Sujata-Entry-BJD Photograph: (OTV)
ଭାରି ତାମଝାମ ହେଲା । କ୍ଷେତ୍ର ପ୍ରସ୍ତୁତି ଚାଲିଲା । କଥା ରହିଲା ପ୍ରତିଷ୍ଠା ଦିବସରେ ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେବେ ସୁଜାତା କାର୍ତ୍ତିକେୟନ । ଆଗକୁ ୨୦୨୬ରେ ରାଜ୍ୟସଭା ଫାଙ୍କା ପଡୁଛି । ହିସାବ ଅନୁସାରେ ଗୋଟିଏ ସିଟରେ ବିଜେଡି ଅକ୍ଳେଶରେ ଜିତିବ । ସେଇଟିରେ ସୁଜାତାଙ୍କୁ ଆଡଜଷ୍ଟ କରାଯିବ । ଥରେ ପଶିଗଲେ ବଢ଼ିଯିବ ପତିଆରା । ତା ପରେ ସୁଯୋଗ ଦେଖି ସିଧା କ୍ୟାପ୍ଟେନ୍ ହେବେ। ନବୀନଙ୍କ ଉତ୍ତରାଧିକାରୀ କରିଦିଆଯିବ । ହେଲେ ଯୋଜନାରେ ପାଣି ପୂରାଇ ଚାଲିଲେ ଦଳର ଏକାଧିକ ନେତା । ପ୍ରଥମେ ଦେବାଶିଷ ସାମନ୍ତରାୟ ଏବଂ ପରେ ପରେ ସମ୍ବିତ ରାଉତରାୟ ପାଣ୍ଡିଆନଙ୍କୁ ଧୋଇବା ସହ ସୁଜାତାଙ୍କ ସମ୍ଭାବନାରେ ପ୍ରଶ୍ନ ଚିହ୍ନ ଲଗାଇ ଦେଲେ । ଆଉ ଯେତିକି ଯାହା ବାକିଥିଲା ଆଜି ସେଥିରେ ମୁଣ୍ଡି ମାରିଲେ ବରିଷ୍ଠ ନେତ୍ରୀ ପ୍ରମିଳା ମଲ୍ଲିକ । ପ୍ରମିଳାଙ୍କ ପଦେ କଥା ପାଣ୍ଡିଆନ ଦଂପତିଙ୍କ ସବୁ ଅଙ୍କକୁ ଗୋଳମାଳ କରିଦେଇଛି । ଆଜି ପ୍ରମିଳା କହିଛନ୍ତି ନବୀନ ହିଁ ଆମ ନେତା । ଯଦି ସୁଜାତା ଆସନ୍ତି କର୍ମୀ ହୋଇ କାମ କରିବେ । ପ୍ରମିଳାଙ୍କ କହିବା କଥା ଅନେକ ସମୟରେ IAS ଅଧିକାରୀ ରାଜନୀତିକୁ ଆସିଛନ୍ତି, ଯଦି ସୁଜାତା ଆସନ୍ତି, କର୍ମୀ ହୋଇ କାମ କରିବେ ।
ସୁଜାତା ଚାକିରି ଛାଡ଼ିବା ପରଠାରୁ ବିଜେଡିରେ ମିଶିବା ଓ ମଙ୍ଗ ଧରିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏହାକୁ କିଛି ବିଜେଡି ନେତା ସମର୍ଥନ କରୁଥିବାବେଳେ କିଛି ନେତା ସେତେବେଳେ ଗ୍ରହଣ କରୁନଥିବା କୁହାଯାଉଥିଲା । ଏହାରି ଭିତରେ ମଙ୍ଗଳବାର ବିଜେଡିର କିଛି ମହିଳା ନେତ୍ରୀ ଶଙ୍ଖ ଭବନରେ ଏକାଠି ହୋଇଥିଲେ । ସୁଜାତାଙ୍କ ଏଣ୍ଟ୍ରି ସପକ୍ଷରେ ସଭାପତିଙ୍କୁ ମନେଇବାକୁ ସେଠି ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି । ଏଭଳି ଅବସ୍ଥାରେ ବିଜେଡି କୋଷାଧ୍ୟକ୍ଷ ତଥା କଟକ ମେୟର ସୁବାସ ସିଂ କହିଛନ୍ତି, ସୁଜାତା ଓଡ଼ିଶା ମହିଳାଙ୍କୁ ସଶକ୍ତୀକରଣ କରିଥିଲେ । ସେ ଦଳକୁ ଆସିବା ନ ଆସିବା ନିଷ୍ପତ୍ତି ନବୀନ ବାବୁ ନେବେ । ବିଜେଡି ବିଧାୟକ ପ୍ରଦୀପ ସାହୁ କହିଛନ୍ତି, ନବୀନ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ ।
ତେବେ ୨୦୨୪ ନିର୍ବାଚନରେ ବିଜେଡିରେ ପାଣ୍ଡିଆନ୍ ଏଣ୍ଟ୍ରିକୁ ଅଗ୍ରାହ୍ୟ କରିଥିଲେ ଓଡ଼ିଶାବାସୀ । ଯାହାଫଳରେ ବିଜେଡି କ୍ଷମତା ଚ୍ୟୁତ ହୋଇଥିଲା । ଆଉ ଏବେ ପାଣ୍ହିଆନଙ୍କ ପରେ ପତ୍ନୀ ସୁଜାତାଙ୍କ ଏଣ୍ଟ୍ରୀକୁ ରାଜ୍ୟବାସୀ କିପରି ଗ୍ରହଣ କରୁଛନ୍ତି ଦେଖିବାକୁ ବାକି ରହିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/24/sujata-entry-bjd-2025-12-24-18-44-09.jpg)