ଦଶହରା ୨୦୨୫ Photograph: (OTV)
ଦେବୀ ସର୍ବ ଭୂତେଷୁ ମାତୃ ରୂପେଣ ସଂସ୍ଥିତା,
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ
ଏ ଦେଶର ସମସ୍ତ ଧର୍ମଗ୍ରନ୍ଥ ବେଦ ଉପନିଷଦ ପୁରାଣ ଆଦିରେ ଶକ୍ତିର ମହିମା ବର୍ଣ୍ଣନା ରହିଛି। ଏ ଦେଶର ପ୍ରତି ପ୍ରାନ୍ତରେ ଗୁଞ୍ଜରିତ ହୁଏ ମାତୃବନ୍ଦନାରେ। କାହିଁ କେଉଁ ପୁରାତନ କାଳରୁ ଭାରତଭୂମିରେ ଶକ୍ତି ଉପାସନାର ପ୍ରଚଳନ ରହି ଆସିଛି। ମାତୃ ଭକ୍ତିରେ ହୃଦୟ ତଲ୍ଲିନ ହୋଇଉଠେ। ପ୍ରାଣରେ ମାତୃ ମହିମାର ଜୟଗାନ ଗୁଞ୍ଜରିତ ହୁଏ। ଏହା ହିଁ ଦେବୀ ଦୁର୍ଗାଙ୍କର ଆଧ୍ୟାତ୍ମିକ ଉପାସନା। କାଶତଣ୍ଡୀ ଫୁଲର ମଉଚ୍ଛବ ମଧ୍ୟରେ, କାଚକେନ୍ଦୁ ପାଣିର ଊନ୍ମାଦରେ, ନୀଳ ଆକାଶରେ ଧଳାଧଳା ମେଘଙ୍କ ଅପୂର୍ବ ପଟୁଆରରେ ଶୁଭ୍ର ଶରତରେ ଶରତ ସବୁରି ପ୍ରାଣରେ ପୁଲକ ଖେଳାଇ ଆସେ ଶାରଦୀୟ ଦୁର୍ଗାପୂଜା, ମହାପାର୍ବଣ। ଆନନ୍ଦ ଉଲ୍ଲାସର ପର୍ବ।
ମହିଷାମର୍ଦ୍ଦିନୀମାଆ ଦୁର୍ଗା
ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହିଥିବା ଦେବତା ଓ ଅସୁରଙ୍କ ଯୁଦ୍ଧରେ ବଜୟୀ ହୁଏ ଦାନବ ରାଜ ମହିଷାସୁର । ଅସୁର କବଳକୁ ଆସିଯାଏ ସମଗ୍ର ଦେବଲୋକ। ସମସ୍ତ ଦେବଗଣ ସ୍ୱର୍ଗପୁରରୁ ବିତାଡିତ ହୋଇ ଦେବଦେବ ମହାଦେବ ଏବଂ ତ୍ରାଣକର୍ତ୍ତା ବିଷ୍ଣୁଙ୍କ ନିକଟରେ ଉପଗତ ହୁଅନ୍ତି। ମହିଷାସୁର ଅତ୍ୟାଚାରରୁ କିପରି ବଞ୍ଚିବେ ତା'ର ଉପାୟ ମାଗନ୍ତି। ମହିଷାସୁରର ଏପରି କର୍ମ କଥା ଶୁଣି ଭଗବାନ ବିଷ୍ଣୁ ଓ ଶିବ ଅତ୍ୟନ୍ତ କ୍ରୋଧିତ ହୋଇଯାଆନ୍ତି। ଏହି ସମୟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ଶରୀରରୁ ଉଗ୍ର ତେଜ ବାହାରେ। ଇନ୍ଦ୍ର ତଥା ଅନ୍ୟ ଦେବତାମାନଙ୍କ ଶରୀରରୁ ମଧ୍ୟ ବିପୁଳ ତେଜ ରଶ୍ମି ଉଦ୍ରେକ ହୁଏ। ସମସ୍ତ ତେଜ ରଶ୍ମିର ଏକିଭୂତ ସତ୍ତା ହେଉଛନ୍ତି ମହିୟସୀ ଦେବୀ ଜ୍ୟୋତିର୍ମୟୀ ମା’ ଦୁର୍ଗା ତେତିଶକୋଟି ଦେବଗଣଙ୍କୁ ଅଭୟ ଦେବା ପାଇଁ ଆବିର୍ଭୂତା ହେଲେ।
