New Party Photograph: (OTV)
ଓଡ଼ିଶାରେ ବର୍ତ୍ତମାନ ଏକ ନୂଆ ରାଜନୈତିକ ଦଳ ଗଠନ ନେଇ ଢେର ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚାର ଆଧାର ସୃଷ୍ଟି ହୋଇଛି ସେହି ସମୟରେ ଯେତେବେଳେ କି କଂଗ୍ରେସରୁ ଦଳ ବିରୋଧୀ ଅଭିଯୋଗରେ ବିତାଡ଼ିତ ହୋଇଥିବା କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ସହିତ କିଛିଦିନ ତଳେ ଭେଟଘାଟ ହେଲେ ଏବଂ ରାଜ୍ୟର ରାଜନୀତି ସମ୍ପର୍କରେ ବିଚାରବିମର୍ଷ କଲେ ।
ମୋକିମ୍ ଘୋଷଣା କରିଛନ୍ତି ଯେ ଆସନ୍ତା ମାର୍ଚ୍ଚ ମାସରେ ଏକ ନୂଆ ଆଞ୍ଚଳିକ ରାଜନୈତିକ ଦଳ ଜନ୍ମଲାଭ କରିବ । ଏହି ଦଳ ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଓ କଂଗ୍ରେସ ଭଳି ଦଳର ବିଚାରଗତ ଢାଞ୍ଚା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । ଏଥି ସହିତ ଏହି ଦଳ ରାଜ୍ୟବାସୀଙ୍କ ନିକଟରେ ଏକ ବିକଳ୍ପ ରାଜନୈତିକ ଶକ୍ତିଭାବେ ନିଜକୁ ଉପସ୍ଥାପିତ କରିବ ।
ନୂଆ ଦଳ ଗଠନ ପୂର୍ବରୁ ମୋକିମ୍ ବିଭିନ୍ନ ସ୍ଥାନରେ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ନେତାମାନଙ୍କ ସହିତ ବିଚାରବିମର୍ଷ କରିବା ଆରମ୍ଭ କରିଛନ୍ତି । ଏତଦ୍ ବ୍ୟତୀତ ସେ ସ୍ୱତନ୍ତ୍ର ଭାବରେ ଛାତ୍ର, ଯୁବ ଓ ଅନ୍ୟାନ୍ୟ ବର୍ଗର ଲୋକମାନଙ୍କ ସହିତ ପ୍ରାରମ୍ଭିକ ପର୍ଯ୍ୟାୟର ବିଚାରବିମର୍ଷ ପ୍ରକ୍ରିୟା ଆଗକୁ ବଢାଉଛନ୍ତି । ଜାନୁୟାରୀ ୧୨ ତାରିଖ ଦିନ ଭୁବନେଶ୍ୱରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଯୁବକଯୁବତୀମାନଙ୍କ ସହିତ ତାଙ୍କର ଚିନ୍ତନ ବୈଠକ ନୂଆ ଦଳ ଗଠନ ପ୍ରକ୍ରିୟାର ଆଉ ଏକ ପଦକ୍ଷେପ ବୋଲି ରାଜନୈତିକ ସମୀକ୍ଷକମାନେ ମନେକରନ୍ତି ।
ଦଳର ନେତା କିଏ ହେବେ ?
ନୂଆ ରାଜନୈତିକ ଦଳ ସୃଷ୍ଟି ହେବା ସମ୍ଭାବନା ନେଇ ଦିନକୁ ଦିନ ଆଲୋଚନା ବହଳ ହେଉଥିବାବେଳେ ଅନେକଙ୍କ ମନରେ ଏବେ ମେଞ୍ଚାମେଞ୍ଚା ପ୍ରଶ୍ନ । ନୂଆ ଦଳ ଓଡ଼ିଶା ରାଜନୈତିକ ଦୃଶ୍ୟପଟ୍ଟରେ ନିଜକୁ ସଫଳ ଭାବରେ ଅବସ୍ଥାପିତ କରିପାରିବ ତ? ଯଦି ଏହି ଦଳ ଜନ୍ମ ନିଏ, କାହାର ବେଶୀ ଲାଭ ହେବ ଏବଂ କାହାର ବେଶୀ କ୍ଷତି ହେବ? ଏହି ଦଳର ନେତା କିଏ ହେବେ — ମୋକିମ୍ ନା ଆଉ କିଏ? ମୋକିମଙ୍କ ସାମାଜିକ ପୃଷ୍ଠଭୂମି ତାଙ୍କୁ ଆଗକୁ ବଢିବା ପାଇଁ ସହାୟକ ହେବ ତ? ନୂଆଦଳରେ କଂଗ୍ରେସର ବେଶୀ ଲୋକ ଯୋଡ଼ି ହେବେ ନା ବିଜୁ ଜନତା ଦଳ ଓ ବିଜେପିର?
