Advertisment

Sports Aspirants Treated Like Luggage: କ୍ରୀଡ଼ା ଭବିଷ୍ୟତଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ହଇଚଇ, ଟ୍ରେନ୍ ଟଏଲଟ୍ ପାଖରେ ବସ୍ତାଭଳି ଉତ୍ତରପ୍ରଦେଶ ଗଲେ

ନ୍ୟାସନାଲ୍ ଖେଳ ପାଇଁ ରାଜ୍ୟ କ୍ରୀଡ଼ା ଭବିଷ୍ୟତଙ୍କ କଦର୍ଯ୍ୟ ଟ୍ରେନ୍ ଯାତ୍ରାକୁ ନେଇ ହଇଚଇ। କନ୍ଫର୍ମ ଟିକେଟ୍ ନମିଳିବାରୁ ଟ୍ରେନ୍ ଟଏଲଟ୍ ପାଖରେ ବସ୍ତାଭଳି ଉତ୍ତରପ୍ରଦେଶ ଗଲେ ଜାତୀୟ କୁସ୍ତି ଚାମ୍ପିଅନ୍ସପି ଖେଳି ପୁଣି ସେଇ ସ୍ଥିତିରେ ଫେରିଲେ ରାଜ୍ୟ ସ୍କୁଲ କୁସ୍ତିଯୋଦ୍ଧା।

author-image
Tapan Swain
Player

Player Photograph: (OTV)

ନ୍ୟାସନାଲ୍ ଖେଳ ପାଇଁ ରାଜ୍ୟ କ୍ରୀଡ଼ା ଭବିଷ୍ୟତଙ୍କ କଦର୍ଯ୍ୟ ଟ୍ରେନ୍ ଯାତ୍ରାକୁ ନେଇ ହଇଚଇ। କନ୍ଫର୍ମ ଟିକେଟ୍ ନମିଳିବାରୁ ଟ୍ରେନ୍ ଟଏଲଟ୍ ପାଖରେ ବସ୍ତାଭଳି ଉତ୍ତରପ୍ରଦେଶ ଗଲେ ଜାତୀୟ କୁସ୍ତି ଚାମ୍ପିଅନ୍ସପି ଖେଳି ପୁଣି ସେଇ ସ୍ଥିତିରେ ଫେରିଲେ ରାଜ୍ୟ ସ୍କୁଲ କୁସ୍ତିଯୋଦ୍ଧା। ସୋସିଆଲ ମିଡିଆରେ ଏ ଦୃଶ୍ୟ ଭାଇରାଲ୍ ପରେ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ମନ୍ତ୍ରୀ କହିଛନ୍ତି କେଉଁ ପରିସ୍ଥିତିରେ ଖେଳାଳିଙ୍କୁ ଏଭଳିଭାବେ ନିଆଗଲା ତାର ତଦନ୍ତ ହେବ।....

Advertisment

କିଏ କୁଙ୍କୁଡ଼ି କାଙ୍କୁଡ଼ି ହୋଇ ଆଣ୍ଠୁରେ ମୁହଁ ଜାକିଛି...କିଏ ସୁଦୁ ତଳଟାରେ ସେଇମିତି ନିଜକୁ ପାରିଦେଇଛି...ଆଉ କିଏ କାନ୍ଥରେ ନହେଲେ ସାଥି ଦେହରେ ଆଉଜେଇ ହୋଇ ପଡ଼ିଛି...ହାଡ଼ଭଙ୍ଗା ଶୀତ, ଟ୍ରେନ୍ ଟଏଲେଟ୍ ମୁହଁ...ସାରା ରାତି...ଆଉ ଏଇମିତି ଏଇ ସ୍ଥିତିରେ ଟ୍ରେନରେ ଯାଉଛନ୍ତି ଆମ ରାଜ୍ୟର କ୍ରୀଡ଼ା ଭବିଷ୍ୟତ। କୁସ୍ତିରେ ସ୍କୁଲ ସ୍ତରରେ ରାଜ୍ୟ ପାଇଁ ସୁନାମ ଅର୍ଜିବାକୁ ଯାଉଥିବା ଉଦୀୟମାନ କିଶୋର କିଶୋରୀ... ବ୍ୟାଗରେ 69ତମ ସ୍କୁଲ ଗେମସର ଷ୍ଟିକର, ପୋଷାକରେ ଓଡ଼ିଶା ସ୍କୁଲର ଟ୍ୟାଗ୍।...ଭାଇରାଲ ହେଉଥିବା ବିଚଳିତ କଲାଭଳି ଏ ଦୃଶ୍ୟକୁ ନେଇ ଏବେ ସାରା ରାଜ୍ୟରେ ହଇଚଇ।