ଭଗବତୀ ଦୁର୍ଗାଙ୍କୁ ମହିଷାସୁରର ବନାଶ ପାଇଁ ଦେବଗଣ ସମସ୍ତ ଅସ୍ତ୍ର ଶସ୍ତ୍ର ଦାନ କରିଥିଲେ। ଶିବଙ୍କର ତ୍ରିଶୂଳ, ବିଷ୍ଣୁଙ୍କର ଚକ୍ର, ବ୍ରହ୍ମାଙ୍କର କୁଣ୍ଡଳୁ, ସୂର୍ଯ୍ୟଙ୍କର କିରଣର ଜାଳ ଖଡ୍ଗ, ବରୁଣଙ୍କର ଶଙ୍ଖ, ଅଗ୍ନିଙ୍କର ପ୍ରଜ୍ବଳନ ଶକ୍ତି, ବାୟୁଙ୍କର ଧନୁର୍ବାଣ, ଇନ୍ଦ୍ରଙ୍କର ବଜ୍ର, ଯମଙ୍କର କାଳଦଣ୍ଡ ପ୍ରଭୃତିର ଅଧିକାରିଣୀ ମହାଶକ୍ତି ମା’ ଦୁର୍ଗା ମହାପରାକ୍ରମୀ ମହିଷାସୁରର ବନାଶ ଘଟାଇ ଦେବଲେକରେ ଶାନ୍ତି ପ୍ରତିଷ୍ଠା କରାଇଲେ। ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର ଆଦି ତେତିଶ କୋଟି ଦେବଗଣ ଏବଂ ମହର୍ଷିଗଣ ଦେବୀଙ୍କ ଉପାସନା କରି ପ୍ରାର୍ଥନା କଲେ ହେ ଦେବୀ ଯୁଗ ଯୁଗ ଧରି ଆପଣଙ୍କ ଆବିର୍ଭାବ ଘଟୁଥାଉ।
ଓଡିଶାରେ ଦୁର୍ଗାପୂଜା
ଓଡିଶାରେ ବର୍ଷରେ ଦୁଇଥର ଦୁର୍ଗାପୂଜା ଉତ୍ସବ ହୁଏ। ଶରତ ଋତୁରେ ଅନୁଷ୍ଠିତ ଦୁର୍ଗାପୂଜାକୁ ପାର୍ବଣ ପୂଜା କହନ୍ତି। ବସନ୍ତ ଋତୁରେ ଅନୁଷ୍ଠିତ ଦୁର୍ଗାପୂଜାକୁ ବାସନ୍ତୀ ପୂଜା କୁହାଯାଏ। ବାସନ୍ତୀ ପୂଜା ଅଳ୍ପ କେତେକ ସ୍ଥାନରେ ହେଉଥିବାବେଳେ ପାର୍ବଣ ପୂଜା ସବୁଆଡ଼େ ହୁଏ। ତେଣୁ ଏହାକୁ ସାର୍ବଜନୀନ ଦୁର୍ଗାତ୍ସବ କହନ୍ତି । ସର୍ବଭାରତୀୟ ସ୍ଥରରେ ଏହି ଦୁର୍ଗାପୂଜା ଏକ ଉତ୍ସବ ଭାବରେ ପାଳନ କରାଯାଏ। ବିଭିନ୍ନ ଅଞ୍ଚଳରେ ଏହା ନଅ ଦିନ ବ୍ୟାପି ପାଳିତ ହେଉଥିବା ବେଳେ ଅନ୍ୟାନ୍ୟ କେତେକ ସ୍ଥାନରେ ପାଞ୍ଚ ଦିନ ବା ତିନିଦିନ ଧରି ଅନୁଷ୍ଠିତ ହୁଏ। କିନ୍ତୁ ଓଡ଼ିଶାରେ ଏହା ଷୋଳଦିନ ଧରି ପାଳନ କରଯାଏ। ଆଶ୍ୱିନ ମାସ କୃଷ୍ଣ ଅଷ୍ଟମୀ ବା ମୂଳାଷ୍ଟମୀଠାରୁ ଆରମ୍ଭ ହୋଇ ଏହି ପୂଜା ଦଶହରା ଦିନ ଶେଷ ହୁଏ I
ଓଡିଶାର ଶକ୍ତିପୀଠ ଓ ଦୁର୍ଗାପୂଜା
