Advertisment

Naveen’s Political Puzzle: କଳିକେଶ ପ୍ଲସ୍ - ଅରବିନ୍ଦ ମାଇନସ୍ ଗଣିତ କଷୁଛନ୍ତି ନବୀନ !

‘ପାଣି ମାପ’ - ହଁ ଏହା ଏକ ରାଜନୈତିକ ଶବ୍ଦ । ଏହି ଶବ୍ଦର ମାର୍ମିକ ଅର୍ଥ ହେଲା କୌଣସି ଏକ ରାଜନୈତିକ ପଦକ୍ଷେପ ନେବା ପୂର୍ବରୁ ଏହାର ପରବର୍ତ୍ତୀ  ପରିସ୍ଥିତି କ’ଣ ହେବ, ସେ ସମ୍ପର୍କରେ ଲୋକମାନଙ୍କର ମୁଡ଼୍ ବା ମନୋଭାବକୁ ପରଖିବା ।

kalikesh

kalikesh Photograph: (OTV)

Advertisment

ଓଡ଼ିଶାର ରାଜନୈତିକ ମହଲରେ ଏବେ ଗୋଟିଏ ବଡ଼ ଚର୍ଚ୍ଚା ଜୋର୍ ଧରିଛି । ତାହା ହେଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ପାଣି ମାପରେ ବ୍ୟସ୍ତ ଅଛନ୍ତି । ପାଣିର ଗଭୀରତା କେତେ ଅଛି, ତାହା ଜାଣିଲା ପରେ ସେ ନିଜର ପରବର୍ତ୍ତୀ ପଦକ୍ଷେପ ନେବେ । ତେବେ କ’ଣ ଏହି ପାଣିମାପ ? କାହିଁକି ନବୀନ ଏହି ପାଣି ମାପ କରୁଛନ୍ତି?  ଏହାଦ୍ୱାରା ତାଙ୍କର କି ଲାଭ ହେବାକୁ ଯାଉଛି? ଏହିଭଳି ପ୍ରଶ୍ନ ବର୍ତ୍ତମାନ ବାଟରେ ଘାଟରେ ଚର୍ଚ୍ଚା ହେଉଛି ।

Advertisment

‘ପାଣି ମାପ’ - ହଁ ଏହା ଏକ ରାଜନୈତିକ ଶବ୍ଦ । ଏହି ଶବ୍ଦର ମାର୍ମିକ ଅର୍ଥ ହେଲା କୌଣସି ଏକ ରାଜନୈତିକ ପଦକ୍ଷେପ ନେଲା ପୂର୍ବରୁ ଏହାର ପରବର୍ତ୍ତୀ  ପରିସ୍ଥିତି କ’ଣ ହେବ, ସେ ସମ୍ପର୍କରେ ଲୋକମାନଙ୍କର ମୁଡ଼୍ ବା ମନୋଭାବକୁ ପରଖିବା ।

ବିଜୁ ଜନତା ଦଳ ୨୦୨୪ ମସିହା ବିଧାନସଭା ନିର୍ବାଚନ ପରାଜୟ ପରଠାରୁ ଏକ ପ୍ରକାର ନିଜର ସ୍ଥିତି ବଞ୍ଚାଇବା ପାଇଁ ସଂଘର୍ଷ କରୁଛି । ଦଳ ନୂଆପଡ଼ା ବିଧାନସଭା ଉପନିର୍ବାଚନ ହାରିଗଲା । ଏହାପରେ ଦଳର ଅନେକ ନେତା ଏବେ ଭାରତୀୟ ଜନତା ପାର୍ଟି (ବିଜେପି) ମୁଁହା । ବରିଷ୍ଠ ନେତାମାନଙ୍କ ମୁଁହରେ ଏବେ ବାଡ଼ ବତା ନାହିଁ । ଯିଏ ଯାହା ପାଉଛି ତାହା କହୁଛି । ବିଶେଷ କରି ନବୀନଙ୍କ ସବୁଠାରୁ ପ୍ରିୟ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ କିମ୍ବା ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ଦଳୀୟ ସ୍ତରରେ କିମ୍ବା ଲୋକମାନଙ୍କ ମଧ୍ୟରେ ପୂର୍ବ ଭଳି ଆଉ ସେତିକି ଆଦର ପାଉନାହାଁନ୍ତି । ସେମାନଙ୍କୁ ସାମ୍ନାକୁ ଆଣିବା ପୂର୍ବରୁ ଯଦି ଆଉ କିଛି ଚେହେରାକୁ ସମ୍ମଖକୁ ଆଣି ଦଳକୁ ଏକଜୁଟ କରିହେବ, ସେହି ଦିଗରେ ନବୀନ ଉଦ୍ୟମ କରୁଥିବା ଜଣାଯାଏ ।

