Advertisment

Caught in the Political Maze: ରାଜନୀତିର ଚକ୍ରବୁହ୍ୟରେ ଫସିଥିବା ଚରିତ୍ର,  ବିଜୟଙ୍କ ଠାରୁ ଅରବିନ୍ଦଙ୍କ ଯାଏ

କିଛି ସମୟ ମଧ୍ୟରେ ବିଜୟ ଜାଣିଗଲେ ଯେ ତାଙ୍କୁ ପଛରୁ ଛୁରିକାଘାତ କରାଯାଇଛି । ଶତାବ୍ଦୀର ସବୁଠାରୁ ବଡ଼ ଛଳନା ଓ ଧୋକ୍କା ତାଙ୍କ ସହିତ ହୋଇଛି ବୋଲି ତାଙ୍କୁ ବୁଝିବାକୁ ବେଶି ସମୟ ଲାଗିନଥିଲା । ତାଙ୍କ ପାଖରେ ଆଉ କିଛି କରିବାର ଚାରା ନଥିଲା ।

Conspiracy

Conspiracy Photograph: (OTV)

Advertisment

‘କୁଟନୀତି’ ଓ ‘ଚକ୍ରାନ୍ତ’ ବା ‘କନ୍ସ୍ପିରାସି’ ରାଜନୀତିର ଏକ ଅଂଶବିଶେଷ ବୋଲି କୁହାଯାଏ । ଶାସନକୁ ଆସିବା, ଶାସନରେ ତିଷ୍ଠି ରହିବା ଏବଂ ପ୍ରତିପକ୍ଷକୁ ଦୂରେଇ ରଖିବାରେ ଏହି ଦୁଇଟି ଅସ୍ତ୍ର ପ୍ରୟୋଗ କରାଯାଏ । ପ୍ରାଚୀନ କାଳରୁ ଆରମ୍ଭ କରି ବର୍ତ୍ତମାନ ସମୟରେ ବି ଚକ୍ରାନ୍ତ ରାଜନୀତି ସହିତ ସେମିତି ରହିଆସିଛି ।

Advertisment

ଏହି ଚକ୍ରାନ୍ତର ଚକ୍ରବ୍ୟୁହରେ ରୋମ୍ର ଶାସକ ଜୁଲିଅସ୍ ସିଜରଙ୍କ ଭଳି ଅନେକ ନେତା ଫସିଯାଇ ନିଜର ଅତ୍ୟନ୍ତ ଅନୁଗତ ମାର୍କସ ଜୁନିୟସ୍ ବ୍ରୁଟସ୍ଙ୍କ ଦ୍ୱାରା ଛୁରିକାଘାତରେ ପ୍ରାଣ ହରାଇଥାନ୍ତି ତ କେତେବେଳେ ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନଟି ରାମାରାଓଙ୍କ ଭଳି ନେତା ନିଜ ଜ୍ୱାଇଁ ଚନ୍ଦ୍ରବାବୁ ନାଇଡ଼଼ୁଙ୍କ ଦ୍ୱାରା ରାଜନୈତିକ କ୍ୟାରିୟରର ଅନ୍ତ ଘଟିଥାଏ ।

ଏବେ ଚଳିତ ଶତାବ୍ଦୀରେ ଓଡ଼ିଶା ରାଜନୀତିରେ ହୋଇଥିବା କିଛି ଅଦ୍ଭୂତପୂର୍ବ ଚକ୍ରାନ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବା । ୯୦ ଦଶକର ଦ୍ୱିତୀୟ ଭାଗରେ ଓଡ଼ିଶା ଏକ ପ୍ରକାର ଅରାଜକତା ଦେଇ ଗତି କରୁଥାଏ । କଂଗ୍ରେସ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଯୋଗୁ ଶାସନ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହେଉଥାଏ ।  ୧୯୯୯ ମହାବାତ୍ୟାରେ ସାରା ରାଜ୍ୟ କ୍ଷୟକ୍ଷତି ସହି ପୁଣି ଥରେ ଅଣ୍ଟା ସଳଖି  ଛିଡ଼ା ହେବା ଆବଶ୍ୟକତା ଥିଲାବେଳେ ଏଠାରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଗରିଧର ଗମାଙ୍ଗଙ୍କ ଗୋଷ୍ଠୀ ମଧ୍ୟରେ ଚୌକି ପାଇଁ ଲଢେଇ ଚାଲିଥିଲା ।

