Advertisment

Asia Cup: ନକଭିଙ୍କ ହାତରୁ ଟ୍ରଫି ନେଲାନି ଭାରତ; ବିଜେତା ଟିମର ପଦକ ଓ ଟ୍ରଫି ନେଇଗଲେ ଏସିସି ଅଧ୍ୟକ୍ଷ

ଏସିଆ କପ୍ ୨୦୨୫ ପୁରସ୍କାର ବିତରଣ ଉତ୍ସବରେ ଦେଖିବାକୁ ମିଳିଲା ଅଭାବନୀୟ ଦୃଶ୍ୟ। ଏସିସି ସଭାପତି ମୋହସିନ ନକଭିଙ୍କ ହାତରୁ ଟ୍ରଫି ନେବାକୁ ଟିମ୍ ଇଣ୍ଡିଆ ଅସ୍ୱୀକାର କରିବା ପରେ ନକଭି ତାହା ନେଇଗଲେ।

Asia Cup

Asia Cup Photograph: (OTV)

Advertisment

ଏସିଆ କପ୍ (Asia Cup) ୨୦୨୫ ଚାମ୍ପିଅନ ହୋଇଛି ଭାରତ। ପାକିସ୍ତାନକୁ ଶୋଚନୀୟ ଭାବେ ପରାସ୍ତ କରି ଏହି ଟାଇଟଲ ହାସଲ କରିଛି ଭାରତ। କିନ୍ତୁ ମ୍ୟାଚ୍ ପରେ ଟ୍ରଫି ବିତରଣ ଉତ୍ସବରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଭାରତୀୟ ଟିମ୍ ଏସିଆ କପ୍ ଜିତିବା ପରେ ବି ଟ୍ରଫି ଆଣିବାକୁ ମନା କରି ଦେଇଥିଲେ। ପିସିବି ମୁଖ୍ୟ ମୋହସିନ ନକଭିଙ୍କୁ ବର୍ଜନ କରି ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରି ଦେଇଥିଲେ। ନକଭି ଏସିଆନ୍ କ୍ରିକେଟ୍ କାଉନସିଲ (ଏସିସି) ସଭାପତି ଥିବା ବେଳେ ସେ ପୁରସ୍କାର ବିତରଣ ଉତ୍ସବରେ ଉପସ୍ଥିତ ଥିଲେ। କିନ୍ତୁ ଭାରତୀୟ ଟିମ୍ ପୁରସ୍କାର ଉତ୍ସବକୁ ନ ଆସିବାରୁ ପ୍ରସାରକ ସାଇମନ ଡୌଲ ଘୋଷଣା କରିଥିଲେ ଯେ ଭାରତୀୟ ଦଳ ଏହି ଉତ୍ସବରେ ପୁରସ୍କାର ଗ୍ରହଣ କରିବେ ନାହିଁ।

Advertisment

ସେପ୍ଟେମ୍ବର ୧୪ରେ, ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ପରେ ହ୍ୟାଣ୍ଡସେକ୍ ବିବାଦ ସୃଷ୍ଟି ହୋଇଥିଲା। ପିସିବି ମୁଖ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଦଳ ଉପରେ କ୍ଷୁବ୍ଧ ହୋଇ ଆଇସିସିର ହସ୍ତକ୍ଷେପ ଦାବି କରିଥିଲେ। ଡିଫେଣ୍ଡିଂ ଚାମ୍ପିଅନ ଭାରତୀୟ ଦଳ ନିଷ୍ପତ୍ତି ନେଇଥିଲେ ଯେ ଯଦି ସେମାନେ ସେପ୍ଟେମ୍ବର ୨୮ରେ ଏସିଆ କପ୍ ଜିତନ୍ତି, ତେବେ ନାକଭିଙ୍କ ସହ ପୁରସ୍କାର ବିତରଣ ମଞ୍ଚରେ ରହିବେ ନାହିଁ।
ରବିବାର ଦିନ ଦୁବାଇର ପୂର୍ଣ୍ଣ ଷ୍ଟାଡିୟମରେ ଭାରତ ଶେଷ ଓଭରରେ ରୋମାଞ୍ଚକର ମ୍ୟାଚରେ ୧୪୭ ରନର ଲକ୍ଷ୍ୟ ହାସଲ କରି ପାକିସ୍ତାନକୁ ହରାଇଥିଲା। ପାକିସ୍ତାନ ଡ୍ରେସିଂ ରୁମ୍ ନ ଛାଡ଼ିବାରୁ ପ୍ରଥମେ ଭାରତ ଓ ନକଭି ପାକିସ୍ତାନ ଦଳକୁ ଅପେକ୍ଷା କରି ରହିଥିଲେ। ନକଭି ଏହି ବିଳମ୍ବରେ ବିରକ୍ତ ହୋଇ ମଞ୍ଚ ପାଖରେ ଫୋନରେ ଉତ୍ତେଜିତ ଭାବେ କଥା ହେଉଥିବା ଦେଖା ଯାଇଥିଲା।

ପାକିସ୍ତାନ ଅଧିନାୟକ ସଲମାନ ଆଗା, ମୁଖ୍ୟ କୋଚ୍ ମାଇକ୍ ହେସନ ଓ ଟିମ ମ୍ୟାନେଜର ଭାରତୀୟ ଦର୍ଶକଙ୍କ ଜୋରଦାର ହଟ୍ଟଗୋଳ ମଧ୍ୟରେ ବାହାରି ଆସିଥିଲେ। ଅନ୍ୟ ଖେଳାଳିମାନେ ପରେ ଆସିଥିଲେ। ସେମାନେ ମଞ୍ଚରେ ପହଞ୍ଚିବା ମାତ୍ରେ ଭାରତୀୟ ପ୍ରଶଂସକମାନେ “ଭାରତ ମାତା କୀ ଜୟ” ନାରା ଦେଇ ତାଙ୍କୁ ଉପହାସ କରିଥିଲେ।