Advertisment

ଏଇ କିଛି ଦିନ ହେବ ନବୀନ ତାଙ୍କର ପୁରୁଣା ବନ୍ଧୁ ତଥା ଡୁନ୍ ସ୍କୁଲ  ସାଥୀ ଅନଙ୍ଗ ଉଦୟ ସିଂହଦେଓଙ୍କୁ ନବୀନ ନିବାସକୁ ଡକାଇ କଥା ହୋଇଥିଲେ । ସେମାନଙ୍କ ମଧ୍ୟରେ କ’ଣ କଥା ହେଲା, ତାହା ଗଣମାଧ୍ୟମକୁ ଆସିନାହିଁ । ହେଲେ ଅସୁବିଧା ସମୟରେ ସେ ପୁରୁଣା ବନ୍ଧୁଙ୍କର ସହଯୋଗ ଓ ସାହଚର୍ଯ୍ୟ ଖୋଜିଲେ ବୋଲି କୁହାଗଲା । ଏହପରେ ଜାନୁଆରୀ ୩୧ ତାରିଖ ଦିନ ନବୀନ ଅନଙ୍ଗଙ୍କ ବିଧାୟକ ପୁତ୍ର କଳିକେଶ ସିଂହଦେଓଙ୍କୁ ଡକାଇ ପଠାଇ କିଛି ଆଲୋଚନା କରିଛନ୍ତି । ଏ ନେଇ ଢେର ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ସମୀକ୍ଷକମାନଙ୍କ କହିବା କଥା ବର୍ତ୍ତମାନ ଯେହେତୁ  ଉପକୂଳ ନେତାମାନେ ପରସ୍ପର ନିଜକୁ ସବୁଠାରୁ ବଡ଼ ନେତା ଓ ସଙ୍ଗଠକ ଭାବୁଛନ୍ତି, ସେମାନଙ୍କୁ ଚେକ୍ ଦେବା ପାଇଁ ନବୀନ କଳିକେଶଙ୍କୁ ସଂଗଠନ ସମ୍ପାଦକ,  ଊପସଭାପତି କିମ୍ବା ସେହିଭଳି ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦରେ ଅଭିଷିକ୍ତ କରି ତାଙ୍କ ଦ୍ୱାରା ସଙ୍ଗଠନକୁ ନିୟନ୍ତ୍ରଣ କରିବେ ।

Advertisment

ଅତୀତରେ ଉପକୂଳର ଅନେକ ନେତା ଯଥା ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପ୍ରଣବ ପ୍ରକାଶ ଦାସ, ସଂଜୟ ଦାସବର୍ମା ପ୍ରମୁଖ ସଂଗଠନରେ ଗୁରୁଦାୟିତ୍ୱ ନିର୍ବାହ କରି ନିଜର ଦକ୍ଷତା ପ୍ରକାଶ କରିଛନ୍ତି ଏବଂ ଏହାରି ମଧ୍ୟରେ ସେମାନେ ନବୀନଙ୍କ ପରବର୍ତ୍ତୀ  ପିଢିର ନେତାଭାବେ ନିଜକୁ ଉପସ୍ଥାପିତ କରିବା ପାଇଁ ସ୍ୱପ୍ନ ଦେଖିଛନ୍ତି ବା ଦେଖୁଛନ୍ତି ।

ରାଜନୀତିରେ ନେତାମାନେ ବଡ଼ ସ୍ୱପ୍ନ ଦେଖିବା କିଛି ଅସ୍ୱାଭାବିକ ନୁହେଁ । କିନ୍ତୁ ସେମାନଙ୍କ ସ୍ୱପ୍ନ ମଧ୍ୟରେ ଯଦି ଦଳର କ୍ଷତି ହେଉଥାଏ, ତେବେ ତାହା ଦଳକୁ ଧ୍ୱସାଂଭିମୁଖୀ କରେ । ନବୀନ ବୋଧହୁଏ ଆଶଙ୍କା କରୁଛନ୍ତି ଯଦି ଏବେ ଠାରୁ ଦଳକୁ ଉପଯୁକ୍ତ ବ୍ୟକ୍ତିଙ୍କ ତତ୍ତ୍ୱାବଧାନରେ ଛାଡ଼ି ନଦିଆଯାଏ, ତେବେ ଆଗାମୀ ଦିନରେ ସ୍ୱପ୍ନ ବିଳାସୀ ନେତାମାନଙ୍କ ମଧ୍ୟରେ ନେତୃତ୍ୱ ଲାଗି ଝଗଡ଼ା ହୋଇ ଦଳ ବିରାଟ ଅବକ୍ଷୟର ସାମ୍ନା କରିବ ।

