କାହିଁକି ହୁଏ ମହାପ୍ରଭୁଙ୍କ ପଦ୍ମବେଶ Photograph: (OTV)
ତାଙ୍କର ମୁଖ ପଦ୍ମ-ମୁଖ, ତାଙ୍କ ନେତ୍ର ପଦ୍ମଲୋଚନ, ତାଙ୍କ ନାଭି ପଦ୍ମରୁ ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ସୃଷ୍ଟି, ସେ ପଦ୍ମନାଭ, ତାଙ୍କ ଘରଣୀ ପଦ୍ମମୁଖୀ ପଦ୍ମାଳୟା। ସେ ଆମର ପଦ୍ମ ପ୍ରିୟ ଜଗା କାଳିଆ। ପଦ୍ମଫୁଲ ତାଙ୍କର ଅତି ପ୍ରିୟ। ଯୁଗେ ଯୁଗେ ତାଙ୍କ ରୂପ ଲାବଣ୍ୟର, ତାଙ୍କ ବିଭିନ୍ନ ଅଙ୍ଗର ଉପମା ଦେବାବେଳେ ମନେ ପଡ଼ିଛି ପଦ୍ମଫୁଲ କଥା। ତାଙ୍କରି ପୂଜା ଉପାସନା ବେଳେ ଲୋଡା ହେଇଛି ପଦ୍ମଫୁଲ। ପଦ୍ମଫୁଲ ଯେ ଫୁଲମାନଙ୍କ ମଧ୍ୟରେ ଶ୍ରେଷ୍ଠ। ପଦ୍ମଫୁଲ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥ (Lord Jagannath) ଙ୍କ ସମ୍ପର୍କ ଖୁବ ନିବିଡ଼। ଆଉ ସେଇଥି ପାଇଁ ପ୍ରଭୁ ବର୍ଷକୁ ଥରେ ନିଜେ ପଦ୍ମମୁଖ ବେଶରେ ଦର୍ଶନ ଦିଅନ୍ତି ତାଙ୍କ ଶ୍ରଦ୍ଧାଳୁମାନଙ୍କୁ।
ପଦ୍ମମୁଖ ବେଶ
ମାଘମାସ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ମଧ୍ୟରେ ଶନିବାର ବା ବୁଧବାରରେ ଶ୍ରୀଜୀଉଙ୍କର ପଦ୍ମବେଶ ହୋଇଥାଏ। ଏହାର ଅନ୍ୟ ନାମ ପଦ୍ମମୁଖ ବେଶ। ମହାପ୍ରଭୁ କଳା କିମ୍ବା ନୀଳ ଘୋଡ଼ରେ ଥାଇ ଏହି ବେଶ ହୁଅନ୍ତି। ସେଦିନ ରାତିରେ ଠାକୁରଙ୍କର ନିତ୍ୟ ବଡ଼ସିଂହାର ବେଶ ହୁଏ ନାହିଁ, ମହାପ୍ରଭୁଙ୍କର ଏହି ବେଶ ଥାଇ ରାତ୍ର ପହୁଡ଼ ହୁଏ। ତହିଁ ପରଦିନ ସକାଳେ ମଧ୍ୟ ଏହି ବେଶ ଦର୍ଶନର ସୁଯୋଗ ଭକ୍ତଙ୍କୁ ମିଳିଥାଏ। ଭକ୍ତ ମନୋହର ଦାସ ଶ୍ରୀଜଗନ୍ନାଥଙ୍କୁ ପଦ୍ମଫୁଲ ପ୍ରଦାନର ସ୍ମୃତିରେ ଏହି ବେଶ ଅନୁଷ୍ଠିତ ହୋଇଥିବାର ଜନଶ୍ରୁତି ରହିଛି। ସପ୍ତଦଶ ଶତାବ୍ଦୀରେ ବଡ଼ ଛତା ମଠର ସନ୍ଥ ରଘୁବର ଦାସ ଏହାକୁ ନିୟମିତଭାବେ ପ୍ରବର୍ତ୍ତନ କରିଥିଲେ ବୋଲି ଗବେଷକମାନେ ମତ ଦିଅନ୍ତି।