Advertisment

ପ୍ରାୟ ଘଣ୍ଟାଏ ଧରି ଅପେକ୍ଷା କରି ରହିବା ପରେ ବି ଭାରତୀୟ ଟିମ୍ ଟ୍ରଫି ନେବାକୁ ନ ପହଞ୍ଚିବାରୁ ସାଇମନ ଡୌଲ ପୁରସ୍କାର ବିତରଣ ଉତ୍ସବ ଆରମ୍ଭ କରିଥିଲେ। ଯେଉଁଠାରେ ତିଲକ ବର୍ମା ୫୩ ବଲରେ ଅପରାଜିତ ୬୯ ରନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଗ୍ରହଣ କରିଥିଲେ। କୁଲଦୀପ ଯାଦବ ଓ ଶିବମ ଦୁବେ ମଧ୍ୟ ସେମାନଙ୍କର ମୂଲ୍ୟବାନ ଯୋଗଦାନ ପାଇଁ ପୁରସ୍କାର ଗ୍ରହଣ କରିଥିଲେ। କୁଲଦୀପ ପାକିସ୍ତାନର ୧୯.୧ ଓଭରରେ ୧୪୬ ରନରେ ଅଲଆଉଟ ହେବାରେ ୪ ଓ୍ଵିକେଟ ନେଇଥିଲେ, ଆଉ ଦୁବେ ୨୧ ବଲରେ ୩୩ ରନ ହାସଲ କରିଥିଲେ।

ଡୌଲ ତା’ପରେ ସମଗ୍ର ପାକିସ୍ତାନ ଦଳକୁ ରନର୍ସ-ଅପ୍ ମେଡାଲ ଗ୍ରହଣ ପାଇଁ ଆମନ୍ତ୍ରଣ କରିଥିଲେ। ଭାରତୀୟ ଓପନର ଅଭିଷେକ ଶର୍ମା ତାଙ୍କର ଚମତ୍କାର ଏସିଆ କପ୍ ୨୦୨୫ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ଗ୍ରହଣ କରିଥିଲେ।

Advertisment

ମାତ୍ର ଯେତେବେଳେ ପ୍ରଶଂସକ ଓ ଦର୍ଶକମାନେ ଭାରତୀୟ ଦଳକୁ ଅପେକ୍ଷା କରୁଥିଲେ, ଡୌଲ ହଠାତ୍ ଉତ୍ସବକୁ ସମାପ୍ତ କରି ଘୋଷଣା କରିଥିଲେ ଯେ, “ମୋତେ ଏସିଆନ୍ କ୍ରିକେଟ୍ କାଉନସିଲ ଜଣାଇଛନ୍ତି ଯେ ଭାରତୀୟ କ୍ରିକେଟ ଦଳ ସେମାନଙ୍କ ପୁରସ୍କାର ଗ୍ରହଣ କରିବେ ନାହିଁ।”
ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଭାରତୀୟ ଟିମ୍ ମ୍ୟାନେଜମେଣ୍ଟ ଟିମ୍ ପୂର୍ବରୁ କିଏ ବିଜେତା ଟ୍ରଫି ପ୍ରଦାନ କରିବ ବୋଲି ଏସିସିକୁ ପଚାରିଥିଲେ। ସେତେବେଳେ ଏସିସି ବୁଝି ସାରିଥିଲା ଯେ, ନକଭିଙ୍କଠାରୁ ଭାରତୀୟ ଟିମ୍ ଟ୍ରଫି ଗ୍ରହଣ କରିବ ନାହିଁ। ତେଣୁ ନକଭି ମଞ୍ଚରେ ପହଞ୍ଚିବା ପରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ ଯଦି ସେ ଟ୍ରଫି ପ୍ରଦାନ କରିବାକୁ ଚେଷ୍ଟା କରନ୍ତି, ତେବେ ଭାରତୀୟ ଖେଳାଳିମାନେ ତାହା ଗ୍ରହଣ କରିବେ ନାହିଁ ଏବଂ ଏକ ଆନୁଷ୍ଠାନିକ ବିରୋଧ ହେବ। କିନ୍ତୁ ନାକଭି ଟ୍ରଫି ଧରି ଭାରତୀୟ ଟିମର ଅପେକ୍ଷା କରୁଥିଲେ। ଯେତେବେଳେ ଭାରତୀୟ ଟିମ୍ ଟ୍ରଫି ନେବାକୁ ନ ପହଞ୍ଚିଥିଲା, ନକଭି ଚୁପଚାପ ଟ୍ରଫିଟିକୁ ନେଇ ଡ୍ରେସିଂ ରୁମକୁ ଚାଲି ଯାଇଥିଲେ।

ସୂଚନା ଯୋଗ୍ୟ, ଏସୀୟ କ୍ରିକେଟ୍ ପରିଷଦ (ଏସିସି)ର ସଭାପତି ମୋହସିନ ନକଭି ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସଭାପତି ଅଛନ୍ତି। ଏବେ ପାକିସ୍ତାନର ଗୃହମନ୍ତ୍ରୀ ହେଉଛନ୍ତି ମୋହସିନ ନକଭି। ସେ ଅପରେସନ ସିନ୍ଦୂର ସମୟରେ ଭାରତକୁ ପରମାଣୁ ଧମକ ଦେଇଥିଲେ। ବିଭିନ୍ନ ସମୟରେ ଭାରତ ବିରୋଧୀ ବୟାନ ଦେଇଥାନ୍ତି। 

ଅଧିକ ଦେଖନ୍ତୁ:

Asia Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