Advertisment

Rising Pacer Aqib Nabi: ଟିମ୍ ଇଣ୍ଡିଆରେ ସୁଯୋଗ ପାଇବେ କି ପେସର୍ ଆକିବ୍ ନବୀ ?

ଜମ୍ମୁ-କଶ୍ମୀରର ପେସର୍ ଆକିବ୍ ନବୀଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ଟିମ୍‌କୁ ପ୍ରଥମ ଥର ରଣଜୀ ଚାମ୍ପିଅନ୍ କରାଇବାରେ ସେ ତୁଲାଇଛନ୍ତି ଅଗ୍ରଣୀ ଭୂମିକା । ପ୍ରଶ୍ନ ଉଠୁଛି, କ୍ରମାଗତ ଦୁଇ ରଣଜୀ ସିଜନ୍‌ରେ ମୋଟ୍ ୧୦୪ ୱିକେଟ୍ ନେଇଥିବା ଆକିବ୍‌ଙ୍କୁ ଟିମ୍ ଇଣ୍ଡିଆରେ ସୁଯୋଗ ମିଳିବ କି?

CRICKET

CRICKET Photograph: (OTV)

Advertisment

ରଣଜୀ ଟ୍ରଫିର ଇତିହାସରେ ଜମ୍ମୁ-କଶ୍ମୀର ପ୍ରଥମ ଥର ମୁକୁଟ ହାସଲ କରିଛି । ନିକଟରେ ଶେଷ ହୋଇଥିବା ୨୦୨୫-୨୬ ସିଜନ୍‌ର ଫାଇନାଲ୍‌ରେ ପାରସ ଡୋଗ୍ରାଙ୍କ ଟିମ୍ ଆଠ ଥର ଚାମ୍ପିଅନ୍ କର୍ଣ୍ଣାଟକକୁ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତ୍ତିରେ ମାତ୍ ଦେଇଛି । ଟିମ୍‌ର ଏହି ଐତିହାସିକ ସଫଳତାରେ ଡାହାଣହାତି ପେସର୍ ଆକିବ୍ ନବୀ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ।

Advertisment

ଆକିବ୍ ‘ପ୍ଲେୟର୍ ଅଫ୍ ଦ ଟୁର୍ଣ୍ଣାମେଣ୍ଟ’ ବିବେଚିତ ହୋଇଛନ୍ତି । ସେ ଫାଇନାଲ୍‌ର ଗୋଟିଏ ଇନିଂସ୍‌ରେ କର୍ଣ୍ଣାଟକ ଟିମ୍‌ର ଲୋକେଶ ରାହୁଲ, ମୟଙ୍କ ଅଗ୍ରୱାଲ ଓ କରୁଣ ନାୟରଙ୍କ ଭଳି ତାରକା ଖେଳାଳି, ଟୁର୍ଣ୍ଣାମେଣ୍ଟର ଟପ୍ ସ୍କୋରର୍ ରବିଚନ୍ଦ୍ରନ ସ୍ମରଣ ଏବଂ ନିମ୍ନକ୍ରମ ବ୍ୟାଟର୍ ଶିଖର ସେଟ୍ଟୀଙ୍କୁ ପାଭିଲିଅନ୍ ପଠାଇଥିଲେ ।

ଏବେ ପ୍ରଶ୍ନ ଉଠୁଛି, କ୍ରମାଗତ ଦୁଇ ରଣଜୀ ସିଜନ୍‌ରେ ଉଲ୍ଲେଖନୀୟ ବୋଲିଂ ପ୍ରଦର୍ଶନ କରିଥିବା ୨୯ବର୍ଷୀୟ ଆକିବ୍‌ଙ୍କୁ ଭାରତୀୟ ଟେଷ୍ଟ କି ଦିନିକିଆ ଟିମ୍‌ରେ ସୁଯୋଗ ମିଳିବ କି? ସୌରଭ ଗାଙ୍ଗୁଲି ଓ ଦିନେଶ କାର୍ତ୍ତିକଙ୍କ ଭଳି କେତେକ ପୂର୍ବତନ କ୍ରିକେଟର୍ ଆକିବ୍‌ଙ୍କୁ ଭାରତୀୟ ଟିମ୍‌ରେ ନିଆଯିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ।

