JAGAR-NIGHT Photograph: (OTV)
ଶିବମୟ ସଂସାର, ଚଉଦିଗେ ଶୁଭୁଛି ଓମ୍ ନମ ଶିବାୟ। ପଞ୍ଚାକ୍ଷରୀ ମନ୍ତ୍ରରେ କମ୍ପି ଉଠୁଛି ଗଗନ ପବନ। ତା ଭିତରେ ଶକ୍ତି-ଭକ୍ତିର ଅପୂର୍ବ ମିଳନ। ଇଏ ପ୍ରସିଦ୍ଧ ଏକାମ୍ରପତି ବାବା ଲିଙ୍ଗରାଜଙ୍କ ମନ୍ଦିର। ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ମଧ୍ୟ ଶିବ ଶକ୍ତିରେ ହଜିଯାଇଛନ୍ତି ସମସ୍ତେ। ମହାଦେବ ଡାକରେ ଉଚ୍ଛୁଳି ଉଠୁଛି ମନ୍ଦିର ପ୍ରାଙ୍ଗଣ। ଦୀପଟିଏ ଜାଳି ମନସ୍କାମନା ଜଣାଉଛନ୍ତି ମହାଦେବଙ୍କୁ।
ହଜାର ହଜାର ବ୍ରତଧାରୀ ଉପବାସରେ ଜାଗର ଦୀପ ଜାଳି ଅପେକ୍ଷା କରିଛନ୍ତି ମହାଦୀପକୁ। ନୀତି ଅନୁଯାୟୀ ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ପରେ ୧୧ଟା ପର୍ଯ୍ୟନ୍ତ ସାହାଣମେଲା ଓ ଭୋର ୪ଟାରୁ ୫ଟା ମଧ୍ୟରେ ହରିହର ଭେଟ କରାଯାଇ ୫ଟାରେ ବଡ଼ସିଂହାର ବେଶ ହେବାନେଇ ନିର୍ଦ୍ଧାରିତ ହୋଇଛି।
ଶିବ ହିଁ ସୃଷ୍ଟି...ଶିବ ହିଁ ପ୍ରଳୟ। ସେ ଯେତିକି ବ୍ୟାପ୍ତ, ଭିନ୍ନ ଭିନ୍ନ ପୀଠରେ ତାଙ୍କ ନୀତିକାନ୍ତି ବି ସେତିକି ଭିନ୍ନ । ଏଇ ଯେମିତି ଭଦ୍ରକର ପ୍ରସିଦ୍ଧ ଆଖଣ୍ଡଳମଣିଙ୍କ ପୀଠ। ବିଶ୍ବାସ ରହିଛି, ସାପ ଯେତେ ବିଷଧର ହେଉନା କାହିଁକି, ବିଷ କାଟିଦିଏ ବାବାଙ୍କ କୁଣ୍ଡ ପାଦୁକା। ଯେତେବଡ଼ ରୋଗ ହେଉ ପଛେ, ବାବାଙ୍କ ପାଦୁକା ଅମୃତ ସମାନ ।
ଯେଉଁଠି ବିଜ୍ଞାନ ଫେଲ୍ ହୋଇଯାଏ, ସେଇଠି ଭରସା ସାଜେ କୁଣ୍ଡ ପାଦୁକା । ବାବଙ୍କର ଏହି ପାଦୁକା ଟିକେ ପାଇବାକୁ ପ୍ରତିବର୍ଷ ଜାଗରରେ କାହିଁ କେତେ ଦୂରରୁ ଛୁଟିଆସନ୍ତୁ ଶ୍ରଦ୍ଧାଳୁ । ସେବାୟତ ମାନେ ଏହାକୁ ପିଇ ବାବାଙ୍କ ସେବାରେ ଲାଗିଥାନ୍ତି। ଅନ୍ୟପଟେ ରାତି ପାହିବା ବେଳକୁ ମହାଦୀପ ଉଠିବା ଏଠାକାର ଆଉ ଏକ ସ୍ବତନ୍ତ୍ରତା ।
ଏପଟେ ପୁରୀରେ ଶ୍ରୀଲୋକନାଥଙ୍କୁ ଲାଗି ହୋଇଛି ନୈବେଦ୍ୟ ରହଣି ଖଜା, ଜଗନ୍ନାଥ ବଲ୍ଲଭ ଓ ନୁଣୁ ଖୁରୁମା ଭୋଗ ।
ଶ୍ରୀଲୋକନାଥଙ୍କର ପ୍ରିୟ ଚୁଡାଘଷା, କଦଳୀ ଭୋଗ ବି ଲଗାଇଛନ୍ତି ଶ୍ରଦ୍ଧାଳୁ । ସେପଟେ ଓଡ଼ିଶାର ପ୍ରାଚୀନ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଧବଳେଶ୍ବର ପୀଠରେ ଶିବରାତ୍ରୀରେ ବିଶେଷଭାବେ ଲାଗିହେଉଛି ମାଣ୍ଡୁଅ ଭୋଗ । ଭୋଗଲାଗି ପରେ ଅନ୍ୟାନ୍ୟ ପୂଜାର୍ଚ୍ଚନା କରାଯାଇ ମହାଦୀପ ଉଠିବାର ପରମ୍ପରା ରହିଛି । ଏହାଛଡ଼ା କେତକୀ ଫୁଲରେ ବାବାଙ୍କର ଅପୂର୍ବ ବେଶ ଦର୍ଶନ କରି କୋଟି ପୁଣ୍ୟ ଲଭିଥାନ୍ତି ଭକ୍ତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/jagar-night-2026-02-15-19-55-20.jpg)