁ ବସିଛନ୍ତି ତାହା ଯଦି AI ଆପଣଙ୍କଠୁ ଭଲଭାବେ ଆଉ ଅତିଶୀଘ୍ର କରିଦେଖାଇବ ତେବେ ଆପଣଙ୍କ ସ୍ଥାନ କେଉଁଠି ?
ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ କହିଥିଲେ ଯେ, ଭବିଷ୍ୟତରେ ଲୋକେ ସପ୍ତାହକୁ କେବଳ କିଛି ଘଣ୍ଟା କାମ କରିପାରିବେ । ଅନ୍ୟ ସମୟ ନିଜ ପ୍ରବୃତ୍ତି, ସଂସ୍କୃତି ଓ ଜୀବନ ଉପରେ ଖର୍ଚ୍ଚ କରିବେ । ଅର୍ଥାତ ଆଗାମୀ ଦିନରେ AI ମଣିଷକୁ ବିଶ୍ରାମ ଦେଇଦେବ ଏଥିରେ ଦ୍ବନ୍ଦ୍ବ ନାହିଁ । ଆଉ ଏହାଦ୍ବାହା ମଣିଷର ଭାବିବା ଶକ୍ତି କମିବ ନିଶ୍ଚିତ । ସବୁଠାରୁ ବଡ଼ ଚିନ୍ତା- AI ପ୍ରଗତି ସହିତ ମଣିଷ ଜୀବିକା କିପରି ବଦଳିବ ? AI ପ୍ରଭାବ ଦ୍ବାରା ବିଭିନ୍ନ ନିଯୁକ୍ତି କ୍ଷେତ୍ର ପ୍ରଭାବିତ ହେବା ନିଶ୍ଚିତ । ତଥାପି ନୂଆ କାମର ବି ଜନ୍ମ ହେବ । ଏଆଇ ଟ୍ରେନିଂ, ଡାଟା ଆନାଲିସିସ୍, ଏଥିକ୍ସ ଅଫ୍ ଏଆଇ ଇତ୍ୟାଦି କ୍ଷେତ୍ରରେ ନିଃସନ୍ଦେହରେ ବ୍ୟାପକ ସୁଯୋଗ ସୃଷ୍ଟି ହେବ । AI ଏଭଳି ଏଖ ନିର୍ଭର ଭବିଷ୍ୟତ ନୁହେଁ ଯେ ଯେଉଁଠାରେ ମଣିଷ ଅପରିହାର୍ଯ୍ୟ ହୋଇପଡିବ । ମଣିଷକୁ ଛାଡି ନୁହେଁ, ଆମ ସାଥିରେ ହିଁ AI ଚାଲିପାରିବ । ଏଣୁ ଆମକୁ AIର ସହଯାତ୍ରୀ ହେବାକୁ ପଡିବ । ନୂଆ ଦକ୍ଷତାକୁ ଶିଖି ଆଗକୁ ବଢିବାକୁ ପଡିବ ।
ମଣିଷର ସୃଜନାଶୀଳତା, ବୋଧଶକ୍ତି ଏବଂ ସାମାଜିକ ସମ୍ପର୍କ ଏପରିଯେ, AI ଚିରକାଳ ମଧ୍ୟ ମଣିଷଙ୍କୁ ଟପିପାରିବ ନାହିଁ । AI ଏକ ବିପଦ ନୁହେଁ, ଏହା ଏକ ଜେନେରେସନ୍ । ମଣିଷ ଯଦି ନିଜର ମୂଲ୍ୟ, ଦକ୍ଷତା, ଓ ଆଦର୍ଶକୁ ଅନୁସରଣ କରି AIକୁ ସହଯୋଗୀ ଭାବରେ ବ୍ୟବହାର କରିପାରେ, ତେବେ ଆଗକୁ ଏକ ସୁନ୍ଦର ଓ ନୀତିଗତ ବିଶ୍ୱ ତିଆରି ହେବ । ଆଗକୁ କଣ ହେବ ? ତାହା ଆମ ହାତରେ ଅଛି । AI ତ ଗୋଟେ ଅସ୍ତ୍ର ମାତ୍ର । ତାକୁ କରାୟତ କରି ଯୁଦ୍ଧ ଆମକୁ ଲଢିବାକୁ ପଡିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/03/ai-2025-11-03-21-33-02.jpg)