ସମୀକ୍ଷକମାନଙ୍କ ମତରେ ନୂଆଦଳର ଗଠନରେ ବେଶୀ କ୍ଷତିଗ୍ରସ୍ତ ହେବ କଂଗ୍ରେସ । ଏହାର କାରଣ ହେଲା ଯେ ଏହି ଦଳ ଦୀର୍ଘ ୨୬ ବର୍ଷ ହେଲା ନିଜର ଦୁରାବସ୍ଥାରୁ ବାହାରକୁ ବାହାରି ପାରୁନାହିଁ । କେନ୍ଦ୍ରୀୟ ନେତାମାନେ ପ୍ରଦେଶ କଂଗ୍ରେସ ଶାଖାକୁ ଏହାର ବର୍ତ୍ତମାନ ଦୁଃସ୍ଥିତିରୁ ବାହାର କରି ଉପରକୁ ଏକ ଭଲ ସ୍ଥିତିକୁ ନେବାର କୌଣସି ଉଦ୍ୟମ କରୁଥିବା ଦେଖାଯାଉନାହିଁ । କେବଳ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ କିଛି କେନ୍ଦ୍ରୀୟ ନେତା ଔପଚାରିକ ଭାବେ ଆସି ନିଜର କର୍ତ୍ତବ୍ୟ ସମ୍ପାଦିତ କରି ଫେରିଯାଉଛନ୍ତି । ଏହାବ୍ୟତୀତ ଦଳର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ ସବୁବେଳେ ଲାଗି ରହୁଥିବାରୁ କୌଣସି ପ୍ରଦେଶ କଂଗ୍ରେସ କମିଟି ସଭାପତି ଦଳୀୟ କାର୍ଯ୍ୟକ୍ରମକୁ ବଳିଷ୍ଠ ଭାବରେ ସମ୍ପାଦିତ କରିପାରୁନାହାଁନ୍ତି କି ଦଳକୁ ଏକ ପ୍ରଭାବୀ ଲଢୁଆ ଶକ୍ତି ଭାବେ ଗଢି ତୋଳିପାରୁନାହାଁନ୍ତି ।
କେନ୍ଦ୍ରୀୟ ନେତାମାନଙ୍କର ଅନ୍ୟମନସ୍କତା ତଥା ଆଭ୍ୟନ୍ତରୀଣ କନ୍ଦଳ ବ୍ୟତୀତ କଂଗ୍ରେସର ସମ୍ବଳ ଅଭାବ ଆଉ ଏକ ବଡ଼ ସମସ୍ୟା । ଏହିଭଳି ପରିସ୍ଥିତିରେ କଂଗ୍ରେସର ବହୁ ନେତା ମୋକିମ୍ଙ୍କ ଦଳରେ ଯୋଗଦେବା ସମ୍ଭାବନା ରହିଛି । ନୂଆଦଳରେ ଯୋଗଦେଲେ ସେମାନଙ୍କୁ ନୂଆ ସ୍ଫୁର୍ତ୍ତି ଓ ଉତ୍ସାହ ନେଇ ଆଗକୁ ବଢ଼ିବାକୁ ସୁଯୋଗ ମିଳିବ । ଜଣେ ସଫଳ ଗୃହନିର୍ମାଣ ବ୍ୟବସାୟୀ ଭାବେ ନିଜକୁ ସାବ୍ୟସ୍ତ କରିପାରିଥିବା ମୋକିମଙ୍କ ନିକଟରେ ନିର୍ବାଚନ ପାଇଁ ଆବଶ୍ୟକ ଅର୍ଥର ଅଭାବ ନାହିଁ ବୋଲି ଅନେକ ବିଶ୍ୱାସ କରନ୍ତି ।
ବିଜେଡି ପ୍ରଭାବିତ ହେବ କି ?