ପଦ୍ମବେଶ ସମ୍ପର୍କିତ କିମ୍ବଦନ୍ତୀ
ଉତ୍ତର ଭାରତର ଋଷିକୂଲ୍ୟା ତଟଦେଶରୁ ମନୋହର ଦାସ ନାମକ ଜଣେ ସାଧୁ ଶ୍ରୀକ୍ଷେତ୍ରକୁ ଚାଲି ଚାଲି ଆସୁଥିଲେ। ରାସ୍ତାରେ ସେ ଗୋଟିଏ ପଦ୍ମପୋଖରୀ ଦେଖିଲେ। ସେଠାରୁ ସେ ଜଗନ୍ନାଥଙ୍କ ପାଇଁ ଅନେକଗୁଡ଼ିଏ ପଦ୍ମଫୁଲ ତୋଳି ଆଣିଲେ। ପଦ୍ମଫୁଲ ଗୁଡ଼ିକୁ ଧରି ସେ ମାଘ ମାସ ଅମାବାସ୍ୟା ଦିନ ପହଞ୍ଚିଲେ।
ହେଲେ ଶ୍ରୀକ୍ଷେତ୍ରରେ ପହଞ୍ଚିବାକୁ ଡେରି ହେବାରୁ ପଦ୍ମଫୁଲ ସବୁ ମଉଳି ଯାଇଥିଲା। ଏହି ଫୁଲଗୁଡ଼କୁ ସେତେବେଳର ରାଜା ଉଦ୍ୟତକେଶରୀଙ୍କ ମନ୍ତ୍ରୀ ଭବଦେବଙ୍କୁ ପ୍ରଦାନ କରି ତାହା ଜଗନ୍ନାଥଙ୍କୁ ଲାଗି କରାଇବା ପାଇଁ ଅନୁରୋଧ କଲେ। ଶୁଖିଲା ଫୁଲଗୁଡ଼ିଏ ଗୋଟିଏ ଅପରିଷ୍କାର ଗାମୁଛାରେ ବନ୍ଧା ହୋଇଥିବାରୁ ତାହା ଶ୍ରୀଜୀଉଙ୍କ ନିକଟରେ ଲାଗି ହେବନାହିଁ ବୋଲି ମନ୍ତ୍ରୀ କହିଥିଲେ। ସାଧୁ ମନୋହର ଦାସ ଏହା ଶୁଣି କାନ୍ଦି କାନ୍ଦି ମୂର୍ଚ୍ଛିତ ଅବସ୍ଥାରେ ପଡିଗଲେ। ଅନ୍ତର୍ଯ୍ୟାମୀ ଜଗନ୍ନାଥ, ଭକ୍ତର ଅନ୍ତର ବେଦନା ବୁଝି ରାତ୍ରିରେ ମନ୍ତ୍ରୀ ଭବଦେବଙ୍କୁ ସ୍ୱପ୍ନାଦେଶ କଲେ। ସେହି ମଉଳି ଯାଇଥିବା ପଦ୍ମଫୁଲରେ ଶ୍ରୀଅଙ୍ଗ ଶୃଙ୍ଗାର ହେବ ଓ ଠାକୁରଙ୍କ କ୍ଷୀରି ଭୋଗ ମନୋହର ଦାସଙ୍କୁ ଦିଆଯାଉ। ସ୍ୱପ୍ନାଦେଶ ଅନୁସାରେ ଶୁଖିଲା ଫୁଲଗୁଡ଼ିକ ଠାକୁରଙ୍କୁ ଲାଗି କରାଗଲା, କିନ୍ତୁ ଲକ୍ଷ୍ୟ କରାଗଲା ଯେ ଫୁଲଗୁଡିକ ସତେଜ ହୋଇଉଠିଛନ୍ତି। ସାଧୁ ମହାରାଜ ଶ୍ରୀଜଗନ୍ନାଥଙ୍କ କ୍ଷୀରୀ ଖାଇ ନିଜକୁ ଧନ୍ୟ ମନେକଲେ। ସେହିଦିନଠାରୁ ଏହି ସ୍ମୃତିରେ ଠାକୁରମାନଙ୍କୁ ପଦ୍ମଦେଶ କରାଯାଏ।
ବଡ଼ଛତା ମଠର ଭୂମିକା