ରାଜ୍ୟ ସ୍କୁଲ କୁସ୍ତିଯୋଦ୍ଧାଙ୍କ ଟ୍ରେନ୍ ଯାତ୍ରା ଦୃଶ୍ୟ ଭାଇରାଲ୍

ହେଲେ କାହିଁକି ଏ ସ୍ଥିତି ? ପୂରା କାହାଣୀଟି ଏମିତି। ମିଳିଥିବା ସୂଚନା ଅନୁସାରେ 69ତମ ଜାତୀୟ କୁସ୍ତି ଚାମ୍ପିଅନସିପରେ ଭାଗ ନେବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ 10 ଜଣ ପୁଅ ଓ 8 ଝିଅଙ୍କୁ ମିଶାଇ 18 ଜଣଙ୍କୁ ଉତ୍ତରପ୍ରଦେଶରେ ବଲିଆକୁ ପଠାଯାଇଥିଲା। ସାଙ୍ଗରେ ଅଫିସିଆଲ ବି ଥିଲେ। ହେଲେ ଏମାନଙ୍କ ପାଇଁ ଯିବା ଆସିବା ଲାଗି ହୋଇଥିବା ଟିକେଟ୍ କନ୍ଫର୍ମ ହୋଇ ନପାରିବାରୁ କୁଆଡ଼େ ଏମିତି ଦୟନୀୟ ଅବସ୍ଥାରେ ଏମିତି ଯାଇଥିଲେ ଆଉ ପ୍ରତିଯୋଗିତାରେ ଭାଗ ନେଇ ଫେରିଥିଲେ ବି। ଆଉ ଭାଇରାଲ୍ ହେଉଥିବା ଏ ଦୃଶ୍ୟ କୁଆଡ଼େ ଫେରିବା ସମୟର।... ଏଭଳି ଅତ୍ୟନ୍ତ ଅସୁରକ୍ଷିତ ଏବଂ ଦୟନୀୟ ସ୍ଥିତିରେ ଟିମ୍ ସହ ଯାଇଥିବା ସମ୍ବଲପୁରର ରେସଲର ବୈଷ୍ଣବୀ ପଟ୍ଟନାୟକ ତିକ୍ତ ଅନୁଭୂତି।...

Advertisment

ଅଭିଯୋଗ ଅନୁଯାୟୀ 18 ଜଣ ପିଲା କୁସ୍ତି ଚାମ୍ପିଅନ୍ସିପକୁ ଯାଇଥିଲେ। ହେଲେ ମାତ୍ର ଦୁଇ ଜଣଙ୍କର ଟିକେଟ୍ କନ୍ଫର୍ମ ଥିଲା। କେବଳ ସେତିକି ନୁହେଁ, ପ୍ରତିଯୋଗିତା ସ୍ଥଳରେ ପହଞ୍ଚିବା ପରେ ବି ସେଠି କୁସ୍ତିଯୋଦ୍ଧାଙ୍କ ପାଇଁ ଉପଯୁକ୍ତ ରହଣିର ବ୍ୟବସ୍ଥା ବି ନଥିବା ଅଭିଯୋଗ ହୋଇଛି। ହେଲେ ଏଠି ପ୍ରଶ୍ନ ଏତେବଡ଼ ଅବହେଳା କଣ ପାଇଁ ଏବଂ କେମିତି ହେଲା ? ସ୍କୁଲସ୍ତରୀୟ ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଥିବା କ୍ରୀଡ଼ାବିତ୍ଙ୍କ ସୁରକ୍ଷିତ ଯାତାୟତର ଦାୟିତ୍ବ କାହାର ? ନିର୍ଦ୍ଧାରିତ ସମୟ ପୂର୍ବରୁ ରେଲୱେ ଟିକେଟ୍ କାହିଁକି ହୋଇପାରିଲାନି? ଏଭଳି ସ୍ଥିତିରେ କେମିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବେ ଖେଳାଳି ?

