Srimandir Photograph: (OTV)
ପଞ୍ଚକରେ ପୁରୀରେ ଅସମ୍ଭାଳ ଭିଡ଼। ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଠେଲାପେଲା । ସୁରକ୍ଷା ବ୍ୟବସ୍ଥାରେ ବଡ଼ ଢିଲା । ବ୍ୟାରିକେଡ ଭାଙ୍ଗି ପଶିଗଲେ ଶ୍ରଦ୍ଧାଳୁ । ସନ୍ଧ୍ୟାରେ ଉତ୍ତର ଦ୍ବାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା ବ୍ୟାରିକେଡକୁ ଠେଲି ପ୍ରାୟ ୫୦ ଜଣ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ମଧ୍ୟକୁ ପଶିଯାଇଥିଲେ। ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ବି ଲୋକଙ୍କୁ ଅଟକାଇ ପାରିନଥିଲା। ଫଳରେ ଠେଲାପେଲା ହୋଇ ବହୁସଂଖ୍ୟକ ଭକ୍ତ ଶ୍ରୀମନ୍ଦିର ଭିତରକୁ ପଶିଯାଇଥିଲେ । ଏହି ସମୟରେ ଦୁଇ ମହିଳା ଭକ୍ତ ତଳେ ପଡ଼ିଯାଇଥିଲେ।
ଉଛୁଳୁଛି ଶ୍ରୀକ୍ଷେତ୍ର। ପବିତ୍ର ପଞ୍ଚକର ପ୍ରଥମ ଦିନରେ ପୁରୀରେ ଅସମ୍ଭବ ଭିଡ଼। ମାର୍କେଟ ଛକଠାରୁ ଲମ୍ବା ବ୍ୟାରିକେଡରେ ଯାଇ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ କରି ଭାବବିହ୍ବଳ ଶ୍ରଦ୍ଧାଳୁ। ଲକ୍ଷଲକ୍ଷ ଭକ୍ତଙ୍କ ଆଗମନକୁ ଦେଖି ପୋଲିସ ପ୍ରଶାସନ ନାନା ବ୍ୟବସ୍ଥା କରିଥିବାବେଳେ ଏହାକୁ ଆଉ ଟିକେ ବ୍ୟାପକ କରିବାକୁ ମତପ୍ରକାଶ ପାଇଛି। ସେପଟେ ଶ୍ରୀକାକୁଲମ ଭେଙ୍କେଟେଶ୍ବର ମନ୍ଦିରରେ ଦଳାଚକଟା ପରେ ଅଧିକ ତତ୍ପର ଓ ସତର୍କ ପୋଲିସ-ପ୍ରଶାସନ।...
ଛୁଟି ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ
ବଡ଼ଦାଣ୍ଡରେ ଜନସମୁଦ୍ର, ସିଂହଦୁଆରେ ଭକ୍ତିର ଜୁଆର। ଆଖି ଯେଉଁଠିକି ଦେଖୁଛି, ଯେତିକି ବାଟ ଦେଖୁଛି ଖାଲି ଶ୍ରଦ୍ଧାଳୁ ଆଉ ଶ୍ରଦ୍ଧାଳୁ। ପାହାନ୍ତାରୁ ବେଳଗଡ଼ି ରାତିହେଲାଣି, ତଥାପି ନା ଧାଡ଼ି ଛିଡ଼ୁଛି ନା ଭକ୍ତଙ୍କ ଆଗମନ ଧୀର ପଡ଼ୁଛି। ପବିତ୍ର ପଞ୍ଚକରେ ଶ୍ରୀକ୍ଷେତ୍ର ପୁରୀରେ ଅସମ୍ଭବ ଭିଡ଼। ପଞ୍ଚକର ପ୍ରଥମ ଦିନ, ତା ପୁଣି ରବିବାର ଛୁଟି। କାଳିଆ ସାଆନ୍ତଙ୍କ ଦର୍ଶନ ପାଇଁ ଛୁଟିଆସିଛନ୍ତି ଲକ୍ଷ ଲକ୍ଷ ଭକ୍ତ। କିଏ ଭିଡ଼ ଭୟରେ ପତିତପାବନଙ୍କୁ ଦର୍ଶନ କରି ଫେରୁଛି ତ ଆଉ କିଏ ଜଗାକୁ ଦେଖିବାକୁ ଜିଦ୍ ଧରି ଲମ୍ବା ଲାଇନରେ ଅପେକ୍ଷା କରୁଛି ।...