Advertisment

ନାରୀ ନିର୍ଯାତନା ଓ ସଂଖ୍ୟାଲଘୁ ଫାଦର ଅରୁଲ ଦୋସ ଘଟଣା ଓ ଗ୍ରାହାମ ଷ୍ଟିୱାର୍ଟ ଷ୍ଟେନସ୍ ଓ ତାଙ୍କର ଦୁଇ ପୁତ୍ର ଯଥା ଫିଲିପ୍ ଓ ଟିମୋଥିଙ୍କ ହତ୍ୟା, ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା, ବ୍ରହ୍ମପୁରର ବବିତା ପଣ୍ଡାଙ୍କ ସ୍ୱାମୀ ଜୟଦେବ ପଣ୍ଡାଙ୍କ ରହସ୍ୟଜନକ ମୃତ୍ୟୁ ଇତ୍ୟାଦି ଓଡ଼ିଶା ରାଜନୀତିକୁ ଦୋହଲାଇ ଦେଇଥିଲା ।

୧୯୯୦ ଦଶକର ଶେଷ ପାଦରେ ଜନତା ଦଳର ବିଭାଜନ ଜାତୀୟ ଓ ରାଜ୍ୟସ୍ତରରେ ହେଲା । ଓଡ଼ିଶାରେ ଜନତା ଦଳ (ଧର୍ମନିରପେକ୍ଷ) ଓ ଜନତା ଦଳ (ସଂଯୁକ୍ତ) ସୃଷ୍ଟି ହେଲା । ସ୍ୱଗତ ଅଶୋକ ଦାସ ଜନତା ଦଳ (ଧର୍ମନିରପେକ୍ଷ)ର ନେତୃତ୍ୱ ନେଉଥିଲେ । ଏବେକାର କଂଗ୍ରେସ୍ ନେତା ନରସିଂହ ମିଶ୍ର ଜନତା ଦଳ (ସଂଯୁକ୍ତ)ର ନେତୃତ୍ୱ ନେଲେ । ଏହି ଦୁଇଗୋଷ୍ଠୀରେ ଯେଉଁମାନେ ରହିଲେ ନାହିଁ ସେମାନେ ବିଜୁ ଜନତା ଦଳ ତିଆରି କଲେ । 

Advertisment

ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଅନଙ୍ଗ ଉଦୟ ସିଂହଦେଓ, ବ୍ରଜକିଶୋର ତ୍ରିପାଠୀ, ଦିଳ୍ଲୀପ ରାୟ, ପ୍ରସନ୍ନ ଆଚାର୍ଯ୍ୟ ବୈଜୟନ୍ତ ପଣ୍ଡା ପ୍ରମୁଖ ଏହି ଦଳର ତୁଙ୍ଗ ନେତା ଭାବରେ ରଣନୀତି ତିଆରି କରୁଥାନ୍ତି । ବିଜୟ ମହାପାତ୍ର ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟିର ଅଧ୍ୟକ୍ଷ ଭାବରେ ବିଜେପି ସହିତ ଆସନ ବୁଝାମଣା ଠାରୁ ଆରମ୍ଭ କରି ପ୍ରାର୍ଥୀ ଚୟନ ପର୍ଯ୍ୟନ୍ତ ସବୁ କିଛି ବୁଝାବୁଝି କରୁଥିଲେ । ୨୦୦୦ ମସିହା ଫେବୃୟାରୀ ୫ ତାରିଖ ଦିନ ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ । ବିଜୟ ପାଟକୁରାରେ ନିଜର ପ୍ରାର୍ଥୀପତ୍ର ଦାଖଲ କରି ସାରିଥାଆନ୍ତି ।

ଭୁବନେଶ୍ୱରରେ ଏକ ହୋଟେଲରେ ସହଯୋଗୀମାନଙ୍କ ସହିତ ବୈଠକ କରି ନିର୍ବାଚନ ରଣନୀତିର ଶେଷ ସ୍ପର୍ଶ ଦେଉଥିଲେ । ଅପରାହ୍ନ ସମୟ । ଠିକ୍ ଏହି ସମୟରେ ତାଙ୍କର ଫୋନ ରିଙ୍ଗ ହେଲା । ଫୋନ୍ ଉଠାଇ ସେ ଯାହା ଶୁଣିଲେ, ତାହାକୁ ସେ ବିଶ୍ୱାସ କରିପାରିନଥିଲେ । ଏକ ଓଡ଼ିଆ ଦୈନିକ ଖବରକାଗଜରେ ସାମ୍ବାଦିକ ଭାବରେ କାମ କରୁଥିବା ଅତନୁ ସବ୍ୟସାଚୀ ନାୟକ ପାଟକୁରାରେ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ।