Advertisment

କଶ୍ମୀର ଉପତ୍ୟକାର ଉଜ୍ଜ୍ୱଳ ତାରକା

ଦକ୍ଷିଣ ଆଫ୍ରିକାର ପୂର୍ବତନ ପେସର୍ ଡେଲ୍ ଷ୍ଟେନ୍‌ଙ୍କୁ ନିଜ ଆଦର୍ଶ ବିବେଚନା କରୁଥିବା ଆକିବ୍‌ଙ୍କ କ୍ରିକେଟ୍‌-ଯାତ୍ରା ସଂଘର୍ଷମୟ ରହିଆସିଛି । କ୍ରିକେଟ୍ ପାଇଁ କଶ୍ମୀର ଉପତ୍ୟକାରେ ଆବଶ୍ୟକ ସୁବିଧା-ସୁଯୋଗ କି ବାତାବରଣ ନ ଥିଲା । ଏପରି ସ୍ଥଳେ ଆକିବ୍‌ଙ୍କ ପିତା ତାଙ୍କୁ ପ୍ରଶିକ୍ଷଣ ପାଇଁ ଶ୍ରୀନଗର କିମ୍ବା ଜମ୍ମୁକୁ ନେଇକି ଯାଉଥିଲେ । ଅବଶ୍ୟ ଏ ସମସ୍ୟା କେବଳ ଆକିବ୍‌ଙ୍କ ଯାଏଁ ସୀମିତ ନ ଥିଲା, ଟିମ୍‌ର ଅନେକ ଖେଳାଳି ଏହି ସମସ୍ୟା ଦେଇ ଗତି କରିଛନ୍ତି ।

ଉତ୍ତମ କୋଚିଂ ଓ ବାତାବରଣ ମିଳିବା ପରେ ସେ ଆଉ ପଛକୁ ଚାହିଁ ନ ଥିଲେ । ତାଙ୍କ ପ୍ରତିଭାଦୀପ୍ତ କ୍ୟାରିଅର୍ ଆଗକୁ ବଢ଼ିଥିଲା । ୨୦୧୬ରେ ଜମ୍ମୁ-କଶ୍ମୀରର ୧୯ ବର୍ଷରୁ କମ୍ ଟିମ୍ ପାଇଁ ତାଙ୍କୁ ଚୟନ କରାଯାଇଥିଲା ।

Advertisment

ଏହାପରେ ସେ ୨୦୧୮ରେ ବିଜୟ ହଜାରେ ଟ୍ରଫି ଜରିଆରେ ଲିଷ୍ଟ-ଏ’ରେ ଡେବ୍ୟୁ କରିଥିବା ବେଳେ ତା’ ପରବର୍ଷ ସୟଦ ମୁସ୍ତାକ୍ ଅଲୀ ଟ୍ରଫି ଜରିଆରେ ଘରୋଇ ଟି-୨୦ କ୍ରିକେଟ୍ ଖେଳିଥିଲେ ।
୨୦୨୦ରେ ଆକିବ୍ ପ୍ରଥମ ଥର ନିଜ ରାଜ୍ୟ ଟିମ୍ ପକ୍ଷରୁ ରଣଜୀ ଟ୍ରଫିରେ ସୁଯୋଗ ପାଇଥିଲେ । ୨୦୨୪-୨୫ ରଣଜୀ ସିଜନ୍‌ରେ ତାଙ୍କୁ ୪୪ ୱିକେଟ୍ ମିଳିଥିଲା ଆଉ ୨୦୨୫-୨୬ ସିଜନ୍‌ରେ ଏହା ୬୦ରେ ପହଞ୍ଚିଛି ।