କଂଗ୍ରେସ ପରେ ବିଜୁ ଜନତା ଦଳ ଦ୍ୱିତୀୟ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି । ଏବେ ଏହି ଦଳର ଭବିଷ୍ୟତ ନେଇ ଏହାର ଅଧିକାଂଶ ନେତା ଓ କର୍ମୀ ସନ୍ଦିହାନ ଅଛନ୍ତି । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାୟତଃ ନୀରବ ରହୁଛନ୍ତି । ସରକାରଙ୍କୁ ପ୍ରଭାବୀ ଢଙ୍ଗରେ ଘେରିବା ପାଇଁ କୌଣସି ରାଜନୈତିକ କାର୍ଯ୍ୟକ୍ରମ ଦଳ ପକ୍ଷରୁ କରାଯାଉନାହିଁ । ବରିଷ୍ଠଙ୍କ ଠାରୁ ଆରମ୍ଭ କରି କନିଷ୍ଠ ନେତାମାନେ ବିଭିନ୍ନ ସମୟରେ ଦଳ ପରିଚାଳନାରେ ବିଭ୍ରାଟ ହେଉଥିବା ନେଇ ଗଣମାଧ୍ୟମରେ ବିବୃତି ଦେବା ଏହି ଦଳ ମଧ୍ୟରେ କୁହୁଳୁ ଥିବା ଅସନ୍ତୋଷର ବହ୍ନି ସମ୍ପର୍କରେ ସୂଚନା ପ୍ରଦାନ କରୁଛି ।
୧୯୯୭ ମସିହାରେ ବିଜେଡ଼ି ଗଠନ ହେବା ସମୟରେ ଅନେକ ଯୁବକଯୁବତୀ ଏହି ଦଳରେ ଯୋଗଦେଇ ଏକ ସୁନେଲି ରାଜନୈତିକ କ୍ୟାରିୟରର ସ୍ୱପ୍ନ ଦେଖିଥିଲେ । ହେଲେ ନବୀନଙ୍କ ବିଜୁ ଜନତା ଦଳରେ ପରିବାରବାଦ ରାଜନୀତିକୁ ଅଗ୍ରାଧିକାର ଦିଆଯାଉଥିବାଳେ ଏମାନେ ଆଗକୁ ବଢିବାର ସୁଯୋଗ ପାଇନଥିଲେ । ଦଳ ଗଠନ ସମୟରେ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୩୦ ବର୍ଷରୁ କମ୍ ଥିଲା । ଏବେ ଏମାନେ ୫୦/୫୫ ବର୍ଷ ବୟସ ଅତିକ୍ରମ କଲେଣି । ସେମାନଙ୍କୁ ଆଗକୁ ବଢିବାର ସମୟ କ୍ରମେ ସଙ୍କୁଚିତ ହୋଇଆସୁଛି ।
ଏହି ପରିସ୍ଥିତିରେ ଏମାନଙ୍କ ପାଇଁ ମୋକିମଙ୍କ ପରିକଳ୍ପିତ ଦଳ କିଛି ସମ୍ଭାବନା ରଖୁଛି ବୋଲି ସମୀକ୍ଷକମାନେ ମନେକରନ୍ତି । ଯଦିଓ ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳିତ ଦଳ, ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଏହି ଦଳରୁ ଟିକେଟ୍ ପାଇବାରୁ ବଞ୍ଚିତ ହେବାର ଅନେକ ସମ୍ଭାବ୍ୟ ପ୍ରାର୍ଥୀ ମୋକିମଙ୍କ ଦଳରେ ସାମିଲ୍ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ଅତୀତରେ ମୟୂରଭଞ୍ଜ ଜିଳ୍ଲାର ବରିଷ୍ଠ ବିଜେପି ନେତା ରାଜକିଶୋର ଦାସଙ୍କ ଭଳି ବହୁ ପୁରୁଖା ନେତା ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଥିବା ଦେଖାଯାଇଛି ।
ରାଜନୀତି ଏକ ସମ୍ଭାବନା ଓ ସ୍ଥିତି ନିୟନ୍ତ୍ରିତ ସମୀକରଣ । ଏହି ଗଣିତର ନିର୍ଦ୍ଧିଷ୍ଟ ସୂତ୍ର ନଥାଏ । ଏହାର ସୂତ୍ର ସମୟ ଓ ଆବଶ୍ୟକତାକୁ ନେଇ ସ୍ଥିର ହୋଇଥାଏ । ମୋକିମ୍ ଏବେ ବର୍ତ୍ତମାନର ସମୟ ଓ ଆବଶ୍ୟକତାକୁ ଆକଳନ କରୁଛନ୍ତି । ବିଭିନ୍ନ ବର୍ଗର ଲୋକମାନଙ୍କ ସହିତ ତାଙ୍କର ବିଚାରବିମର୍ଷ ସରିବା ପରେ ଜଣାପଡ଼ିବ, ସେ କେଉଁଭଳି ଭାବରେ ସେ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟ୍ଟରେ ନିଜକୁ ସଂସ୍ଥାପିତ କରିବାକୁ ଚାହୁଁଛନ୍ତି ।
ଉପକୂଳ ଓଡ଼ିଶାରେ ସର୍ବଦା ଏକ ଅଣକଂଗ୍ରେସ ଓ ଅଣବିଜେପି ରାଜନୈତିକ ସ୍ଥାନ ରହିଛି । ଏହିଭଳି ସ୍ଥିତିରୁ ବିଜେଡ଼ି ବହୁ ଲାଭ ଉଠାଇ ୨୪ ବର୍ଷ କାଳ କ୍ଷମତାରେ ରହିଲା । ବିଜେଡ଼ି ପୂର୍ବରୁ କୌଣସି ଆଞ୍ଚଳିକ ଦଳ କ୍ଷମତାରେ ୫ବର୍ଷ ରହିପାରିନାହିଁ । ସମୟ କହିବ ମୋକିମ୍ ତା’ଙ୍କ ଉଦ୍ୟମରେ କେତେ ସଫଳ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/12/new-party-2026-01-12-13-58-34.jpg)