କେଉଁ ପରିସ୍ଥିତିରେ ଏଭଳି ହେଲା ତଦନ୍ତ ହେବ: ମନ୍ତ୍ରୀ

ଏମିତି ସର୍ବନିମ୍ନ ସୁବିଧା ବିନା ଖେଳାଙ୍କ ଠାରୁ ଆମେ କି ଫଳ ଆଶା କରିବା? ଯଦି ଟିକେଟ୍ କନ୍ଫର୍ମ ନଥିଲା କାହିଁକି ଯିବା ଆସିବା ପାଇଁ ଅନ୍ୟ ବ୍ୟବସ୍ଥା ହେଲା ନାହିଁ ? କ୍ରୀଡ଼ା ଭିତ୍ତିଭୂମି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲା ବେଳେ ଏ ବିିଚିତ୍ର ସ୍ଥିତି କଣ ପାଇଁ? ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ହେବ ବି କାର୍ଯ୍ୟାନୁଷ୍ଠାନ ? ଘଟଣାକୁ ନେଇ ଓଡ଼ିଶା ରାଜ୍ୟ କୁସ୍ତି ସଂଘ ମଧ୍ୟ ଉଦବେଗ ପ୍ରକାଶ କରିବା ସହ ଏଥିପାଇଁ ପୂରା ବ୍ୟବସ୍ଥାକୁ ଦାୟୀ କରିଛି। ତେବେ ପ୍ରତିକ୍ରିୟାରେ ଗଣଶିକ୍ଷା ମନ୍ତ୍ରୀଙ୍କ କହିବା କଥା, ବିଭାଗ ପକ୍ଷରୁ କୁସ୍ତିଯୋଦ୍ଧାଙ୍କ ପାଇଁ ଥାର୍ଡ ଏସିରେ ଟିକେଟ୍ ହୋଇଥିଲା। କିନ୍ତୁ କେଉଁ ପରିସ୍ଥିତିରେ ଖେଳାଳିମାନଙ୍କୁ ଏଭଳି ସ୍ଥିତିରେ ନିଆଗଲା ତାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।...

ସ୍କୁଲ ସ୍ତରର ଜାତୀୟ କୁସ୍ତିଯୋଦ୍ଧାଙ୍କ ପ୍ରତି ଅବହେଳାର ଏ ଭିଡିଓ ରାଜ୍ୟର କ୍ରୀଡ଼ାପ୍ରେମୀଙ୍କୁ ବ୍ୟଥିତ କରିଥିଲା ବେଳେ ଏକ୍ଷେତ୍ରରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ଏବେ ତା ଉପରେ ନଜର।...


ରାଜ୍ୟ ସ୍କୁଲ କୁସ୍ତିଯୋଦ୍ଧାଙ୍କ ଟ୍ରେନ୍ ଯାତ୍ରା ଦୃଶ୍ୟ ଭାଇରାଲ୍
କନଫର୍ମ ଟିକେଟ୍ ନମିଳିବାରୁ ଟଏଲଟ୍ ପାଖରେ ଗଲେ ଖେଳାଳି

Odisha Sportsperson
Advertisment
Related Articles
Advertisment