New Party Photograph: (OTV)
ଓଡ଼ିଶାରେ ଆଉ ଏକ ନୂଆ ରାଜନୈତିକ ଦଳ ହେବ କି ନାହିଁ, ସେ ନେଇ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା, ତାହା ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ନିକଟରେ ଦେଇଥିବା ସ୍ପଷ୍ଟୋକ୍ତି ପରେ ଏକ ପ୍ରକାର ପ୍ରଶମିତ ହେବାକୁ ଯାଉଛି ।
ମୋକିମ୍ କହିଛନ୍ତି ଯେ ଆସନ୍ତା ମାର୍ଚ୍ଚ ମାସରେ ନୂଆ ଦଳ ଆତ୍ମପ୍ରକାଶ କରିବ । ସେ ଆହୁରି କହିଛନ୍ତି ଯେ ଦଳର ନାମ ଯାହା ରହିବ ତାହା ମଧ୍ୟରେ “ଓଡ଼ିଶା’ ଓ ‘କଂଗ୍ରେସ’ ନିଶ୍ଚିତ ରହିବ ।
ମୋକିମ୍ଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଯାଇଛି ଯେ ପ୍ରସ୍ତାବିତ ଦଳ ଆଞ୍ଚଳିକ ଚରିତ୍ରର ହିଁ ହେବ । ତେବେ ଦଳର ପୂର୍ଣ୍ଣ ନାମ ମଧ୍ୟରେ ‘ଓଡ଼ିଶା’ ଓ ‘କଂଗ୍ରେସ’ ଶବ୍ଦ ଦୁଇଟି ରହିବ । ଏହି ଦୁଇଟି ଶବ୍ଦ ମଝି ସ୍ଥାନରେ ‘ଜନତା’ କିମ୍ବା ‘ଲୋକ’ ଶବ୍ଦ ରହିବ କିମ୍ବା ଏହା ବଦଳରେ ଜନତା ବା ଲୋକମାନଙ୍କୁ ବୁଝାଉଥିବା ଅନ୍ୟ କିଛି ଶବ୍ଦ ରହିପାରେ ।
ରାଜନୀତିରେ ରୁଚି ରଖୁଥିବା ଅନେକଙ୍କ ମନରେ ପ୍ରଶ୍ନ — କ’ଣ ରହିଛି ଏହି ତିନିଗୋଟି ଶବ୍ଦ ମଧ୍ୟରେ? କାହିଁକି ମୋକିମ୍ ଏହି ଦୁଇଟି ଶବ୍ଦ ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ତୃତୀୟ ଶବ୍ଦଟି କ’ଣ ହେବ ସେ ନେଇ କସରତ କରୁଛନ୍ତି ?
ଯେ କୌଣସି ଦଳର ନାମକରଣ କଲାବେଳେ ପ୍ରଥମେ ଲୋକମାନଙ୍କୁ ସାମ୍ନାରେ ରଖାଯାଇଥାଏ । କେଉଁ ଶବ୍ଦ ସେମାନଙ୍କ ନିକଟରେ ତ୍ୱରିତ ପହଞ୍ଚିପାରିବ ଏବଂ ସେମାନେ ସେହି ଶବ୍ଦ ସହିତ ଆବେଗିକ ଭାବେ ଯୋଡି ହୋଇପାରିବେ । ‘ଓଡ଼ିଶା’ ଶବ୍ଦ ଦ୍ୱାରା ଓଡ଼ିଆ ଲୋକମାନେ ଏହା ଖାଣ୍ଟି ଓଡ଼ିଶାର ଦଳ ବୋଲି ଭାବିବେ । ଓଡ଼ିଶା ଓ ଓଡ଼ିଆମାନଙ୍କ ପାଇଁ ଏହା ସମର୍ପିତ ବୋଲି ବିବେଚନା କରିବା ସହିତ ଏହା ସହିତ ସମ୍ପର୍କ ରକ୍ଷା କରିବା ସହିତ ନିବିଡ଼ତା ପାଇଁ ଚେଷ୍ଟା କରିବେ ।