ସେ ପ୍ରଥମ-ଶ୍ରେଣୀ କ୍ରିକେଟ୍‌ରେ ଏ ଯାବତ ୪୧ ମ୍ୟାଚ୍‌ର ୬୭ ଇନିଂସ୍‌ରେ ୧୮.୪ ଆଭରେଜ୍‌ରେ ୧୫୬ ୱିକେଟ୍ ନେଇଛନ୍ତି । ଏହାଛଡ଼ା, ତାଙ୍କ ନାମରେ ଲିଷ୍ଟ-ଏ’ରେ ୫୬ (୩୬ ମ୍ୟାଚ୍‌ରେ) ଓ ଟି-୨୦ରେ ୪୩ (୩୪ ମ୍ୟାଚ୍‌ରେ) ୱିକେଟ୍ ରହିଛି ।
‘ବାରାମୂଲା ଏକ୍ସପ୍ରେସ୍‌’ ନାମରେ ଖ୍ୟାତ ଆକିବ୍‌ଙ୍କୁ ଆଇପିଏଲ୍ ୨୦୨୬ ପାଇଁ ହୋଇଥିବା ନିଲାମଡାକରେ ଦିଲ୍ଲୀ କ୍ୟାପିଟାଲ୍ସ ୮.୪ କୋଟି ଟଙ୍କାରେ କିଣିଛି ଅଥଚ ତାଙ୍କ ବେସ୍‌ପ୍ରାଇସ୍ ମାତ୍ର ୩୦ ଲକ୍ଷ ଟଙ୍କା ଥିଲା ।

ରଣଜୀରେ ଟିମ୍‌ର ‘ଟ୍ରମ୍ପ୍ କାର୍ଡ’

ରଣଜୀ ସିଜନ୍ ୨୦୨୫-୨୬ରେ ଆକିବ୍ ଜମ୍ମୁ-କଶ୍ମୀରର ‘ଟ୍ରମ୍ପ୍ କାର୍ଡ’ ସାବ୍ୟସ୍ତ ହୋଇଛନ୍ତି । ସେ ୧୦ ମ୍ୟାଚ୍‌ର ୧୭ ଇନିଂସ୍‌ରେ ୬୦ ୱିକେଟ୍ ନେଇଛନ୍ତି, ଯେଉଁଥିରେ ତାଙ୍କ ଆଭରେଜ୍ ରହିଛି ୧୨.୫୬ । ରଣଜୀ ଟ୍ରଫିର ଗୋଟିଏ ସିଜନ୍‌ରେ ସର୍ବାଧିକ ୱିକେଟ୍ ହାସଲକାରୀଙ୍କ ତାଲିକାରେ ସେ ସପ୍ତମ ଓ ପେସର୍‌ଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ଏହାଛଡ଼ା ସେ ୨୪୫ ରନ୍ ସଂଗ୍ରହ କରିଛନ୍ତି ।

ସେ କ୍ରମାଗତ ଦୁଇ ରଣଜୀ ସିଜନ୍‌ରେ ମୋଟ୍ ୧୦୪ ୱିକେଟ୍ ନେଇଛନ୍ତି । କ୍ରମାଗତ ଦୁଇ ସିଜନ୍‌ରେ କେବଳ ଚାରିଜଣ ବୋଲର୍ - ଆଶୁତୋଷ ଅମନ, କନ୍‌ୱଲ୍‌ଜିତ୍ ସିଂହ, ଶାହବାଜ ନଦୀମ ଓ ଜୟଦେବ ଉନାଦକଟ ତାଙ୍କ ଠାରୁ ଅଧିକ ୱିକେଟ୍ ନେଇଛନ୍ତି ।

