Advertisment

Political Heavyweights Set Up Base in Nuapada: ନୂଆପଡ଼ାରେ ଡେରା ପକାଇଛନ୍ତି ନେତା, ଜାଣନ୍ତୁ କେଉଁ ଦଳ ଆଗରେ ଓ କ’ଣ ରହିଛି ପ୍ରସଙ୍ଗ

ସମରସଜା ଚାଲିଛି । ପ୍ରତିଟି ଶିବିରରେ ଯୋଦ୍ଧା, ମହାଯୋଦ୍ଧା ଓ ସୈନିକମାନଙ୍କର ଭିଡ଼ ଜମିଛି । ବର୍ତ୍ତମାନ ପରିସ୍ଥିତିରେ ସବୁଦଳର ନାୟକମାନେ ନିଜ ନିଜ ଶିବିରରୁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ।

Nuapada

Nuapada Photograph: (OTV)

Advertisment

ସମରସଜା ଚାଲିଛି । ପ୍ରତିଟି ଶିବିରରେ ଯୋଦ୍ଧା, ମହାଯୋଦ୍ଧା ଓ ସୈନିକମାନଙ୍କର ଭିଡ଼ ଜମିଛି । ବର୍ତ୍ତମାନ ପରିସ୍ଥିତିରେ ସବୁଦଳର ନାୟକମାନେ ନିଜ ନିଜ ଶିବିରରୁ ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ । ପ୍ରତିଦିନ ବରିଷ୍ଠ ନେତାମାନେ ସେମାନଙ୍କର କିଛି ଯୋଦ୍ଧାଙ୍କୁ ବିଭିନ୍ନ ଦିଗରେ ଥିବା ରଣସାମ୍ମୁଖ୍ୟ ବା ଫ୍ରଣ୍ଟକୁ ପ୍ରେରଣ କରୁଛନ୍ତି ଏବଂ ପ୍ରତିପକ୍ଷର ଶକ୍ତି ଆକଳନ କରିବା ସହିତ ନିଜର ସ୍ଥିତିରେ ସୁଧାର ଆଣିବାକୁ ପ୍ରୟାସ କରୁଛନ୍ତି । ଏହା ହେଉଛି ଓଡ଼ିଶାର ନୂଆପଡ଼ାର ବିଧାନସଭା ଉପନିର୍ବାଚନ ମଇଦାନ କଥା । 

Advertisment

ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ରାଜ୍ୟର ତିନି ବୃହତ ରାଜନୈତିକ ଦଳ ଯଥା ଭାରତୀୟ ଜନତା ପାର୍ଟି (ବିଜେପି), ବିଜୁ ଜନତା ଦଳ (ବିଜେଡ଼ି) ଓ ଜାତୀୟ କଂଗ୍ରେସ ନେତାମାନଙ୍କର ପ୍ରବଳ ଗହଳି । ନିର୍ବାଚନ ତାରିଖ ଘୋଷଣାର ଅଳ୍ପ କେତେ ମାତ୍ର ଘଣ୍ଟା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଗସ୍ତ କରି ସେଠାରେ ପ୍ରାୟ ୧୧ଶହ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରି ଏକ ପ୍ରକାର ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର ମୂଳଦୂଆ ପକାଇ ଆସିଛନ୍ତି । ଖୁବ୍ ଶୀଘ୍ର ସେ ଆହୁରି ଥରେ ବା ଦୁଇଥର ନୂଆପଡ଼ା ଯିବାର ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ପ୍ରକାଶ ।

ବିଜେଡ଼ି ବି ପଛରେ ପଡ଼ିବା ପାଇଁ ଚାହୁଁନାହିଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଦୁଇଥର ମଧ୍ୟ ନୂଆପଡା ଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଉଥିବା ଦଳୀୟ ସୂତ୍ରରୁ ପ୍ରକାଶ ।  ନବୀନଙ୍କ ଗସ୍ତ ଓ ଭିନ୍ନ ଅନ୍ଦାଜର ପ୍ରଚାର ଦଳର ସ୍ଥିତିକୁ ଅଧିକ ସଶକ୍ତ କରିବ ବୋଲି ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ବିଜେଡ଼ି ନେତାମାନେ ମନେକରୁଛନ୍ତି ।