ମୋକିମ୍ କଂଗ୍ରେସ ଦଳରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ । ନୂଆ ଦଳ ନାମରେ ‘କଂଗ୍ରେସ’ ଶବ୍ଦକୁ ଅନ୍ତର୍ଭୁକ୍ତ କରି ସେ କଂଗ୍ରେସ ଦଳର କର୍ମୀ ଓ ନେତାମାନଙ୍କୁ ଏହି ଦଳ ପ୍ରତି ଆକର୍ଷିତ କରିବା ପାଇଁ ପ୍ରୟାସ କରୁଥିବା ଜଣାଯାଏ ।
ଗୋଟିଏ କଥା ସ୍ପଷ୍ଟ ଯେ ଉପକୂଳ ଓଡ଼ିଶାରେ ଅଣକଂଗ୍ରେସ ଓ ଅଣବିଜେପି ଲାଗି ଗୋଟିଏ ବଡ଼ ରାଜନୈତିକ ସ୍ଥାନ ରହିଛି । ଏହି କଥାକୁ ଅନୁଭବ କରି ୧୯୯୭ରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଯେହେତୁ ୨୦୨୪ ବିଧାସଭା ନିର୍ବାଚନ ପରାଜୟ ପରେ ବିଜୁ ଜନତା ଦଳ ଏବେ ଅବକ୍ଷୟମୁଖୀ, ନୂଆ ଦଳ ହୁଏତ ସେହି ସ୍ଥାନ ନେଇପାରେ ବା ବିଜୁ ଜନତା ଦଳରୁ ସେହି ସ୍ଥାନ ମଧ୍ୟରୁ କିଛି ଭାଗବଣ୍ଟା କରି ପାରିବାର ସମ୍ଭାବନା ମୋକିମ୍ ଦେଖୁଛନ୍ତି ।
ଅତୀତରେ ‘ଜନତା ପାର୍ଟି’, ‘ଜନତା ଦଳ’ ଓ ‘ଲୋକ ଦଳ’ ବଡ଼ ଅଣକଂଗ୍ରେସ ଓ ଅଣବିଜେପି ଶକ୍ତି ଭାବରେ ନିଜକୁ ପ୍ରତିଷ୍ଠା କରିପାରିଥିଲେ । ତେଣୁ ‘ଓଡ଼ିଶା’ ଓ ‘କଂଗ୍ରେସ’ ମଧ୍ୟରେ ‘ଜନତା‘ ଓ ‘ଲୋକ’ ଶବ୍ଦ ଭର୍ତ୍ତି କରି ସେ ଅଣକଂଗ୍ରେସ ଓ ଅଣବିଜେପି ମତିସମ୍ପନ୍ନ ଲୋକମାନଙ୍କୁ ନିଜ ଆଡ଼କୁ ନେବା ପାଇଁ ଲକ୍ଷ୍ୟ ରଖିଛନ୍ତି । ନୂଆଦଳରେ ‘କଂଗ୍ରେସ’ଟିକୁ ସ୍ଥାନିତ କରି ମୋକିମ୍ କଂଗ୍ରେସର ନେତାମାନଙ୍କୁ ନିଜ ଆଡ଼କୁ ଟାଣିବା ପାଇଁ ପ୍ରୟାସ କରୁଥିବା ସମୀକ୍ଷକମାନେ ମନେକରନ୍ତି ।
ଯେହେତୁ ବର୍ତ୍ତମାନ ରାଜ୍ୟ କଂଗ୍ରେସ କେନ୍ଦ୍ରୀୟ ନେତାମାନଙ୍କର ନଜର ଆଢୁଆଳରେ ରହିଛି, ଦଳ ବିଶେଷ ଭାବରେ ଅଗ୍ରଗତି କରିପାରୁନାହିଁ । ସେହିପରି ଦଳର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁ ଦଳ ମଧ୍ୟ ଭଲ ପ୍ରଦର୍ଶନ କରିପାରୁନାହିଁ । ଏହି ପ୍ରରିପ୍ରେକ୍ଷୀରେ ଦଳର ବେଶ୍ କିଛି ନେତା ପ୍ରତିପତ୍ତିଶାଳୀ ମୋକିମ୍ ସହିତ ନିର୍ବାଚନ ଖର୍ଚ୍ଚ ମେଣ୍ଟାଇବା ପାଇଁ ଯୋଗ ଦେଇପାରନ୍ତି ।
