Joranda Math Photograph: (OTV)
୧୮୩୮ ମସିହା କିମ୍ବା ତା' ପାଖାପାଖି ସମୟର କଥା । ସେତେବେଳେ ଢେଙ୍କାନାଳ ରାଜ୍ୟ ଥିଲା ତତ୍କାଳୀନ ରାଜା ଭାଗୀରଥ ଭ୍ରମରବର ମହିନ୍ଦ୍ର ବାହାଦୂରଙ୍କର ଶାସନାଧୀନ । ଦିନେ ରାଜାଙ୍କ ପାଖରେ ହଠାତ୍ ଏକ ସମ୍ବାଦ ଆସି ପହଞ୍ଚିଲା । କୁମ୍ଭୀପଟ ପିନ୍ଧିଥିବା ଜଣେ କେହି ସନ୍ନ୍ୟାସୀ ଆସି କପିଳାସରେ ପହଞ୍ଚିଛନ୍ତି । ରାଜା ତାଙ୍କ ବିଷୟରେ ଅନୁସନ୍ଧାନ କଲେ । ଜାଣିଲେ ନବାଗତ ସନ୍ନ୍ୟାସୀଙ୍କ ନାମ ହେଉଛି ‘ବାଳକୃଷ୍ଣ ଦାସ' । ସେ ଭୁବନେଶ୍ଵରର ଖଣ୍ଡଗିରି ଉଦୟଗିରି ଗୁମ୍ଫାରେ ସାଧନା କରୁଥିଲେ । ତାଙ୍କୁ ଧୂଳିଆ ବାବା ବୋଲି କୁହାଯାଏ । ସେ ଏଠାକୁ ଆସିଛନ୍ତି ପ୍ରଥମ ଥର ପାଇଁ ଏବଂ ଏଠାରେ କିଛିଦିନ ରହି ଯୋଗସାଧନା କରିବେ । ରାଜା ଏ ସମ୍ବାଦ ପାଇ ଆନନ୍ଦିତ ହେଲେ ଏବଂ ତାଙ୍କର ସୁରକ୍ଷା ପ୍ରତି ସଜାଗ ରହିଲେ । କିଛିଦିନ ବିତିଗଲା । ସନ୍ନ୍ୟାସୀ ଅନୁଭବ କଲେ, କପିଳାସ ହେଉଛି ମୁନିଋଷି-ମାନଙ୍କର ସାଧନାପୀଠ । ସେମାନେ ଅତୀତରେ ଏଠାରେ ସିଦ୍ଧିଲାଭ କରିଛନ୍ତି । ଏଠାରେ ସେ ଏକାନ୍ତ ଚିତ୍ତରେ ସାଧନା କଲେ ନିଶ୍ଚିତ ଭାବରେ ସିଦ୍ଧିଲାଭ କରିବେ । ସେ କପିଳାସ ଛାଡ଼ିବା ପାଇଁ ଆଉ ମନ ବଳାଇଲେ ନାହିଁ । ରାଜାଙ୍କଠାରୁ ଅନୁମତି ଲାଭ କରି ସେଠାରେ ଏକ ଟୁଙ୍ଗି ନିର୍ମାଣ କରି ରହିଲେ । ରାଜା ଏ ଦିଗରେ ଅଯାଚିତ ସାହାଯ୍ୟ ଓ ସହଯୋଗ ସନ୍ନ୍ୟାସୀଙ୍କୁ ପ୍ରଦାନ କଲେ ।
ବକ୍କଳଧାରୀ ସନ୍ନ୍ୟାସୀ ବୁଦ୍ଧଦେବଙ୍କ ପରି ଆଶ୍ରମର ବୃକ୍ଷବେଷ୍ଟିତ ଛାୟାମଞ୍ଚରେ ବସି ତପସ୍ୟା ଆରମ୍ଭ କଲେ । ତପଶ୍ଚର୍ଯ୍ୟାରେ ଦୀର୍ଘ ୧୨ବର୍ଷ ଅତିବାହିତ ହେଲା । ତପସ୍ୟା ସମୟରେ ସେ ଗୋକ୍ଷୀର ବ୍ୟତୀତ ଅନ୍ୟକୌଣସି ଆହାର ଛୁଉଁ ନଥିଲେ । ରାଜା ମହିନ୍ଦ୍ର ବାହାଦୂର ସନ୍ନ୍ୟାସୀଙ୍କ ପାଇଁ କ୍ଷୀର ବ୍ୟବସ୍ଥା କରିବାର ଦାୟିତ୍ୱ ନେଇ ସେଠାରେ ଏକ ଗୋଶାଳା ପ୍ରତିଷ୍ଠା କଲେ । ବୁଦ୍ଧଦେବଙ୍କ ‘ବୁଦ୍ଧତ୍ଵ’ ପ୍ରାପ୍ତି ପରି ସନ୍ନ୍ୟାସୀ ବାରବର୍ଷ ପରେ ‘ମହିମାତ୍ଵ' ଲାଭ କଲେ ଏବଂ ଏକ ଦିବ୍ୟଜ୍ୟୋତି ତାଙ୍କ ମଧ୍ୟରେ ପ୍ରବେଶ କଲା । ସେ ଏକ ଜ୍ୟୋତିର୍ମୟ ସନ୍ୟାସୀ ରୂପରେ ଉଭା ହେଲେ । ଏହାପରଠାରୁ ସେ ‘ମହିମାସ୍ଵାମୀ’ ନାମରେ ଲୋକସମାଜରେ ପରିଚିତ ହେଲେ ।
ଯୋରନ୍ଦା ମଠର ଇତିହାସ -
ମହିମା ସ୍ବାମୀଙ୍କ ପୁଣ୍ୟ ଆଶୀର୍ବାଦ ବଳରେ ନିଃସନ୍ତାନ ରାଜା ମହିନ୍ଦ୍ର ବାହାଦୂର ସନ୍ତାନ ଲାଭ କଲେ । ଏହାହିଁ ତାଙ୍କ ଦିବ୍ୟମହିମାର ପ୍ରଥମ ପରିଚୟ । ସେ ‘ପ୍ରବୁଦ୍ଧଗୁରୁ ମହିମାସ୍ଵାମୀ' ନାମରେ ବିଖ୍ୟାତ ହେଲେ । କୃତଜ୍ଞତାର ସ୍ମାରକୀସୁରୂପ ରାଜା ତାଙ୍କର ସ୍ଥାୟୀ ରହଣି ପାଇଁ କପିଳାସ ନିକଟବର୍ତ୍ତୀ ଯୋରନ୍ଦାଠାରେ ଗୋଟିଏ ସ୍ଥାୟୀ ଟୁଙ୍ଗି ନିର୍ମାଣ କରିଦେଲେ । ଯୋରନ୍ଦାରେ ମଠ ଓ ଟୁଙ୍ଗି ନିର୍ମାଣର ସମୟ ହେଉଛି ୧୮୫୦ ମସିହା । ସେ ସେଠାରେ ସ୍ଥାୟୀ ଭାବରେ ରହି ତାଙ୍କ ଆଲୋକିତ ଜୀବନର ମହାବାଣୀ ଲୋକଙ୍କ ମଧ୍ୟରେ ପ୍ରଚାର କଲେ । ଏହି ଜ୍ୟୋତିର୍ମୟ ସନ୍ୟାସୀଙ୍କ ଦିବ୍ୟବାଣୀ ବହୁ ଲୋକଙ୍କୁ ଆକର୍ଷଣ କଲା । ସେମାନେ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ତାଙ୍କ ପ୍ରଚାରିତ ନୂତନ ଧର୍ମଟିର ନାମ ହେଲା "ସତ୍ୟ ମହିମାଧର୍ମ’ ଏବଂ ଏହା ସନାତନ ହିନ୍ଦୁଧର୍ମର ଏକ ଶାଖାରୂପେ ପରିଗଣିତ ହେଲା । ତାକୁ ସମସ୍ତେ ‘ମହିମା ଗୋସାଇଁ 'ବୋଲି ସମ୍ମାନିତ ଏବଂ ସମ୍ବୋଧନ କଲେ।
ଯୋରନ୍ଦା ଗାଦିର ଇତିହାସ -
ଯୋରନ୍ଦାଗାଦି ମହିମା ଧର୍ମର ଆଦିପୀଠ । ଏହା ଢେଙ୍କାନାଳ ଜିଲ୍ଲାର ସଦର ମହକୁମାଠାରୁ ପ୍ରାୟ ୨୪କି:ମି : ଦୂର । ଢେଙ୍କାନାଳ ରାଜା ମହିନ୍ଦ୍ର ବାହାଦୂର ମହିମାସ୍ଵାମୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଥିଲେ । ସେ ମହିମା ସ୍ୱାମୀଙ୍କର