Dhanu Sankrati Photograph: (OTV)
ଆମ ଓଡ଼ିଶାରେ ବହୁ ପର୍ବପର୍ବାଣୀ ଏବଂ ଓଷା ବ୍ରତର ପ୍ରଚଳନ ରହିଛି । ଏଗୁଡ଼ିକ ଓଡ଼ିଶାବାସୀଙ୍କର ଧର୍ମ, ସଂସ୍କୃତି, ଆଚାର ପ୍ରଭୃତ୍ତିର ସ୍ଥୂଳ ପରିଚୟ ବହନ କରେ । ମଣିଷ ସମାଜରେ ନିଜକୁ ସୁସ୍ଥ, ସବଳ ଓ ଆଦର୍ଶରୂପେ ଗଢ଼ିବା ପାଇଁ ପର୍ବପର୍ବାଣୀ, ବ୍ରତ, ଉତ୍ସବ ଦ୍ବାରା ନିଜର ଶରୀର, ମନ ଓ ବୃଦ୍ଧିକୁ ପବିତ୍ର କରିପାରେ । କେତେକ ପର୍ବପର୍ବାଣୀ ତତ୍ତ୍ଵ ଓ ତଥ୍ୟ ସମ୍ବଳିତ ପୌରାଣିକ ଭିତ୍ତିଭୂମି ଆଧାରିତ ତ ଆଉ କେତେକ ଆମର ସାଧାରଣ ଲୋକାଚାରରୁ ସୃଷ୍ଟି ହୋଇଥାଏ। ଓଡିଆମାନଙ୍କ ପର୍ବପର୍ବାଣୀ ବିଶେଷଭାବେ କୃଷି ଓ ପରମ ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କୁ ଆଧାର କରି ପାଳନ କରାଯାଏ।
ଧନୁ ସଂକ୍ରାନ୍ତି -
ସୌରମାନ ଗଣନା ଅନୁଯାୟୀ ସୂର୍ଯ୍ୟ ଧନୁ ରାଶିକୁ ଚଳିଲେ ଧନୁସଂକ୍ରାନ୍ତି ପାଳନ ହୁଏ । ଓଡ଼ିଶାର ସଂସ୍କୃତି ଓ ପରମ୍ପରାରେ ସଂକ୍ରାନ୍ତିର ବିଶେଷ ଭୂମିକା ରହିଛି। ଏହି ସଂକ୍ରାନ୍ତି ଦିନକୁ ହିଁ ମାସର ପ୍ରଥମ ଦିନ ଭାବରେ ବିଚାର କରାଯାଏ ତେଣୁ ପ୍ରାୟତଃ ପ୍ରତି ସଂକ୍ରାନ୍ତିର ଭୋଗ ଓ ପୂଜାବିଧି ସ୍ଵତନ୍ତ୍ର ହୋଇଥାଏ। କେବେ ମକର ସଂକ୍ରାନ୍ତିରେ ମକରଚାଉଳ ଭୋଗ ହୁଏ ତ କେବେ ପଣା ସଂକ୍ରାନ୍ତିରେ ପଣା, ପୁଣି ରାଜ ସଂକ୍ରାନ୍ତିର ସ୍ୱତନ୍ତ୍ରତା ତ ଓଡ଼ିଶାରେ ବିଶେଷ ଭୂମିକା ରଖେ। ସେହିପରି ଧନୁ ସଂକ୍ରାନ୍ତିର ମଧ୍ୟ ବିଶେଷତା ରହିଛି। ଏହିଦିନ ଠାକୁରଙ୍କ ପାଖରେ ମୁଆଁଭୋଗ ଲାଗି କରାଯାଏ ।
ଶ୍ରୀମନ୍ଦିରରେ ପହିଲି ଭୋଗ-
ଶ୍ରୀମନ୍ଦିରରେ ଏହି ଧନୁ ସଂକ୍ରାନ୍ତି ଦିନଠୁ ଆରମ୍ଭ ହୋଇଥାଏ ମହାପ୍ରଭୁଙ୍କର ପହିଲି ଭୋଗ ନୀତି । କଥିତ ଅଛି ଯେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ଯାଏଁ ଏକମାସ ମାଆ ଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ଏହି ସମୟରେ ମାତା ଯଶୋଦା ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି । ସେଥିପାଇଁ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି ମହାପ୍ରଭୁ । ତେଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ପ୍ରଭାତରୁ , କାଉ କା' କହିବା ପୂର୍ବରୁ ହିଁ ଶୀଘ୍ର ରୋଷେଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ଅନ୍ନ ଶୀତ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ତେଣୁ, ଏହି ପହିଲି ଭୋଗ ମା’ ଯଶୋଦାଙ୍କର ପୁତ୍ର ପ୍ରତି ଥିବା ବାତ୍ସଲ୍ୟ ପ୍ରେମର ନିଦର୍ଶନ ।
ପହିଲି ଭୋଗ ନୀତି -
ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଏହି ସମୟରେ ମାତା ଯଶୋଦା ମହାପ୍ରଭୁଙ୍କ ନିମନ୍ତେ ପ୍ରସ୍ତୁତ କରିଥାନ୍ତି ସୁସ୍ବାଦୁ ବ୍ୟଞ୍ଜନ । ପହିଲି ଭୋଗରେ ମହାପ୍ରଭୁଙ୍କୁ ବିରି, ଗହମଚୂନା, ଘିଅ ପାଗ ହୋଇଥିବା ପିଠା ଓ ଧନୁମୁଆଁ ଲାଗି କରାଯାଇଥାଏ । ସକାଳର ଗୋପଳବଲ୍ଲଭ ଭୋଗ ନୀତି ସହିତ ‘ପହିଲି ଭୋଗ’ ନୀତି ଅନୁଷ୍ଠିତ ହୋଇଥାଏ । ଏହି ଦିନମାନଙ୍କରେ ରାତି ଦୁଇଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତାପରେ , ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡିଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇ ଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ପରେ ପହିଲି ଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ ।
ପହିଲି ଭୋଗ -
ଖାଦ୍ୟପ୍ରିୟ ଆମ କାଳିଆ ଠାକୁର। ସେଥିପାଇଁ ତ ମନ୍ଦିରରେ ସବୁ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସହ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି କରାଯାଏ।
ପୁରାଣ କୁହେ, ଭାରତବର୍ଷର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ । ତେଣୁ ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛି । ଧନୁ ସଂକ୍ରାନ୍ତିର ପହିଲି ଭୋଗରେ ବିରି ଓ ଗହମରେ ଘିଆପାଗ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ପହିଲି ଭୋଗରେ ଲାଗୁଥିବା ଭୋଗ ହେଉଛି - ଦରସୁଆ ବଡ଼ି (ବଡ଼ବଡ଼ି) ୧ପଣ (୨୦ଗଣ୍ଡା), ଛତୁ (ଲିଆଗୁଣ୍ଡ, ଘିଅ, ଚିନି, ଅଳେଇଚ, ଲବଙ୍ଗ ମିଶ୍ରିତ) ୧୦ଗଣ୍ଡା, ଚୁଡ଼ାପୁଆଁ (ଚୁଡ଼ାକୁ ଘିଅରେ ଭାଜି, ନଡ଼ିଆ ପକାଇ) ୧ସରା ଓ ୫ ଓଳି, ବଡ଼ଝିଲି ୧୦ଗଣ୍ଡା, ସାନଝିଲି ୧୦ଗଣ୍ଡା, କାକରା ୧୦ଗଣ୍ଡା, ନଳୀ (ନଳୀ ଆକୃତିର କାକରା) ୮ ଗଣ୍ଡା, ଟିକିଲି (ଟିପ ପରି କାକରା) ୧ପଣ ଓ ୨ଗଣ୍ଡା, କଣ୍ଟେଇ (ଅତି ଟିକି କାକରା) ୧ପଣ ୨ଗଣ୍ଡା, ଆରିସା ୫ଗଣ୍ଡା, ଝଡ଼େଇଲଦା ୧୪ଗୁଳା, ମୁଗେଇ (ମୁଗ ସିଝାଯାଇ ମସଲା, ନଡ଼ିଆ ପଡ଼ି ଘିଅରେ ଭଜା ହୁଏ) ୧୫ଗଣ୍ଡା, ବୟ ବଡ଼ି ୧ତାଡ଼ (୪୦୦ଟି) । ପହିଲି ଭୋଗ ମାସରେ ଏଗୁଡ଼ିକ ବଲ୍ଲଭ ସହିତ ଲାଗେ । ଏହା ବ୍ୟତୀତ, ଏହି ମାସରେ ସକାଳଧୂପ ସହିତ ଲାଗେ- ସାନବଡ଼ି ୩୦୦ଟି, ଗଜାବଡ଼ି ୫ଓଳି, ଖୁରୁମା ୫ଓଳି, ଗଇଁଠା ୪୮ଟି, ମଣ୍ଡା ୪୮ଟି, ଏଣ୍ଡୁରି ୨ଟି, ସାନ ଅମାଲୁ ୧ପଣ ଓ ୨ଟି ମାଣ୍ଡି (୨ସରା), ବିରିବଡ଼ା ୧ବଡ଼ ଓ ୪ଗଣ୍ଡା ସାନ, ଲଡ଼ୁ (ଚାଉଳ ଚୂନାରେ ତିଆରି) ୫ଓଳି । ଧନୁଠାରୁ ମକର ସଂକ୍ରାନ୍ତି ଯାଏଁ ମଙ୍ଗଳ ଆଳତି ବଢ଼ିବାପରେ ପହିଲି ଭୋଗ ସକାଶେ ରୋଷଘରେ ହୋମ ହୁଏ । ଏହି ଧନୁ ମାସରେ ଧନୁମୁଆଁ ଭୋଗ ହୁଏ |ପରମ୍ପରା ଅନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୁଆଁ ଆସିଥାଏ ।
ଧନୁ ମୁଆଁ –
ଧନୁ ସଂକ୍ରାନ୍ତି ଓଡ଼ିଆମାନଙ୍କର ଏକ ବିଶେଷ ପର୍ବ । କାହିଁ କେଉଁ ପୁରାତନ ସମୟରୁ ଓଡିଶାର ପୁରପଲ୍ଲୀରେ ଏ ପର୍ବ ପାଳିତ ହେଇ ଆସୁଚି। ଧନୁ ସଂକ୍ରାନ୍ତିର ବିଶେଷତ୍ତ୍ଵ ହେଉଛି ଧନୁ ମୁଆଁ।ପୌଷ ମାସରେ ନୂଆ ଧାନ ଅମଳହୁଏ ଏବଂ ସେହି ଧାନରୁ ପ୍ରସ୍ତୁତ ଖଇରେ ଉଖୁଡ଼ା ଓ ମୁଆଁ ତିଆରି କରାଯାଇ ପ୍ରଥମେ ଆରାଧ୍ୟଙ୍କୁ ଅର୍ପଣ କରାଯିବାର ପରମ୍ପରା କାହିଁ କେତେ କାଳରୁ ଓଡ଼ିଶାରେ ପ୍ରଚଳିତ ହୋଇଛି। ଧନୁମୁଆଁ ଖାଇଲେ ଘୋଡ଼ଲାଗି ହୋଇଥିବା ମହାପ୍ରଭୁଙ୍କୁ ଶୀତଦାଉରୁ ରକ୍ଷାମିଳେ। ସେହିପରି ସମଗ୍ର ମନୁଷ୍ୟଜଗତ ମଧ୍ୟ ଧନୁମୁଆଁ ଖାଇ ଶୀତରୁ ରକ୍ଷାପାଆନ୍ତି।ମୁଆଁ ଓଡ଼ିଶାର ପାରମ୍ପରିକ ମିଷ୍ଟାନ୍ନ ଭାବେ ପରିଗଣିତ।
ପାରମ୍ପରିକ ଢଙ୍ଗରେ ଖଇ ବା ଲିଆକୁ ଆଖୁଗୁଡ଼ରେ ପାଗକରି ମୁଆଁ ପ୍ରସ୍ତୁତ ହୋଇଥାଏ। ସାଧାରଣ ଭାବେ ଓଡ଼ିଶାର ଗୁଡ଼ିଆ ବର୍ଗର ଲୋକେ ମୂଆଁ ପ୍ରସ୍ତୁତ କରିଥାଆନ୍ତି। ପରମ୍ପରା ଅନୁଯାୟୀ, ଆଗକାଳରେ ଗାଁମାନଙ୍କରେ ଗୁଡିଆଘରେ ମୁଆଁ ତିଆରି ହୋଇ ବେତାରେ ରଖାହୋଇ ମନ୍ଦିରକୁ ଆସିଥାଏ । ଏହାପରେ ଗାଁର ପ୍ରତିଘରେ ପ୍ରଥମ ଭୋଗଲାଗି ପାଇଁ ପୁଞ୍ଜାଏ ଲେଖାଏଁ ମୁଆଁ ଗୁଡ଼ିଆ କି ଗୁଡ଼ିଆଣୀ ପହଞ୍ଚାଇବା ପରମ୍ପରା ବି ପ୍ରଚଳିତ ଥିଲା । ଆଉ ଏହାର ପାଉଣା ବାବଦକୁ ଧାନ, ଚାଉଳ କିମ୍ବା ବାଡ଼ିର ପନିପରିବା ନେବା ଧାରା ବି ଥିଲା। ଓଡ଼ିଶାରେ ଖଇ ବା ଲିଆ ମୁଆଁ , ଚୁଡ଼ା ମୁଆଁ, ମୁଢ଼ି ମୁଆଁ, ବେଣ୍ଟ ମୁଆଁ ଆଦିର ପ୍ରଚଳନ ରହିଛି।