ମୋକିମଙ୍କ ନୂଆ ଆଞ୍ଚଳିକ ଦଳ ଗଠନ ପ୍ରୟାସ ସମୟରେ ପାଠକମାନେ ଓଡ଼ିଶାର ରାଜନୈତିକ ଇତିହାସରେ ଆଞ୍ଚଳିକ ଦଳମାନଙ୍କର ଉତ୍ଥାନ ଓ ପତନ ସମ୍ପର୍କରେ ସମ୍ୟକ ଜାଣିବାର ଆବଶ୍ୟକତା ରହିଛି । ୧୯୩୬ ମସିହାରେ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭବରେ ଗଠନ ହେବା ପରଠାରୁ ଅନେକ ଆଞ୍ଚଳିକ ଦଳ ଜନ୍ମଲାଭ କରିଛନ୍ତି । ହେଲେ ବିଜୁ ଜନତା ଦଳ ବ୍ୟତୀତ ଅନ୍ୟ କୌଣସି ଦଳ ପୂର୍ଣ୍ଣ ପାଞ୍ଚ ବର୍ଷ କ୍ଷମତାରେ ପୂରଣ କରିପାରିନାହାଁନ୍ତି ।
ପଶ୍ଚିମ ଓଡ଼ିଶାର ସାମାଜିକ-ଆର୍ଥିକ ତଥା ସାଂସ୍କୃତିକ ଭାବନାକୁ ନେଇ ୧୯୪୦ଦଶକରେ ଏକ ଆଞ୍ଚଳିକ ଶକ୍ତି ଭାବେ ଜନ୍ମ ନେଇଥିଲା ‘ଗଣତନ୍ତ୍ର ପରିଷଦ’ । ଏହା କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇ ୧୯୬୦ ଦଶକରେ ଅନ୍ୟମାନଙ୍କ ସହିତ ମିଶି କ୍ଷମତାକୁ ଆସିଲା । କିନ୍ତୁ ଏହାର ସୀମିତ ଭୌଗୋଳିକ ମୂଳାଧାର ଓ ଭାବନା ନେଇ ଏହା ଅଧିକ ଦିନ ତିଷ୍ଠି ରହିପାରିନଥିଲା ।
୧୯୬୬ ମସିହାରେ ଡକ୍ଟର ହରେକୃଷ୍ଣ ମହତାବ ‘ଜନ କଂଗ୍ରେସ’ ନାମରେ ଏକ ଆଞ୍ଚଳିକ ଦଳ ଗଠନ କଲେ । ଏହା ପରେ କଂଗ୍ରେସରେ ଅନ୍ତଃକନ୍ଦଳ ଯୋଗୁ ‘ଉତ୍କଳ କଂଗ୍ରେସ’ ଓ ‘ଜାଗ୍ରତ ଓଡ଼ିଶା’ ନାମରେ ଆଉ ଦୁଇଟି ଦଳ ମଧ୍ୟ ଆତ୍ମପ୍ରକାଶ କଲେ । ପୁରୋଭାଗରେ ରହି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ‘ଉତ୍କଳ କଂଗ୍ରେସ’ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ‘ଜାଗ୍ରତ ଓଡ଼ିଶା’ ଗଠନ କରିଥିଲେ । ଯଦିଓ ଏହି ରାଜନୈତିକ ଦଳଗୁଡିକ ଯଥାର୍ଥ ଭାବରେ ରାଜ୍ୟର ସ୍ୱାର୍ଥକୁ କେନ୍ଦ୍ରର ଉପେକ୍ଷା ନେଇ ସଠିକ୍ ଢଙ୍ଗରେ ଉପସ୍ଥାପନ କରିପାରୁଥିଲେ, କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଦଳର ନେତାମାନଙ୍କ ମଧ୍ୟରେ ଏକାଧିପତ୍ୟ ଜାହିର କରିବା ନେଇ ଯେଉଁ ପ୍ରତିଯୋଗିତା ହେଲା, ସେଥିରେ ସୋମାନଙ୍କର ଶକ୍ତି ହ୍ରାସ ପାଇଲା । ଫଳତଃ ସେମାନେ ପରବର୍ତ୍ତୀ ଅବସ୍ଥାରେ ଜାତୀୟ ଦଳ ସହିତ ମିଶିଯିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଥିଲେ ।