ଓଡ଼ିଶାକୁ ଶକ୍ତି ଉପାସନାର ଆଦିଭୂମି କୁହାଯାଏ। ଭାରତବର୍ଷରେ ଥିବା ପ୍ରସିଦ୍ଧ ଶକ୍ତିପୀଠଗୁଡିକ ମଧ୍ୟରେ ଓଡ଼ିଶାକୁ ପ୍ରଥମ ଓ ଶ୍ରେଷ୍ଠ ଶକ୍ତି ପୀଠ ଭାବେ ବିଚାର କରାଯାଇଛି। ଓଡିଶାର ଗାଁଗଣ୍ଡା, ସହରବଜାର, ବଣ, ପାହାଡ଼, ନଈ, ପୋଖରୀକୂଳ ଓ ଗଛମୂଳରେ ଅସଂଖ୍ୟ ଦେବୀ ମୂର୍ତ୍ତି ପୂଜା ପାଉଛନ୍ତି। ଜୈନ, ବୌଦ୍ଧ, ବୈଷ୍ଣବ, ତାନ୍ତ୍ରିକ ଦେବୀ ମୂର୍ତ୍ତି ସହିତ ଶହ ଶହ ମହିଷା ମର୍ଦ୍ଦିନୀ ଦୁର୍ଗାମୂର୍ତ୍ତି ଙ୍କୁ ଦେଖିଲେ ଶାକ୍ତ ଉପାସନା ବିଶେଷ କରି ଦୁର୍ଗାପୂଜାର ପ୍ରାଚୀନ ଲୋକପ୍ରିୟତା ବିଷୟରେ ଜାଣିହୁଏ। ଯାଜପୁରର ବିରଜା ହେଉଛନ୍ତି ଓଡ଼ିଶାର ପ୍ରଥମ ମହିଷା ମର୍ଦ୍ଦିନୀ ଦୁର୍ଗା। ଦୁଇଭୁଜା ବିରଜାଙ୍କଠାରୁ ଆରମ୍ଭ କରି ଚତୁର୍ଭୁଜା ,ଷଡଭୁଜା, ଅଷ୍ଟଭୁଜା, ଦଶଭୁଜା, ଦ୍ୱାଦଶଭୁଜା, ଷୋଡ଼ଶଭୁଜା, ଅଷ୍ଟାଦଶଭୁଜା ମହିଷା ମର୍ଦ୍ଦିନୀ ଦୁର୍ଗା ଓ ଚାମୁଣ୍ଡା ମୂର୍ତ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଅଦ୍ୟାବଧି ପୂଜା ପାଉଛନ୍ତି।
ଓଡିଶାର ମୃଣ୍ମୟୀ ଦୁର୍ଗାପୂଜା
ଗବେଷକମାନଙ୍କ ମତରେ ଖ୍ରୀଷ୍ଟୀୟ ଷୋଡ଼ଶ-ସପ୍ତଦଶ ଶତାବ୍ଦୀଠାରୁ ଓଡିଶାରେ ମୃଣ୍ମୟୀ ଦୁର୍ଗାପୂଜା ଆରମ୍ଭ ହୋଇଥିବାର ଜଣାଯାଏ। ମୃଣ୍ମୟୀ ଦୁର୍ଗାପୂଜା ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିଥିବା ନେଇ କେତେକ ଆଲୋଚକ ମତ ଦେଉଥିଲେ ମଧ୍ୟ ଖ୍ରୀଷ୍ଟୀୟ ଷୋଡ଼ଶ ସପ୍ତଦଶ ଶତାବ୍ଦୀଠାରୁ ଓଡିଶାର ଗଡ଼ଜାତ ରାଜ୍ୟଗୁଡ଼ିକରେ ମୃଣ୍ମୟୀ ଦୁର୍ଗାପୂଜା ଆରମ୍ଭ ହୋଇଥିବାର ପ୍ରମାଣ ମିଳେ। ଆଧୁନିକ ସମୟରେ ଏହି ମୃଣ୍ମୟୀ ଦୁର୍ଗାପୂଜା ବେଶ୍ ପ୍ରସିଦ୍ଧି ଲାଭ କରିବା ସହ ଉତ୍ସବର ରୂପ ନେଲାଣି। ଏହି ଦୁର୍ଗାପୂଜା ପଦ୍ଧତିରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ସହିତ ତାଙ୍କର ପୁତ୍ର କନ୍ୟାମାନେ ମାଙ୍କ ସିଂହାସନ ପାଖରେ ପୂଜା ପାଆନ୍ତି। ସେମାନେ ହେଲେ ଜ୍ଞାନ ଓ ବିଦ୍ୟାର ଦେବତା ଗଣେଶ। ତ୍ରିଭୁବନ ବଜୟୀ କୁମାର କାର୍ତ୍ତିକ, ବିଦ୍ୟା ପ୍ରଦାୟିନୀ ସରସ୍ଵତୀ, ଧନଧାନ ପ୍ରଦାୟିନି ମାଲକ୍ଷ୍ମୀ। ମାତୃପୂଜା ଅବସରରେ ଏମାନଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭକ୍ଷା କରାଯାଏ।
