JAGA-DARSHAN Photograph: (OTV)
ନୂଆବର୍ଷକୁ ମଝିରେ ଆଉ ଦିନଟିଏ। ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆବର୍ଷକୁ ସ୍ବାଗତ ଲାଗି ସବୁଠି ଜୋରଦାର ପ୍ରସ୍ତୁତି। ବିଶେଷକରି ଜଗନ୍ନାଥ ଦର୍ଶନରୁ ବର୍ଷ ଆରମ୍ଭର ଇଚ୍ଛା ରଖୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀକ୍ଷେତ୍ରରେ ବି ବ୍ୟାପକ ଆୟୋଜନ। ପ୍ରବଳ ଭକ୍ତଙ୍କ ଗହଳିକୁ ନଜରରେ ରଖି ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ବ ଦିଆଯିବା ସହ ସୁରକ୍ଷା ଓ ଟ୍ରାଫିକ୍ ପରିଚାଳନା ପାଇଁ 70 ପ୍ଲୁାଟୁନ୍ ଫୋର୍ସ ମୁତୟନ କରାଯାଇଛି।...
ଭାବ, ଭକ୍ତି ଆଉ ଭିଡ଼। ଜଗା ଦର୍ଶନରୁ ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିବାକୁ ଏବେଠୁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। କାଲି ଗହଳି ଆହୁରି ବଢ଼ିବ। ପରଦିନ ନୂଆବର୍ଷରେ ତ ଭିଡ଼ ଫାଟି ପଡ଼ିବ। ସେଇଥିପାଇଁ ଶୃଙ୍ଖଳିତ ଜଗାଦର୍ଶନ ସାଙ୍ଗକୁ ଭକ୍ତ ସୁରକ୍ଷା ଓ ଭିଡ଼ ପରିଚାଳନା ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି। ନିଷ୍ପତ୍ତି ମୁତାବକ ନୂଆବର୍ଷ ପାଇଁ 31 ତାରିଖ ରାତି ୧୧ଟାରେ ମହାପ୍ରଭୁଙ୍କ ପହୁଡ ହୋଇ ରାତି ୨ଟାରୁ ଦ୍ବାରଫିଟା ନୀତି ସମ୍ପନ୍ନ ହେବ l ଅର୍ଥାତ ଏଇ ସମୟଠୁ ଆରମ୍ଭ ହେବ ଭକ୍ତଙ୍କ ଜଗାଦର୍ଶନ।...
ମାର୍କେଟ୍ ଛକରୁ ବ୍ୟାରିକେଡ୍ ବ୍ୟବସ୍ଥା
ନୂଆବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଭକ୍ତ ସମାଗମକୁ ଆଖି ଆଗରେ ରଖି ପୋଲିସ୍ ପ୍ରଶାସନ ବି ପୂରା ପ୍ରସ୍ତୁତ। ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବାକୁ କେବଳ ସିଂହଦ୍ବାର ଦେଇ ପ୍ରବେଶ ଓ ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା ହୋଇଛି। ସେହପରି ବ୍ୟାରିକେଡ୍ ବ୍ୟବସ୍ଥାକୁ ମାର୍କେଟ ଛକ ଯାଏଁ ବଢ଼ାଯାଇଛି। ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ଏଥର ୭୦ ପ୍ଲାଟୁନରୁ ଅଧିକ ଫୋର୍ସରେ ଛାଇଯିବ ସାରା ଶ୍ରୀକ୍ଷେତ୍ରରେ।
୨ ଜଣ କମାଣ୍ଡାଣ୍ଟ, ୧୩ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଇନ୍ସପେକ୍ଟରଙ୍କ କାନ୍ଧରେ ରହିବ ସୁରକ୍ଷା ଭାର। ସିସିଟିଭି ନଜରରେ ରହିବ ପୂରା ସହର l ଏଥିପାଇଁ ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ପୁରୀର ସମସ୍ତ ପ୍ରବେଶ ପଥରେ କଡାକଡି ଯାଞ୍ଚ ସହ ପାର୍କିଂ ଉପରେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇଥିବା ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।...ସେହିପରି ପୁରୀ ବେଳାଭୂମି ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି। ସୁରକ୍ଷିତ ସମୁଦ୍ର ସ୍ନାନ ପାଇଁ ବହୁ ସଂଖ୍ୟାରେ ଲାଇଫ୍ ଗାର୍ଡ ମୁତୟନ ସହ ୩୦୦ ଘରୋଇ ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରିବାକୁ ବି ନିଷ୍ପତ୍ତି ହୋଇଛି।
ଏସବୁ ଭିତରେ କିନ୍ତୁ ପୁରୀବାସୀ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନଥିବା ଅଭିଯୋଗ ଆଣି ଏ ଦିଗରେ ଧ୍ୟାନ ଦିଆଯିବାକୁ ଦାବି ହୋଇଛି।...
ଦିନକ ପରେ ପୁରୁଣାକୁ ବିଦାୟ ଦେଇ ନୂଆବର୍ଷକୁ ମନଖୋଲି ସ୍ବାଗତ କରିବ ବିଶ୍ବ। ତେଣୁ ବିଦାୟୀ ବର୍ଷର ଶେଷ ଓ ନୂଆବର୍ଷର ଆରମ୍ଭକୁ ସ୍ମରଣୀୟ କରିବାକୁ ସବୁ ଆରମ୍ଭର ମୂଳ ଜଗାଦର୍ଶନରୁ କରିବାକୁ ସମସ୍ତେ ବ୍ୟଗ୍ର।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/30/jaga-darshan-2025-12-30-20-32-01.jpg)