ଭକ୍ତ ମନୋହର ଦାସଙ୍କ ପାଇଁ ଘଟିଥିବା ସେଦିନର ଚମତ୍କାର ସ୍ମୃତିରେ ଠାକୁରଙ୍କର ପଦ୍ମବେଶ ପରମ୍ପରା। କିନ୍ତୁ ଶୀତ ଋତୁରେ ପଦ୍ମ ସଂଗ୍ରହ ସମ୍ଭବ ନୁହେଁ। ଏକଥାକୁ ଆଖି ଆଗରେ ରଖି ବଡ଼ଛତା ମଠର ତତ୍କାଳୀନ ମହନ୍ତ ରଘୁବର ଦାସ ଆରମ୍ଭ କରନ୍ତି ଏକ ନିଆରା ପରମ୍ପରା। ସୋଲ, କନା, କଇଥ ଅଠା, ରଙ୍ଗରେ ଆରମ୍ଭ ହୁଏ ଠାକୁରଙ୍କର ପଦ୍ମବେଶ। ସେବେଠାରୁ ନିରବଚ୍ଛିନ୍ନ ଭାବେ ଏହି ବେଶ ଅନୁଷ୍ଠିତ ହେଉଛି। ଏହା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଅନନ୍ୟ ବେଶ। ଏହି ଦିନ ତିନିଠାକୁର ତିନୋଟି ଫୁଟନ୍ତା ପଦ୍ମଫୁଲ ହୋଇ ରତ୍ନସିଂହାସନରେ ଛିଡା ହୋଇଥାନ୍ତି। ଏବଂ ଦୁଇ ଯୋଡ଼ା ହଂସ ପଦ୍ମରୁପି ମହାପ୍ରଭୁଙ୍କୁ ଚୁମ୍ବନ ଦେବା ଭଙ୍ଗୀରେ ରହିଥାନ୍ତି।
ପ୍ରଭୁଙ୍କ ଅନ୍ୟ ବେଶ
- ନାନାଦି ଫୁଲର ଆଭରଣରେ ପ୍ରଭୁ ଜଗନ୍ନାଥଙ୍କର ରମଣୀୟ ଓ ଲୋଭନୀୟ ବେଶ ବଡ଼ସିଂହାର ବେଶ ଅନୁଷ୍ଠିତ ହୁଏ।
- ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀରେ ଅନୁଷ୍ଠିତ ହୁଏ କୃଷ୍ଣବଳରାମ ବେଶ।
- ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରତ୍ନସିଂହାସନ ଉପରେ ଶ୍ରୀ ବିଗ୍ରହମାନଙ୍କର ରାଧାଦାମୋଦର ବେଶ ଅନୁଷ୍ଠିତ ହୁଏ।
- ଆଶ୍ୱିନ ମାସ ଶୁକ୍ଳ ଦଶମୀ ଠାରୁ ୨୫ ଦିନ ଜଗନ୍ନାଥ, ବଡ଼ପଣ୍ଡାଙ୍କ ଝିଅ ରାଇଙ୍କର ସ୍ଵାମୀ ହୁଅନ୍ତି ଓ ରାଇ ଦାମୋଦର ବେଶରେ ସଜ୍ଜିତ ହୁଅନ୍ତି।
- କାର୍ତ୍ତିକ ମାସରେ ପଞ୍ଚକ ଛ’ଦିନ ପଡ଼ିଲେ ମଳ ତିଥିରେ ପ୍ରଭୁ ନାଗାର୍ଜୁନ ବେଶରେ ସଜ୍ଜିତ ହୁଅନ୍ତି।
- ମହାପ୍ରଭୁଙ୍କର ଅନ୍ୟାନ୍ୟ ନିତ୍ୟ ନୈମିତ୍ତିକ ବେଶ ମଧ୍ୟରେ ରହିଛି।
- ପ୍ରତିଦିନ ମଙ୍ଗଳ ଆଳତି ପରେ ଅବକାଶ ବେଶ। ଦୈନନ୍ଦିନ ସାହାଣ ମେଲା ପୂର୍ବରୁ ବାରଲାଗି ପାଟବସ୍ତ୍ରର ସାଧା ବେଶ।
- ପ୍ରତିଦିନ ଶୟନ ସମୟରେ ବଡ଼ ଶୃଙ୍ଗାର ବେଶ। ଅକ୍ଷୟ ତୃତୀୟାଠାରୁ ସ୍ନାନ ପୂର୍ଣିମା ପର୍ଯ୍ୟନ୍ତ ଚନ୍ଦନ ଲାଗି ବେଶ।ଦେବ ସ୍ନାନ ପୂର୍ଣ୍ଣିମାରେ ହାତୀ ବେଶ (ଗଣପତି ବେଶ)।
