ଗଜ ଉଦ୍ଧାରଣ ବେଶ Photograph: (OTV)
ଶ୍ରୀଜଗନ୍ନାଥ ମହାପ୍ରଭୁ (Lord Jagannath) ସ୍ଵୟଂ ପରଂବ୍ରହ୍ମ। ମହାପ୍ରଭୁ ବିଭିନ୍ନ ବେଶ ବେଶରେ ସଜେଇ ହୋଇ ଭକ୍ତଜନଙ୍କ ମନ ହରଣ କରନ୍ତି। ସେଥିପାଇଁ ମହାପ୍ରଭୁଙ୍କର ବିଭିନ୍ନ ନିତ୍ୟନୈମିତିକ ବେଶ ରହିଛି। ଏହି ବେଶରେ ଶ୍ରୀଜଗନ୍ନାଥ ବିଭିନ୍ନ ପାଟଲୁଗା, ବିଭିନ୍ନ ପ୍ରକାରର ଫୁଲ, ତୁଳସୀ, ଚନ୍ଦନରେ ସଜେଇ ହୁଅନ୍ତି। ଏହା ସହିତ ସୁନା, ରତ୍ନ ଅଳଙ୍କାରରେ ସୁଶୋଭିତ ହୁଅନ୍ତି। ମହାପ୍ରଭୁ ବିଭିନ୍ନ ବେଶରେ ମଣ୍ଡଣି ହେଲେ ବେଶ୍ ସୁନ୍ଦର ଦେଖାଯାଆନ୍ତି।
ଏହାବ୍ୟତୀତ ମହାପ୍ରଭୁଙ୍କର ସ୍ଵତନ୍ତ୍ର ବେଶ ରହିଛି। ବିଭିନ୍ନ ପର୍ବପର୍ବାଣିରେ ମହାପ୍ରଭୁ ସ୍ବତନ୍ତ୍ର ଓ ଦିବ୍ୟବେଶରେ ସୁସଜ୍ଜିତ ହୁଅନ୍ତି। ମହାପ୍ରଭୁଙ୍କର ସ୍ଵତନ୍ତ୍ର ବେଶ ହେଉଛି- ଅବକାଶ ବେଶ, ସୁନାବେଶ, ଡାଳିକିଆ (ତ୍ରିବିକ୍ରମ) ବେଶ, ରଘୁନାଥ ବେଶ, ରାଜରାଜେଶ୍ଵର ବେଶ, ଚନ୍ଦନଲାଗି ବେଶ, ନାଗାର୍ଜୁନବେଶ, ପଦ୍ମବେଶ, ପ୍ରଳମ୍ବାସୁର ବଧ ବେଶ, ରାଧାଦାମୋଦର ବେଶ, କୃଷ୍ଣବଳରାମ ବେଶ, ଲକ୍ଷ୍ମୀ ନାରାୟଣ (ଠିଆକିଆ) ବେଶ, ଆଡ଼କିଆ ( ଲକ୍ଷ୍ମୀନୃସିଂହ) ବେଶ, ନବାଙ୍କ ବେଶ, ଘୋଡ଼ଲାଗି ବେଶ, କାଳୀୟଦଳନ ବେଶ, ଗଜ ଉଦ୍ଧାରଣ ବେଶ, ଗଜାନନ ବେଶ, ବଡ଼ସିଂହାର ବେଶ, ବାମନ ବେଶ, ବଣଭୋଜି ବେଶ, ବାଙ୍କଚୂଡ଼ାବେଶ,ଚାଚେରୀବେଶ, ଶ୍ରାଦ୍ଧବେଶ ଇତ୍ୟାଦି।
ମହାପ୍ରଭୁଙ୍କର ବେଶସମୂହର ଇତିହାସରୁ ଜଣାଯାଏ ଯେ, ବିଭିନ୍ନ ସମୟରେ ବିଶିଷ୍ଟ ଧର୍ମ ପ୍ରଚାରକଗଣ, ରାଜା, ମହାରାଜା, ଜମିଦାର ତଥା ପ୍ରମୁଖ ଜଗନ୍ନାଥ ଭକ୍ତମାନଙ୍କ ଦ୍ବାରା ଏହିବେଶ ସବୁ ପ୍ରବର୍ଶିତ ହୋଇଥିଲା। ମହାପ୍ରଭୁ ତ ସ୍ଵୟଂ ଲୀଳାମୟ ଠାକୁର। ବିଭିନ୍ନ ବେଶ ଧାରଣ କରୁଥିବା ଏହି ମହାବିଷ୍ଣୁରୂପୀ ଜଗନ୍ନାଥଙ୍କର ଶୋଭାଶ୍ରୀ ଯେପରି ଚକ୍ଷୁ ଆନନ୍ଦଦାୟକ, ସେହିପରି ଚିତ୍ତବୋଧକ ଏବଂ ସର୍ବୋପରି ତତ୍ତ୍ୱପୂର୍ଣ ଓ ଆଧ୍ୟାତ୍ମିକ ଜିଜ୍ଞାସାର ମଞ୍ଜୁଳ ପରିପ୍ରକାଶ।
