OTV Awards Photograph: (OTV)
ଶାରଦୀୟ ଦୁର୍ଗାପୂଜାରେ ଶ୍ରେଷ୍ଠଙ୍କୁ ସ୍ବୀକୃତିର ନୂଆ ଧାରା। ଓଟିଭି ପକ୍ଷରୁ ଆୟୋଜିତ ଆମ ସାହି ମେଢ଼ ପ୍ରତିଯୋଗିତାର ଭିନ୍ନ ଭିନ୍ନ ବିଭାଗରେ ଶ୍ରେଷ୍ଠସ୍ଥାନ ହାସଲ କରିଥିବା ଟୁଇନସିଟିର 14ଟି ପୂଜା ମଣ୍ଡପକୁ ଆଜି ପୁରସ୍କୃତ କରାଯାଇଛି। ଟୁଇନସିଟିରେ ମଣ୍ଡପରୁ ମଣ୍ଡପ ବୁଲି ଏହି ପୁରସ୍କାର ପ୍ରଦାନ କରାଯାଇଛି। ଆଉ ପ୍ରଥମଥର ପାଇଁ ଓଟିଭି ପକ୍ଷରୁ ଏ ନିଆରା ପ୍ରୟାସକୁ ବେଶ୍ ପ୍ରଶଂସା କରିଛନ୍ତି ପୂଜାକମିଟି।...
କେଉଁଠି ଖୁସିରେ ପର ଲାଗି ଯାଇଥିଲା ତ କେଉଁଠି ଆକାଶ ଛୁଆଁ ଉତ୍ସାହ...ଓଟିଭି ଟିମ୍ ହାତରୁ ପୁରସ୍କୃତ ଟୁଇନ୍ସିଟିର ସବୁ ଦୁର୍ଗାପୂଜା କମିଟି ପ୍ରାଙ୍ଗଣରେ ଆଜି ଏମିତି ଥିଲା ପରିବେଶ।...ଦୁର୍ଗାପୂଜା ଅବସରରେ ପ୍ରଥମଥର ପାଇଁ ଆୟୋଜିତ ଆମ ସାଢ଼ି ମେଢ଼ ପ୍ରତିଯୋଗିତାର କାଲି ରେଜଲ୍ଟ ଘୋଷଣା ପରେ ଆଜି ଥିଲା ପୁରସ୍କାର ପ୍ରଦାନର ପର୍ବ। ଦୁର୍ଗା ପୂଜା ପାଇଁ ପ୍ରସିଦ୍ଧ ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ସହରରୁ ଆରମ୍ଭ ହୋଇଥିଲା ବିଭିନ୍ନ ବର୍ଗରେ ଶ୍ରେଷ୍ଠକୁ ସ୍ବୀକୃତି ପ୍ରଦାନର ଅଭିଯାନ।
ପ୍ରଥମେ ଫିରିଙ୍ଗିବଜାର ପୂଜା କମିଟିକୁ ମଳିଥିଲା ଶ୍ରେଷ୍ଠ ଦଶହରା ମେଢ଼ ପୁରସ୍କାର। ପରେ ପରେ ଶ୍ରେଷ୍ଠ ଭୋଗ ପାଇଁ ଅଲିଶାବଜାର ପୂଜା କମିଟି, ବେଷ୍ଟ ଜୁଏଲାରୀ ପାଇଁ ମଙ୍ଗଳାବାଗ ପୂଜା କମିଟି, ବେଷ୍ଟ ଇଭେଣ୍ଟ ଓ କଲ୍ଚରାଲ୍ ବର୍ଗରେ ଖାନ ନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟିକୁ ପୁରସ୍କୃତ କରାଯାଇଥିଲା। ସେହିପରି ଟୁଇନସିଟିର ସବୁଠୁ ବଡ଼ ମେଢ଼ ଭାବେ ରାଣୀହାଟ, ବେଷ୍ଟ ଅଲରାଉଣ୍ଡର ଭାବେ ମାଲଗୋଦାମ ପୂଜା କମିଟି ଏବଂ ଶ୍ରେଷ୍ଠ ପୂଜା କମିଟି ଭାବେ ଚୌଧୁରୀ ବଜାରକୁ ପୁରସ୍କୃତ କରାଯାଇଥିଲା।
ଓଟିଭି ପକ୍ଷରୁ ପୂଜା ମଣ୍ଡପ ମାନଙ୍କ ପାଇଁ ପୁରସ୍କାର ପ୍ରଦାନର ଏ ନୂଆ ଧାରାକୁ ଭୂରି ଭୂରି ପ୍ରଶଂସା କରିଥିଲେ, ପୁରସ୍କୃତ ହୋଇ ଖୁସିରେ ବିଭୋର ଥିଲେ କମିଟିମାନଙ୍କ ପ୍ରତିଟି କର୍ମକର୍ତ୍ତା।...
କଟକ ପରେ ପାଳି ଥିଲା ଆକର୍ଷଣୀୟ ତୋରଣ, ଡେକୋରେସନ୍ ଓ ଥିମ୍ କୁ ନେଇ ପ୍ରସିଦ୍ଧ ରାଜଧାନୀ ଭୁବନେଶ୍ବର।
ଘୋଷଣା ମୁତାବକ ଶ୍ରେଷ୍ଠ ତୋରଣ ପୁରସ୍କାର ଯାଇଥିଲା ସହିଦନଗର ପୂଜା ମଣ୍ଡପକୁ। ସେହିପରି ବେଷ୍ଟ ଡେକୋରେସନ୍ ପାଇଁ ବମିଖାଲ ପୂଜା କମିଟି, ଶ୍ରେଷ୍ଠ ଆଲୋକୀକରଣ ପାଇଁ ପଥରଗାଡ଼ିଆ ଓ ବେଷ୍ଟ ଥିମ୍ ପାଇଁ ରସୁଗଲଗଡ ପୂଜା କମିଟିକୁ ପୁରସ୍କୃତ କରାଯାଇଥିଲା। ଅପରପକ୍ଷେ ଶ୍ରେଷ୍ଠ ପାର୍ଶ୍ବ ଦେବତା ପାଇଁ ଭି ଏସ୍ ଏସ୍ ନଗର ପୂଜା କମିଟି, ବେଷ୍ଟ ମୀନାବଜାର ପାଇଁ ନୂଆପଲ୍ଲୀ ପୂଜାମଣ୍ଡପ ଏବଂ କ୍ରିଏଟିଭ୍ ଥିମ୍ ପାଇଁ ପୁରୁଣା ଷ୍ଟେସନ ବଜାର ପୂଜା କମିଟିକୁ ପୁରସ୍କୃତ କରାଯାଇଛି।...
ଅନଲାଇନ୍ ରେଜିଷ୍ଟ୍ରେସନ୍ ପରେ ଓଟିଭି ଆମସାହି ମେଢ-2025 ପ୍ରତିଯୋଗିତାର 14ଟି ବର୍ଗରେ ସିଲଭର ସିଟି କଟକରୁ 29 ଏବଂ ମନ୍ଦିରମାଳିନୀ ସହର ଭୁବନେଶ୍ବରରୁ 13ଟି ଏହିପରି ମୋଟ୍ 42ଟି ପୂଜା କମିଟି ଭାଗ ନେଇଥିଲେ। ପେଣ୍ଡାଲକୁ ପେଣ୍ଡାଲ ଯାଇ ଜୁରୀଙ୍କ ଯାଞ୍ଚ୍ ପରଖ, ମତ ଓ ଦର୍ଶକଙ୍କ ପ୍ରତିକ୍ରିୟା ଆଧାରରେ କଟକରୁ 7 ଓ ଭୁବନେଶ୍ବରରୁ 7 ଏମିତି 14ଟି ମଣ୍ଡପକୁ ବିଜେତା ଘୋଷଣା କରାଯାଇଥିଲା।
ବିଚାରକ ଦାୟିତ୍ବ ତୁଲାଇଥିଲେ ବରିଷ୍ଠ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ ଓ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଆଉ ଆଜି ଓଟିଭି ପକ୍ଷରୁ ମଣ୍ଡପ ମଣ୍ଡପ ବୁଲି ପୂଜା କମିଟିମାନଙ୍କୁ ବିଭିନ୍ନ ବିଭାଗର ବିଜେତା ଟ୍ରଫି ପ୍ରଦାନ କରାଯାଇଥିଲା।..
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/01/otv-awards-2025-10-01-21-32-17.jpg)