ମର୍ଯ୍ୟାଦାସମ୍ପନ୍ନ ରାଜନୈତିକ ପରିବାର ସଦସ୍ୟ

କଳିକେଶ ସିଂହଦେଓଙ୍କ ଜେଜେ ବା ଅନଙ୍ଗ ଉଦୟ ସିଂହଦେଓଙ୍କ ପିତା ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ । ସେ ଏକ ମର୍ଯ୍ୟାଦାସମ୍ପନ୍ନ ରାଜନୈତିକ ପରିବାରରୁ ଆସୁଛନ୍ତି । ତାଙ୍କ ହାତରେ ଯଦି ଦଳର କୌଣସି ଦାୟିତ୍ୱ ଅର୍ପଣ କରାଯାଏ, ହୁଏତ ସମସ୍ତେ ତାହା ସ୍ୱୀକାର କରିବେ । ଏହାଦ୍ୱାରା ଦଳର ଏକତା ବଜାୟ ରହିବା ସହିତ ନେତାମାନଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରାଯାଇପାରିବ ।

କଳିକେଶ ପୂର୍ବରୁ ରାଜ୍ୟସ୍ତରରେ ସାଙ୍ଗଠନିକ କାର୍ଯ୍ୟରେ ସେତେଟା ସକ୍ରିୟତାର ସହିତ ଯୋଡ଼ି ହୋଇନାହାନ୍ତି । ତାଙ୍କର ରାଜନୈତିକ କାର୍ଯ୍ୟକଳାପ ବଲାଙ୍ଗୀର ଜିଲ୍ଲାରେ ସୀମିତ । ଏବେ ଦେଖିବାର କଥା ନବୀନ ତାଙ୍କୁ କେଉଁ ଦାୟିତ୍ୱ ଦେଉଛନ୍ତି । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ ଯଦି କଳିକେଶଙ୍କୁ ନବୀନ ସାମ୍ନାକୁ ଆଣି କିଛି ଗୁରୁଦାୟିତ୍ୱ ଅର୍ପଣ କରୁଛନ୍ତି, ତେବେ ତାହା ଦ୍ୱାରା ସେ ତାଙ୍କର ପୁରୁଣା ବନ୍ଧୁ ଅନଙ୍ଗ ଉଦୟଙ୍କର ସମର୍ଥନକୁ ପୁଣି ଥରେ ପୂର୍ବବତ୍ ପାଇପାରିବେ ।

ଅନେକ ଦିନ ଧରି ଅନଙ୍ଗ ବିଜେଡ଼ି ରାଜନୀତିରେ ଏକ ପ୍ରକାର ଅଖୋଜା-ଅଲୋଡ଼ା ହୋଇ ରହିଯାଇଥିଲେ । ପ୍ୟାରୀମୋହନ ମହାପାତ୍ର ଓ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କ ସମୟରେ ତାଙ୍କର ଗୁରୁତ୍ୱ ହ୍ରାସ ପାଇଥିଲା ।

ଅନଙ୍ଗ ବିଜୁ ଜନତା ଦଳର ଜଣେ ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ । ପଶ୍ଚିମ ଓଡ଼ିଶାରେ ତାଙ୍କର ବେଶ୍ ଖ୍ୟାତି ରହିଛି । ତାଙ୍କ ପୁତ୍ରକୁ ଆଗକୁ ଆଣି ସେ ପଶ୍ଚିମ ଓଡ଼ିଶାରେ ଦଳକୁ ସୁସଙ୍ଗଠିତ କରିବା ପାଇଁ ପ୍ରୟାସ କରୁଛନ୍ତି । ନିକଟରେ ବିଜେଡ଼ିର ଅନ୍ୟତମ ପ୍ରତିଷ୍ଠାତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହପାତ୍ରଙ୍କୁ ନବୀନ ଏକ ଦଳର ନିଲମ୍ବନ କରି ଏକ ଝଟ୍କା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ପରିସ୍ଥିତିରେ ତାଙ୍କୁ ବେଶ୍ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା ।

ଏବେ ଯଦି କଳିକେଶ କିଛି ଦାୟିତ୍ୱ ନେଉଛନ୍ତି ତେବେ ଜଣେ ବନ୍ଧୁପୁତ୍ରଙ୍କୁ ଝଟ୍କା ଦେଇ ସମାଲୋଚନା ସାଉଁଟିଥିବା ନବୀନ ଆଉ ଜଣେ ବନ୍ଧୁପୁତ୍ରଙ୍କୁ ଉଚ୍ଚପଦରେ ବସାଇ ସ୍ଥିତି ରକ୍ଷା କରିପାରିବେ ଭାବୁଥିବା ସମୀକ୍ଷକମାନେ ମନେକରୁଛନ୍ତି ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