ପୂଜା ବିଧି
ଜନ୍ମାଷ୍ଟମୀ ଦିନ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦୁର୍ଗାପୂଜାର ବା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଢିବା ଆରମ୍ଭ କରନ୍ତି। ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ିରଙ୍ଗ ଦିଆଯାଏ। ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ। କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।ଷଷ୍ଠୀପୂଜା ଦିନ ଅଧିବାସ ହୁଏ ,ବିଲ୍ୱବରଣ ହୁଏ, ମା’ଙ୍କୁ ସ୍ୱାଗତ କରିବା ପାଇଁ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ। ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ। ଶେଷରେ ରାତି ସମୟରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ। ଏହାପରେ ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ରହିଛି। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ। ଚଣ୍ଡିପାଠ ହୋମ ,ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ।
ଅଷ୍ଟମୀ ଦିନ ହୁଏ ମା’ଙ୍କ ମୁଖ୍ୟ ସନ୍ଧିପୂଜା। ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ। ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବାର ପ୍ରଶସ୍ତ ସମୟ। ବଳି ଶବ୍ଦର ଅର୍ଥ ହେଉଛି ଉପହାର। ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ବଳି ଦେବାକୁ ପଡିଥାଏ। ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ। ଦଶମୀ ଦିନ ଘଟ ବିସର୍ଜନ ହୋଇଥାଏ। ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା।
ସାମାଜିକ ସଂସ୍କୃତିରେ ଦୁର୍ଗାପୂଜା