ଗଜଉଦ୍ଧାରଣ ବେଶର କାହାଣୀ
ମାଘମାସ ପୂର୍ଣିମା ତିଥିରେ ମହାପ୍ରଭୁଙ୍କର ଗଜଉଦ୍ଧାରଣ (Hati Besha) ବେଶ ଅନୁଷ୍ଠିତ ହୋଇଥାଏ। ଏହି ବେଶର ପୌରାଣିକ ଏବଂ ଆଧ୍ୟାତ୍ମିକ ଦିଗ ରହିଛି। ପୁରାଣରେ ଉଲ୍ଲେଖ କରାଯାଇଛି ଯେ, ଥରେ ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା। ଗଜରାଜକୁ ଜଳ ଭିତରେ କୁମ୍ଭୀର ଟାଣିବା ସମୟରେ ଗଜରାଜ ଉପାୟ ନ ପାଇ ଭଗବାନଙ୍କୁ ପ୍ରାର୍ଥନା କରିଥିଲା। ସଙ୍କଟମୁଖୀ ଏହି ଗଜରାଜକୁ କୁମ୍ଭୀର କବଳରୁ ରକ୍ଷା କରିବାପାଇଁ ଭଗବାନ ବିଷ୍ଣୁ ଲକ୍ଷ୍ମୀଙ୍କୁ ସଙ୍ଗରେ ନେଇ ଗରୁଡ଼ପିଠିରେ ବସି ସୁଦର୍ଶନଚକ୍ର ପେଷି କୁମ୍ଭୀର କବଳରୁ ଗଜରାଜକୁ ରକ୍ଷା କରିଥିଲେ। ଯେଉଁ କାହାଣୀକୁ ଆଧାର କରି ଭକ୍ତ କବି ସାଲବେଗ ଗାଇଥିଲେ -
"ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ
ଚକ୍ରପେଶି ନକ୍ର ନାଶି ଉଦ୍ଧରିଲ ଆପଣ ।"
ଆର୍ତ୍ତ ନିବାରଣକାରୀ ଭଗବାନ ବିଷ୍ଣୁ ଗଜରାଜକୁ ଘୋର ବିପଦରୁ ଉଦ୍ଧାର କରିଥିବାରୁ ମହିମାମୟ ମହାପ୍ରଭୁଙ୍କର ସେହି ମହିମାକୁ ପ୍ରତିପାଦନ କରିବାପାଇଁ ମାଘମାସ ପୂର୍ଣ୍ଣିମାଦିନ ମହାପ୍ରଭୁଙ୍କର ଗଜଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ।
ଗଜଉଦ୍ଧାରଣ ବେଶ
ଏହି ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ ପିଠିରେ ଉପବେଶନ କରନ୍ତି। ତାଙ୍କ କୋଳରେ ସୁନାର ମହାଲକ୍ଷ୍ମୀ ବିରାଜମାନ କରନ୍ତି। ଚୂଳ, କିରିଟୀ ଓ ଅଳଙ୍କାରମାନ ସୋଲ ଓ ଜରିରେ ତିଆରି ହୋଇ ଲାଗି ହୋଇଥାଏ। ମହାପ୍ରଭୁ ବଳଭଦ୍ର ଠାକୁର ମଧ୍ୟ ଶଙ୍ଖ, ଚକ୍ର, ହଳ ଓ ମୂଷଳ ଧାରଣ କରି ବାସୁଦେବ ରୂପରେ ବିରାଜମାନ କରନ୍ତି। ଦେବୀ ସୁଭଦ୍ରା କୃଷ୍ଣଙ୍କ ପରି ପାଦକୁ ଛନ୍ଦି ଗୋଟିଏ ପଦ୍ମକଢ଼ ଧରି ଦଣ୍ଡାୟମାନ ହୋଇଥା'ନ୍ତି। ଦୁଇଗୋଟି ହାତୀ ଶୁଣ୍ଢରେ ପଦ୍ମ ଧରି ବିପଦରୁ ରକ୍ଷା ପାଇବା ପାଇଁ ଶ୍ରୀଜଗନ୍ନାଥଙ୍କୁ ନିବେଦନ କରୁଥିବା ଭଙ୍ଗୀରେ ରହିଥା’ନ୍ତି। ଏହା ମହାପ୍ରଭୁଙ୍କର ଏକ ରମଣୀୟ ବେଶ। ସିଂହାସନ ତଳେ ପୋଖରିଆରେ ହାତୀ ଓ କୁମ୍ଭୀର ସଜା ହୋଇଥାଏ। ଏହି ବେଶରେ ଠାକୁରଙ୍କ ନିକଟରେ କ୍ଷୀରୀ ଓ ଅମାଲୁ ଭୋଗ ହୁଏ।
ବେଶର ଇତିହାସ
ସେହି ପୌରାଣିକ କାହାଣୀର ସ୍ମୃତିରେ ଶ୍ରୀମନ୍ଦିରରେ ବହୁ ପୁରାତନ ସମୟରୁ ଶ୍ରୀବିଗ୍ରହମାନଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଆସୁଛି। ଭୌମ ବଂଶର ରାଣୀ ବକୁଳ ମହାଦେବୀ ଏହି ବେଶ ପ୍ରଥମେ ପ୍ରଚଳନ କରାଇଥିଲେ। ତାପରେ କିଛି ବର୍ଷ ପାଇଁ ଏହା ବନ୍ଦ ହୋଇଯାଇଥିଲା। ୧୫୭୫ ମସିହାରେ ରାମଚନ୍ଦ୍ର ଦେବ ଠାକୁରମାନଙ୍କ ଗଜ ଉଦ୍ଧାରଣ ବେଶର ପୁନଃପ୍ରଚଳନ କରାଇଥିଲେ। ବାଲିସାହିରେ ଥିବା ବାସୁଦେବ ମଠର ମହନ୍ତ ବସୁଦେବ ବାବା ଗଜୋଦ୍ଧାରଣ ବେଶ କରାଇ ଆସୁଥିଲେ। ତାଙ୍କ ପରେ ରମେଶ ଚନ୍ଦ୍ର ମିତ୍ର କରାଉଥିଲେ। କେତେବର୍ଷ ଧରି ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଆର୍ଥିକ ସହାୟତାରେ ଏହି ବେଶ ଅନୁଷ୍ଠିତ ହେଉଥିଲା। ସମ୍ପ୍ରତି ଏହି ବେଶ ମନ୍ଦିର ପ୍ରଶାସନ ତରଫରୁ କରାଯାଉଛି। ଏହି ବେଶର ଅନ୍ୟନାମ ଗଜେନ୍ଦ୍ରମୋକ୍ଷ ବେଶ।
ଗଜୋଦ୍ଧାରଣ ବେଶ ନୀତି