ସ୍ଥାୟୀ ବସବାସ ପାଇଁ ଯୋରନ୍ଦାର ଜାଗା ଯୋଗାଇଦେଲେ ଏବଂ ଏକ ସ୍ଥାୟୀମଠ ନିର୍ମାଣ କରାଇଦେଲେ । ମହିମାସ୍ବାମୀ ସେଠାରେ ଶିଷ୍ୟମାନଙ୍କ ଗହଣରେ ରହି ମହିମାଧର୍ମ ପ୍ରଚାର ପାଇଁ ବ୍ୟବସ୍ଥା କଲେ । ପ୍ରାୟ ଶହେଏକର ଜମି ଉପରେ ମହିମାଗାଦି ପ୍ରତିଷ୍ଠିତ ହୋଇଛି । ଏଥିରେ ଅଛି—ଶୂନ୍ୟମନ୍ଦିର, ଗାଦିମନ୍ଦିର, ଧୁନିମନ୍ଦିର, ନୀତି ଉପକରଣ ମନ୍ଦିର, ମଣୋହି ମଣ୍ଡପ, ଗ୍ରନ୍ଥାଗାର ଏବଂ ଗୋଶାଳା ଇତ୍ୟାଦି । ଏହାବ୍ୟତୀତ ଏଠାରେ ସତସଙ୍ଗବିହାର, ଭିକ୍ଷାସ୍ଥାନ, ସାଧୁମାନଙ୍କ ଅବସ୍ଥାନ ପାଇଁ ମଠ, ଅତିଥି ଅଭ୍ୟାଗତ ଏବଂ ଯାତ୍ରୀମାନଙ୍କ ବିଶ୍ରାମ ପାଇଁ ପ୍ରାୟ ଶହେଟି ଘର ଅଛି । ଭକ୍ତମାନଙ୍କ ଦାନରେ ଏହା ବିଶେଷ ଭାବରେ ପରିଚାଳିତ ହୁଏ । ପରାସନ୍ନ୍ୟାସୀମାନେ ଏହାର ପରିଚାଳନା ଦାୟିତ୍ୱରେ ରହନ୍ତି । କୌପୁନୀଧାରୀ ସନ୍ନ୍ୟାସୀମାନେ ସେମାନଙ୍କୁ ଏ ଦିଗରେ ସହଯୋଗ ଏବଂ ସାହାଯ୍ୟ କରନ୍ତି । ଯୋରନ୍ଦାପୀଠ ମଠମୟ । ବାବାମୟ ଏବଂ ଭକ୍ତମୟ । ଏହାର ପରିବେଶ ଅଲେଖ ମହିମା ଧ୍ୱନିତରଙ୍ଗରେ ଧ୍ଵନିମୟ ।
ମାଘ ମେଳାର ଗୁରୁତ୍ବ -
ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିଟି ମହିମା ଧର୍ମାବଲମ୍ବୀଙ୍କ ଏକ ଅତୀବ ପୁଣ୍ୟଦିବସ । ଏହି ପୁଣ୍ୟତିଥିରେ ଯୋରନ୍ଦାରେ ମହିମାସ୍ଵାମୀ ବ୍ରହ୍ମଧୁନି ସ୍ଥାପନ କରିଥିଲେ । ଏହି ତିଥିରେ ପ୍ରଥମ କରି ସେ ମହିମାଧର୍ମ ପ୍ରଚାରର ଶୁଭ ପକାଇଥିଲେ । ଏହି ପୂର୍ଣ୍ଣିମାକୁ ମହିମା ଭକ୍ତମାନେ ପ୍ରଭୁପୂର୍ଣିମା ବୋଲି କହନ୍ତି । ଏହାକୁ ମଧ୍ୟ ଗୁରୁପୂର୍ଣିମା ବୋଲି କୁହାଯାଏ । ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଯୋରନ୍ଦା ମହିମାଗାଦିରେ ମହିମାମେଳା ଅନୁଷ୍ଠିତ ହୁଏ । ସାରାଭାରତରୁ ଲକ୍ଷାଧି୍କ ଭକ୍ତଙ୍କର ସମାଗମ ଏଠାରେ ହୋଇଥାଏ । ମେଳାର ବିଶେଷ ଆକର୍ଷଣୀ ହେଉଛି ଝାଡ଼ବତୀର ଘୃତାହୁତି । ଏଥିରେ ମହଣ ମହଣ ଘିଅ ଆହୁତି ଦିଆଯାଏ । ଏହାବ୍ୟତୀତ ଅଖଣ୍ଡ ଧୁନିର ଅଗ୍ନିଭତ୍ସବ ଅତ୍ୟନ୍ତ ଆକର୍ଷଣୀୟ । ମନେହୁଏ, ଅଗ୍ନିପୂଜାର ଏହା ଏକ ମହୋତ୍ସବ । ଅଗ୍ନି ଜୀବନ ଏବଂ ଜ୍ୟୋତିର ପ୍ରତୀକ । ମହିମା ଗୋସାଇଁ ଯୋରନ୍ଦାଠାରେ ସ୍ଥାପନ କରିଥିବା ବ୍ରହ୍ମ ଧୁନିକୁ ଅଖଣ୍ଡିତ ଭାବେ ଧରି ରଖ୍ ଏହି ଧୁନି ମନ୍ଦିର ପ୍ରତିଷ୍ଠିତ । ଏଠାରେ କାଠର ଧୁନି ଜଳୁଥାଏ ଓ ଜଗତର ମଙ୍ଗଳ କାମନା କରି ଧୂନିରେ ଘିଅ ଆହୂତି ଦିଆଯାଏ । ଏହି ଧୁନି ପାଇଁ ଘିଅ ଓ କାଠ, ଭକ୍ତ ଓ ସାଧୁମାନେ ଯୋଗାଡ଼ କରିଥାନ୍ତି ।
କୁହାଯାଏ ୧୮୭୪ ମସିହାରେ ମହିମା ଗୋସାଇଁ ଯୋରନ୍ଦାରେ ଶେଷ ଧୂନି ମନ୍ଦିର ସ୍ଥାପନ କରି ମାଘ ପୂର୍ଣ୍ଣିମା ଦିନ ମହିମା ମେଳାର ଶୁଭାରମ୍ଭ କରିଥିଲେ ।
ମେଳାର ପାହାନ୍ତା ପୂର୍ଣ୍ଣମୀ -
ତ୍ରୟୋଦଶୀ ଦିନ ପାହାନ୍ତାରେ ପାହାନ୍ତା ଯାତ୍ରା ଆରମ୍ଭ ହୁଏ । ସେହି ପାହାନ୍ତା ମେଳା ପାହାନ୍ତା ପୂର୍ଣ୍ଣମୀ ନାମରେ ପରିଚିତ। ଏ ଉତ୍ସବରେ ବେଢ଼ା ପରିକ୍ରମା କାର୍ଯ୍ୟ ହୋଇଥାଏ। ବକ୍କଳଧାରୀ ମହିମା ସମାଜ ତରଫରୁ ଯେଉଁମାନେ ବକ୍କଳ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥାଆନ୍ତି ଓ କୌପିନୀଧାରୀ ମହିମା ସମାଜ ତରଫରୁ ଯେଉଁମାନେ ଆଡବନ୍ଧ ପାଇବା ପାଇଁ ମନୋନୀତ ହୋଇଥାନ୍ତି, ସେମାନେ ସେହି ଦିନ ବକ୍କଳ ଓ ଆଡବନ୍ଧ ପାଇ ସନ୍ନ୍ୟାସୀ ଶ୍ରେଣୀର ଉଚ୍ଚ ପାହାଚ ଲାଭ କରନ୍ତି। ଏ ଉତ୍ସବ ଦେଖିବା ପାଇଁ ସର୍ବସାଧାରଣ ଵା ଭକ୍ତବୃନ୍ଦଙ୍କୁ ପ୍ରବେଶ କରାଇ ଦିଆଯାଏ ନାହିଁ। ତ୍ରୟୋଦଶୀ ସନ୍ଧ୍ୟା ସୁଦ୍ଧା ଭଣ୍ଡାର ଘରଠାରୁ ସୁନା ରୂପାର ଆଲଟ ଚାମର, ଛତ୍ରୀ ଗାଦୀ ମନ୍ଦିରକୁ ପଠାଇ ଦିଆଯାଏ। ରାତିରେ ସେସବୁ ବେଢ଼ା ଭିତରେ ଥିବା ସଂରକ୍ଷିତ ସ୍ଥାନରେ ଭକ୍ତମାନେ ଦେଖିବା ପାଇଁ ରଖାଯାଏ।
ଭକ୍ତ ଓ ସନ୍ନ୍ୟାସୀଙ୍କ ପାଇଁ ଧର୍ମଶାଳା -