କିଛି ସମୟ ମଧ୍ୟରେ ବିଜୟ ଜାଣିଗଲେ ଯେ ତାଙ୍କୁ ପଛରୁ ଛୁରିକାଘାତ କରାଯାଇଛି । ଶତାବ୍ଦୀର ସବୁଠାରୁ ବଡ଼ ଛଳନା ଓ ଧୋକ୍କା ତାଙ୍କ ସହିତ ହୋଇଛି ବୋଲି ତାଙ୍କୁ ବୁଝିବାକୁ ବେଶି ସମୟ ଲାଗିନଥିଲା । ତାଙ୍କ ପାଖରେ ଆଉ କିଛି କରିବାର ଚାରା ନଥିଲା ।

ତ୍ରିଲୋଚନ ଜିତିଥିଲେ ବିଜୟଙ୍କ ସମର୍ଥନରେ

ପାଟକୁରାରେ ନବୀନଙ୍କ ବିରୋଧରେ ବିଦ୍ରୋହ ଦେଖାଦେଲା । ସେତେବେଳେ ତ୍ରିଲୋଚନ ବେହେରା ନାମକ ଜଣେ ବ୍ୟକ୍ତି ତୃଣମୂଳ କଂଗ୍ରେସର ପ୍ରାର୍ଥୀଭାବରେ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ତାଙ୍କ ସହିତ କଥାବାର୍ତ୍ତା କରାଗଲା  ଯେ ବିଜୟଙ୍କ ସହିତ ଧୋକାବାଜି କରିଥିବା ନବୀନଙ୍କୁ କିପରି ପାଟକୁରାରେ ଶିକ୍ଷା ଦିଆଯାଇପାରିବ । ସେ ରାଜି ହେଲେ ଯେ ବିଜୟ ତାଙ୍କୁ ସମର୍ଥନ ଦେବେ ଏବଂ ଜିତିଲା ପରେ ବିଜୟ ଯେତେବେଳେ ଚାହିଁବେ, ସେ ଆସନ ଛାଡ଼ି ଉପନିର୍ବାଚନ ଲାଗି ପଥପରିଷ୍କାର କରିବେ । ପ୍ରଚାର ସମୟ ଆସିଲା ।

ପାଟକୁରା ନିକଟସ୍ଥ ଚିତ୍ରୋତ୍ପଳା ନଦୀ ବାମପାର୍ଶ୍ୱରେ ଅବସ୍ଥିତ ଆଖୁଆ ଗ୍ରାମର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ସଭା ଅନୁଷ୍ଠିତ ହେଲା । ସେହି ସଭାରେ ବହୁ ସଂଖ୍ୟାରେ ଭୁବନେଶ୍ୱରର ଅନେକ ଗଣମାଧ୍ୟମର ସମ୍ପାଦକ ଓ ବରିଷ୍ଠ ସମ୍ବାଦିକ ଯୋଗଦେଇଥିଲେ । ଅଗଣିତ ଜନତାଙ୍କ ସମ୍ମୁଖରେ ସେଦିନ ତ୍ରିଲୋଚନ ବିଜୟଙ୍କର ଦୁଇ ଜୋତାକୁ ମୁଣ୍ଡରେ ରଖି କହିଲେ, ‘ମୁଁ ହେଉଛି ଭରତ, - ବିଜୟ ହେଉଛନ୍ତି ପ୍ରଭୁ ରାମ । ଆଜି ଶପଥ କରି କହୁଛି, ବିଜୟ ଯେତେବେଳେ ଆସିବେ, ମୁଁ ତାଙ୍କ ଲାଗି ଏ ଆସନ ଲଢ଼ିବା ପାଇଁ ଛାଡ଼ିଦେବି ଏବଂ ସେ ଏଠାରୁ ନିର୍ବାଚିତ ହୋଇ ବିଧାନସଭା ଯିବେ ।’

କିନ୍ତୁ ପରବର୍ତ୍ତୀ ସମୟରେ ପ୍ୟାରୀମୋହନ ମହାପାତ୍ର ଓ ଅତନୁଙ୍କ ଗୋଟି ଚାଳନାରେ ତ୍ରିଲୋଚନ ବେହେରା ଆଉ ପଦ ଛାଡ଼ିଲେ ନାହିଁ । ସେତେବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବରେ ତ୍ରିଲୋଚନ ବେହେରାଙ୍କ ପରିବାର ସଦସ୍ୟ ବିଧାନସଭାରେ ଚାକିରୀ ପାଇଲେ । ଆହୁରି କିଛି ଏହା ପଛରେ ରହିଲା ବୋଲି ଆଲୋଚନା ହେଲା । ସେବେ ଠାରୁ ବିଜୟ ଆଉ ବିଧାନ ସଭା ଆସିପାରିନାହାଁନ୍ତି ।