Advertisment

ବିଜେଡ଼ିର ଏକ କ୍ୟାମ୍ପ କୋମନା ବ୍ଲକ୍ରେ ପ୍ରତିଷ୍ଠା କରାଯାଇଛି । ସେଠାରେ ପ୍ରଣବ ପ୍ରକାଶ ଦାସ, ଅଧିରାଜ ପାଣିଗ୍ରାହୀ, ଜଗନ୍ନାଥ ସାରକା ଓ ଅନ୍ୟ ନେତାମାନେ ରହି ନିର୍ବାଚନ ପରିଚାଳନା କରୁଛନ୍ତି । ଦେବୀ ପ୍ରସାଦ ମିଶ୍ର, ସଂଜୟ ଦାସବର୍ମା ଓ ଅତନୁ ସବ୍ୟସାଚୀ ନାୟକ ନୂଆପଡ଼ା ଓ ଖଡିଆଳ ମଧ୍ୟରେ ରହି ନିର୍ବାଚନ ପ୍ରଚାର କାର୍ଯ୍ୟ ତଦାରଖ କରୁଥିବା ଦେଖାଯାଉଛି । ବିଜେପିର ପୁରଣା କର୍ମୀ ଓ ନେତାମାନଙ୍କୁ ନିଜ ପକ୍ଷକୁ ଆଣିବା ପାଇଁ ଦଳ ରୀତିମତ କସରତ କରିବା ସହିତ ପ୍ରତି ଗ୍ରାମକୁ ବହୁ ସଂଖ୍ୟାରେ ଯୁବ କର୍ମୀମାନଙ୍କୁ ମୋଟର ସାଇକେଲରେ ପଠାଇ ଅଧିକରୁ ଅଧିକ ଭୋଟରମାନଙ୍କ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଉଛନ୍ତି ।

ଜୟ ଢୋଲାକିଆଙ୍କ ପ୍ରାର୍ଥୀତ୍ୱରେ ଅସନ୍ତୁଷ୍ଟ ଥିବା ବିଜେପିର ନେତାମାନଙ୍କୁ ନିଜ ପ୍ରତି ଆକର୍ଷିତ କରିବା ପାଇଁ ବିଜେଡ଼ି ଭରପୂର ଉଦ୍ୟମ କରୁଥିବା ଦେଖାଯାଉଛି । ଏହାଛଡ଼ା ମିଶନଶକ୍ତି ମାଧ୍ୟମରେ ଉପକୃତ ହୋଇଥିବା ମହିଳାମାନଙ୍କର ସମର୍ଥନ ପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଦଳର ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ମହିଳାମାନଙ୍କର ସମର୍ଥନ ହାସଲ ପାଇଁ ମହିଳାମାନଙ୍କର ସମ୍ମିଳନୀ ଆୟୋଜନ କରୁଛନ୍ତି ।

Advertisment

ଗତ ୨୦୨୪ ବିଧାନସଭା ନିର୍ବାଚନରେ ଚତୁର୍ଥ ସ୍ଥାନରେ ଥିବା ବିଜେପି ଏଥର ନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱର ସହିତ ନେଇଛି । ରାଜ୍ୟ ସରକାରଙ୍କର ୮ଜଣ ମନ୍ତ୍ରୀ, ପ୍ରଭାରୀ, ବିସ୍ତାରକ, ପ୍ରାନ୍ତପ୍ରମୁଖ, ପନ୍ନାପ୍ରମୁଖମାନେ ନିୟମିତ ସକାଳେ ଓ ସନ୍ଧ୍ୟାରେ ରଣନୀତି ପ୍ରସ୍ତୁତି ଓ କାର୍ଯ୍ୟକାରିତା ନେଇ ସମୀକ୍ଷା କରୁଛନ୍ତି । ପ୍ରତିପକ୍ଷରୁ କେତେ ନେତା ଓ କର୍ମୀ ଆସିଲେ, ସେ ନେଇ ଡାଟାସିଟ୍ ବା ତଥ୍ୟ ପୁସ୍ତିକା ଅପ୍ଡେଟ୍ କରୁଛନ୍ତି ।

