Politics Photograph: (OTV)
ଓଡ଼ିଶା ରାଜନୀତିରେ ମାର୍ଚ୍ଚ ୫ ତାରିଖ, ୨୦୨୬ ମସିହା ଗୁରୁବାର ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ହିସାବରେ ରାଜ୍ୟର ରାଜନୈତିକ ଇତିହାସରେ ଲିପିବଦ୍ଧ ହେବ । ଏହାର କାରଣ ହେଲା ଏହି ଦିନ କଂଗ୍ରେସ ବିରୋଧରେ ଜନାକ୍ରୋଶ ସୃଷ୍ଟି କରି ବିଜୁ ଜନତା ଦଳ ନାମକ ଯେଉଁ ଆଞ୍ଚଳିକ ଦଳଟି ୧୯୯୭ ମସିହାରେ ଜନ୍ମଲାଭ କରିଥିଲା, ସେହି ଦଳଟି କଂଗ୍ରେସ ଦଳ ସହିତ ପ୍ରଥମ ଥର ଲାଗି ସମମିତ୍ରତାର ବନ୍ଧନରେ ବାନ୍ଧି ହୋଇ ରାଜ୍ୟସଭା ନିର୍ବାଚନ ଲଢିବା ପାଇଁ ଅଧିକାରିକ ଭାବେ ସମ୍ମତ ହେଲା ।
ବିଧାନସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଓ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏକାଠି ଗୋଟିଏ ସ୍ଥାନରେ ବସି ରାଜ୍ୟସଭା ଲାଗି ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ଲାଗି ମିଳିତ ସମର୍ଥନ ଘୋଷଣା କରିଥିଲେ ।
ଏହି ଘଟଣା ରାଜ୍ୟରେ ବର୍ତ୍ତମାନ ବିଶେଷ ଚର୍ଚ୍ଚାର କାରଣ ହୋଇଛି । ଏ ପର୍ଯ୍ୟନ୍ତ ନବୀନ କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ଠାରୁ ସମଦୂରତ୍ୱ ରକ୍ଷା କରିଆସିଛି ବୋଲି ଦାବି କରିଆସୁଥିଲେ ।
ନବୀନ ପଟ୍ଟନାୟକ ଓ ଭକ୍ତ ଚରଣ ଦାସ ଗୋଟିଏ ସ୍ଥାନରେ ଏକତ୍ର ଦେଖାଦେବା ସେମିତି କିଛି ଭୁଲ୍ ନୁହେଁ । କିନ୍ତୁ ଏହା ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟରେ ଏକ ବଡ ପରିବର୍ତ୍ତନର ଚିତ୍ର ଉପସ୍ଥାପନ କରିଛି । ଏହି ପରିବର୍ତ୍ତନର ଚିତ୍ରଟି ହେଲା ଯେ ବିଜୁ ଜନତା ଦଳ ଏହାର କଂଗ୍ରେସ ବିରୋଧୀ ଚରିତ୍ରର ପରିହାର କରି ଏହା ସହିତ ନୂଆ ଏକ ସମୀକରଣ କରି ନିଜର ରାଜନୈତିକ ଶକ୍ତିକୁ ବଞ୍ଚାଇ ରଖିବ ବା ଜାହିର କରିବ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୯୭ ମସିହାରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ସମୟରେ ରାଜ୍ୟରେ ଯେଉଁ ଅରାଜକତା ଲାଗିଥିଲା, ତାହା ବିରୋଧରେ ହୋଇଥିବା ଦୃଢ ଆନ୍ଦୋଳନରୁ ବିଜୁ ଜନତା ଦଳର ଜନ୍ମ ହୋଇଥିଲା । ସେହି ସମୟରେ ଖ୍ରୀଷ୍ଟ୍ରିଆନ୍ ମିଶନାରୀ ଫାଦର ଅରୁଲ ଦୋସ, ଗ୍ରାହାମ୍ ଷ୍ଟୁଆର୍ଟ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରଙ୍କୁ ହତ୍ୟା କରାଯିବା, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା ଓ ୧୯୯୯ ମସିହା ମହାବାତ୍ୟା ପରବର୍ତ୍ତୀ ପୁନର୍ଗଠନ ପ୍ରକ୍ରିୟାରେ କଂଗ୍ରେସ ସରକାରଙ୍କ ବିଫଳତାକୁ ଆଧାର କରି ବିଜୁ ଜନତା ଦଳ କ୍ଷମତାକୁ ଆସିଲା ଏବଂ ଏହି ରାଜ୍ୟକୁ ୨୦୨୪ ପର୍ଯ୍ୟନ୍ତ ଶାସନ କଲା ।
୧୯୯୦ ଦଶକର ଶେଷପାଦରେ କଂଗ୍ରେସ ବିରୋଧରେ ଯେଉଁ ଜନାକ୍ରୋଶ ସୃଷ୍ଟି ହୋଇଥିଲା, ତାହାର ମୁଖ୍ୟ ନାୟକ ଥିଲେ ନବୀନ ପଟ୍ଟନାୟକ । ସେ ସେତେବେଳେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଥିଲେ । ରାଜ୍ୟସାରା ବୁଲିବୁଲି ସେ ଓଡ଼ିଶାର ଲୋକଙ୍କୁ କଂଗ୍ରେସ ବିରୋଧରେ ମତାଇ ଦଳକୁ କ୍ଷମତାକୁ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ନିରୀହ ଚେହେରା ଓ ଚାହାଣୀକୁ ବିଶ୍ୱାସ କରି ଜନସାଧାରଣ ତାଙ୍କୁ ୨୦୦୦ ମସିହାରେ ଭୋଟ୍ ଦେଇ ରାଜ୍ୟରେ ସରକାର ଗଢିବାକୁ ସୁଯୋଗ ଦେଲେ।
୨୦୦୯ ମସିହାରେ ନବୀନ ସହଯୋଗୀ ଦଳ ଭାରତୀୟ ଜନତା ପାର୍ଟିକୁ ଏକ ‘ସାମ୍ପ୍ରଦାୟିକ’ ଶକ୍ତି ଭାବେ ଅଭିହିତ କରି ମେଣ୍ଟରୁ ବିଦା କରିଦେଇଥିଲେ । ଏହାପରେ ସେ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରଖୁଛନ୍ତି ବୋଲି ବାରମ୍ବାର ମିଡ଼ିଆ ସମ୍ନାରେ ଦାବି କରିଥିଲେ ।
ଲୋକଦେଖାଣିଆ ରାଜନୈତିକ ଚାଲ୍ !