ଆକିବ୍ ବ୍ୟାଟିଂରେ ମଜଭୁତ ଟିମ୍‌ଗୁଡ଼ିକୁ ନିଜ ବୋଲିଂରେ ଧରାଶାୟୀ କରିଥିଲେ । ସେ ପୂରା ଟୁର୍ଣ୍ଣାମେଣ୍ଟରେ ସାତ ଥର ପାଞ୍ଚ ବା ଏହାଠାରୁ ଅଧିକ ୱିକେଟ୍ ହାସଲ କରିଛନ୍ତି । ଜମ୍ମୁ-କଶ୍ମୀରକୁ ୬୫ ବର୍ଷ ମଧ୍ୟରେ ପ୍ରଥମ ଥର ଦିଲ୍ଲୀ ବିପକ୍ଷରେ ରଣଜୀ ମ୍ୟାଚ୍ ଜିତାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେହି ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ତାଙ୍କୁ ୫ ୱିକେଟ୍ ମିଳିଥିଲା ।

ରାଜସ୍ଥାନ ବିପକ୍ଷ ଅନ୍ୟ ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍‌ରେ ସେ ୧୦ ୱିକେଟ୍ ନେବା ସହ ୫୫ ରନ୍ ସଂଗ୍ରହ କରିଥିଲେ । ଜମ୍ମୁ-କଶ୍ମୀର ସେଥିରେ ଇନିଂସ୍ ବିଜୟ ହାସଲ କରିଥିବା ବେଳେ ଆକିବ୍ ତାଙ୍କ କ୍ୟାରିଅର୍‌ର ସର୍ବଶ୍ରେଷ୍ଠ ବୋଲିଂ (୨୪/୭) ପ୍ରଦର୍ଶନ କରିଥିଲେ ।

ମଧ୍ୟପ୍ରଦେଶ ବିପକ୍ଷ କ୍ୱାର୍ଟର୍‌-ଫାଇନାଲ୍‌ରେ ମଧ୍ୟ ସେ ଗୋଟିଏ ଇନିଂସ୍‌ରେ ୭ ୱିକେଟ୍ ହାସଲ କରିଥିଲେ । ସେହି ମ୍ୟାଚ୍‌ରେ ତାଙ୍କୁ ୧୨ ୱିକେଟ୍ ମିଳିଥିଲା । ବଙ୍ଗଳା ବିପକ୍ଷ ସେମିଫାଇନାଲ୍‌ରେ ସେ ୯ ୱିକେଟ୍ ନେଇଥିଲେ । ଉଭୟ କ୍ୱାର୍ଟର୍‌-ଫାଇନାଲ୍ ଓ ସେମିଫାଇନାଲ୍‌ରେ ତାଙ୍କୁ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍‌’ ବିବେଚନା କରାଯାଇଥିଲା । ୨୦୨୫-୨୬ ସିଜନ୍‌ରେ ସେ ସମସ୍ତ ଘରୋଇ ଟୁର୍ଣ୍ଣାମେଣ୍ଟ (ପ୍ରଥମ-ଶ୍ରେଣୀ, ଲିଷ୍ଟ-ଏ ଓ ଟି-୨୦)ରେ ମୋଟ୍ ୯୫ ୱିକେଟ୍ ହାସଲ କରିଛନ୍ତି ।

ବୋଲିଂରେ କ’ଣ ରହିଛି ବିଶେଷତ୍ୱ

ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଦାୟିତ୍ୱ ତୁଲାଇଥିବା ଜମ୍ମୁ-କଶ୍ମୀରର ବୋଲିଂ କୋଚ୍ ପି. କୃଷ୍ଣକୁମାରଙ୍କ ମତରେ ବାୟୋମେକାନିକାଲ୍ ଦୃଷ୍ଟିରୁ ଆକିବ୍‌ଙ୍କ ବୋଲିଂ ଶୈଳୀ ପର୍‌ଫେକ୍ଟ । ଏହାଦ୍ୱାରା ସେ ପ୍ରତି ଥର ବଲ୍‌କୁ ଗୋଟିଏ ସ୍ଥାନରୁ ଗୋଟିଏ ସମୟରେ ରିଲିଜ୍ କରିପାରନ୍ତି ଏବଂ ଠିକ୍ ଶୈଳୀକୁ ଦୋହରାଇଥା’ନ୍ତି । ତାଙ୍କ ସ୍ୱିଙ୍ଗ୍ ଓ ସିମ୍ ବିପକ୍ଷରେ ରନ୍ କରିବା କଷ୍ଟକର ।