ନୂଆପଡ଼ାରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, କୋମନାରେ ରବି ନାୟକ ଓ ଖଡ଼ିଆଳ ଅଞ୍ଚଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଡେରା ପକାଇ ନିର୍ବାଚନ ପରିଚାଳନା କରୁଛନ୍ତି । ସବୁ ନେତାମାନେ ଚାଷୀମାନଙ୍କ ଉପରେ ଅଧିକ ଫୋକସ କରୁଥିବା ଦେଖାଯାଉଛି । ନୂଆପଡ଼ାରେ ଅଧିକାଂଶ ହେଲେ ଚାଷୀ । ପ୍ରାୟତଃ ସବୁ ଚାଷୀ ଧାନର ପ୍ରତି କୁଇଣ୍ଟାଲ ଉପରେ ୮ଶହ ଟଙ୍କା ଇନ୍ପୁଟ୍ ସବସିଡି ପାଇବା ଯୋଗୁ ଖୁସି ଅଛନ୍ତି । ସେମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରି ସେମାନଙ୍କ ସମର୍ଥନ ନିଜପଟକୁ ଆଣିବା ପାଇଁ ମନ୍ତ୍ରୀମାନେ ଦଳବଳ ଧରି ଗ୍ରାମକୁ ଗ୍ରାମ ଘୂରିବୁଲିବା ସହିତ ମାଇକ୍ରୋ ବା ଛୋଟଛୋଟ ବୈଠକ କରୁଛନ୍ତି । 

ଉପନିର୍ବାଚନରେ ଆଦିବାସୀ ପ୍ରସଙ୍ଗ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ । ନୂଆପଡ଼ାରେ ଯେହେତୁ ପାଖାପାଖି ୯୫ହଜାର ଆଦିବାସୀ ଭୋଟର ଅଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଖାତିରରେ ସେମାନେ ବିଜେପିକୁ ଭୋଟ ଦିଅନ୍ତୁ ବୋଲି ବିଜେପି ନେତାମାନେ ବିଭିନ୍ନ ସଭାସମିତିରେ କହୁଥିବା ଦେଖାଯାଉଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟରୁ ଆସି ସର୍ବୋଚ୍ଚ ପଦବୀରେ ବସିପାରିଛନ୍ତି । ବିଜେପିର ଏହା ଆଦିବାସୀମାନଙ୍କ ପ୍ରତି ଭଲପାଇବାର ନିଦର୍ଶନ ବୋଲି ଦଳର କର୍ମୀ ଓ ନେତାମାନେ ଗ୍ରାମକୁ ଗ୍ରାମ ଯାଇ ଆଦିବାସୀମାନଙ୍କୁ ବୁଝାଉଛନ୍ତି ।

ବିଜେପିର ପ୍ରଚାରରେ ଛତିଶଗଡ଼ର ନେତାମାନେ ଦଳବଳ ଧରି ଉପାନ୍ତ ଗ୍ରାମରେ ପହଞ୍ଚି  ସ୍ଥାନୀୟ ଭୋଟରମାନଙ୍କ ସହିତ ମିଳାମିଶା କରିବା ଦେଖାଯାଉଛି । ଉପାନ୍ତ ଜୟଜଙ୍ଘା ମଣ୍ଡଳରେ ଥିବା ସମସ୍ତ ଗ୍ରାମର ପ୍ରତି ପରିବାରର ଛତିଶଗଡ଼ ରାଜ୍ୟର ମହାସମୁନ୍ଦ ଜିଲ୍ଲା ସହିତ ସମ୍ପର୍କ ରହିଛି । କେଉଁ ପରିବାରରୁ ଝିଅ ଯାଇ ସେଠାରେ ବିବାହ କରିଛନ୍ତି ବା ସେଠାକାର ଲୋକ ଏଠାରେ ଝିଅ ଦେଇଛନ୍ତି । 