ରଣେନ୍ଦ୍ର ଖାଇଥିଲେ ଝଟକା 

ବିଜୟଙ୍କ ଭଳି ନିର୍ବାଚନ ବେଳେ ନବୀନ ଓ ପ୍ୟାରୀଙ୍କ ହାଇଭୋଲଟେଜ୍ ଝଟ୍କା ପାଇଥିଲେ ଆଠଗଡ଼ର ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ୨୦୦୯ ମସିହାରେ ତାଙ୍କର ପ୍ରାର୍ଥୀପତ୍ରଙ୍କୁ ସେତେବେଳର ରିଟର୍ଣ୍ଣିଂ ଅଫିସର ରାଜେଶ ପ୍ରଭାକର ପାଟିଲ୍ ନାକଚ କରିଦେଇଥିଲେ । ସେତେବେଳେ ସେ ସ୍ୱାଧୀନ ପ୍ରାର୍ଥୀ ରମେଶ ରାଉତଙ୍କୁ ସମର୍ଥନ ଦେଇଥିଲେ । ତ୍ରିଲୋଚନଙ୍କ ପରି ରମେଶ ମଧ୍ୟ ଜିତିଲା ପରେ ସଦସ୍ୟ ପଦ ଛାଡ଼ିନଥିଲେ ଏବଂ ଏହା ପଛରେ ନବୀନ ଓ ପ୍ୟାରୀଙ୍କ ଚାଲ୍ ଥିଲା ବୋଲି ସେତେବେଳେ ଆଲୋଚନା ହୋଇଥିଲା । ପରେ ରଣେନ୍ଦ୍ର ନ୍ୟାୟାଳୟରେ କେସ୍ ଜିତିଥିଲେ । 

ସେହିପରି ରାମକୃଷ୍ଣ ପଟ୍ଟନାୟକଙ୍କୁ ରାଜ୍ୟସ୍ୱାର୍ଥ ବିରୋଧୀ, ପ୍ରଶାନ୍ତ ନନ୍ଦ, ନଳିନୀ ମହାନ୍ତି ଓ କମଳା ଦାସଙ୍କୁ ଦୁର୍ନୀତିଗ୍ରସ୍ତ କହି ସେ ବିଜେଡ଼ିରୁ ବିଦା କରିଥିଲେ । କେବଳ ସେତିକି ନୁହେଁ ପୂର୍ବତନ ବାଚସ୍ପତି ଶରତ କର, ଡାକ୍ତର ଦାମୋଦର ରାଉତ, ବ୍ରଜକିଶୋର ତ୍ରିପାଠୀ, ଅର୍ଜୁନ ସେଠୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ ନବୀନଙ୍କ ଜଟିଳକୁଟୀଳ ରାଜନୀତିର ଶିକାର ହୋଇ ରାଜନୀତିରେ ବହୁ ଦହଗଞ୍ଜ ହୋଇଛନ୍ତି ।

ଏବେ ଦେଖିବାର କଥା ନବୀନଙ୍କ ରାଜନୀତିର ସଦ୍ୟ ଶିକାର ହୋଇଥିବା ବିଜୟଙ୍କ ପୁତ୍ର ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ସେମାନଙ୍କ ପ୍ରତି ପ୍ରୟୋଗ ହୋଇଥିବା ଅପଶବ୍ଦ ସହି ରହିଯାଉଛନ୍ତି ନା ଏହାର ମଧୁର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । 

ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ବିଜେଡିରୁ ତାଙ୍କ ନିଲମ୍ୱନକୁ ଚ୍ୟାଲେଞ୍ଜ କରିନଥିବା ବେଳେ ଅରବିନ୍ଦ କିନ୍ତୁ ଚ୍ୟାଲେଞ୍ଜ କରିଛନ୍ତି । ଏପରିକି ଅରବିନ୍ଦଙ୍କ ସମର୍ଥକମାନେ ପାଟକୁରାରୁ ଆସି ଭୁବନେଶ୍ୱରରେ ଶଙ୍ଖଭବନ ଘେରାଉ କରିଛନ୍ତି । ବିଜେଡି ସୁପ୍ରିମୋଙ୍କୁ ଜବାବ ମାଗିଛନ୍ତି ।

ବି.ଦ୍ର. – ଏହା ଲେଖକଙ୍କ ନିଜସ୍ୱ ମତ ।  

BJD Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