ଆକିବ୍‌ଙ୍କ ବୋଲିଂରେ ବହୁତ ପରିପକ୍ୱତା ଆସିଲାଣି । ତାଙ୍କ ଲେନ୍ଥରେ ଉନ୍ନତି ଦେଖିବାକୁ ମିଳିଲାଣି । ରଣଜୀ ଟ୍ରଫିରେ ସେ ପ୍ରଥମ ବର୍ଷ ୧,୦୦୦ ବଲ୍ ପକାଇ ନିଜ ମଣିବନ୍ଧର ପୋଜିସନ୍ ଓ ବ୍ୟାକ୍‌ସ୍ପିନ୍‌କୁ ସୁଧାରିଥିଲେ । ନୂଆ ବଲ୍‌ରେ ସେ ଭଲ ନିୟନ୍ତ୍ରଣ ରଖିପାରୁଛନ୍ତି ।

ତାଙ୍କ ବୋଲିଂର ଆଉ ଏକ ବିଶେଷତ୍ୱ ହେଉଛି ଯେ ସେ ଅଭିଜ୍ଞ ପେସର୍ ମହମ୍ମଦ ଶାମୀଙ୍କ ଭଳି ଅତିରିକ୍ତ ପ୍ରୟାସ ବିନା ବଲ୍‌କୁ ଆଉଟ୍‌ସ୍ୱିଙ୍ଗ୍ ଓ ଇନ୍‌ସ୍ୱିଙ୍ଗ୍ କରାଇପାରନ୍ତି ।  ବ୍ୟାଟର୍‌ଙ୍କ ପକ୍ଷରେ ବଲ୍‌ରେ ହେବାକୁ ଥିବା ପରିବର୍ତ୍ତନକୁ ବୁଝିବା ପ୍ରକୃତରେ କଷ୍ଟକର ହୋଇଥାଏ ।

ଆଫଗାନିସ୍ତାନ ସିରିଜ୍‌ରେ କରିପାରନ୍ତି ଡେବ୍ୟୁ

ନିକଟରେ ପୂର୍ବତନ ଅଧିନାୟକ ଗାଙ୍ଗୁଲି ବିସିସିଆଇ ଚୟନକାରୀଙ୍କୁ ଇଂଲଣ୍ଡ ଗସ୍ତ ପାଇଁ ଆକିବ୍‌ଙ୍କ ନାମ ବିଚାରକୁ ନେବା ଲାଗି ପ୍ରସ୍ତାବ ଦେଇଛନ୍ତି । ସେହିପରି କାର୍ତ୍ତିକଙ୍କ ବିଚାରରେ ଆରମ୍ଭରୁ ଶେଷ ଯାଏଁ ଆଧିପତ୍ୟ ବଜାୟ ରଖିବା ଓ ପ୍ରାୟ ନିଜ ଦମ୍‌ରେ ଟୁର୍ଣ୍ଣାମେଣ୍ଟ ଜିତାଇବା - ଜାତୀୟ ଟିମ୍‌ରେ ସ୍ଥାନ ପାଇବା ପାଇଁ ସର୍ବାଧିକ ଗୁରୁତ୍ୱ ରଖେ ।