୧୯୯୭ ମସିହାରେ ବିଜୁ ଜନତା ଦଳ ଆତ୍ମପ୍ରକାଶ କଲା । ପୂର୍ବରୁ ଜନ୍ମଲାଭ କରି ଅକାଳ ମୃତ୍ୟୁ ଲଭିଥିବା ଆଞ୍ଚଳିକ ଦଳମାନଙ୍କର ଯେଉଁ ଗଠନମୂଳକ ଅସୁବିଧା ଥିଲା, ତାହାକୁ ଠିକ୍ କରି ଏହି ଦଳ ଆଗକୁ ବଢିଲା ଏବଂ ୨୪ ବର୍ଷରୁ ଉର୍ଦ୍ଧ୍ୱ ଶାସନରେ ରହିବା ପାଇଁ ସକ୍ଷମ ହେଲା ।
ବିଜୟଙ୍କ ଦଳ ତିଷ୍ଠି ପାରିନଥିଲା
ନବୀନଙ୍କୁ ଚ୍ୟାଲେଂଜ୍ କରି ବିଜୟ ମହାପାତ୍ର ‘ଓଡ଼ିଶା ଗଣପରିଷଦ’ ଗଠନ କରିଥିଲେ । ତାହା ଯଦି ପ୍ରାରମ୍ଭିକ ପର୍ଯ୍ୟାୟରେ କିଛିଟା ସଫଳତା ପାଇଥିଲା, ପରବର୍ତ୍ତୀ ପର୍ଯ୍ୟାୟରେ ଏହା ନିଜର ସ୍ଥିତି ରକ୍ଷା ପାଇଁ ଶରଦ ପାୱାରଙ୍କ ନେତୃତ୍ୱାଧୀନ ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି ସହିତ ମିଶିବା ପାଇଁ ବାଧ୍ୟ ହୋଇଥିଲା । ଏହା ପରେ ଯତୀଶ ମହାନ୍ତିଙ୍କ ‘ସମୃଦ୍ଧ ଓଡ଼ିଶା,’ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ‘ଆମ ଓଡ଼ିଶା’ ଓ ଖାରବେଳ ସ୍ୱାଇଁଙ୍କ ‘ଉତ୍କଳ ଭାରତ’ ପ୍ରଭୃତି ଦଳ ଜନ୍ମ ନେଇଥିଲେ ମଧ୍ୟ ସେମିତି କିଛି ନିର୍ବାଚନୀ ସଫଳତା ପାଇପାରିନଥିଲେ ।
ଗୋଟିଏ ଆଞ୍ଚଳିକ ଦଳ ଦୀର୍ଘଦିନ ଲାଗି ତିଷ୍ଠିପାରିବ ଯଦି ଏଥିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ରହିବ । କିନ୍ତୁ ଯାହା ଦେଖାଯାଇଛି ଯେ ଆଞ୍ଚଳିକ ଦଳମାନେ ସାମନ୍ତବାଦୀ ଚିନ୍ତାଧାରା ଠାରୁ କେବେ ସେମାନେ ଦୂରେଇ ରହିପାରି ନାହାନ୍ତି । ନିଜର ପରିବାର ସ୍ୱାର୍ଥ ସୁରକ୍ଷା କରିବା ବ୍ୟତୀତ ଏହି ଦଳମାନେ କେବେ ସାମର୍ଥ୍ୟବାନ୍ ବ୍ୟକ୍ତିମାନଙ୍କୁ ଆଗକୁ ବଢିବା ପାଇଁ ଦିଅନ୍ତି ନାହିଁ ।
ଏବେ ଦେଖିବାର କଥା ମୋକିମଙ୍କ ଦଳ ଆଭ୍ୟନ୍ତରୀଣ ଗଣତନ୍ତ୍ର ରକ୍ଷା କରିପାରୁଛି କି ନାହିଁ ?
ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/29/new-party-2026-01-29-16-31-20.jpg)