ବ୍ୟାରିକେଡ ଗହଳିରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ଅନେକ ବଡ଼ଦାଣ୍ଡରେ ଚକାପାରି ବି ବସିପଡ଼ୁଛନ୍ତି । ଇଏ ହେନା ଗୁରୁ- ଦୁଇ ଗୋଡ଼ ନାହିଁ, ଗୋଟିଏ ହାତ ବି ହରେଇସାରିଛନ୍ତି। ତଥାପି ଜଗାକୁ ଦେଖିବାକୁ ଯାଜପୁରରୁ ଧାଇଁଆସିଛନ୍ତି ।...
ଭୋର ୩ଟା ୪୫ରେ ସିଂହଦ୍ବାର ଖୋଲିବାପରେ ନିର୍ଦ୍ଧାରିତ ନୀତିକାନ୍ତି ସହିତ ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି କାଳିଆ ସାଆନ୍ତ। ଆଜି ହରିଉତ୍ଥାପନ ନୀତି ବି ଅନୁଷ୍ଠିତ ହେଉଛି ।
ଗତକାଲି ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଭେଙ୍କେଟେଶ୍ବର ମନ୍ଦିରରେ ଦଳାଚକଟା ପରେ ଶ୍ରୀମନ୍ଦିରରେ ଅଧିକ ତତ୍ପର ରହିଛି ପୋଲିସ-ପ୍ରଶାସନ । ଲକ୍ଷଲକ୍ଷ ଭକ୍ତଙ୍କ ଭିଡ଼ ଯୋଗୁଁ ଯେଭଳି କୌଣସି ଅଘଟଣ ନଘଟେ ସେଥିପ୍ରତି ସ୍ବତନ୍ତ୍ର ନଜର ରଖାଯାଇଛି। ତା ସତ୍ତ୍ୱେ ବି ଆଜି ବ୍ୟାରିକେଡ ଭାଙ୍ଗିଛି । ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି ନିଜେ କେନ୍ଦ୍ରାଞ୍ଚଳ ଡିଆଇଜି । କେବଳ ସିଂହଦ୍ବାରରେ ପ୍ରବେଶ ଓ ଅନ୍ୟ ତିନିଦ୍ବାରରେ ପ୍ରସ୍ଥାନ କରାଯାଉଛି। ବ୍ୟାରିକେଡରେ କୁଲର୍ ଓ ଥଣ୍ଡା ପାନୀୟର ବ୍ୟବସ୍ଥା ହୋଇଛି।
ଦର୍ଶନ ସାରିଥିବା ଶ୍ରଦ୍ଧାଳୁଙ୍କୁ ତୁରନ୍ତ ଶ୍ରୀମନ୍ଦିରରୁ ବାହାରକୁ ଆଣିବା ଉପରେ କାର୍ଯ୍ୟ କରୁଛି ସ୍ପେଶାଲ୍ ଡ୍ରାଗିଂ ଟିମ୍। ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୩୨ ପ୍ଲାଟୁନ୍ ଫୋର୍ସ। ସେପଟେ ଦର୍ଶନ ସମୟରେ ତରତର ନହୋଇ ମନ୍ଦିର ପ୍ରଶାସନର ନିୟମ ମାନିବାକୁ ଶ୍ରଦ୍ଧାଳୁଙ୍କୁ ଅନୁରୋଧ କରିଛନ୍ତି ଆଇନମନ୍ତ୍ରୀ ।
ଏପଟେ ସିଂହଦ୍ବାର ଆଗରେ ମନମୋହୁଛି ଭଳିକିଭଳି ଆକର୍ଷଣୀୟ ଝୋଟିଚିତା। ଆସନ୍ତାକାଲି ଦ୍ୱାଦଶୀ କ୍ଷୟ ପଡୁଥିବାରୁ ବାଙ୍କଚୂଡ ବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ। କାଲି ମହାପ୍ରଭୁ ତ୍ରିବିକ୍ରମ ବେଶରେ ଦର୍ଶନ ଦେବେ।....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/02/srimandir-2025-11-02-20-02-28.jpg)