ଯେଉଁ ଇଂଲଣ୍ଡ ଗସ୍ତ କଥା ଗାଙ୍ଗୁଲି କହିଛନ୍ତି, ତାହା ଜୁଲାଇରେ ହେବ । ଏଥିରେ ପାଞ୍ଚ ଟି-୨୦ ଓ ତିନି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ର ସିରିଜ୍ ଖେଳାଯିବ । ଇଂଲଣ୍ଡ ପିଚ୍‌ରେ ସାଧାରଣତଃ ଅଳ୍ପ ଘାସ ଦେଖିବାକୁ ମିଳେ । ଏହା ସହିତ ବାୟୁରେ ଆର୍ଦ୍ରତା ଥିବା ଯୋଗୁଁ ଆକିବ୍‌ଙ୍କୁ ବଲ୍‌କୁ ସ୍ୱିଙ୍ଗ୍ କରାଇବାରେ ସହାୟତା ମିଳିବ । ଅନ୍ତତଃ ଦିନିକିଆ ସିରିଜ୍ ପାଇଁ ତାଙ୍କୁ ଟିମ୍‌ରେ ସୁଯୋଗ ମିଳିପାରେ ।

ତେବେ ଏହି ବିଦେଶ ଗସ୍ତ ପୂର୍ବରୁ ତାଙ୍କୁ ସ୍ୱଦେଶରେ ପରୀକ୍ଷା ଦେବାକୁ ପଡ଼ିପାରେ । ଜୁନ୍‌ରେ ଆଫଗାନିସ୍ତାନ ଟିମ୍ ଭାରତ ଗସ୍ତରେ ଆସି ଗୋଟିଏ ଟେଷ୍ଟ ଓ ତିନି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ର ସିରିଜ୍ ଖେଳିବ । ପ୍ରଥମେ ଟେଷ୍ଟ ଓ ଏହାପରେ ଦିନିକିଆ ସିରିଜ୍ ହେବ । ଉଭୟ ଫର୍ମାଟ୍‌ରେ ତାଙ୍କୁ ଡେବ୍ୟୁ କରିବା ଲାଗି ସୁଯୋଗ ମିଳିପାରେ । ଏଥିରେ ସଫଳ ହେବା ସ୍ଥଳେ ତାଙ୍କୁ ବିଦେଶ ଗସ୍ତ ପାଇଁ ବିଚାରକୁ ନିଆଯାଇପାରେ ।

ଅଭିଜ୍ଞ ପେସର୍ ଶାମୀଙ୍କୁ ଭଲ ପ୍ରଦର୍ଶନ ସତ୍ତ୍ୱେ କୌଣସି ଫର୍ମାଟ୍ ପାଇଁ ଟିମ୍‌ରେ ନିଆଯାଉ ନାହିଁ । ଯଦି ଶାମୀ ଫେରିବେ, ତା’ହେଲେ ଆକିବ୍‌ଙ୍କ ପାଇଁ ଏବେ ଟେଷ୍ଟ କି ଦିନିକିଆ ଆନ୍ତର୍ଜାତିକରେ ଡେବ୍ୟୁ କରିବା ଟିକେ କଷ୍ଟକର ହୋଇଯିବ । ଏହାଛଡ଼ା ହର୍ଷିତ ରାଣା ବି ରହିଛନ୍ତି, ଯାହାଙ୍କୁ ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ପରେ ତୃତୀୟ ପେସର୍ ଭାବେ ସୁଯୋଗ ଦିଆଯାଉଛି ।  

ଟେଷ୍ଟରେ ଭାରତୀୟ ଟିମ୍‌ର ସ୍ଥିତି ସେତେ ଭଲ ନାହିଁ । ଘରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରେ କ୍ଲିନ୍‌ସୁଇପ୍ ହେବା ପରେ ଟିମ୍ ପାଇଁ ଅବଶିଷ୍ଟ ସିରିଜ୍‌ଗୁଡ଼ିକର ଗୁରୁତ୍ୱ ବଢ଼ିଯାଇଛି । ଚୟନକାରୀମାନେ ଏ ଦିଗକୁ ଧ୍ୟାନରେ ରଖି ଅନ୍ତତଃ ରେଡ୍‌-ବଲ୍ ଟିମ୍‌ରେ ଅକିବ୍‌ଙ୍କୁ ସୁଯୋଗ ଦେଇପାରନ୍ତି ।

Cricket
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