Retirement Photograph: (OTV)
ଭାରତୀୟ ଟେନିସ ଜଗତର କିମ୍ବଦନ୍ତୀ ରୋହନ ବୋପାନ୍ନା ଆଜି ଅବସର ଘୋଷଣା କରିଛନ୍ତି। ସେ ପ୍ରତିଯୋଗିତା ମୂଳକ ଟେନିସକୁ ଅଲବିଦା କହିଛନ୍ତି। ବୋପାନ୍ନାଙ୍କ ଅବସର ସହ ଦୀର୍ଘ ୨ ଦଶନ୍ଧି ଧରି ଟେନିସ ସହ ଜଡ଼ିତ ତାଙ୍କ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ୨୦ ବର୍ଷ ଧରି ଭାରତ ପାଇଁ ଖେଳି ଆସୁଥିଲେ।
ଶେଷଥର ପାଇଁ ପ୍ୟାରିସ ମାଷ୍ଟର ୧୦୦୦ରେ ବୋପାନ୍ନାଙ୍କୁ ଦେଖିବାକୁ ମିଳିଥିଲା। ଏଠାରେ ସେ ଆଲେକ୍ସଜାଣ୍ଡର ବୁବଲିକଙ୍କୁ ସାଥୀ କରି ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ। କିନ୍ତୁ ରାଉଣ୍ଡ ୩୨ରୁ ହିଁ ଉଭୟଙ୍କୁ ବାହାରର ରାସ୍ତା ଦେଖିବାକୁ ପଡ଼ିଥିଲା। ୫-୭,୬-୨ ଓ ୧୦-୮ରେ ଉଭୟ ଜନ ପୀର୍ସ ଓ ଜେମ୍ସ ଟ୍ରାସୀଙ୍କ ଠାରୁ ହାରି ଯାଇଥିଲେ।
ଭାରତର ଅନ୍ୟତମ ସଫଳ ଟେନିସ ଖେଳାଳି ଭାବେ ବୋପାନ୍ନା ବେଶ ପରିଚିତ। ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସେ ନିଜର ଛାପ ଛାଡ଼ିଛନ୍ତି। ୪୫ ବର୍ଷୀୟ ବୋପାନ୍ନା ୨୦୧୭ରେ ଗାବ୍ରିଲା ଡାବ୍ରୋୱସ୍କିଙ୍କୁ ସାଥୀ କରି ପ୍ରେଞ୍ଚ ଓପନର ମିକ୍ସଡ ଡବଲ୍ସ ଇଭେଣ୍ଟ ଜିତି ପାରିଥିଲେ। ଭାରତ ପାଇଁ ସେ ଡାଭିସ କପ ଓ ଅଲିମ୍ପିକ୍ସରେ ଖେଳିଥିଲେ।
୨୦୨୪ରେ ବୋପାନ୍ନା ପୂରା ବିଶ୍ୱ ପାଇଁ ପ୍ରେରଣାଦାୟୀ ଅଧ୍ୟାୟ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲେ। ୪୩ ବର୍ଷ ବୟସରେ ସେ ଅଷ୍ଟ୍ରେଲିଆ ଓପନର ପୁରୁଷ ଡବଲ୍ସ ଜିତିବା ସହ ବିଶ୍ୱର ୧ନଂ ଟେନିସ ଖେଳାଳି ହୋଇପାରିଥିଲେ। ଏଥିରୁ ଟେନିସ ପ୍ରତି ଥିବା ତାଙ୍କ ସମର୍ପଣ ଓ ନିଷ୍ଠା ଭାବ ଦେଖିବାକୁ ମିଳିଥିଲା।
ଏହାବାଦ ବୋପାନ୍ନା ଅନ୍ୟ ୪ଟି ଗ୍ରାଣ୍ଡସ୍ଲାମରେ ପହଞ୍ଚିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି। ୨୦୨୩ ଆମେରିକା ଓପନର ପୁରୁଷ ଡବ୍ସଲ(ମାଥ୍ୟୁ ଇବଡେନ), ୨୦୧୮ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ(ଟିମେଆ ବାବୋସ), ୨୦୨୩ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଓ ୨୦୧୭ ଫ୍ରେଞ୍ଚ ଓପନର ମିକ୍ସଡ ଡବଲ୍ସ (ଡାବ୍ରୋୱିସ୍କ) ଫାଇନାଲ ବୋପାନ୍ନା ଖେଳିଛନ୍ତି।
୨୦୨୩ ଅଷ୍ଟ୍ରେଲିଆ ଓପନର ମିକ୍ସଡ ଡବଲ୍ସ ଫାଇନାଲରେ ବୋପାନ୍ନାଙ୍କ ସାଥୀ ବନିଥିଲେ ଭାରତର ଅନ୍ୟତମ ଟେନିସ ଖେଳାଳି ସାନିଆ ମିର୍ଜା।
୨୦୧୨ ଓ ୨୦୧୫ ଏଟିପି ଫାଇନାଲ୍ସର ଟାଇଟଲ ଲଢ଼େଇରେ ବୋପାନ୍ନାଙ୍କ ସାଥୀ ଥିଲେ ଯଥାକ୍ରମେ ମହେଶ ଭୂପତି ଓ ଫ୍ଲୋରିନ ଏମ। କର୍ଣ୍ଣାଟକାର କୋରଗରେ ଜନ୍ମ ଗ୍ରହଣ କରିଥିବା ବୋପାନ୍ନା ନିଜର ଦକ୍ଷତା ବଳରେ ବିଶ୍ୱ ଟେନିସ ମଞ୍ଚରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।
ଏକ୍ସରେ ଗୋଟିଏ ବିବୃତି ଜାରି କରି ବୋପାନ୍ନା ନିଜ ୨୦ ବର୍ଷର କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। କିନ୍ତୁ ସେ କହିଛନ୍ତି ଯେ ଗୁଡବାଏ, କିନ୍ତୁ ଏହା ଶେଷ ନୁହେଁ। ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କୁ ଏତେ ବର୍ଷ ଧରି ସମର୍ଥନ କରୁଥିବା ସମସ୍ତ ଲୋକଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/01/retirement-2025-11-01-21-49-37.jpg)