ମେଳାର ଚତୁର୍ଦ୍ଦଶୀ ଦିନସାରା ଶହ ଶହ ଗାଡିରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯାତ୍ରୀମାନେ ଆସି ମହିମା ମେଳା ପଡ଼ିଆରେ ରୁଣ୍ଡ ହୁଅନ୍ତି। ଯେଉଁଠି ଆସି ଗାଡି ରହେ ସେଠି ଧୂନି ମନ୍ଦିର ରହିଛି । ପ୍ରତ୍ୟେକ ଅଞ୍ଚଳର ମହିମା ସନ୍ନ୍ୟାସୀ ମାନେ ସେମାନଙ୍କର ଭକ୍ତ, ଶିଷ୍ୟ ଓ ମହିମାପ୍ରେମୀଙ୍କୁ ସାଙ୍ଗରେ ଧରି ଆସି ନିଜ ନିଜ ମଠକୁ ଯାଆନ୍ତି। ସାଙ୍ଗରେ ଆସିଥିବା ଭକ୍ତ ମାନଙ୍କର ରହିବା ଖାଇବା ବ୍ୟବସ୍ଥା କରନ୍ତି। ମହିମା ଗାଦିଠାରେ ପ୍ରାୟ ସବୁ ଅଞ୍ଚଳରେ ଭକ୍ତ ମାନେ ଚାନ୍ଦା ଦେଇ ଧର୍ମଶାଳା ନିର୍ମାଣ କରିଛନ୍ତି ତେଣୁ ସେମାନେ ଆସିଲେ ଏହି ଧର୍ମଶାଳାରେ ଆଶ୍ରୟ ନିଅନ୍ତି। ସ୍ଥାନ ଅଭାବ ଦୃଷ୍ଟିରୁ ହଜାର ହଜାର ଅସ୍ଥାୟୀ ଧର୍ମଶାଳା ( ଡାଳ ଛାମୁଡିଆ ) ତିଆରି ହେଇଥାଏ। ମେଳାର ଗୋଟେ ମାସ ପୂର୍ବରୁ ଭକ୍ତ ମାନଙ୍କ ପାଇଁ ମହିମା ସମାଜ ତରଫରୁ ହାଣ୍ଡି, ମାଠିଆ, ଚାଉଳ, ଡାଲି, କାଠ, ଖଲି ଇତ୍ୟାଦିର ସମସ୍ତ ବ୍ୟବସ୍ଥା ହୋଇଥାଏ।
ମହିମାଗାଦିରେ ଥିବା ଦର୍ଶନୀୟ ସ୍ଥାନ ଭିତରୁ ଗାଦି ମନ୍ଦିର, ଧୂନି ମନ୍ଦିର, ଶୂନ୍ୟ ମନ୍ଦିର, କୌପିନୀଧାରୀ ମହିମା ସମାଜ ପାଠାଗାର, ଘଣ୍ଟାଘର, ସିଂହଦ୍ଵାର, ପାଟଣା ମଠ, ଚଉମୁହଁ କୂଅ, ନୀତି ମନ୍ଦିର, ଭିକ୍ଷା ଭଣ୍ଡାର, ବତୀ ମନ୍ଦିର ଇତ୍ୟାଦି ପ୍ରଧାନ। ମହିମା ମେଳା ପରେ ସନ୍ନ୍ୟାସୀମାନଙ୍କର ଗୋଷ୍ଠୀ ଉତ୍ସବ ପାଳନ ହୁଏ। ସବୁ ସନ୍ନ୍ୟାସୀମାନେ ଗୋଷ୍ଠୀରେ ଏକାଠି ହୋଇ ସାରିଲା ପରେ ଦେଶ ଭ୍ରମଣ ପାଇଁ ବାହାରି ଯାଆନ୍ତି। ଏହିପରି ଭାବେ ସବୁବର୍ଷ ଯୋରନ୍ଦାରେ ମେଳା ଅନୁଷ୍ଠିତ ହୁଏ। ସବୁ ବର୍ଷ ହଜାର ହଜାର ଲୋକ ଏ ମେଳାରେ ଯୋଗଦାନ କରନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/joranda-math-2026-01-31-14-32-26.jpg)