ଗଜଉଦ୍ଧାରଣ ବେଶ ଦି’ପହର ଧୂପ ସରିବା ପରେ ହୋଇ ସନ୍ଧ୍ୟାରେ ସାହାଣ ମେଲା ହେବା ଯାଏ ରହିଥାଏ। ଗଜ ଉଦ୍ଧାରଣ ବେଶର ବିଶେଷତ୍ୱ ହେଲା ଏହି ବେଶରେ ଜଗନ୍ନାଥ ଓ ବଳଭଦ୍ର ଚତୁଃହସ୍ତ ରୂପେ ଓ ସୁଭଦ୍ରା ଦ୍ୱିଭୁଜ ବିଶିଷ୍ଟା ହୁଅନ୍ତି। ଚାରି ହାତଧାରୀ ଶ୍ରୀ ଜଗନ୍ନାଥ ଗରୁଡ଼ ଉପରେ ବସିଥିବାର ଦେଖାଯାଇଥାଏ। ଉଡ଼ିବା ଭଙ୍ଗୀରେ ଥିବା ଦୁଇଟି ଡେଣା ବିଶିଷ୍ଟ ଗରୁଡ଼ ମୁଖ୍ୟତଃ କାଠ, ଶୋଲ ଏବଂ ଜରିରେ ତିଆରି ହୋଇଥାଏ। ଡେଣା ମେଲି ଉଡୁଥିବା ଗରୁଡ଼ ପିଠିରେ ଜଗନ୍ନାଥ ପଦ୍ମାସନ ଭଙ୍ଗୀରେ ବସିଥାନ୍ତି ଶ୍ରୀ ଜଗନ୍ନାଥଙ୍କ ଚାରିହାତରେ ଶୋଲ ଓ ଜରିରେ ତିଆରି ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଶୋଭା ପାଇଥାଏ।
ପଦ୍ମାସନ ଭଙ୍ଗୀରେ ଗୋଟିଏ ଆସ୍ଥାନରେ ବସିଥିବା ବଳଭଦ୍ର ତାଙ୍କର ଉର୍ଦ୍ଧ୍ୱ ଦୁଇ ହାତରେ ଶୋଲ ଓ ଜରି ତିଆରି ଶଙ୍ଖ ଓ ଚକ୍ର ତଥା ତଳ ଦୁଇ ହାତରେ ହଳ (ବାମ) ଓ ମୂଷଳ (ଦକ୍ଷିଣ) ଧାରଣ କରିଥାନ୍ତି। ସୁଭଦ୍ରା ଦୁଇହାତ ଓ ଦୁଇ ପାଦଯୁକ୍ତା ହୋଇ କୃଷ୍ଣଙ୍କ ଭଳି ଛନ୍ଦାୟିତ ଭଙ୍ଗୀରେ ଛିଡ଼ା ହୋଇଥାନ୍ତି। ଦେବୀଙ୍କ ହସ୍ତଦ୍ୱୟ ମୁଷ୍ଟିବଦ୍ଧ ତଥା ତଳ ଉପର ହୋଇ ରହିଥାଏ ଏବଂ ସେ ଧରିଥାଆନ୍ତି ପଦ୍ମ କଢ଼ିଟିଏ।ଏହି ବେଶରେ କାଠ ଓ ଶୋଲ ନିର୍ମିତ ଦୁଇଟି ହାତୀ ପ୍ରତିମୂର୍ତ୍ତି ବ୍ୟବହୃତ ହୋଇଥାଏ। ଗୋଟିଏ ହାତୀ ବଳଭଦ୍ରଙ୍କ ନିକଟରେ ରତ୍ନ ସିଂହାସନ ଆଗରେ ପୋଖରୀଆରେ ଏବଂ ଅନ୍ୟଟି ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ସମ୍ମୁଖରେ ରଖାଯାଇଥାଏ। ଜଗନ୍ନାଥଙ୍କ ସମ୍ମୁଖରେ ଥିବା ହାତୀଟି ଆର୍ତ୍ତ ହରଣ ପାଇଁ ଆକୁଳ ନିବେଦନ କରୁଥିବା ଭଙ୍ଗୀରେ ପ୍ରଦର୍ଶିତ ହୁଏ। ତା’ର ପାଦଗୁଡ଼ିକ ମଧ୍ୟରେ ଥାଏ ଆକ୍ରମଣରତ କୁମ୍ଭୀରର ପିତୁଳା ଏବଂ ହାତୀଟିର ଟେକି ହୋଇଥିବା ଶୁଣ୍ଢରେ ଫୁଟିଥିବା ପଦ୍ମଫୁଲ ଶୋଭା ପାଇଥାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/01/gaja-uddharana-besha-2026-02-01-18-39-43.jpg)