ଓଡିଶାର ଦୁର୍ଗାପୂଜା ଘଟପୂଜା ମାଧ୍ୟମରେ ଅନାଦି କାଳରୁ ପ୍ରଚଳିତ ହୋଇଆସିଛି ଏବଂ ଏହା ଉତ୍କଳୀୟ ସଂସ୍କୃତି ଓ ପରମ୍ପରାରେ ସାମିଲ ହୋଇସାରିଛି। ଖଣ୍ଡାୟତର ଖଣ୍ଡା, ନାପିତର କ୍ଷୁର, କରଣର ଲିଖନ, ରଜକର କୁରାଢି , ତନ୍ତୀର ତନ୍ତ ଏବଂ ବିଭିନ୍ନ ବୃତ୍ତିକାରଙ୍କର ବୃତ୍ତିର ସାଜ ସରଞ୍ଜାମ ସଜ ବସେ ମାତୃଘଟ ପାଖରେ। ମାତୃ ଆଶିଷ ଲାଭ କରି ଅସ୍ତ୍ରଶସ୍ତ୍ରର ଅନୁକୂଳ ହୁଏ ଦଶହରା ବା ବିଜୟା ଦଶମୀରେ।ଦୁର୍ଗାପୂଜାର ବିଶେଷ ଆକର୍ଷଣ ଦଶହରା ଓଡ଼ିଶାର ଏକ ପାରମ୍ପରିକ ଊତ୍ସବ। ଜାତି ଧର୍ମ ନର୍ବିଶେଷରେ ଓଡ଼ିଶାବାସୀ ସମସ୍ତେ ମହାସମାରୋହରେ ଦଶହରା ପାଳନ କରନ୍ତି। ସେଦିନ ସମସ୍ତେ ନୂଆ ଲୁଗା ପିନ୍ଧନ୍ତି। ବନ୍ଧୁବାନ୍ଧବଙ୍କୁ ଅଭ୍ୟର୍ଥନା କରନ୍ତି। ନୂଆ କାମର ଅନୁକୂଳ ହୁଏ । ଘରେ ଘରେ ପିଠାପଣା କରଯାଏ। ସେଦିନର ଉଲ୍ଲେଖଯୋଗ୍ୟ ପିଠା ହେଉଛି ମଣ୍ଡାପିଠା। ଏହା ଦଶହରା ମଣ୍ଡା ନାମରେ ପରିଚିତ ।ଓଡ଼ିଶାରେ ଦୁର୍ଗାପୂଜା ଓ ଦଶହରା କେବଳ ପୂଜାପାଠରେ ସୀମାବଦ୍ଧ ରହେ ନାହିଁ। ସେ ସମୟରେ ଗାଁଗହଳି ଠାରୁ ଆରମ୍ଭ କରି ସହର ବଜାର ଚାରିଆଡ଼େ ଆନନ୍ଦ ଉତ୍ସବର ଢ଼େଉ ଖେଳିଯାଏ । ଗୀତ, ନାଚ, ଯାତ୍ରା, ଦେଖିବାରେ ରାତି ପାହିଯାଏ। ପୁରୀ ଓ ଅନ୍ୟାନ୍ୟ କେତେକ ଅଞ୍ଚଳରେ ଦଶହରା ପରଦିନ ‘ଗୋସାଣୀଯାତ୍ରା’ ହୁଏ।
ଶାରଦୀୟ ଦୁର୍ଗାପୂଜା ଆଧ୍ୟାତ୍ମିକ ଜାଗରଣର ଏକ ସୁଯୋଗ। ଏହା ଆମକୁ ଆମ ଭିତରେ ଥିବା ନକାରାତ୍ମକ ଗୁଣଗୁଡ଼ିକୁ ଦୂର କରି ସତ୍ୟ, ଧର୍ମ ଓ ନ୍ୟାୟର ପଥରେ ଚାଲିବାକୁ ପ୍ରେରଣା ଦେଇଥାଏ। ମା’ ଦୁର୍ଗାଙ୍କୁ ଶକ୍ତିର ପ୍ରତୀକ ଭାବେ ପୂଜା କରାଯାଏ, ଯିଏ ଆମକୁ ସାହସ ଓ ଆତ୍ମବିଶ୍ୱାସ ପ୍ରଦାନ କରନ୍ତି। ଏହା ଏପରି ଏକ ଉତ୍ସବ, ଯାହା ଧର୍ମ, ସଂସ୍କୃତି ଓ ସାମାଜିକ ସମନ୍ୱୟର ଏକ ଅପୂର୍ବ ସମ୍ମିଶ୍ରଣ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/27/durga-puja-2025-2025-09-27-19-18-23.jpg)