ଆଷାଢ଼ ଶୁକ୍ଲ ଏକାଦଶୀ ଦିନ ରଥ ଉପରେ ସୁନାବେଶ। ଭାଦ୍ରବ କୃଷ୍ଣ ଦଶମୀରେ ବଣଭୋଜି ବେଶ। ଭାଦ୍ରବ କୃଷ୍ଣ ଏକାଦଶୀରେ କାଳୀୟ ଦଳନ ବେଶ। ଭାଦ୍ରବ କୃଷ୍ଣ ଦ୍ଵାଦଶୀରେ ପ୍ରଳମ୍ବାସୁର ବଧ ବେଶ। ଭାଦ୍ରବ କୃଷ୍ଣ ତ୍ରୟୋଦଶୀରେ କୃଷ୍ଣ ବଳରାମ ବେଶ। ଭାଦ୍ରବ ଶୁକ୍ଲ ତ୍ରୟୋଦଶୀରେ ବାମନ ବେଶ। ଆଶ୍ଵିନ ଏକାଦଶୀଠାରୁ କାର୍ଷିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରାଇ ଦାମୋଦର ବେଶ। କାର୍ତ୍ତିକ ଏକାଦଶୀରେ ଲକ୍ଷ୍ମୀନାରାୟଣ ବେଶ। କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀରେ ବାଙ୍କଚୂଡ଼ (ବାମନ) ବେଶ। କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀରେ ନୃସିଂହ (ଡାଳିକିଆ) ବେଶ। କାର୍ତ୍ତିକ ପୂର୍ଣିମାରେ ରାଜରାଜେଶ୍ଵର ବେଶ। କାର୍ତ୍ତିକ ମାସ ପଞ୍ଚକ ୬ ଦିନ ପଡ଼ିଲେ ମଳ ତିଥିରେ ନାଗାର୍ଜୁନ ବେଶ। ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଘୋଡ଼ ଲାଗି ବେଶ। ମାଘ ଅମାବାସ୍ୟାଠାରୁ ବସନ୍ତ ପଞ୍ଚମୀ ମଧ୍ୟରେ ବୁଧବାର ବା ଶନିବାର ପଦ୍ମବେଶ। ମାଘ ପୂର୍ଣିମାରେ ଗଜୋଦ୍ଧାରଣ ବେଶ।
ଏହା ବ୍ୟତୀତ ଶ୍ରୀଜୀଉମାନେ ସପ୍ତାହରେ ସାତ ରଙ୍ଗର ବସ୍ତ୍ର ପରିଧାନ କରନ୍ତି। ରବିବାର ଦିନ ଲାଲ, ସୋମବାର ଦିନ କଳାଛିଟ ମିଶା ଶୁକ୍ଳ, ମଙ୍ଗଳବାରରେ ପଞ୍ଚବର୍ଣ୍ଣ ଓ ଲୋହିତ, ବୁଧବାର ନୀଳ, ଗୁରୁବାର ହଳଦୀ, ଶୁକ୍ରବାର ଧଳା ଓ ଶନିବାର କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତି। ଶୀତଦିନେ ଶୀତ ବସ୍ତ୍ର ପରିଧାନ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/21/significance-padma-besha-2026-01-21-19-32-18.jpg)