ଶ୍ରୀ ଲିଙ୍ଗରାଜ ମନ୍ଦିରରେ ମୁଆଁ ଭୋଗ -
ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତିଠାରୁ ଆରମ୍ଭକରି ମକର ସଂକ୍ରାନ୍ତିଯାଏ, ପୁରା ମାସଯାକ ବାଳଧୂପରେ ଠାକୁରଙ୍କୁ ମୁଆଁଭୋଗ ଲାଗି ହୁଏ।ସନ୍ଧ୍ୟାଧୂପରେ ମହାପ୍ରଭୁଙ୍କୁ ରୁପା ଥାଳିରେ ମୁଆଁଭୋଗ ବିଜେପ୍ରତିମାଙ୍କୁ ଉପରବେଳା ବୀରକିଶୋର ବଲ୍ଲଭ ପରେ ମୁଆଁଭୋଗ ଲାଗିହୁଏ । ଠାକୁରଙ୍କୁ କେବଳ ଲିଆ ଗୁଡ଼ପାଗ ମୁଆଁ ହିଁ ଲାଗି ହୁଏ । ଏହା ବ୍ୟତୀତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପାଖରେ କାର୍ତ୍ତିକମାସରେ ବେଣ୍ଟମୁଆଁ ଭୋଗଲାଗି କରାଯାଏ | କେନ୍ଦ୍ରାପଡ଼ାର ଶ୍ରୀବଳଦେବଜୀଉଙ୍କ ପାଖରେ ମଧ୍ୟ କାର୍ତ୍ତିକପୂର୍ଣ୍ଣିମାରେ ମୁଆଁ ଭୋଗ ପରମ୍ପରା ରହିଛି।
ଧନୁ ସଂକ୍ରାନ୍ତିର ମହତ୍ତ୍ଵ-
ଏହି ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟ ହେଉଛି ପ୍ରଚଣ୍ଡ ଶୀତର ସମୟ । ଏହି ସମୟରେ ମଣିଷମାନେ ଅଳସୁଆ ହୋଇ ଡେରିରେ ଶଯ୍ୟା ତ୍ୟାଗ କରନ୍ତି । କିନ୍ତୁ ଶ୍ରୀ ମନ୍ଦିର ପରମ୍ପରାରେ ଏହା ଓଲଟା ହୋଇଥାଏ । ଏହି ମାସ ଯାକ ମହାପ୍ରଭୁଙ୍କ ନୀତିକାନ୍ତି ସୂର୍ଯ୍ୟେୋଦୟ ବହୁ ପୁର୍ବରୁ ପାଳିତ ହୁଏ । ଯେଉଁ ସମୟରେ ଲୋକେ ଶଯ୍ୟାରୁ ଉଠିବାକୁ ଇଛା ହେଉନଥାଏ ସେହି ସମୟରେ ମହାପ୍ରଭୁଙ୍କ ସ୍ନାନ ଅବକାଶ ଆଦି ନୀତି ଅନୁଷ୍ଠିତ ହୋଇ ବାଳ ଭୋଗ ଲାଗି ହୋଇ ସାରିଥାଏ । ଶ୍ରୀଜୀଉଙ୍କର ଏହି ପହିଲି ଭୋଗ ନୀତି ଆମକୁ ଶିଖାଇ ଥାଏ ଶୀତଦିନରେ ଅଳସୁଆ ନ ହୋଇ କର୍ମଠ ହେବାକୁ । ଏହା ବ୍ୟତୀତ ଏହି ସମୟ ହେଉଛି ଶସ୍ୟ ଅମଳର ସମୟ । କର୍ମ ପରାୟଣ ହୋଇ ଏହି ମାସରେ ଶସ୍ୟ ଅମଳ କାର୍ଯ୍ୟରେ ଲାଗିବାକୁ ଏହି ନୀତିକାନ୍ତି ଆମକୁ ଶିଖେଇ ଥାଏ । ଗୋଟିଏ ମାସର ଶସ୍ୟ ଅମଳ ବର୍ଷକ ପର୍ଯ୍ୟନ୍ତ ଆହାର ଯୋଗାଇଥାଏ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/17/dhanu-sankrati-2025-12-17-13-14-33.jpg)