ଛତିଶଗଡ଼ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଭଳି ମୋହନ ମାଝୀ ସରକାର କାମ କରୁଛନ୍ତି ବୋଲି ଲୋକମାନଙ୍କୁ ବୁଝାଇ ସେମାନଙ୍କର ମନ କିଣିବାକୁ ଛତିଶଗଡ଼ି ନେତା ଓ କର୍ମୀମାନେ ଚେଷ୍ଟା କରୁଛନ୍ତି । ଛତିଶଗଡ଼ର ନେତାମାନେ ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାର ସଫଳତା ସମ୍ପର୍କରେ ଭରପୂର ପ୍ରଚାର କରି ମହିଳାମାନଙ୍କର ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗିପଡ଼ିଥିବା ମଧ୍ୟ ଦେଖାଯାଉଛି ।

କଂଗ୍ରେସ ମଧ୍ୟ ପ୍ରଚାରରେ ପଛରେ ନାହିଁ । ପିସିସି ସଭାପତି ଭକ୍ତଚରଣ ଦାସ ନିଜେ ନୂଆପଡ଼ାରେ ରହି ଦଳ ପାଇଁ ରଣନୀତି ତିଆରି କରୁଛନ୍ତି । ନିଜେ ମଧ୍ୟ ଜୋରଦାର୍ ପ୍ରଚାର କରୁଛନ୍ତି । ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଗତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଆଦିବାସୀ ଲୋକଙ୍କ ଭୋଟ ତାଙ୍କ ସହ ରହିଛି ବୋଲି କଂଗ୍ରେସ ଭାବୁଛି । ଅନ୍ୟ ଦଳ ତୁଳନାରେ ନୂଆପଡ଼ାରେ କଂଗ୍ରେସର ରାଜ୍ୟସ୍ତରର ନେତାମାନଙ୍କ ଉପସ୍ଥିତି କମ୍ ଥିବାର ସ୍ପଷ୍ଟ ବାରି ହୋଇପଡୁଛି ।

ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍ ଓ ଜାତୀୟ ସ୍ତରର ନେତାମାନେ ଆସି ପ୍ରଚାର କରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି । କିନ୍ତୁ ଛତିଶଗଡ଼ର ବିଜେପି ନେତାମାନେ ନୂଆପଡ଼ା ଆସି ଦଳ ପାଇଁ ପ୍ରଚାର କରୁଥିଲା ବେଳେ ଛତିଶଗଡ଼ର କଂଗ୍ରେସ ନେତାମାନେ ଆସି କଂଗ୍ରେସ ପାଇଁ ପ୍ରଚାର କରୁନଥିବା ଦେଖିବାକୁ ମିଳିଛି ।  

ଛତିଶଗଡ଼ ଓଡ଼ିଶା ମଧ୍ୟରେ ପ୍ରବାହିତ ହେଉଛି ‘ଜୋଙ୍କ’ ନଦୀ । ଏହି ନଦୀର ଜଳରେ ନୂଆପଡ଼ା ଓ ମହାସମୁନ୍ଦ ଲୋକ ଲାଳିତପାଳିତ । ଦୁଇପଟର ଲୋକମାନେ ହିନ୍ଦୀ, ଓଡ଼ିଆ ବଦଳରେ ସ୍ଥାନୀୟ ଲୋରିଆ ଭାଷାରେ କଥାବାର୍ତ୍ତା କରନ୍ତି । ଏହିଭଳି ଏକ ସାଂସ୍କୃତିକ ସମ୍ବନ୍ଧରୁ କିଛି ରାଜନୈତିକ ଫସଲ କଟାଯାଇ ପାରିବ ବୋଲି ବିଜେପିର ରଣନୀତିକାରମାନେ ବିଶ୍ୱାସ କରନ୍ତି ।

ମୋଟାମୋଟି ଭାବରେ କହିବାକୁ ଗଲେ ଜାତି, ମହିଳା ଓ ଯୁବ ବର୍ଗ, ଚାଷୀ ଓ ଦାଦନମାନଙ୍କୁ ପ୍ରସଙ୍ଗ କରି ସବୁଦଳ ଆଗକୁ ବଢିବାକୁ ଚେଷ୍ଟା କରୁଛନ୍ତି । ଦେଖିବାର କଥା କେଉଁ ଦଳ ଏଥିରେ ଆଗରେ ରହୁଛନ୍ତି ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ । 

Politics nuapada bypoll
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