ଅଧିକାଂଶ ସମୟରେ ରାଜନୈତିକ ସମୀକ୍ଷକମାନେ ନବୀନଙ୍କ ‘ସମଦୂରତ୍ୱ’ ନୀତିକୁ ଏକ ଲୋକଦେଖାଣିଆ ରାଜନୈତିକ ଚାଲ୍ ବୋଲି ମତବ୍ୟକ୍ତ କରନ୍ତି । ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ପରେ ଯେଉଁ ସମୟରେ ଭାରତୀୟ ଜନତା ପାର୍ଟି ବିଜେଡ଼ି-ବିଜେପି ମେଣ୍ଟରୁ ଓହରିବାକୁ ଚାହୁଁଥିଲା, ସେତେବେଳେ ନବୀନଙ୍କ ରାଜନୈତିକ ଗୋଟି ଚାଳନାରେ କଂଗ୍ରେସ ସମର୍ଥନ ଦେବାକୁ ଆଗେଇ ଆସିଲା ।
୨୦୦୯ ପରେ ଯଦିଓ ବିଜେପି-ବିଜେଡ଼ି ମଧ୍ୟରେ ରାଜନୈତିକ ଶତ୍ରୁତା ବଢିଲା, ଅନେକ ସମୟରେ ଯଥା ଲୋକସଭା ଓ ରାଜ୍ୟସଭାରେ ବିଭିନ୍ନ ବିଲ୍ ପାସ କରିବା ଏବଂ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି, ଲୋକସଭା ବାଚସ୍ପତି ଇତ୍ୟାଦି ସମ୍ବିଧାନିକ ପଦବୀ ପାଇଁ ଅନୁଷ୍ଠିତ ନିର୍ବାଚନରେ ଏନଡିଏର ପ୍ରାର୍ଥୀଙ୍କୁ ନବୀନ ବହୁବାର ସମର୍ଥନ ଦେଇଥିବା ଦେଖାଯାଇଥିଲା ।
ଗୁରୁବାର ଦିନ ସାମ୍ବାଦିକମାନେ ନବୀନଙ୍କୁ ତାଙ୍କର ରାଜନୈତିକ ବିଚାରଧାରା ଓ କାର୍ଯ୍ୟଶେଳୀରେ ସଦ୍ୟ ପରିବର୍ତ୍ତନ ନେଇ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ ସେ କହିଥିଲେ ଯେ “ଟାଇମ୍ ଅଲୱେଜ୍ ସେଜ୍ ଫ୍ୟୁଚର ହିଷ୍ଟ୍ରି ।’ ଏହାର ଅର୍ଥ ହେଲା ଯେ ସମୟ ଭବିଷ୍ୟତର ଇତିହାସ ଲେଖିଥାଏ । ତାଙ୍କର ଏହି ଉକ୍ତି ରାଜନୈତିକ ମହଲରେ ଭିନ୍ନ ଭିନ୍ନ ଢଙ୍ଗରେ ଆଲୋଚିତ ହେଉଛି ।
କେହି କେହି କହୁଛନ୍ତି ଯେ ଆଗାମୀ ଦିନରେ ନବୀନ ବାବୁ କଂଗ୍ରେସ ଦଳ ସହିତ ମେଣ୍ଟ ଗଢି ଭାରତୀୟ ଜନତା ପାର୍ଟି ସହିତ ଲଢିବେ । ଆଉ କେତେକ ମନେ କରନ୍ତି ଯେ ରାଜନୈତିକ ଭାବେ ବେଶ୍ ପରିପକ୍ୱ ନବୀନ ସମୟକୁ ଦେଖି ତାଙ୍କର ରଣନୀତି ବଦଳାଇଥାନ୍ତି ଏବଂ ଆଗାମୀ ଦିନରେ ସେ ସମ୍ପୂର୍ଣ୍ଣ କଂଗ୍ରେସ ସହିତ ରହିବେ ତାହାର ମାନେ ନାହିଁ ।
ଇତି ମଧ୍ୟରେ ବିଜେଡ଼ି ଦଳର ରାଜ୍ୟସଭା ପ୍ରାର୍ଥୀ ସନ୍ତୃପ୍ତ ମିଶ୍ର କହିଛନ୍ତି ଯେ କଂଗ୍ରେସ ସହିତ ଏବେ ଯେଉଁ ବୁଝାମଣା ହୋଇଛି, ଏହା ଏକ ସାମୟିକ ଡିଲ୍ । ଦେଖିବାର କଥା ନବୀନଙ୍କର ୨୯ ବର୍ଷ ପରେ ଯେଉଁ ରାଜନୈତିକ ରଙ୍ଗ ପରିବର୍ତ୍ତନ ହୋଇଛି, ତାହା କେବେ ପର୍ଯ୍ୟନ୍ତ ବଜାୟ ରହୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/06/politics-2026-03-06-18-49-08.jpg)