ଫୁଟାଣି ଛାଡ଼ି ନଇଁଲା ପାକିସ୍ତାନ Photograph: (OTV)
କଲମ୍ବୋକୁ ଫ୍ଲାଇଟ୍ ଦାମ୍ ଲକ୍ଷେ ପାର୍। ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଗଲେ ଖାଲି ବିମାନ ଭଡ଼ାରେ ପଳେଇବ ଲକ୍ଷାଧିକ ଟଙ୍କା। ଭାରତ ସହିତ ଖେଳିବାକୁ ପାକିସ୍ତାନର ହାଇଡ୍ରାମା ସରିବା ପରେ ହଠାତ୍ ଦୁଇଗୁଣା ହୋଇଯାଇଛି ବିମାନ ଭଡ଼ା । କେତେକ ଏୟାରଲାଇନ୍ସରେ ଟିକେଟ୍ ଖାଲି। ହୋଟେଲ ରୁମ୍ ବି ଆକାଶ ଛୁଆଁ । ଏପଟେ ସପ୍ତାହେ ଧରି ନାଟକ କରୁଥିବା ପିସିବି ଶେଷରେ କେଉଁ ଡରରେ ମୁଣ୍ଡ ନୁଆଁଇଲା, ଆସନ୍ତୁ ଜାଣିବା।
ଫୁଟାଣି ଛାଡ଼ି ନଇଁଲା ପାକିସ୍ତାନ। ଦେଖୁଦେଖୁ ଉପରମୁହାଁ ହୋଇଗଲା ଫ୍ଲାଇଟ୍ ଟିକେଟ୍ ଦାମ୍। ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ଅସମ୍ଭବ କ୍ରେଜ୍।
ଦୁଇ ଗୁଣା ବଢ଼ିଲା ମୁମ୍ବାଇ-କଲମ୍ବୋ ଫ୍ଲାଇଟ୍ ଫେୟାର୍।
ଆସନ୍ତା ୧୫ରେ ଭାରତ-ପାକିସ୍ତାନ ଫାଇଟ୍ ଫକ୍କା ହେବା ଖବର ପାଉପାଉ କଲମ୍ବୋ ମୁହାଁ କ୍ରିକେଟ୍ ପ୍ରେମୀ। ହଠାତ ବଢିଗଲା ଫ୍ଲାଇଟ୍ ବୁକିଂ। ଫଳସ୍ବରୂପ କେଇ ମିନିଟ୍ ଭିତରେ ଦୁଇରୁ ଗୁଣା ହୋଇଯାଇଛି ଟିକେଟ୍ ଦାମ୍। ସବୁଠୁ ଦାମୀ ଏୟାରଲାଇନ୍ସ ସାଜିଛି ଏୟାର ଇଣ୍ଡିଆ। ସୂଚନା ମୁତାବକ, ଆସନ୍ତା ଶନି ଓ ରବିବାରରେ ଦିଲ୍ଲୀରୁ କଲମ୍ବୋକୁ ଯିବାଆସିବା ପାଇଁ ଏୟାର ଇଣ୍ଡିଆ ଟିକେଟ୍ ଦାମ୍ ଲକ୍ଷେରୁ ଅଧିକ। ମାତ୍ର ୪ ଘଣ୍ଟାର ଯାତ୍ରା ପାଇଁ ଗଣିବାକୁ ପଡ଼ିବ ଲକ୍ଷାଧିକ ଟଙ୍କା।
ଆସନ୍ତା ଶୁକ୍ରବାର ଏୟାର ଇଣ୍ଡିଆ ନନଷ୍ଟପ ଫ୍ଲାଇଟ୍ ଭଡ଼ା ପ୍ରାୟ ୬୩ ହଜାର ଟଙ୍କା ଥିବାବେଳେ ଶନିବାରକୁ ଏହା ୯୦ ହଜାରରୁ ଲକ୍ଷେ ୯ ହଜାର ଓ ରବିବାର ଭଡ଼ା ବି ଲକ୍ଷେ ଉପରେ। ସେହିଭଳି ଶ୍ରୀଲଙ୍କା ଏୟାରଲାଇନ୍ସ ଶୁକ୍ରବାର ପାଇଁ ଟିକେଟ୍ ଦାମ୍ ପ୍ରାୟ ୪୦ ହଜାର ରଖିଥିବାବେଳେ, ଶନିବାର ଅର୍ଥାତ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ପୂର୍ବଦିନ ଦାମ୍ ବଢିଛି ସିଧା ଲକ୍ଷେ ୪୫ ହଜାରକୁ । ଅନ୍ୟପଟେ ୧୩ ତାରିଖ ଦିନ ୨ଟା ପରେ ଇଣ୍ଡିଗୋ ଫ୍ଲାଇଟ୍ ଟିକେଟ୍ ସମ୍ପୂର୍ଣ୍ଣ ବିକ୍ରି ହୋଇସାରିଛି ।
ତେବେ ସାଧାରଣ ଦିନରେ ମୁମ୍ବାଇରୁ କୋଲମ୍ବୋ ଉଭୟ ଯିବାଆସିବା ପାଇଁ ଏୟାର ଇଣ୍ଡିଆ ଫ୍ଲାଇଟ୍ ଟିକେଟ ଦାମ୍ ପ୍ରାୟ ୪୦ରୁ ୫୦ ହଜାର ଟଙ୍କା ରହିଥାଏ । ସପ୍ତାହେ ଧରି ନାଟକ ରଚିବା ପରେ ପାକିସ୍ତାନ ମ୍ୟାଚ୍ ଖେଳିବାକୁ ରାଜି ହେବାରୁ ଉତ୍କଣ୍ଠିତ ହୋଇପଡ଼ିଛନ୍ତି କ୍ରିକେଟ୍ ପ୍ରେମୀ। କଲମ୍ବୋ ଡିମାଣ୍ଡ ବଢିବାରୁ ବିମାନଭଡ଼ା ଆକାଶ ଛୁଆଁ ହୋଇଛି। ହୋଟେଲ ରୁମ୍ ରେଣ୍ଟ୍ ମଧ୍ୟ ପୂର୍ବାପେକ୍ଷା ଅହେତୁକ ବଢିଥିବା ସୂଚନା ମିଳିଛି ।
ଏପଟେ ପାକିସ୍ତାନର ତୁଚ୍ଛା ଡ୍ରାମାକୁ ନେଇ କ୍ରିକେଟ ଦୁନିଆରେ ଚର୍ଚ୍ଚା। ବାଂଲାଦେଶକୁ ବାହାନା କରି ବହପ ଦେଖାଉଥିବା ପାକିସ୍ତାନ, ଆଇସିସିି ଛାଟ ବାଜିବା ପରେ ପୂରା ସାବାଡ଼ ହୋଇଯାଇଛି। ଭାରତ ବିପକ୍ଷରେ ଖେଳିବାକୁ ପିସିବି ରଖିଥିବା ତିନିଟି ଯାକ ସର୍ତ୍ତକୁ ଅଗ୍ରାହ୍ୟ କରିଦେଇଛି ଆଇସିସି। ସବୁଆଡ଼ୁ ନିରାଶ ହେଲାପରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛି ପାକିସ୍ତାନ। କାରଣ ଜିଦରେ ଅଟଳ ରହିଥିଲେ, ବଡ଼ ଆର୍ଥିକ କ୍ଷତି ସହିତ କଡ଼ା କଟକଣା ଲଗାଇଥାନ୍ତା ଆଇସିସି।
ବିପୁଳ ପରିମାଣର ଆର୍ଥିକ ଜୋରିମାନା, ବାସନ୍ଦର ସମ୍ମୁଖୀନ ହେବାର ଡର ଘାରିଥିଲା ପାକିସ୍ତାନକୁ। ଟି-ଟ୍ବେଣ୍ଟି ବିଶ୍ବକପରୁ ବହିଷ୍କାର ଆଶଙ୍କା ମଧ୍ୟ ରହିଥିଲା। ଅନ୍ୟପଟେ ପ୍ରସାରଣ ଅଧିକାରରୁ ବଞ୍ଚିତ ହେବା ଓ ପାଖାପାଖି ୨୫୦ କୋଟି ଟଙ୍କାର ରାଜସ୍ବ ହରାଇବାର ଭୟ ଥିଲା। ହୁଏତ ଭବିଷ୍ୟତରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାର ଅଧିକାର ହରାଇଥାନ୍ତା ପାକ୍ ।
ଆଇନଗତ ସମସ୍ୟା, ଅନ୍ତର୍ଜାତୀୟ ସ୍ତରରେ ବିଶ୍ବସନୀୟତା ହରାଇବା ଭୟ ଓ ବିଭିନ୍ନ ଦେଶର କ୍ରିକେଟ ବୋର୍ଡ ଏବଂ ଅନ୍ୟ ଅଂଶୀଦାରଙ୍କ ଦ୍ବାରା ଚାପର ବଶବର୍ତ୍ତୀ ହେବା ଆଶଙ୍କାରେ ଶେଷରେ ବୟକଟ୍ ଡ୍ରାମାରୁ ଓହରିବାକୁ ବାଧ୍ୟ ହୋଇଛି ପାକିସ୍ତାନ ।
ବିଶ୍ବକପର ବାଦବିବାଦ ଭିତରେ ଏବେ ସମସ୍ତଙ୍କ ଅପେକ୍ଷା ଆସନ୍ତା ରବିବାରକୁ । ସୁପର୍ ସନଡେ ସୁପର୍ ମୁକାବିଲା ସହିତ ଭାରତର ଆଉ ଏକ ଐତିହାସିକ ବିଜୟ ଆଶାରେ ଦେଶବାସୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/10/india-pakistan-match-craze-spikes-2026-02-10-20-24-18.jpg)